Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିଥିବା କିଶୋର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରି ରୌପ୍ୟ ପଦକ ହାସଲ କରିଥିଲେ।

କିଶୋର କୁମାର ଜେନା ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବର୍ଦ୍ଧନା ଉତ୍ସବରେ ସଚିବ (୫ଟି) ଭି କେ ପାଣ୍ଡିଆନ୍ ଉପସ୍ଥିତ ରହି କିଶୋରଙ୍କ ଐତିହାସିକ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଥିଲେ।

ତାଙ୍କ ପ୍ରୟାସ ଓ ସଫଳତାକୁ ସ୍ୱୀକୃତି ଦେଇଥିବାରୁ କିଶୋର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥି ସହ କ୍ରୀଡ଼ାବିତ ମାନେ ଯେପରି ନିଜ କ୍ରୀଡ଼ା ପ୍ରତି ଧ୍ୟାନ କେନ୍ଦ୍ରୀତ କରିପାରିବେ ସେଥିନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ପ୍ରୋତ୍ସାହନ ଯୋଗାଇଦେଉଥିବାରୁ ସେ ଓଡ଼ିଶା ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ବିଶ୍ୱ ଆଥଲେଟିକ୍ସ ଦୁନିଆରେ ପୁରୀର ଏହି ଜାଭେଲିନ୍ ତାରକା ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି। ଏହି ବର୍ଷଟି ତାଙ୍କ ପାଇଁ ଅନେକ ସଫଳତା ଆଣିଦେଇଛି। ଏସୀୟ କ୍ରୀଡ଼ା ପ୍ରସ୍ତୁତି ସମୟରେ ବୁଡାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପଞ୍ଚମ ସ୍ଥାନ ଅଧିକାର କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ତାଙ୍କର ଏହି ସ୍ୱୀକୃତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ।

କିଶୋର କ୍ରମାଗତ ଭାବରେ ସାରା ଋତୁରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଛନ୍ତି ଏବଂ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଏହି ଧାରାକୁ ବଜାୟ ରଖିବା ନିମନ୍ତେ ଆଶା ରଖିଛନ୍ତି I

Categories
ଖେଳ ବିଶେଷ ଖବର ରାଜ୍ୟ ଖବର

କିଏ ସେହି କିଶୋର ଜେନା, ଯିଏ କି କେଇ ଘଣ୍ଟା ମଧ୍ୟରେ ସାରା ଭାରତରେ ପାଲଟିଗଲେ ହିରୋ

ଭୁବନେଶ୍ବର: ଓଡିଶାର କିଶୋର ଜେନା। ଏହି ନାମଟି ଆଗରୁ ଆମ ଓଡିଶାରେ କିମ୍ବା ଭାରତରେ କେହି ଜାଣି ନ ଥିଲେ। ହେଲେ ଆଜିର ଦିନରେ କିଶୋର ଜେନା କହିଲେ ସାରା ଓଡିଶା କାହିଁକି ବର୍ତ୍ତମାନ ଭାରତବାସୀଙ୍କ ପାଇଁ ଜଣେ ପରିଚିତ ନାମ ହୋଇଗଲେଣି। କାରଣ ହେଲା ସେ ଏସୀୟ କ୍ରୀଡାରେ ଜାଭଲିନ୍ ଥ୍ରୋ ରେ ଦେଶ ପାଇଁ ଆଣିଛନ୍ତି ରୌପ୍ୟ ପଦକ।

ଜାଭଲିନରେ ଭାରତରେ ନୀରଜ ଚୋପ୍ରା ବେଶ ପରିଚିତ। ହେଲେ କିଶୋର ସେହି ପରିଚୟଠାରୁ ବହୁ ଦୂରରେ ଥିଲେ। ସୌଭାଗ୍ୟ ବସତଃ ଉଭୟ ଖେଳାଳୀ ଭାରତ ପାଇଁ ପଦକ ଆଣି ଗୌରାବନ୍ବିତ କରିପାରିଛନ୍ତି। ନିରଜ ସ୍ବର୍ଣ୍ଣ ଜିତିଥିବା ବେଳେ କିଶୋର ହାସଲ କରିଛନ୍ତି ରୌପ୍ୟ ପଦକ। ସେତିକି ନୁହେଁ କିଶୋର ଜେନା ୮୬.୭୭ ମିଟର ଥ୍ରୋ କରି ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଓଡିଶା ତଥା ଭାରତ ପାଇଁ ରୌପ୍ୟ ପଦକ ଆଣିଥିବା କିଶୋର ବର୍ତ୍ତମାନ ଓଡିଆ ଯୁବକଙ୍କର ହିରୋ ପାଲଟିଛନ୍ତି ସତ, ହେଲେ ଅନେକ ତାଙ୍କ ସଂପର୍କରେ କେହି କିଛି ଜାଣନ୍ତି ନାହିଁ। ପ୍ରକୃତରେ କିଶୋର ଜେନା ହେଉଛନ୍ତି ପୁରୀ ବ୍ରହ୍ମଗିରିର ବାସିନ୍ଦା। ତାଙ୍କର ବାପାଙ୍କ ନାମ ହେଉଛି କେଶବ ଜେନା। କିଶୋର ହେଉଛନ୍ତି ଛଅ ଭଉଣୀରେ ଏକମାତ୍ର ପୁଅ। ସେ ହେଉଛନ୍ତି ସମସ୍ତଙ୍କଠାରୁ ସାନ।

ତାଙ୍କର ପରିବାରର ସମ୍ବଳ ବିଶେଷ ନାହିଁ। ସେଥିପାଇଁ ପରିବାରର ସମସ୍ତେ ଭାବିଥିଲେ ଯେ, କିଶୋର ପାଠପଢି ଚାକିରୀ କରୁ। କାରଣ ଘରକୁ ପଇସାର ଆବଶ୍ୟକତା ଥିଲା। ହେଲେ ଏହା ଭିତରେ ତାଙ୍କର ଖେଳ ପ୍ରତି ପ୍ରବଳ ଆଗ୍ରହ ଥିଲା। ସେ ପ୍ରଥମେ ଭଲ ଫୁଟବଲ ଖେଳାଳୀ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଜାଭିଲିନ ରେ ମନୋନିବେଶ କଲେ।

ତେବେ ଏ କ୍ଷେତ୍ରରେ ତାଙ୍କୁ ବେଶ ସାହାଯ୍ୟ କରିଥିଲେ ବ୍ରହ୍ମଗିରି କଲେଜର ଇତିହାସ ଅଧ୍ୟାପକ ଭବାନୀ ଶଙ୍କର ଚକ୍ରବର୍ତ୍ତୀ। ସେ କିଶୋରଙ୍କୁ ଖେଳ ପ୍ରତି ଆଗ୍ରହ ରଖିବା ପାଇଁ ଉତ୍ସାହିତ କରୁଥିଲେ। ମୁଖ୍ୟତଃ କିଶୋରଙ୍କ ଖେଳ ଦେଖି ଭବାନୀ ତାଙ୍କ ଭିତରେ ବହୁ ସମ୍ଭାବନା ଦେଖିଥିଲେ। ସେଥିପାଇଁ ସେ ଏହି ଖେଳ କ୍ଷେତ୍ରରେ ବେଶୀ ମନଧ୍ୟାନ ଦେବା ପାଇଁ ଉତ୍ସାହିତ କରିଥିଲେ।

କିଶୋର ଏସିୟାନ କ୍ରୀଡା ଖେଳିବାକୁ ଯାଇଛନ୍ତି ବୋଲି ତାଙ୍କ ବ୍ରହ୍ମଗିରି ଅଞ୍ଚଳରେ ବେଶ୍ ଚହଳ ସୃଷ୍ଟି କରିଥିଲେ। ତାଙ୍କର କେତେବେଳେ ଖେଳ ଅଛି ତାହାକୁ ଟିଭିରେ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ। ଯେତେବେଳେ ସେ ରୌପ୍ୟ ପଦକ ଜିତିଲେ ବୋଲି ଘୋଷଣା ହେଲା ସେତେବେଳେ ପୁରା ବ୍ରହ୍ମଗିରିରେ ଉତ୍ସବ ପାଳନ ଆରମ୍ଭ ହୋଇ ଯାଇଥିଲା।

ତାଙ୍କ ଘରକୁ ବହୁ ଲୋକ ତଥା ଶୁଭେଚ୍ଛୁ ମିଠା ଧରି ପରିବାର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏବେ ଚୀନରୁ ଫେରିବା ବାଟକୁ ବ୍ରହ୍ମଗିରି ବାସୀ ଅପେକ୍ଷା କରି ରହିଛନ୍ତି। କେବେଳ ବ୍ରହ୍ମଗିରି କାହିଁକି ସାରା ଓଡିଶା ଲୋକେ ଅନେଇ ରହିଛି। ତାଙ୍କର ଏହି ସଫଳତା ଓଡିଶା ପାଇଁ ନିଶ୍ଚିତ ଗର୍ବ ଓ ଗୌରବର ବିଷୟ।