Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ଜଳବନ୍ଦୀ ସମସ୍ୟା ନେଲାଣି ଉଗ୍ରରୁପ: ପ୍ରଶାସନର ଭାଙ୍ଗୁନି ନିଦ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି ଦିନକୁ ଦିନ ଉନ୍ନତି କରିବା ବଦଳରେ ଉପାନ୍ତ ଅଞ୍ଚଳରେ ପରିବର୍ତ୍ତନ ହେବାକୁ ବସିଲାଣି। କେବଳ ନାମକୁ ମାତ୍ର ଏନଏସି ମାନ୍ୟତା। ସହରରେ ଅସରାଏ ବର୍ଷା ହେଲେ ଏହା କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି।

ତେବେ ସବୁଠାରୁ ଲଜ୍ୟାଜନକ ବିଷୟ ହେଲା ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ସ୍ଥାନୀୟ ଅବା ଜିଲ୍ଲା ପ୍ରଶାସନ କାହାର ବି ନିଦ ଭାଙ୍ଗୁନାହିଁ। ସହରର ମୁଖ୍ୟ ରାସ୍ତା ଅନ୍ତର୍ଗତ ବିଧାରପୁର ଛକରେ ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତାରେ ମିନ ଖେଳୁଥିବାର ଦେଖାଯାଉଛି। ଉକ୍ତ ଛକର ଅନତିଦୂରରେ ବାଣପୁର ତହସିଲ, କୋର୍ଟ, ବ୍ଲକ କାର୍ଯ୍ୟାଳୟ ଏବଂ ସହର ତଥା ସମଗ୍ର ଜିଲ୍ଲାର ଗର୍ବ ଓ ଗୌରବ ଐତିହାସିକ ପଲଟନ ପଡ଼ିଆ ଅବସ୍ଥିତ।

ହେଲେ ବିଡମ୍ବନାର ବିଷୟ ଫୁଟେ ଫୁଟେ ପାଣି ଜମିବା ଯୋଗୁଁ ଜନସାଧାରଣ ମାନେ ନିଜ ଜୀବନକୁ ବିପଦରେ ପକାଇ ଉକ୍ତ ଛକ ଦେଇ ଯାତାୟାତ କରୁଛନ୍ତି। କାରଣ ଦୀର୍ଘଦିନ ହେବ ପାଣି ଜମିରହିବା ଯୋଗୁଁ ରାସ୍ତାରେ ଗତ୍ର ହୋଇଗଲାଣି ଯାହାଦ୍ୱାରା ଜନସାଧାରଣ ଦ୍ବନ୍ଦରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ସବୁଠାରୁ ଅପମାନର ବିଷୟ ଏହାକି ଗତ ଦୁଇଦିନ ହେଲା ସ୍ଥାନୀୟ ପ୍ରଶାସନ ଦ୍ୱାରା ପଲଟନ ପଡ଼ିଆସ୍ଥିତ କୃତିବାସ ଭବନରେ ୧୮-୪୪ ବର୍ଷ ଯୁବପିଢ଼ିଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା କରାଯାଇଛି କିନ୍ତୁ ବିଧାରପୁର ଛକ ଦେଇ ଉକ୍ତ ଟୀକାକେନ୍ଦ୍ରକୁ ଯିବାପାଇଁ ନାଗରିକମାନେ କେତେଯେ ହଇରାଣ ହରକତ ହେଉଛନ୍ତି ତାହା ପ୍ରଶାସନ ହୃଦୟଙ୍ଗମ କରିପାରୁନାହିଁ।

ଏପରିକି ନାଗରିକ ମାନଙ୍କ ସୁବିଧା ପାଇଁ ଗତକାଲି ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ରାତାରାତି ଟେଣ୍ଟ ଏବଂ ବ୍ୟାରିକେଡ଼ ବ୍ୟବସ୍ଥା ଟାଉନ ହଲ ଠାରେ କରାଗଲା କିନ୍ତୁ ନାଗରିକମାନଙ୍କୁ ଉକ୍ତ ଟୀକାକେନ୍ଦ୍ରକୁ ପହଂଚିବା ପାଇଁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ତାହା ପ୍ରଶାସନର ନଜରକୁ ଆସୁନାହିଁ।

ତେବେ ଏପରି ଗୁରୁତର ସମସ୍ୟାର ସମାଧାନ ଦିଗରେ ବାଣପୁର ତହସିଲଦାର, ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ପୂର୍ତ୍ତ ବିଭାଗ ଆଦି ମୌନ ରହିବା ସାଧାରଣରେ ସନ୍ଦେହ ସୃଷ୍ଟିକରୁଛି। ଉକ୍ତ ଅଧିକାରୀମାନେ ଦିନତମାମ ଏହି ରାସ୍ତା ଦେଇ ଯାତାୟାତ କରୁଥିବାବେଳେ ଉକ୍ତ ସମସ୍ୟା ପ୍ରତି ତିଳେହେଲେ ଖାତିର ନକରିବା ସାଧାରଣରେ ନାପସନ୍ଦ କରାଯାଇଛି।

ଏ ବିଷୟ ନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ଉକ୍ତ ଘଟଣାରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଅପରିହାର୍ଯ୍ୟ ହୋଇପଡିଛି। ତେବେ ଯଥାଶୀଘ୍ର ଯଦି ଉକ୍ତ ସମସ୍ୟାର ସମାଧାନ ନହୁଏ ତେବେ ବାଣପୁର ଜନସାଧାରଣମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ତତସହିତ ଯଦି ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ସେଥିପାଇଁ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି କହିଛନ୍ତି।

Categories
ଆଞ୍ଚଳିକ

‌ଅସରାଏ ବର୍ଷାରେ ବାଣପୁର ସହର କୃତ୍ରିମ ହ୍ରଦରେ ପରିଣତ: ଡ୍ରେନେଜ ପାଇଁ ସାଧାରଣରେ ଦାବି

ସୀତାରାମ ଅଗ୍ରୱାଲ
ବାଣପୁର: ସ୍ୱଳ୍ପ ବର୍ଷାରେ କୃତିମ ହ୍ରଦର ଭ୍ରମ ସୃଷ୍ଟି କରୁଛି ବାଣପୁର ସହର। ବାଣପୁର ଏନ.ଏ. ସି ଗଠିତ ହେବାଠାରୁ ଆଜି ଯାଏଁ ସହରରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ହୋଇପାରି ନାହିଁ। ଯାହା ଫଳରେ ଅସରାଏ ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ପାଣି ଜମିଯାଉଛି। ସହର ବାସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି ଏକ ରୋଚକ ଉଦାହରଣ ଆଜି ଦେଖିବାକୁ ମିଲିଥଲା ବାଣପୁର ଏନ.ଏ.ସି ରେ। ଆଜି ପୂର୍ବାହ୍ନ ପାଖାପାଖି ଏଗାର ଘଟିକାରେ ସ୍ୱଳ୍ପ ସମୟ ପାଇଁ ବାଣପୁରରେ ବହୁ ଜୋରରେ ବର୍ଷା ହୋଇଥିଲା ଯାହାଫଳରେ ବର୍ଷା ଛାଡ଼ିବାପରେ ସହରରେ ବିଭିନ୍ନ ରାସ୍ତା ଯଥା ବାଣପୁର ଥାନାଠୁ ଗାଲୁଆ ଛକ ଏବଂ ପେଟ୍ରୋଲ ପମ୍ପ ଠାରୁ ଚିଆଙ୍କ ସାହି ଶଙ୍ଖ ଯାଏଁ ଆଣ୍ଠୁଏ ଉଚ୍ଚାରେ ଜଳ ଜମା ହୋଇଯାଇଥିଲା। ବହୁ ପଥିକ ଏବଂ ଯାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏପରିକି ଜଣେ ଯାତ୍ରୀର ସାଇକେଲ ଟି କିଛି ବାଟ ଭାସିଯାଇଥଲା ଏବଂ ଜଣେ ମୋଟର ସାଇକେଲ ଆରୋହୀ ସନ୍ତୁଳନ ରକ୍ଷା ନକରି ପାଣି ରେ ପଡିଯାଇଥିଲେ। ସହରର ଏ ସବୁ ଗୁରୁତ୍ୱପୂର୍ଣ ଜନଗହଳି ରାସ୍ତାରେ ସବୁବେଳେ ଏପରି ସମସ୍ୟା ଲାଗି ରହିଛି। ଯଦି ଯଥାଶୀଘ୍ର ସହରରେ ଡ୍ରେନେଜ ବ୍ୟବସ୍ଥା ନହୁଏ ତାହାଲେ ଆଗକୁ ବର୍ଷାଦିନରେ ସହରବାସି ଜଳବନ୍ଦୀ ହୋଇ ରହିବେ ଏଥିରେ କୌଣସି ସନ୍ଦେହ ନାଇଁ। କାର୍ଯ୍ୟନିର୍ବାହୀ ଅଧିକାରି ଏ ଦିଗରେ ଯଥାଶୀଘ୍ର ଦୃଷ୍ଟିଦେବା ପାଇଁ ସାଧାରଣରେ ଦାବି ହେଉଛି।