Categories
ବିଶେଷ ଖବର ରାଜ୍ୟ ଖବର

ମାଲକାନଗିରିରେ ୪ ଜଣଙ୍କ ମୃତ୍ୟୁ ଘଟଣା, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ସହିତ ଦୁଇଟି ଭିନ୍ନଭିନ୍ନ ଦୂର୍ଘଟଣାରେ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ନିକଟତମ ଆତ୍ମୀୟ ମାନଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏ ସହାୟତା ପ୍ରଦାନ କରିବା ପାଇଁ ସେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କାଳବୈଶାଖୀ ଯୋଗୁ ମାଲକାନଗିରିରେ ଡଙ୍ଗା ବୁଡି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏୟାରଷ୍ଟ୍ରିପର ପାଚେରୀ ଭୁଷୁଡି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏତତ୍‌ବ୍ୟତିତ ଆହାତମାନଙ୍କୁ ବିନା ମୂଲ୍ୟରେ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଗଂଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ଗାଧେଇବା ବେଳେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ଚାରି ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ମୃତ ଛାତ୍ରୀଙ୍କ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ କାଳବୈଶାଖୀ କ୍ଷୟକ୍ଷତି, ସ୍ଥିତି ପରଖିଲେ ତହସିଲଦାର

ସୀତାରାମ ଅଗ୍ରୱାଲ

ବାଣପୁର: ଗୁରୁବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର ନୀଳାଦ୍ରି ଗ୍ରାମରେ ଏକ ବହୁଦିନର ତେନ୍ତୁଳି ଗଛ ଉପୁଡି ଅଶୋକ ପ୍ରଧାନଙ୍କ ଘର ଉପରେ ପଡିଯାଇଥିଲା। ଯାହାଫଳରେ ଅଶୋକଙ୍କର ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଘର ପିଣ୍ଢାରେ ବସିଥିବା ଅଶୋକଙ୍କ ଭାଇ ସୁର ପ୍ରଧାନ ଗୁରତର ଆହତ ହେବା ସହ ଗ୍ରାମର ବିଦୁତ ଖୁଣ୍ଟ ଭାଙ୍ଗି ଗ୍ରାମ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଇଥିଲା।

ଉକ୍ତ ଖବର ପାଇ ଆଜି ସକାଳୁ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଉକ୍ତ ଗ୍ରାମ ଗସ୍ତ କରି ସ୍ଥିତି ପରଖିଥିଲେ। ଭାଙ୍ଗିଯାଇଥିବା ଘରକୁ ସରକାରୀ ସହାୟତା ପାଇଁ ତୁରନ୍ତ ପଦକ୍ଷେପ ନେଇଛନ୍ତି ତହସିଲଦାର। ଏ ବାବଦରେ ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି ତହସିଲଦାର।

ଅନୁରୂପ ଭାବେ ଅଗ୍ନିଶମ ବାହିନୀ ଦ୍ୱାରା ଗଛ କଟା କାର୍ଯ୍ୟ କ୍ଷିପ୍ରଗତିରେ ଜାରି ରହିଥିବା ବେଳେ ବିଦ୍ୟୁତ ବିଭାଗ ଦ୍ୱାରା ପୁନଃ କାର୍ଯ୍ୟକ୍ଷମ କାର୍ଯ୍ୟ ମଧ୍ୟ ଜାରି ରହିଥିବାର ତହସିଲଦାର ସୂଚନା ଦେଇଛନ୍ତି।