Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଲା ଘରୋଇ ଓ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ

ଭୁବନେଶ୍ୱର: ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ନିମନ୍ତେ ଶିକ୍ଷାର ବରିଷ୍ଠ ଯୋଗଦାନ ରହିଛି। ଶିକ୍ଷା ହିଁ ପରିବର୍ତ୍ତନର ପ୍ରମୁଖ ମାଧ୍ୟମ ଏବଂ ଏହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି।

ଆଜି ରାଜଭବନରେ ଘରୋଇ ତଥା ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମିଳନୀକୁ ସଂବୋଧିତ କରି ରାଜ୍ୟପାଳ କହିଲେ ଯେ, ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ଜାତୀୟ ଶିକ୍ଷା ନୀତି – ୨୦୨୦ ହେଉଛି ଦୂରଦୃଷ୍ଟିସଂପନ୍ନ ପ୍ରୟାସ। ଏହାକୁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଲାଗୁ କରିବା ଦରକାର। ପାଠ ସହିତ ଶାଠର ଆବଶ୍ୟକତା ରହିଛି। ସାଂପ୍ରତିକ ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମ ପ୍ରଚଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

କୌଣସି ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷାରୁ ବଂଚିତ ହେବା ସ୍ପୃହଣୀୟ ନୁହେଁ। ଘରୋଇ ବିଶ୍ୱବିଦ୍ୟାଳୟ ଏହାକୁ ଧ୍ୟାନରେ ରଖି କାର୍ଯ୍ୟ କରିବା ସହ ସରକାରଙ୍କ ଆରକ୍ଷଣ ନୀତି ଲାଗୁ କରିବାକୁ ରାଜ୍ୟପାଳ କହିଛନ୍ତି।

ଓଡ଼ିଶାରେ ଶିଳ୍ପାୟନ ବେଶ୍ ଉତ୍ସାହଜନକ। ଶିଳ୍ପ ଓ ବ୍ୟବସାୟ ଜଗତର ଆବଶ୍ୟକତା ଭିତ୍ତିରେ ନୂତନ ଦକ୍ଷତାସଂପନ୍ନ ମାନବ ସଂବଳ ସୃଷ୍ଟି ହେବା ଦରକାର। ପ୍ରାସଂଗିକ ପାଠ୍ୟକ୍ରମ ଓ ସମୟର ଆବଶ୍ୟକତା ପୂରଣ ଦିଗରେ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରଚେଷ୍ଟା କରିବାକୁ ରାଜ୍ୟପାଳ କହିଛନ୍ତି।

ଭାରତକୁ ବିଶ୍ୱଗୁରୁ ହେବାର ସମୟ ଆସିଛି। ଭାରତର ଯୁବଶକ୍ତି ଆମର ଅମୂଲ୍ୟ ସଂପଦ। ଏହି ଜନସାଂଖିକ ସୁବିଧାର ସଫଳ ଉପଯୋଗ କରିବା ଦରକାର। ଘରୋଇ ବିଶ୍ୱବିଦ୍ୟାଳୟ ରାଜ୍ୟ ତଥା ଦେଶର ପ୍ରଗତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଆନୁଷ୍ଠାନିକ ସାମାଜିକ ଦାୟିତ୍ୱ ନର୍ବାହ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

ଗୁଣାତ୍ମକ ଶିକ୍ଷାର ମାନ ନିର୍ଦ୍ଧାରଣ ନିମନ୍ତେ ଯେଉଁସବୁ ମାନକ ଓ ବିଧିବ୍ୟବସ୍ଥା ରହିଛି, ପ୍ରତ୍ୟେକ ପାଳନ କରିବା ଦରକାର। ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ପାଇଁ ଅନୁରୂପ ଚିନ୍ତନ ଓ ପ୍ରସ୍ତୁତି ଆବଶ୍ୟକ। ସମୟର ଆହ୍ୱାନକୁ ସାମ୍ନା କରିବାକୁ ବିଶ୍ୱବିଦ୍ୟାଳୟର କ୍ଷମତା ବୃଦ୍ଧି ପାଇଁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।

କୁଳପତି ସମ୍ମିଳନୀରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ରାଜ୍ୟ ସରକାରଙ୍କ ବିଭିନ୍ନ ଶୈକ୍ଷିକ ନୀତି ଓ ବ୍ୟବସ୍ଥା ସଂପର୍କରେ ସୂଚନା ଦେଇ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ରିୟାଶୀଳ ସମନ୍ୱୟ ଓ ସଂପର୍କ ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ନ୍ୟାସନାଲ ଏକାଡେମିକ ଡିପୋଜିଟୋରର ସୁବିଧାର ଉପଯୋଗ କରିବା, ସରକାରୀ ପ୍ରୋତ୍ସାହନ ସଂପର୍କରେ ସଚେତନତା ସୃଷ୍ଟି ତଥା ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ କ୍ଷେତ୍ରରେ ନବସର୍ଜନାକୁ ପ୍ରୋତ୍ସାହିତ କରିବା ପାଇଁ ସହଯୋଗ କାମନା କରିଥିଲେ।

