Categories
ଅପରାଧ ଆଜିର ଖବର ଜାତୀୟ ଖବର

ସମାପ୍ତ ହେଉନି ଅନ୍ନ ଦାତାଙ୍କ ସମସ୍ୟା, ୭୨ ଘଣ୍ଟା ମଧ୍ୟରେ ୯ କୃଷକଙ୍କ ଆତ୍ମହତ୍ୟା

ନାଗପୁର: ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ କୃଷକଙ୍କ ଆତ୍ମହତ୍ୟା ବିପଦଜନକ ସ୍ତରରେ ପହଞ୍ଚିଛି। ଯେଉଁଠାରେ ତିନି ଦିନ ମଧ୍ୟରେ ୯ ଜଣ କୃଷକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆର୍ଥିକ ସମସ୍ୟା ହେତୁ ଆତ୍ମହତ୍ୟା କରିଥିବା କୃଷକଙ୍କ ବିଧବାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓ ବିଦର୍ଭ ଜନ ଆନ୍ଦୋଳନ ସମିତି ଗତ ତିନି ଦିନ ମଧ୍ୟରେ ନଅ ଜଣ କୃଷକ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛି।

ଅଭିଯୋଗ ମୁତାବକ ଏହି ଅଞ୍ଚଳରେ ଲଗାତାର ବର୍ଷା ଏବଂ ପରବର୍ତ୍ତୀ ବନ୍ୟା ଫସଲକୁ ବହୁ କ୍ଷତି ପହଞ୍ଚାଇଛି। ବର୍ତ୍ତମାନ ପରବର୍ତ୍ତୀ ଫସଲ ବୁଣିବା ପାଇଁ ଚାଷୀଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ। ପରିସ୍ଥିତି ହେଉଛି ଯେ କୃଷକ ପରିବାର ପାଇଁ ଜୀବିକା ନିର୍ବାହ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି। ଫଳସ୍ୱରୂପ, କୃଷକମାନେ କଠୋର ପଦକ୍ଷେପ ନେଉଛନ୍ତି।

ସେ କହିଛନ୍ତି ଯେ, ଏହି ଚାଷୀଙ୍କ ମଧ୍ୟରୁ ପାଞ୍ଚ ଜଣ କୃଷକ ୟଭତମାଲ ଜିଲ୍ଲାରୁ ଆସିଛନ୍ତି, ବିଦର୍ଭର ଏହି ଜିଲ୍ଲା ବର୍ଷା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି।

ସୂତ୍ରରୁ ପ୍ରକାଶ ଯେ ୪ଜଣ ଚାଷୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାବେଳେ ଅବଶିଷ୍ଟ ୫ ଜଣ କୀଟନାଶକ ବ୍ୟବହାର କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷୁଦ୍ର ଜମି ମାଲିକ ଅଟନ୍ତି।

ବିଦର୍ଭର ଅକୋଲା, ଅମ୍ରାବତୀ, ୟଭତମାଲ, ବୁଲଢାଣା, ୱାଶିମ୍ ଏବଂ ୱର୍ଦ୍ଧା ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଲଗାତାର ବର୍ଷା ଯୋଗୁଁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ୟାଙ୍କ ଏବଂ ଅନ୍ୟ ଋଣଦାତାମାନଙ୍କଠାରୁ ମଧ୍ୟ ସେମାନେ କୌଣସି ଆଶ୍ଵସ୍ତି ପାଇନାହାଁନ୍ତି।

ସଂଗଠନ କହିଛି ଯେ, ରବି ଫସଲ ବୁଣିବା ପାଇଁ ସରକାର ତୁରନ୍ତ ଚାଷୀଙ୍କୁ ଋଣ ପ୍ରଦାନ କରିବା ଉଚିତ। ଏଥିସହ କୃଷକମାନଙ୍କ ପାଇଁ ଆର୍ଥିକ ସହାୟତା ଏବଂ ଋଣ ଛାଡ ଘୋଷଣା କରାଯିବା ଉଚିତ୍।