Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତୀକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରଜରାଜନଗର ଠାରେ ବିଧାନ ସଭାର ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କିଶୋର ବାବୁଙ୍କ ସରଳତା ତାଙ୍କର ବଡ ପରିଚୟ ଥିଲା। ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ସେ ସରକାରୀ ମୁଖ୍ୟ ସଚେତକ, ସାଂସଦ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ରାଜ୍ୟ ବିଧାନ ସଭାର ବାଚସ୍ପତି ମଧ୍ୟ ହୋଇଥିଲେ। ବିଜୁ ଜନତା ଦଳର ସେ ଜଣେ ଦକ୍ଷ ସଂଗଠକ ଓ ନେତା ଥିଲେ। ଦଳକୁ ମଜବୁତ କରିବାରେ ତାଙ୍କର ବହୁତ ଅବଦାନ ଥିଲା।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦେଇ କହିଲେ ଯେ ସ୍ବର୍ଗତ କିଶୋର ବାବୁଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା। ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ସେ ଅନେକ ଉନ୍ନୟନ କାମ କରିଯାଇଛନ୍ତି।

ବିଧାୟକ ତଥା ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରି କହିଲେ ଯେ ସ୍ବର୍ଗତ କିଶୋର ମହାନ୍ତି ବ୍ରଜରାଜନଗର ତଥା ସମଗ୍ର ପଶ୍ଚିମ ଓଡିଶାର ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ଅମର ହୋଇ ରହିବେ।

ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ତାହାର ପ୍ରାର୍ଥୀ

ଭୁବନେଶ୍ବର: ଝାରସଗୁଡା ଜିଲ୍ଲାର ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେ ହେଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲ। ଆଜି ଏଆଇସିସି ତରଫରୁ ଏହି ଘୋଷଣା କରାଯାଇଛି। ସେ ରାଜ୍ୟରେ କଂଗ୍ରେସ ଶାସନରେ ଥିବା ବେଳେ ମନ୍ତ୍ରୀ ମଧ୍ୟ ଥିଲେ।

ବର୍ତ୍ତମାନ ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନିଦଳ ତାଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ପୂର୍ବରୁ ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିସାରିଛି। ଆଜି ବିଜେପି ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି। କେବଳ କଂଗ୍ରେସ ପ୍ରାର୍ଥୀଙ୍କ ନାମ ବାକି ରହିଥିଲା।

ଏହି ନିର୍ବାଚନ ପାଇଁ ଯେଉଁ ତାରିଖ ଘୋଷଣା ହୋଇଛି ତାହା ହେଲା

ମଇ ୧୧ ତାରିଖ- ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ

ମଇ ୧୨ ତାରିଖ- ପ୍ରାର୍ଥୀ ପତ୍ର ଯାଞ୍ଚ

ମଇ ୧୭ ତାରିଖ- ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ

ମଇ ୩୧ ତାରିଖ- ଭୋଟ ଗ୍ରହଣ

ଜୁନ ୩ ତାରିଖ- ଭୋଟ ଗଣତି ଫଳାଫଳ ପ୍ରକାଶ

ଜୁନ ୫ ତାରିଖ- ନିର୍ବାଚନ ପକ୍ରିୟା ଶେଷ

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବାଚସ୍ପତି ତଥା ବିଧାୟକ କିଶୋର ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ।

ବାଚସ୍ପତି ଭାବେ ଉଚ୍ଚ ସଂସଦୀୟ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକ ମାନଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ । ମନ୍ତ୍ରୀ ତଥା ବିଧାୟକ ଭାବରେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଢ ନେତୃତ୍ବ ଦେଇଥିଲେ । ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ବର ଅନନ୍ୟ ଦିଗ ଥିଲା ।

ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ହୃଦଘାତରେ ଆଖି ବୁଜିଲେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି

ଭୁବନେଶ୍ବର: ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ନିଜ ଅଫିସରେ ବସିଥିବା ବେଳେ ସେ ହୃଦଘାତରେ ଶିକାର ହୋଇଥିଲେ। କିଶୋରଙ୍କୁ ଝାରସୁଗୁଡା ଏକ ଘରୋଇ ନର୍ସିଙ୍ଗ ହୋମରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ୬୩ ବର୍ଷ ବୟସରେ ବିଧାୟକ କିଶୋର ମହାନ୍ତିଙ୍କ ନିଧନ ହୋଇଛି। ସେ ତିନି ଥର ଝାରସୁଗୁଡାର ବିଜେଡ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ବ୍ରଜରାଜନଗର ବିଧାୟକ ଭାବେ ୨୦୧୯ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ସେ ୨୦୦୪ ରେ ସରକାରୀ ଦଳର ମୁଖ୍ୟ ସଚେତକ ଥିଲେ। ୨୦୦୭ ରୁ ୨୦୦୯ ମସିହା ପର୍ଯ୍ୟନ୍ତ କିଶୋର ମହାନ୍ତି ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଥିଲେ। ସେ ଥରେ ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ।