Categories
ଆଞ୍ଚଳିକ

ବିନା ଲିଜ୍ ରେ ରାହାମା ହରିପୁର ଘାଟରୁ ଦୈନିକ ଶହ ଶହ ଟ୍ରିପ୍ ବାଲି ଚୋରାଚାଲାଣ: ପ୍ରଶାସନ ସ୍ଥାଣୁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ୍ ଅଧିନସ୍ଥ ରାହାମା ହରିପୁର ମହାନଦୀ ଘାଟ ପ୍ରଶାସନ ପକ୍ଷରୁ ଲିଜ୍ ହୋଇନଥିବା ବେଳେ ସେଠାରୁ ଦୈନିକ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବାରୁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେବା ସହ ସ୍ଥାନୀୟ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ ଏମିତିକି ଦିନ ହେଉ ଅବା ରାତି ସର୍ବ ସମ୍ମୁଖରେ ଦୈନିକ ଶତାଧିକ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ନିରବ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାନୁଯାୟୀ ରାହାମା ବଜାର ନିକଟସ୍ଥ ହରିପୁର ଜଙ୍ଗଲ ବାଟଦେଇ ମହାନଦୀରୁ ଦିର୍ଘଦିନ ହେବ ଦୈନିକ ଶହଶହ ଟ୍ରିପ୍ ବାଲି ଟ୍ରାକ୍ଟରରେ ଚୋରା ଚାଲାଣ ହେବା ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ କ’ଣ ପାଇଁ ହାତବନ୍ଧି ବସିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ ଉକ୍ତ ସ୍ଥାନରୁ ବାଲି ଚୋରା ଚାଲାଣ କରିବା ପାଇଁ ଟ୍ରାକ୍ଟର ମାଲିକ ମାନଙ୍କ ଠାରୁ ସେହି ଗାଁର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଦିନକୁ ୪ହଜାର ଟଙ୍କା ଲେଖାଏଁ ଚାନ୍ଦା ନେଉଥିବା ଶୁଣିବାକୁ ମିଳୁଛି। ଏମିତିକି ଭୋର ୪ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାନଦୀର ଏହି ଘାଟରୁ ବାହାରକୁ ବାଲି ଚୋରା ଚାଲାଣ ହେବା ସହିତ ଉକ୍ତ ଗାଁ ମଝିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶହଶହ ଟ୍ରିପ୍ ବାଲି ବେଆଇନ୍ ବିକ୍ରୟ ପାଇଁ ଷ୍ଟକ୍ ରଖାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏପରିକି ସ୍ଥାନୀୟ ପ୍ରଶାସନର କିଛି ଅସାଧୁ କର୍ମଚାରୀଙ୍କୁ ଉକ୍ତ ବାଲି ମାଫିଆମାନେ କରାୟତ କରି ତାଙ୍କ ଠାରୁ ଅଭୟ ବର ପାଇଥିବାରୁ ନିର୍ଭୟରେ ଏଠାରୁ ଦୈନିକ ଶହଶହ ଟ୍ରିପ୍ ବାଲି ଚୋରାଚାଲାଣ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଏନେଇ ଉକ୍ତ ତହସିଲ୍ ଅଧିନସ୍ଥ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଜଣାପଡିଛି। ସରକାରଙ୍କ ବିପୁଳ ରାଜସ୍ବ ହାନିକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନରୁ ହେଉଥିବା ଚୋରା ବାଲି ଚାଲାଣକୁ ଯଥାଶୀଘ୍ର ବନ୍ଦ କରାଯିବା ସହ ଚୋରା ଚାଲାଣକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସାଧାରଣରେ ଦାବୀ ହେଉଛି।