Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ବାରଣାସୀରେ କାଶୀ ବିଶ୍ୱନାଥ ଧାମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀଠାରେ କାଶୀ ବିଶ୍ୱନାଥ ଧାମର ଉଦ୍‌ଘାଟନ କରିଛନ୍ତି। ସେ କାଳ ଭୈରବ ମନ୍ଦିର ଓ କାଶୀ ବିଶ୍ୱନାଥ ଧାମରେ ପ୍ରାର୍ଥନା କରିଥିଲେ। ସେ ମଧ୍ୟ ଗଙ୍ଗାନଦୀରେ ପବିତ୍ର ବୁଡ ପକାଇଥିଲେ। ‘ନଗର କଟୁଆଳ’ (ଭଗବାନ କାଳ ଭୈରବ)ଙ୍କୁ ପ୍ରଣାମ କରି ନିଜର ଉଦ୍‌ବୋଧନ ଆରମ୍ଭ କରିବା ସହ ତାଙ୍କ ଆଶୀର୍ବାଦ ବିନା କୌଣସି ବି ଘଟଣା ଘଟେ ନାହିଁ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ପୁରାଣରୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେକେହି କାଶୀରେ ପ୍ରବେଶ କଲାମାତ୍ରେ ସମସ୍ତ ଦାସତ୍ୱରୁ ମୁକ୍ତି ପାଇଥାନ୍ତି। “ଆମେ କାଶୀ ଆସିବା ମାତ୍ରକେ ଭଗବାନ ବିଶ୍ୱେଶ୍ୱରଙ୍କ ଅତିମାନସ ଶକ୍ତି ଆମର ଅନ୍ତର୍ନିହିତ ଗୁଣର ପରିପ୍ରକାଶ କରାଇଥାଏ।” ସେ କହିଥିଲେ ଯେ ସମ୍ପୂର୍ଣ୍ଣ ନୂତନ ବିଶ୍ୱନାଥଧାମ ପରିସର କେବଳ ଏକ ଭବ୍ୟ ପୀଠ ନୁହେଁ। ଏହା ଭାରତୀୟ ସନାତନ ସଂସ୍କୃତିର ଏକ ପ୍ରତୀକ । ଏହା ଆମ ଆଧ୍ୟାତ୍ମିକ ଆତ୍ମାର ପ୍ରତୀକ।

ଏହା ଭାରତୀୟ କୀର୍ତ୍ତି ରାଜି ପରମ୍ପରାର ପ୍ରତୀକ ଓ ଭାରତ ଶକ୍ତି ଓ ଗତିଶକ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ କେହିବି ଏଠାକୁ ଆସିଲେ ସେ କେବଳ ବିଶ୍ୱାସ କରିବ ନାହିଁ , ସେ ଅତୀତ ଗୌରବକୁ ମଧ୍ୟ ଅନୁଭବ କରିବ। କୀତ୍ତିରାଜି ଓ ନୂତନତ୍ୱ ଏକାଠି ହେଲେ କିପରି ? ପ୍ରାଚୀନ ପ୍ରେରଣା  ଭବିଷ୍ୟତକୁ ଦିଗ୍‌ଦର୍ଶନ ଦେଇଛି କିପରି ? ଏହାକୁ ଆମେ ଖୁବ ଜୀବନ୍ତ ଭାବେ ବିଶ୍ୱନାଥ ଧାମ ପରିସରରେ ଦେଖୁଛୁ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଏହି ମନ୍ଦିର କ୍ଷେତ୍ରଫଳ କେବଳ ତିନିହଜାର ବର୍ଗଫୁଟ ଥିଲା। ଯାହାକି ଏବେ ପାଞ୍ଚଲକ୍ଷ ବର୍ଗଫୁଟକୁ ବୃଦ୍ଧି ପାଇଛି। ଏବେ ୫୦ରୁ ୭୫ହଜାର ପର୍ଯ୍ୟନ୍ତ ଭକ୍ତ ମନ୍ଦିର ଓ ଏହାର ପରିସର ଦର୍ଶନ କରିପାରିବେ। ତାହା ହେଲା ପ୍ରଥମେ ମା’ ଗଙ୍ଗାଙ୍କ ଦର୍ଶନ ଓ ସ୍ନାନ  ଓ ସେଠାରୁ ସିଧାସଳଖ ବିଶ୍ୱନାଥଧାମ ଦର୍ଶନ ବୋଲି ସେ କହିଥିଲେ।

