Categories
ଆଜିର ଖବର ଜାତୀୟ ଖବର

“କାଶୀ ତାମିଲ ସଙ୍ଗମମ” ଭାରତୀୟ ସଂସ୍କୃତିର ଏକତାକୁ ପୁନର୍ଜୀବିତ କରିଛି: ଅମିତ ଶାହ

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “କାଶୀ ତାମିଲ୍ ସଙ୍ଗମମ କାର୍ଯ୍ୟକ୍ରମ” ମାଧ୍ୟମରେ ଭାରତୀୟ ସଂସ୍କୃତିର ଏକତାକୁ ପୁନର୍ଜୀବିତ କରିଛନ୍ତି ବୋଲି ଶୁକ୍ରବାର ବାଣରାସୀ ଠାରେ ଏହି କାର୍ଯ୍ୟକ୍ରମର ଉଦଯାପନ ସମାରୋହରେ ଯୋଗଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଗୃହ ମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଯେ କାଶୀ ତାମିଲ ସଙ୍ଗମମ ଭଳି ଉତ୍ସବ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଆୟୋଜନ କରିବାର ଆବଶ୍ୟକତା ଥିଲା। ମାତ୍ର ଅନେକ ବର୍ଷ ପର୍ଯ୍ୟନ୍ତ ଏପରି ହେଲା ନାହିଁ। ଆମ ସଂସ୍କୃତିର ଏକତା, ଐତିହ୍ୟର ବିବିଧତା ଏବଂ ଭିନ୍ନ ଭିନ୍ନ ସଂସ୍କୃତିରେ ଭାରତୀୟତା ଆତ୍ମାର ଏକୀକରଣକୁ ପୁନର୍ଜୀବିତ କରିବାର ଆବଶ୍ୟକତା ଥିଲା। ଆଜାଦୀ କା ଅମୃତ ମହୋତ୍ସବ ସମୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଆମ ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ ବୋଲି ଶ୍ରୀ ଶାହ କହିବା ସହ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ଏକ ମାସ ବ୍ୟାପୀ କାଶୀ ତାମିଲ ସଙ୍ଗମମ ଦୁଇ ରାଜ୍ୟର ଲୋକଙ୍କ ଏକତା ଏବଂ ବିଚାରକୁ ମଜଭୂତ୍ କରିଛି। ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ନୂଆ ଉନ୍ମାଦନା ଦେବା ସହ ଐତିହ୍ୟ, ଆଧ୍ୟାତ୍ମିକତା, ସଂସ୍କୃତି ଏବଂ ଜ୍ଞାନକୁ ବଢାଇବା ପାଇଁ ନୂଆ ଗତି ଦେଇଛି। କାଶୀ ତାମିଲ ସଙ୍ଗମମରେ ବିଭିନ୍ନ ବର୍ଗର ଜନସାଧାରଣଙ୍କ ଅଂଶଗ୍ରହଣ ପ୍ରଶଂସନୀୟ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଐତିହାସିକ କ୍ୟାମ୍ପସରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ, କାଶୀ ଓ ତାମିଲନାଡୁର ୧୫୦୦ ରୁ ଉର୍ଦ୍ଧ୍ୱ କଳାକାର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ, ହସ୍ତକଳା, ସାହିତ୍ୟ, କଳା ଓ ବ୍ୟଞ୍ଜନର ପ୍ରଦର୍ଶନୀ ଅଭୂତପୂର୍ବ। ଏଥିରେ ବିଭିନ୍ନ ବର୍ଗର ଲୋକଙ୍କର ଯୋଗଦାନ କାଶୀ ତାମିଲ କାର୍ଯ୍ୟକ୍ରମର ସଫଳତାକୁ ଦର୍ଶାଉଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଐତିହାସିକ କାଶୀ ତାମିଲ ସଙ୍ଗମମର ସଫଳତା ପାଇଁ କାଶୀ ଏବଂ ତାମିଲନାଡୁର ନାଗରିକ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଆଇଆଇଟି ମାଡ୍ରାସ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖନୀୟ ଯେ, ଏହି ଉଦଯାପନୀ ସମାରୋହରେ ତାମିଲନାଡୁର ରାଜ୍ୟପାଳ ରବିନ୍ଦ୍ର ନାରାୟଣ ରବି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଏଲ. ମୁରୁଗନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଧର୍ମ ବିଶେଷ ଖବର

ବାରଣାସୀରେ ‘କାଶୀ ତାମିଲ ସଙ୍ଗମମ’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବାରଣାସୀ: ‘କାଶୀ ତାମିଲ ସଙ୍ଗମମ’ ବାସ୍ତବରେ ଭାରତର ବିବିଧତା ଏବଂ ବିଶେଷତାର ଉତ୍ସବ। ଏଥିପାଇଁ ଏହି କାର୍ଯ୍ୟକ୍ରମ ନିଜ ନିଜ ମଧ୍ୟରେ ବିଶେଷ ଏବଂ ଅଦ୍ୱିତୀୟ ବୋଲି ଶନିବାର ଉତ୍ତରପ୍ରଦେଶର ବାରଣାସୀ ଠାରେ ଏକ ମାସ ବ୍ୟାପୀ କାର୍ଯ୍ୟକ୍ରମ ‘କାଶୀ ତାମିଲ ସଙ୍ଗମମ’କୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଆମର ଦେଶରେ ସଙ୍ଗମ ଗୁଡ଼ିକର ବଡ ମହିମା ଓ ବଡ଼ ମହତ୍ୱ ରହିଛି। ନଦୀ ଏବଂ ଧାରାର ମିଳନ କାରଣରୁ ବିଚାର-ବିଚାରଧାରା, ଜ୍ଞାନ-ବିଜ୍ଞାନ ଏବଂ ସମାଜ-ସଂସ୍କୃତିର ସବୁ ସଙ୍ଗମକୁ ଆମେ ପାଳନ କରିଛୁ। ଆଉ ଏକ ସମ୍ପୂର୍ଣ୍ଣ ଭାରତକୁ ନିଜ ମାଧ୍ୟମରେ ଏକାଠୀ କରିଥିବା ଆମର ସାଂସ୍କୃତିକ ରାଜଧାନୀ ହେଉଛି କାଶୀ। ସେହିପରି ଭାରତର ପ୍ରାଚୀନ ଏବଂ ଗୌରବର କେନ୍ଦ୍ର ହେଉଛି ତାମିଲନାଡୁ ଓ ତାମିଲ ସଂସ୍କୃତି। ଏହି ସଙ୍ଗମ ମଧ୍ୟ ଗଙ୍ଗା ଯମୁନା ଭଳି ପବିତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମହାନ ସନ୍ଥ ତିରୁବଲ୍ଲୁଭରଙ୍କ ଦ୍ୱାରା ରଚିତ ପବିତ୍ର ଗ୍ରନ୍ଥ ‘ତିରୁକ୍କୁରଲର’ର ୧୩ଟି ଭାରତୀୟ ଭାଷାରେ ଅନୁବାଦ ଲୋକାର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କାଶୀ ତାଲିମ ସଙ୍ଗମମ୍ ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ଜୀବନ୍ତ ରୂପ ଦେବ। ଆମର ସାଂସ୍କୃତିକ ସମ୍ପର୍କ, ଆମର ଏକତା ଏବଂ ସମାନ ଐତିହ୍ୟକୁ ସମୃଦ୍ଧ କରିବାରେ କାଶୀ ତାମିଲ ସଙ୍ଗମମ ନୂଆ ଅଧ୍ୟାୟ ଲେଖିବ। ରାଷ୍ଟ୍ରୀୟ ଶିକ୍ଷା ନୀତିର ଦୃଷ୍ଟିକୋଣ ଅନୁସାରେ ଆଧୁନିକ ନୂଆପିଢିଙ୍କୁ ପ୍ରସ୍ତୁତ କରିବାରେ ଏହା ଏକ ପ୍ରତୀକ ହେବ। ଉତ୍ତର ଏବଂ ଦକ୍ଷିଣ ଭାରତୀୟଙ୍କ ବିଦ୍ୱାନ ଓ ଦର୍ଶନ ଦ୍ୱାରା ଏହି ମିଳନରୁ ଉତ୍ପନ ହେବାକୁ ଥିବା ଅମୃତ, ଜ୍ଞାନ, ଅନୁସନ୍ଧାନ ଏବଂ ରାଷ୍ଟ୍ରୀୟ ଏକତାର ବଟ୍ଟବୃକ୍ଷ ହେବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ତିରୁକ୍କୁରଲର ତାମିଲ ସହ ଭାରତୀୟ ଭାଷାର ସମ୍ବର୍ଦ୍ଧନ ଏବଂ ଲୋକକଲ୍ୟାଣକାରୀ ଜ୍ଞାନ ପ୍ରଦାନ ଦିଗରେ ଏକ ବଡ଼ ପଦକ୍ଷେପ। କାଶୀରେ ବାବା ବିଶ୍ୱନାଥ ଏବଂ ତାମିଲନାଡୁରେ ଭଗବାନ ରାମେଶ୍ୱରମଙ୍କ ଆଶୀର୍ବାଦ ରହିଛି। କାଶୀ ଓ ତାମିଲନାଡୁ ଉଭୟ ଶିବମୟ ଓ ଶକ୍ତିମୟ। ଆସ୍ଥା, ଆଧ୍ୟାତ୍ମିକତା, ଜ୍ଞାନ, ଭାଷା, ସାହିତ୍ୟ, ସଂସ୍କୃତି ଏବଂ କଳାର ଦୁଇ ପୌରାଣିକ ଏବଂ ଜୀବନ୍ତ କେନ୍ଦ୍ର କାଶୀ ଏବଂ ତାମିଲନାଡୁକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ କାଶୀ ତାମିଲ ସଙ୍ଗମମ୍ ଭଳି ଭବ୍ୟ କାର୍ଯ୍ୟକ୍ରମର ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ନିଜର ସହଭାଗୀତାରେ ସଙ୍ଗମମକୁ ଐତିହାସିକ କରିବା ପାଇଁ ସମସ୍ତ ପୂଜ୍ୟ ଗୁରୁ, ତାମିଲନାଡୁରୁ ଆସିଥିବା ଅତିଥି, ବିଦ୍ୟାର୍ଥୀ ଏବଂ କାଶୀବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

କାଶୀ ତାମିଲ ସଙ୍ଗମମର ଆୟୋଜନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସମେତ ଅନ୍ୟ ମନ୍ତ୍ରଣାଳୟ ଯଥା ସଂସ୍କୃତି, ରେଳ, ପର୍ଯ୍ୟଟନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଉତ୍ତରପ୍ରଦେଶର ସରକାରଙ୍କ ସହଯୋଗରେ ଆୟୋଜନ କରାଯାଇଛି। ଆସନ୍ତା ଡିସେମ୍ବର ୧୬ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏହି କାର୍ଯ୍ୟକ୍ରମ ଅଧୀନରେ ତାମିଲନାଡୁର ୨୫୦୦ରୁ ଉର୍ଦ୍ଧ୍ୱ ପ୍ରତିନିଧି କାଶୀ ଗସ୍ତ କରିବେ। କାଶୀ ଏବଂ ତାଲିମନାଡୁ ଭଳି ଦୁଇ ମହତ୍ୱପୂର୍ଣ୍ଣ ଓ ପ୍ରାଚୀନ ଜ୍ଞାନ କେନ୍ଦ୍ର ମଧ୍ୟରେ ଥିବା ଶତାବ୍ଦୀ ଶତାବ୍ଦୀର ସମ୍ପର୍କକୁ ପୁନର୍ବାର ଉଜ୍ଜିବୀତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାରତୀୟ ଜ୍ଞାନ ପ୍ରଣାଳୀର ମୂଲ୍ୟବାନ ସାମଗ୍ରୀକୁ ଜ୍ଞାନର ଆଧୁନିକ ପ୍ରଣାଳୀ ସହ ଏକାଠୀ କରିବାରେ ବିଶେଷ ଯୋର୍ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ।