Categories
ବିଶେଷ ଖବର

ନୂଆଁଖାଇରେ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା: ଚାଷୀଙ୍କୁ ମିଳିଲା ୯୦୦ କୋଟି

ଭୁବନେଶ୍ଵର: ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି।

ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି।

ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି।

ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇ ର ଶୁଭେଚ୍ଛା ଜଣାଇ କହିଲେ ଯେ ଚାଷୀ ଆମର ଗୌରବ। ମୋ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଂଚୁ ବୋଲି ସେ ଚାହାନ୍ତି। ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କାର ସହାୟତା ଦିଆ ଯାଇଛି।

ସେ ପୁଣି କହିଲେ ଯେ ଚାଷୀ ପରିବାର ର ପିଲାମାନେ ଡାକ୍ତର, ଇଞ୍ଜିନିଅର ହୋଇ, ଭଲ ଭଲ ପ୍ରଫେସନରେ ଯୋଗ ଦିଅନ୍ତୁ ବୋଲି ସେ ଚାହାନ୍ତି। ଏହାଦ୍ବାରା ସେମାନେ ନିଜ ପରିବାର ପାଇଁ, ସାରା ରାଜ୍ୟ ପାଇଁ ସୁନାମ ଆଣି ପାରିବେ ବୋଲି ମୁଖ୍ୟ ମନ୍ତ୍ରୀ କହୁଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ପାଉଥିବା ଚାଷୀ ମାନଙ୍କ ପିଲା ମାନଙ୍କୁ ରାଜ୍ୟ ସରକାର କାଳିଆ ବୃତ୍ତି ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଫସଲ ବୀମା ର ପ୍ରିମିୟମ ଦେଉଛନ୍ତି। ଏ ବର୍ଷ ୨୨ ଲକ୍ଷରୁ ଅଧିକ ଚାଷୀ ବୀମା ପାଇଁ ପଞ୍ଜିକରଣ କରି ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କୃଷି ପାଇଁ ରାଜ୍ୟ ସରକାର ବହୁତ୍ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚାଷୀ ମାନେ ଏହାର ସୁଯୋଗ ନେଇ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ।

ସୂଚନା ଯୋଗ୍ୟ ଯେ କାଳିଆ ସହାୟତା ରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଓ ଯାନ୍ତ୍ରିକ ଉପକରଣ କିଣିବା ପାଇଁ ସିଧା ସଳଖ ସହାୟତା ଦିଆଯାଉଛି। ଏହା ଦ୍ବାରା ସେମାନେ ଋଣ ଗ୍ରସ୍ତ ହେବାର ସମ୍ଭାବନା ରହୁ ନାହିଁ।

ଏହା ସହିତ ଭୂମି ହୀନ ଚାଷୀ ମାନଙ୍କୁ ବିଭିନ୍ନ ଜୀବିକା ପାଇଁ ଯଥା ଛେଳି, କୁକୁଡ଼ା, ବତକ ପାଳନ, ମହୁ ଚାଷ, ଛତୁ ଚାଷ ଆଦି ପାଇଁ ମଧ୍ଯ ଏହି ସହାୟତା ଦିଆଯାଉଛି।

ଏହି ଅବସରରେ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ ମୁଖ୍ୟ ମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ରାଜ୍ୟରେ ଅନେକ କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି। ସେଥି ମଧ୍ୟରୁ କାଳିଆ ଯୋଜନା ସ୍ବତନ୍ତ୍ର। ଏହା ଯୋଗୁ ଚାଷୀ ମାନେ ଆଉ ବେସରକାରୀ ଅର୍ଥ ଲଗାଣ କାରି ସଂସ୍ଥା କିମ୍ବା ଗାଁ ସାହୁକାର ଉପରେ ନିର୍ଭର କରୁ ନାହାନ୍ତି। ନିଜ ଉପରେ ଚାଷୀ ମାନଙ୍କ ଆସ୍ଥା ବଢ଼ିଛି। ଗତ ଚାରି ବର୍ଷରେ ରାଜ୍ୟରେ କ୍ରମାଗତ ଭାବେ ରେକର୍ଡ ଉତ୍ପାଦନ ହେଉଛି ବୋଲି ସେ କହିଥିଲେ।

