Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅଦାଲତ ଅବମାନନା ମାମଲା: ଦିଲ୍ଲୀ ହାଇକୋର୍ଟଙ୍କୁ କ୍ଷମା ମାଗିଲେ ‘କାଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଭୀମା କୋରେଗାଓଁ ହିଂସା ମାମଲାରେ ଦିଲ୍ଲୀ ହାଇକୋର୍ଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଭୀମ କୋରେଗାଓଁ ହିଂସା ମାମଲାରେ ଅଭିଯୁକ୍ତ କାର୍ଯ୍ୟକର୍ତ୍ତା ଗୌତମ ନବଲାଖାଙ୍କୁ ଜାମିନ ପ୍ରଦାନ କରିଥିବା ତତ୍କାଳୀନ ଜଷ୍ଟିସ ଏସ ମୁରଲୀଧରଙ୍କୁ ପକ୍ଷପାତିତା ଅଭିଯୋଗରେ ଅଗ୍ନିହୋତ୍ରୀ ଏହି ମନ୍ତବ୍ୟ ଦେଇଥିଲେ। କ୍ଷମା ମାଗିବା ପରେ ମଧ୍ୟ ବିବେକ ଅଗ୍ନିହୋତ୍ରୀଙ୍କୁ ମାର୍ଚ୍ଚ ୧୬ ତାରିଖ ୨୦୨୩ରେ କୋର୍ଟରେ ହାଜର ହେବାକୁ କହିଛନ୍ତି। ସେହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିବେକ ସମେତ ଅନ୍ୟମାନେ କୌଣସି ଉତ୍ତର ଦାଖଲ କରିନଥିବାବେଳେ ବିବେକ ଅଗ୍ନିହୋତ୍ରୀ କ୍ଷମା ପ୍ରାର୍ଥନା କରିଥିଲେ। ଅଗ୍ନିହୋତ୍ରୀ, ଆନନ୍ଦ ରଙ୍ଗନାଥନ ଏବଂ ସ୍ୱରାଜ ନ୍ୟୁଜ୍ ପୋର୍ଟାଲ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରା ଏକ ପକ୍ଷୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିଷ୍ପତ୍ତି ନେଇଥିଲେ।

ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସିଦ୍ଧାର୍ଥ ମୃଦୁଲ ଏବଂ ଜଷ୍ଟିସ ତଲୱନ୍ତ ସିଂଙ୍କ ଏକ ବେଞ୍ଚ ଏହି ମାମଲାକୁ ବିଚାର କରିବା ପରେ ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ବିବେକ ଅଗ୍ନିହୋତ୍ରୀଙ୍କୁ ମାର୍ଚ୍ଚ ୧୬ ତାରିଖରେ ହାଜର ହେବାକୁ କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ମାମଲା କୋର୍ଟର ସ୍ଵତଃ ସଜ୍ଞାନ ଦ୍ଵାରା ଆରମ୍ଭ କରାଯାଇଥିଲା ତେଣୁ ବିବେକ ଅଗ୍ନିହୋତ୍ରୀଙ୍କୁ ଆସନ୍ତା ଦିନରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।