କାଶୀର ମହିମା ସମ୍ପର୍କରେ ମୋଦି କହିଥିଲେ ଯେ କାଶୀର ବିନାଶ ନାହିଁ ଓ ଏହା ଭଗବାନ ଶିବଙ୍କ ପୃଷ୍ଠପୋଷକତାରେ ରହିଛି। ସେ ଏହି ଭବ୍ୟ ମନ୍ଦିର ପରିସର ନିର୍ମାଣ ପାଇଁ ପ୍ରତ୍ୟେକ ଶ୍ରମିକଙ୍କୁ ତାଙ୍କର ଅନ୍ତରର କୃତଜ୍ଞତା ଜ୍ଞାପନ କରିଥିଲେ। ସେ ସେମାନଙ୍କୁ ଭେଟିବା ସହ ସମ୍ବର୍ଦ୍ଧନା ମଧ୍ୟ ଜ୍ଞାପନ କରିଥିଲେ। କରୋନା ମଧ୍ୟ ସେମାନଙ୍କ କାର୍ଯ୍ୟ ବନ୍ଦ କରିପାରି ନ ଥିଲା। ଧାମର ନିର୍ମାଣ ଦିଗରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କ ସହ ଶ୍ରୀ ମୋଦୀ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ କାରିଗରମାନଙ୍କୁ ପ୍ରଶଂସା କରିଥିଲେ। ଏଥିସହ ସେ ଉତ୍ତର ପ୍ରଦେଶ ସରକାର ଓ କାଶୀ ବିଶ୍ୱନାଥଧାମା ପ୍ରକଳ୍ପ ଶେଷ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆକ୍ରମଣକାରୀ ଆକ୍ରମଣ କରି ଏହି ନଗରୀକୁ ଧ୍ୱଂସ କରିବାକୁ ଚେଷ୍ଟା କରିଥିଲେ । ଏ ନଗରୀ ଆଉରଙ୍ଗଦେବଙ୍କ  ଧ୍ୱଂସଲୀଳା ଓ ଅତ୍ୟାଚାର ଇତିହାସର ମୂକସାକ୍ଷୀ। ଯିଏ ଅସୀ ଦ୍ୱାରା ସଭ୍ୟତା ପରିବର୍ତ୍ତନ କରିବାର ଚେଷ୍ଟା କରିଥିଲା ଓ ଧର୍ମାନ୍ଧତା ଦ୍ୱାରା ସଂସ୍କୃତିକୁ ପଦାଘାତ କରିବାକୁ ଚେଷ୍ଟା କରିଥିଲା। ମାତ୍ର ଏହି ଦେଶର ମାଟି ବିଶ୍ୱର ଅନ୍ୟ ସ୍ଥାନଠାରୁ ଅଲଗା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଉରେଙ୍ଗଦେବ ଥିଲେ  ଓ ଶିବାଜୀ ମଧ୍ୟ ଥିଲେ। ଯେତେବେଳେ ସାହାର ମାସୁଦ ଆସେ, ସେତେବେଳେ ସାହସୀ  ଯୋଦ୍ଧା ରାଜ୍ୟ ସୁହେଲଦେବ ଭାରତୀୟ ଏକତାର ରୂପ ଦେଖିବାକୁ ଦେଇଛନ୍ତି। ଏପରିକି କାଶୀବାସୀ ବ୍ରିଟିଶ ଶାସନ କାଳରେ ହେଷ୍ଟିଙ୍ଗସଙ୍କ ଅବସ୍ଥା ମଧ୍ୟ ଦେଖିଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କାଶୀର ଗୁରୁତ୍ୱ ଓ ଔଜଲ୍ୟ ସମ୍ପର୍କରେ ବଖାଣୀବାକୁ ଯାଇ କହିଥିଲେ ଯେ କାଶୀ କେବଳ ଏକ ଶବ୍ଦର ସମାହାର ନୁହେଁ, ଏହା ହେଉଛି ଏକ ଇନ୍ଦ୍ରିୟାନୁଭୂତି। କାଶୀ ହେଉଛି ସିଏ, ଯେଉଁଠି ଜାଗରଣ ହିଁ ଜୀବନ, କାଶୀ ସିଏ ଯେଉଁଠି ମୃତ୍ୟୁ ମଧ୍ୟ ଏକ ପର୍ବ, କାଶୀ ସିଏ ଯେଉଁଠି ସତ୍ୟ ହେଉଛି ସଂସ୍କୃତି, କାଶୀ ସିଏ ଯେଉଁଠି ପ୍ରେମ ଏକ ପରମ୍ପରା । ସେ କହିଥିଲେ ଯେ ବାରଣାସୀ ସେହି ସହର ଯେଉଁଠି ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଡୋମରାଜାଙ୍କ ପବିତ୍ରତାରୁ ପ୍ରେରଣା ପାଇ ଦେଶକୁ ଏକଦା ସୂତ୍ରରେ ବାନ୍ଧି ରଖିବାକୁ ସଂକଳ୍ପ ନେଇଥିଲେ। ଏଠାରେ ଭଗବାନ ଶଙ୍କରଙ୍କ ପ୍ରେରଣାରେ ଗୋସ୍ୱାମୀ ତୁଳସୀଦାସ ନୈସର୍ଗିକ ସୃଷ୍ଟି ରାମଚରିତ ମାନସ ରଚନା କରିଥିଲେ। ଭଗବାନ ବୁଦ୍ଧଙ୍କ ଦିବ୍ୟଜ୍ଞାନ ଲାଭ ସନ୍ଦେଶ ସାରନାଥରୁ ପୃଥିବୀ ପୃଷ୍ଠର ବିଭିନ୍ନ ସ୍ଥାନକୁ ବ୍ୟାପି ଥିଲା। ସମାଜର ହିତ ପାଇଁ ସନ୍ଥ କବୀର ଦାସଙ୍କ ଆର୍ବିଭାବ ଏହିଠାରୁ ହୋଇଥିଲା। ଯଦି ସମାଜକୁ ଏକତ୍ର କରିବାରେ ପ୍ରଶ୍ନ ଆସେ, ତେବେ ଏହି କାଶୀ ହିଁ ସନ୍ଥ ରାଇଦାସଙ୍କ ଭକ୍ତିର କେନ୍ଦ୍ର ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀ ହେଉଛି ଚାରି ଜୈନ ତୀର୍ଥଙ୍କରଙ୍କ ଭୂମି ଯେଉଁମାନେ ଅହିଂସା ଓ ସଂଯମର ସାରସ୍ୱତ୍ୱ ଦେଇଥିଲେ। ରାଜା ହରିଶ୍ଚନ୍ଦ୍ରଙ୍କ ସାଧୁତାଠାରୁ ଆରମ୍ଭ କରି ବଲ୍ଲଭାଚାର୍ଯ୍ୟ ଓ ରାମାନନ୍ଦଙ୍କ ଜ୍ଞାନ। ଚୈତନ୍ୟ  ମହାପ୍ରଭୁ , ସାମର୍ଥର୍ ଗୁରୁ ରାମଦାସଙ୍କଠାରୁ ସ୍ୱାମୀ ବିବେକାନନ୍ଦ, ମଦନମୋହନ ମାଲବ୍ୟ କାଶୀର ପବିତ୍ର ମାଟି ମହାନ ଋଷି, ଆଚାର୍ଯ୍ୟ ଭଳି ଆସୁମାରୀ ମହାମାନବଙ୍କ ସ୍ଥାନ। ଶ୍ରୀ ମୋଦୀ କହିଥିଲେ ଯେ ଛତ୍ରପତି ଶିବାଜୀ ମହାରାଜ ଏଠାକୁ ଆସିଥିଲେ। ରାଣୀ ଲକ୍ଷ୍ମୀବାଈଙ୍କଠାରୁ ଚନ୍ଦ୍ରଶେଖର ଆଜାଦଙ୍କ ପର୍ଯ୍ୟନ୍ତ କାଶୀ ଅନେକ ମହାନ ଯୋଦ୍ଧାଙ୍କ କର୍ମଭୂମି ଥିଲା । ଜ୍ଞାନୀ  ଭରତେନ୍ଦୁ ହରିଶ୍ଚନ୍ଦ୍ର, ଜୟଶଙ୍କର ପ୍ରସାଦ, ମୁନ୍‌ସୀ ପ୍ରେମଚାନ୍ଦ,ପଣ୍ଡିତ ରବିଶଙ୍କର ଏବଂ ବିସମିଲ୍ଲା ଖାଁ ଇତ୍ୟାଦି ହେଉଛନ୍ତି ଏହି ମହାନ୍ ନଗରୀର ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଶୀ ବିଶ୍ୱନାଥ ଧାମକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ଅର୍ଥ ହେଲା ଏହା ଭାରତକୁ ଏକ ନିଷ୍ପତିମୂଳକ ନିର୍ଦ୍ଦେଶ ଦେବ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବ। ଏହି ପରିସର ଆମ ସାମର୍ଥ୍ୟ ଓ କର୍ତବ୍ୟର ମୁକସାକ୍ଷୀ। ସଂକଳ୍ପ ଓ ଏକୀକୃତ ଭାବନା ଦ୍ୱାରା କିଛି ଅସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଭାରତୀୟମାନଙ୍କ ଯେକୌଣସି ଅସମ୍ଭବ  ଜିନିଷକୁ ସମ୍ଭବ କରି ଦେଖାଇବାର ଦକ୍ଷତା ରହିଛି। ଆମେ ତପସ୍ୟା ଜାଣିଛୁ, ପ୍ରାୟଶ୍ଚିତ ମଧ୍ୟ ଜାଣିଛୁ। କିପରି ଦେଶପାଇଁ ଦିନରାତି ପରିଶ୍ରମ କରିବାକୁ ହୁଏ ତାହା ମଧ୍ୟ ଜାଣିଛୁ। ସମସ୍ୟା ଯେତେ ବିରାଟ ହେଲେ ମଧ୍ୟ ଆମେ ଭାରତୀୟ ମାନେ ମିଳିମିଶି ତାର ସମାଧାନ କରିପାରିବୁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତ ତାର ହୃତ ଐତିହ୍ୟ ଫେରିପାଇଛି। ଏହି କାଶୀରେ ମାତା ଅନ୍ନପୂର୍ଣ୍ଣା ବାସ କରନ୍ତି। କାଶୀରୁ ଚୋରି ଯାଇଥିବା ମା’ ଅନ୍ନପୂର୍ଣ୍ଣାଙ୍କ ପ୍ରତିମୂର୍ତ୍ତି ଶହେ ବର୍ଷର ପ୍ରତୀକ୍ଷା ପରେ ମଧ୍ୟ କାଶୀରେ ପ୍ରତିଷ୍ଠା ହୋଇଥିବାରୁ ସେ ଖୁସି ପ୍ରକଟ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ମାନବ ଦେହଧରି ଆସିଥାନ୍ତି ଓ ତାଙ୍କ ପାଇଁ ପ୍ରତ୍ୟେକ ଭାରତୀୟ ଈଶ୍ୱରଙ୍କ ଅଂଶ। ସେ ଦେଶ ପାଇଁ ଦେଶବାସୀଙ୍କୁ ତିନିଟି ସଂକଳ୍ପ ନେବାକୁ କହିଥିଲେ-ସ୍ୱଚ୍ଛତା,ସୃଜନ ଓ ଆତ୍ମନିର୍ଭର ଭାରତ ନିମନ୍ତେ ନିରବଚ୍ଛିନ୍ନ ଉଦ୍ୟମ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛତା ଏକ ଜୀବନଧାରା ଏବଂ ଜନସାଧାରଣଙ୍କୁ ନମାମି ଗଙ୍ଗେ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘଦିନର ଦାସତ୍ୱ ଆମର ଆତ୍ମବିଶ୍ୱାସକୁ ଏପରି ଭାଙ୍ଗି ଦେଇଛନ୍ତି ଯେ ଆମେ ଆମ ସୃଜନଶୀଳତା ଉପରୁ ମଧ୍ୟ ଆସ୍ଥା ହରାଇଛୁ। ଆଜି ଏହି ହଜାରବର୍ଷର ପ୍ରାଚୀନ କାଶୀରୁ ମୁଁ ପ୍ରତ୍ୟେକ ଦେଶବାସୀଙ୍କୁ ଆହ୍ୱାନ କରୁଛି,  ସୃଜନ କର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ, ଉଦ୍‌ଭାବନ କର ସମ୍ପୂର୍ଣ୍ଣ ଉଦ୍‌ଭାବନା ଭାବନା ନେଇ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୃତୀୟ ସଂକଳ୍ପ ହେଉଛି ଆତ୍ମନିର୍ଭରଶୀଳ ଭାରତ ପାଇଁ ଆମ ଉଦ୍ୟମକୁ ଆଗକୁ ବଢାଇବା। ୭୫ତମ ସ୍ୱାଧୀନତାର ଦିବସର ଏହି  ଅମ୍ରିତ କାଳରେ ଭାରତ କିପରି ହେବ ଆମକୁ ସେଥିପାଇଁ କାର୍ଯ୍ୟ କରିବାକୁ ହେବ। ଆମକୁ ଦେଶ ଯେତେବେଳେ ଶତବାର୍ଷିକୀ ପାଳନ କରିବ ସେଥିପାଇଁ ମଧ୍ୟ କାର୍ଯ୍ୟ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଉପସଂହାରରେ କହିଥିଲେ।