ସମ୍ମିଳନୀରେ ରାଜ୍ୟର ୧୩ଗୋଟି ଘରୋଇ ଓ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନେ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ, ଆଦର୍ଶ, ପ୍ରଗତି ଓ ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ। ରାଜଭବନର ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ‘ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ପାଇଁ ମା’ ଗଙ୍ଗା କୂଳରେ କାଶୀର ଶିକ୍ଷା ସମାଗମରୁ ଆରମ୍ଭ ହୋଇ ମା’ ନର୍ମଦାଙ୍କ ପାଦଦେଶରେ ଆୟୋଜିତ ଆଜିର ଜୋନ୍ ସମ୍ମିଳନୀ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ପାରସ୍ପରିକ ଆଭିମୁଖ୍ୟ, ରୋଡମ୍ୟାପ୍ ଏବଂ ରଣନୀତି ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ  ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ଗୁଜୁରାଟର କେଭାଡିଆ ଠାରେ ‘ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀ’ରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି।  ଗୁଣାତ୍ମକ ଶିକ୍ଷା, ଶିକ୍ଷାରେ ଦକ୍ଷତା ଇକୋସିଷ୍ଟମ, ଶିକ୍ଷାରେ ଗବେଷଣା, ନବସୃଜନ ଏବଂ ଉଦ୍ୟମିତା, ଭାରତ ଜ୍ଞାନ ପରମ୍ପରା ଓ ଶିକ୍ଷାର ଆନ୍ତର୍ଜାତିକରଣ ଭଳି ବିଭିନ୍ନ ପ୍ରାଥମିକତା କ୍ଷେତ୍ର ଉପରେ ଏହି ଜୋନାଲ୍ ସମ୍ମିଳନୀ ବିଚାରବିମର୍ଶ କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଭାରତୀୟ ଭାଷା, ଭାରତୀୟ ଜ୍ଞାନ ପରମ୍ପରା, ଦକ୍ଷତା ଏବଂ ରୋଜଗାର ଓ ଉଦ୍ୟମିତା ଶିକ୍ଷା ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା କ୍ଷେତ୍ର ଅଟେ। ଆମ ବିଶ୍ୱବିଦ୍ୟାଳୟ ହେଉଛି ଆମ ସମାଜର ମନ୍ଦିର। ପଶ୍ଚିମାଞ୍ଚଳର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ଆମ ଦେଶର କଲ୍ୟାଣ ପାଇଁ ନୂତନ ମଡେଲ୍ ଏବଂ ଆଭିମୁଖ୍ୟ ଆଣିବେ।

ଏହି ଜୋନାଲ ସମ୍ମିଳନୀ ପ୍ରଭାବଶାଳୀ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ମାଧ୍ୟମରେ ଏକ ନୂତନ ସଂସ୍କୃତି ଏବଂ ବହୁମୁଖୀ ଶିକ୍ଷା, ମଲଟିପଲ୍ ଏଣ୍ଟ୍ରି- ମଲଟିପୁଲ ଏକ୍ସିଟ୍ ସହ ସମସ୍ତଙ୍କ ପାଇଁ ସମାନ ସୁଯୋଗର ବିକାଶ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ସେ କହିଛନ୍ତି। ତୃଣମୂଳ ସ୍ତରରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପ୍ରଥମ ଜୋନାଲ ସ୍ତରୀୟ ସମ୍ମିଳନୀ ଆୟୋଜନ କରିଥିବାରୁ ଗୁଜୁରାଟ ସରକାରଙ୍କ କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କେଭାଡିଆର ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିଥିଲେ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଗୌରବ, ଏକତା, ଶାନ୍ତି ଓ କୃତଜ୍ଞତାର ପ୍ରତୀକ। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭବ୍ୟ ସ୍ମାରକୀ ନିର୍ମାଣ କରି ପ୍ରଧାନମନ୍ତ୍ରୀ ଏହି ମହାପୁରୁଷଙ୍କୁ ରାଷ୍ଟ୍ର ତରଫରୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସୌଭାଗ୍ୟବଶତଃ ସେ ଆସୁଥିବା ଗଡଜାତ ଅଞ୍ଚଳ ଢେଙ୍କାନାଳ ମଧ୍ୟ ପଟେଲଙ୍କ ଦୂରଦୃଷ୍ଟି କାରଣରୁ ଭାରତରେ ମିଶିପାରିଥିଲା ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଉଲ୍ଲେଖନୀୟ, ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦର ପଟେଲ, ଗୁଜୁରାଟର ଶିକ୍ଷା ମନ୍ତ୍ରୀ ରୁଷିକେଶ ପଟେଲ, ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।