ରାଜ୍ୟ ସରକାର କିଛି ବର୍ଷ ହେବ gender budgeting କରୁଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଯୋଜନାର ଅତି କମରେ ୩୦-୩୫ ପ୍ରତିଶତ ଅର୍ଥ ମହିଳା ମାନଙ୍କ ପାଇଁ ଖର୍ଚ୍ଚ ହେଉଛି।

ଏହି ଅବସରରେ କେତେକ କାଳିଆ ହିତାଧିକାରୀ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଢେଙ୍କାନାଳ IGIT ସରାଙ୍ଗରେ ପଢୁଥିବା ଛାତ୍ରୀ ରାଣୀ ସାହୁ କହିଲେ ଯେ କାଳିଆ ଛାତ୍ର ବୃତ୍ତି ଯୋଗୁ ସେ ଆଜି ଇଞ୍ଜିନିୟରିଂ ପଢ଼ି ପାରୁଛନ୍ତି। ନ ହେଲେ ହୁଏତ ତାଙ୍କ ସ୍ବପ୍ନ ପୁରଣ ହୋଇ ପାରି ନ ଥାନ୍ତା। ତାଙ୍କ ବାପାଙ୍କୁ କରଜ କରିବାକୁ ପଡ଼ି ଥାନ୍ତା। ତେଣୁ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ସେହିପରି ବଲାଙ୍ଗୀରର ଚାଷୀ ବିନୋଦ ପ୍ରଧାନ, ନବରଙ୍ଗପୁରର ଲଛମା ଭତରା ଓ ବାଲେଶ୍ଵରର ଚାଷୀ ଗିରିଧାରୀ ଗିରି ପ୍ରମୁଖ କାଳିଆ ସହାୟତା ପାଇଁ ସେମାନଙ୍କ ହୃଦୟରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ। କାଳିଆ ଯୋଗୁ ସେମାନଙ୍କୁ ଋଣ କରିବାକୁ ପଡୁ ନାହିଁ। ସେମାନେ ସମସ୍ତେ ଈଶ୍ବରଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଥଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉନ୍ନୟନ କମିଶନର ଅନୁ ଗର୍ଗ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାରେ ଅଧିକାରୀ ଓ ହିତାଧିକାରୀ ମାନେ ଭିଡ଼ିଓ କନଫରେନ୍ସ ଜରିଆରେ ଯୋଡ଼ି ହୋଇଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ କଲ୍ୟାଣ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ଖରିଫ-୨୦୨୩ କାଳିଆ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ କାଳିଆ ସହାୟତା ରାଶି ପ୍ରଦାନ  କରାଯାଇଛି। ଜିଲ୍ଲାର ୩୬,୨୪୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୪୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୭ କୋଟି ୩୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର କାଳିଆ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ଅପ୍ରେଲ ପହିଲା ଓଡ଼ିଶା ଦିବସ ଅବସରରେ ଝାରସୁଗୁଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ୨୯ଟି ଜିଲ୍ଲାର ୪୨ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୪୯ ହଜାରରୁ ଅଧିକ ଭୂମିହୀନ କୃଷି ପରିବାରକୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୮୭୭ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର କାଳିଆ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବା ପରିପ୍ରେକ୍ଷୀରେ କାଳିଆ ସହାୟତା ରାଶି ଝାରସୁଗୁଡ଼ା ଜିଲ୍ଲାର କାଳିଆ ହିତାଧିକାରୀ କୃଷକମାନଙ୍କୁ ଦିଆଯାଇ ନଥିଲା। ଇତି ମଧ୍ୟରେ ଝାରସୁଗୁଡ଼ାର ଉପନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଥିବାରୁ ଉପରୋକ୍ତ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଐତିହାସିକ କୃଷକ କଲ୍ୟାଣକାରୀ ‘କାଳିଆ’ ଯୋଜନାରେ ଚାଷୀମାନଙ୍କୁ ପ୍ରତି ଫସଲ ଋତୁ ପ୍ରାରମ୍ଭରେ ନଗଦ ଅର୍ଥ ଆକାରରେ ସହାୟତା ଦିଆଯାଇଥାଏ ଯାହାକି ଚାଷୀ ଭାଇଭଉଣୀମାନଙ୍କୁ କୃଷିକାର୍ଯ୍ୟ ପାଇଁ ପ୍ରାଥମିକ ମୂଳଧନ ଭଳି ସାହାଯ୍ୟ କରିଥାଏ।
ଏହା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ପରିବାରର ଆୟବୃଦ୍ଧି କରିବା ସହିତ ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ। କାଳିଆ ହିତାଧିକାରୀ ଚାଷୀମାନେ ଏହି ଯୋଜନାରେ ସହାୟତା ରାଶି ପ୍ରାପ୍ତି ପରେ ଆଉ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ଗାଁ ସାହୁକାରଙ୍କଠାରୁ ଉଚ୍ଚ ସୁଧହାରରେ ହାତଉଧାରୀ ଋଣ ଆବଶ୍ୟକ କରୁନାହାନ୍ତି। ଏହି ସହାୟତା ରାଶି ଚାଷୀମାନଙ୍କୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟଜନିତ ଫସଲ କ୍ଷତିକୁ ସାମ୍‌ନା କରିବା ପାଇଁ ମନରେ ଦମ୍ଭ ଆଣିଦେଇଛି। ଏଥି ସହିତ କାଳିଆ ଯୋଜନାରେ ଭୂମିହୀନ କୃଷି ପରିବାରଙ୍କୁ ଜୀବିକା ସହାୟତା ନିମନ୍ତେ ତିନୋଟି କିସ୍ତିରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି।
ଗତ ୨୦୨୨-୨୩ ରବି ଋତୁ ସୁଦ୍ଧା ରାଜ୍ୟର ୪୧ ଲକ୍ଷରୁ ଊଦ୍ଧ୍ୱର୍ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହିତାଧିକାରୀଙ୍କ ପରିବାରକୁ ମୋଟ ୮ଟି କିସ୍ତିରେ ସମୁଦାୟ ୨୨ ହଜାର ଟଙ୍କାର କାଳିଆ ସହାୟତା ରାଶି ଯୋଗାଇ ଦିଆଯାଇଥିଲା। ସେହିଭଳି ୧୮ ଲକ୍ଷରୁ ଊଦ୍ଧ୍ୱର୍ ଭୂମିହୀନ କୃଷି ଶ୍ରମିକ ପରିବାରକୁ ବିଭିନ୍ନ କିସ୍ତିରେ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ଜୀବିକା ସହାୟତା ରାଶି ପ୍ରଦାନ କରାଯାଇଛି।
ସେହିପରି କାଳିଆ ହିତାଧିକାରୀ ପିଲାମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ନିମନ୍ତେ କାଳିଆ ଛାତ୍ରବୃତ୍ତି ୨୦୨୧-୨୨ ଶିକ୍ଷାବର୍ଷଠାରୁ ପ୍ରଦାନ କରାଯାଉଛି। ୨୦୨୨-୨୩ ଶିକ୍ଷାବର୍ଷରେ ୧୦୭୪ ଜଣ କାଳିଆ ହିତାଧିକାରୀ ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ବାବଦରେ ସମୁଦାୟ ୨.୬ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।
Categories
ବିଶେଷ ଖବର ରାଜ୍ୟ ଖବର

ପୁରୀ ଜିଲ୍ଲା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି, ମିଳିବ 33 କୋଟି ଟଙ୍କାର ସହାୟତା

ଭୁବନେଶ୍ବର: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି। ଜିଲ୍ଲାର ୧ ଲକ୍ଷ ୬୫ ହଜାର ୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ 33.03 କୋଟି ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ।

ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ୩୭ ଲକ୍ଷ ୧୨ ହଜାର ୯୪୧ ଜଣ ଚାଷୀଙ୍କୁ ୭୪୨ କୋଟି ୫୮ ଲକ୍ଷ ଟଙ୍କାର କାଳିଆ ସହାୟତା ବଣ୍ଟନ କରିଥିଲେ । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇପାରି ନ ଥିଲା ।

ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସାରା ଦେଶରେ ଚାଷମାନଙ୍କ କଲ୍ୟାଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ।

ଏଥିରେ ଚାଷୀମାନେ ବିଭିନ୍ନ କୃଷିସାମଗ୍ରୀ ଯଥା – ବିହନ, ସାର ତଥା କୀଟନାଶକ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଆନୁସଂଗିକ ଆର୍ଥିକ ସୁବିଧା ପାଇପାରୁଛନ୍ତି। ସେହିପରି ଭୂମିହୀନ କୃଷି ପରିବାରମାନେ ମଧ୍ୟ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଆନୁସଂଗିକ କୃଷି କାର୍ଯ୍ୟ କରିପାରୁଛନ୍ତି ।

ଚାଷମାନଙ୍କ ଋଣ ଭାର କମ୍ କରିବାରେ ମଧ୍ୟ ଏହା ବିଶେଷ ସହାୟକ ସାବ୍ୟସ୍ତ ହୋଇ ପାରିଛି ।

Categories
ବିଶେଷ ଖବର ରାଜ୍ୟ ଖବର

ରବି ଫସଲ ପାଇଁ ୩୭ ଲକ୍ଷ ଚାଷୀଙ୍କୁ ମିଳିଲା କାଳିଆ ସହାୟତା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯାଇଛି। ପବିତ୍ର ନୂଆଖାଇ ଅବସରରେ ଚାଷୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀର ସମସ୍ୟା ହେଉଛି ଆମ ସମସ୍ତଙ୍କ ସମସ୍ୟା। ସାରା ରାଜ୍ୟର ସମସ୍ୟା। ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାର ସଂପର୍କରେ ଦେଖା ଦେଇଥିବା ଅସୁବିଧାର ସମାଧାନ ପାଇଁ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି।

ଏମଏସପି ଓ ଫସଲ ବୀମା ସଂପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ସେ କହିଛନ୍ତି। ସରକାର ସବୁବେଳେ ଚାଷୀ ମାନଙ୍କ ସାଥିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଚଳିତ ବର୍ଷ କମ୍‌ ବର୍ଷା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟରେ କମ୍‌ ବର୍ଷା ହୋଇଛି। ତେବେ ବର୍ତ୍ତମାନ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷି ବିଭାଗର କ୍ଷେତ୍ର ଅଧିକାରୀ ମାନଙ୍କୁ ଚାଷୀ ମାନଙ୍କ ସହ ସବୁବେଳେ ସଂପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। କୃଷି ବିଭାଗର ପରାମର୍ଶ ଅନୁଯାୟୀ ଚାଷୀ ଭାଇମାନେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇ କହିଥିଲେ ଯେ ନୂଆଖାଇ ହେଉଛି ମାଟି ମା ର ପର୍ବ। ଆଉ କୃଷକ ମାନେ ହେଉଛନ୍ତି ମାଟି ମା ର ସବୁଠାରୁ ବଡ ପୂଜାରୀ। ଏଭଳି ପବିତ୍ର ଦିନରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ସେ ଖୁସି ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନା ଚାଷୀର କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା। ଭୂମିହୀନ ଚାଷୀ ମାନଙ୍କୁ ସହାୟତା ଦେବାରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ। ଲକ୍ଷ ଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠାରୁ ଅଧିକ ଉପକାର ପାଉଛନ୍ତି। କୋଭିଡ ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀ ମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ନୟାଗଡ଼ରୁ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି ମନ୍ତ୍ରୀ ଅରୁଣ ସାହୂ ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ କାଳିଆ କାର୍ଯ୍ୟକ୍ରମ ଚାଷୀ କୁଳ ପାଇଁ ସାହାରା ହୋଇଛି ବୋଲି ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ସେମାନଙ୍କ ମତ ରଖି ସମ୍ଵଲପୁରର ମକରଧ୍ବଜ ମେଣ୍ଡଳି ବରଗଡର ଲାସିମା ବିଶ୍ବାଳ, ରାଧାକାନ୍ତ ବଲାଙ୍ଗୀରର ରାଜକୁମାର ପ୍ରଧାନ ଓ ପରମାନନ୍ଦ ମାଝୀ କାଳିଆ ଯୋଜନାର ଉଚ୍ଚ ଫ୍ରଶସା କରିଥିଲେ ଏବଂ ଏହି ଯୋଜନାରେ ଠିକ ସମୟରେ ସହାୟତା ମିଳୁଥବାରୁ ଆଉ ଧାର କରଜ କରିବାକୁ ପଡୁନାହିଁ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃଷି ସଚିବ ଏସ୍ କେ ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।