Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀ: ୮୩ ବର୍ଷୀୟ ବୃଦ୍ଧଙ୍କୁ ଅକ୍ଷତ ଅବସ୍ଥାରେ କୂପରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଜଣେ ୮୩ ବର୍ଷୀୟ ବୃଦ୍ଧଙ୍କୁ ଅକ୍ଷତ ଏବଂ ଜୀବନ୍ତ ଅବସ୍ଥାରେ ଗଭୀର କୂପରୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛି ଅଗ୍ନିଶମ ବିଭାଗ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଘଟିଯାଇଛି।

ସୂଚନା ମୁତାବକ, ଆଜି ସକାଳେ ନାଚୁଣୀ ବଜାରର ଶତ୍ରୁଘ୍ନ ସୁବୁଦ୍ଧିଙ୍କ ଘର ପଛପଟେ ଥିବା ୩୨ ଫୁଟ ଗଭୀର ବିଶିଷ୍ଟ କୂପ ଭିତରକୁ ସୁଦେଇ ମହାପାତ୍ର (୮୩) ନାମକ ଜଣେ ବୃଦ୍ଧ ଅସାବଧାନତାବଶତଃ ଗଳି ପଡ଼ିଥିଲେ। ଏହା ଦେଖି ଶତ୍ରୁଘ୍ନଙ୍କ ପରିବାର ଲୋକେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀକୁ ତୁରନ୍ତ ଫୋନ କରିଥିଲେ। ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ ସାହୁ ଏବଂ ଟିମ ପହଞ୍ଚିଥିଲେ।

ପରବର୍ତ୍ତୀ ସମୟରେ ଦଉଡି ଏବଂ ରୋପଲ୍ୟାଡ଼ର ସାହାଯ୍ୟରେ ବହୁ ଯତ୍ନର ସହ ବୃଦ୍ଧଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିପାରିଥିଲା। ତେବେ ୮୩ ବର୍ଷୀୟ ବୃଦ୍ଧ ଜଣକ ଅକ୍ଷତ ଏବଂ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ଅଞ୍ଚଳବାସୀ ମାନେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀର ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି।