Categories
ଆଜିର ଖବର ରାଜ୍ୟ ଖବର

ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ନିକଟରେ ଦାବି: ୮ ରେ ଏଫ୍‍ସିଆଇ ଦପ୍ତର ଘେରିବ ବିଜେଡି

ଭୁବନେଶ୍ୱର: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଓଡିଶା ବିରୋଧୀ ତଥା କୃଷକ ବିରୋଧୀ ମନୋଭାବ ଜାରି ରହିଛି। କେନ୍ଦ୍ରୀୟ ଅବହେଳାର ସର୍ବଶେଷତମ ଉଦାହରଣ ହେଉଛି ଓଡ଼ିଶାରୁ ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ରୋକଠୋକ୍‍ ଭାବେ ମନା କରିବା। ଏହାଦ୍ୱାରା ଓଡ଼ିଶାର କୋଟି କୋଟି କୃଷକ ଦୁଃଖ ଓ ଅନାଟନରେ ପଡ଼ିଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର ଓ ଶ୍ରୀମତୀ ଦେଓ କହିଛନ୍ତି ଯେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‍)ରେ ଚାଉଳ ଯୋଗାଣ କ୍ଷେତ୍ରରେ ଓଡିଶା ହେଉଛି ତୃତୀୟ ବୃହତ୍ତମ ଯୋଗଦାନକାରୀ। ଓଡିଶା ୯୫ ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ କରେ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓଡିଶାରେ ବଳକା ଚାଉଳକୁ ଉଠାଇବା କେନ୍ଦ୍ରର କର୍ତ୍ତବ୍ୟ, ରାଜ୍ୟର ନୁହେଁ। ଓଡିଶାର କୃଷକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର କେନ୍ଦ୍ର ତରଫରୁ ଚାଉଳ ଖରିଦ କରିଥାନ୍ତି। କିନ୍ତୁ ବର୍ତ୍ତମାନ ବଳକା ଚାଉଳ ନ ଉଠାଇବାକୁ କେନ୍ଦ୍ର ସରକାର ଖୋଲାଖୋଲି ପ୍ରତ୍ୟାଖ୍ୟାନ କରିବା ଓଡିଶା ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ଆକ୍ରମଣ ସଦୃଶ ହୋଇଛି। ଏହା ବିରୁଦ୍ଧରେ ଆସନ୍ତାକାଲି (ଫେବୃୟାରୀ ୮ ତାରିଖ) ଦିନ ୧୦.୩୦ରେ ଏଫ୍‍ସିଆଇ ଦପ୍ତର ସମ୍ମୁଖରେ ଦଳ ଧାରଣା ଦେବ ବୋଲି ଦୁଇ ମୁଖପାତ୍ର ସୂଚନା ଦେଇଛନ୍ତି।

୨୦୨୧-୨୨ ଖରିଫ ଋତୁରେ ଓଡିଶାରୁ ଚାଉଳ ସଂଗ୍ରହର ମୋଟ ଧାର୍ଯ୍ୟ ଲକ୍ଷ୍ୟ ହେଉଛି ୫୨ ଲକ୍ଷ ମେଟ୍ରିକ୍ ଟନ୍। ୩୦ ଲକ୍ଷ ମେଟ୍ରିକ୍ ଟନ୍ ରାଜ୍ୟରେ ବ୍ୟବହାର ହେବ। ଅବଶିଷ୍ଟ ୨୨ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ମଧ୍ୟରୁ ୨ ଲକ୍ଷ ମେଟ୍ରିକ୍ ଟନ୍ ଅରୁଆ ଚାଉଳ ଉଠାଯିବ। ବଳକା ୨୦ ଲକ୍ଷ ମେଟ୍ରିକ୍ ଟନ୍ ମଧ୍ୟରୁ ୫ ଲକ୍ଷ ମେଟ୍ରିକ୍ ଟନ୍ ଭିଟାମିନ ଯୁକ୍ତ ଉଷୁନା ଚାଉଳ ଭାବରେ ଉଠାଇବାକୁ ଲକ୍ଷ୍ୟ ରଖାଯାଇଥିଲା ଯାହା ଏପର୍ଯ୍ୟନ୍ତ ଉଠାଯାଇ ନାହିଁ। ଅବଶିଷ୍ଟ ୧୫ ଲକ୍ଷ ମେଟ୍ରିକ ଟନ୍‍ ଉଷୁନା ଚାଉଳକୁ ବି କେନ୍ଦ୍ର ଉଠାଉନାହିଁ। ଏହା ଏବେ ଓଡିଶାର ଚାଷୀଙ୍କ ଜୀବନ ମୃତ୍ୟୁର କାରଣ ପାଲଟିଛି।

କୃଷକଙ୍କ କଲ୍ୟାଣକୁ ନେଇ ଓଡ଼ିଶା ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ଏହାର ମିଥ୍ୟା ଏବଂ ଦୋମୁହାଁ କାର୍ଯ୍ୟ ବର୍ତ୍ତମାନ ଓଡିଶାର ଲୋକ ଏବଂ ବିଶେଷ କରି ଓଡିଶାର କୃଷକଙ୍କ ଆଗରେ ଧରାପଡି ଯାଇଛି। ରାଜ୍ୟର ବିଜେପି ସାଂସଦମାନେ ଚାଷୀଙ୍କ ପାଖକୁ ଯାଇ ନିର୍ବାଚନ ସମୟରେ ଭୋଟ୍ ମାଗିଥାନ୍ତି କିନ୍ତୁ ଯେତେବେଳେ ଚାଷୀଙ୍କ ଉପରେ ଏଭଳି ଘୋର ବିପଦ ଆସେ, ସେତେବେଳେ ସେମାନେ ଦେଖା ଦିଅନ୍ତି ନାହିଁ। ସେମାନେ କୃଷକଙ୍କ କଲ୍ୟାଣ ବିଷୟରେ ନୁହେଁ, କେବଳ ନିଜର ଭୋଟ କଥା ଚିନ୍ତା କରିଥାନ୍ତି। ଓଡିଶାର କୃଷକ ଏବଂ ସେମାନଙ୍କ ହକ୍‍ ପାଇଁ ଛିଡା ହେବା ପରିବର୍ତ୍ତେ ବିଜେପି ଓଡିଶାର ଚାଷୀଙ୍କ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଛି। ଆମେ ଦାବି କରୁଛୁ ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ତୁରନ୍ତ ଓଡିଶାରୁ ବଳକା ଉଷୁନା ଚାଉଳ ଉଠାଣ ଆରମ୍ଭ କରିବା ସହିତ ଏହା ଯେଭଳି ଓଡ଼ିଶାର କୋଟି କୋଟି ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ତାହା ନିଶ୍ଚିତ କରିବା ଉଚିତ୍‍।

ଓଡିଶା ବିଶେଷକରି କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୋନପୁର, ନୂଆପଡା, ଦେବଗଡ ଏବଂ ନବରଙ୍ଗପୁର ଜିଲ୍ଲାର କୃଷକମାନେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସମ୍ବେଦନହୀନତା ମନୋଭାବ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହେବେ। ଓଡିଶାର ଲୋକ ଏବଂ ବିଶେଷକରି ଓଡିଶାର କୃଷକମାନେ ବିଜେପିର ଏହି ଚାଷୀ ବିରୋଧୀ ତଥା ଓଡ଼ିଶା ବିରୋଧୀ ମନୋଭାବର ଉଚିତ୍‍ ଜବାବ ଦେବେ ବୋଲି ବିଜେଡିର ଦୁଇ ମୁଖପାତ୍ର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଫେବୃୟାରୀ ୨୩ ଓ ୨୪ ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ

ଭୁବନେଶ୍ୱର: ୮ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା ଫେବୃୟାରୀ ୨୩ ଓ ୨୪ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ସ୍ଥାନୀୟ ଆଇଏନ୍‌ଟିୟୁସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀରେ ଶ୍ରମିକନେତାମାନେ ଆହ୍ୱାନ ଦେଇଛନ୍ତି। ବିଜେପି ନେତୃତ୍ୱାଧୀନ ସରକାର ଯେଭଳି ଶ୍ରମିକ ବିରୋଧୀ, କୃଷକ ବିରୋଧୀ, ଜନବିରୋଧୀ ଓ କର୍ପୋରେଟ ସପକ୍ଷବାଦୀ ଧ୍ୱଂସକାରୀ ନୀତି ଚଳାଇଛନ୍ତି, ତାହାକୁ ବନ୍ଦ କରିବା ପାଇଁ ଆସନ୍ତା ଫେବୃୟାରୀ ୨୩ ଓ ୨୪ ଦୁଇଦିନ ଧରି ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ସମ୍ମିଳନୀରେ ଭିତ୍ତିପତ୍ର ଉପସ୍ଥାପନ କରି ଆଇଏନ୍‌ଟିୟୁସିର ସଭାପତି ଓ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ କହିଲେ ଯେ, ମୋଦି ସରକାରଙ୍କ ନୀତିଯୋଗୁ ଦେଶବାସୀଙ୍କର ଜୀବନ ଜୀବିକା ଏବଂ ଦେଶର ଅର୍ଥନୀତି ଧ୍ୱଂସମୁଖୀ ହୋଇଛି। ଆସନ୍ତା ସାଧାରଣ ଧର୍ମଘଟ ଜନଗଣଙ୍କର ଅଧିକାର କିମ୍ବା ଜୀବନ ଜୀବିକାର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଦେଶର ଅର୍ଥନୀତି, ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସାମଗ୍ରିକ ଭାବେ ସମାଜକୁ ରକ୍ଷା କରିବାକୁ ଉଦ୍ଦିଷ୍ଟ।

ସିଆଇଟିୟୁ ସଭାପତି ସାଥୀ ଜନାର୍ଦ୍ଦନ ପତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦେଶର ଅନ୍ନଦାତା କୃଷକମାନେ ଆକ୍ରମଣରୁ ବାଦ୍ ପଡ଼ିନାହାଁନ୍ତି। ଦୀର୍ଘ ଏକବର୍ଷ ଧରି କୃଷକମାନେ ଯେଉଁ ଲଗାତର ଆନ୍ଦୋଳନ ଚଳାଇଲେ, ଏଥିପ୍ରତି ସମସ୍ତ ଶ୍ରମିକଶ୍ରେଣୀଙ୍କ ଓ ବିଜେପି ଦଳକୁ ଛାଡ଼ି ସମସ୍ତ ରାଜନୈତିକ ଦଳମାନେ ଯେପରି ସମର୍ଥନ ଜ୍ଞାପନ କଲେ, ମୋଦି ବାଧ୍ୟ ହୋଇ ତିନିକଳା କୃଷି ଆଇନକୁ ପ୍ରତ୍ୟାହାର କଲେ। ତେଣୁ ଆଗାମୀ ୨୩ ଓ ୨୪ ସାଧାରଣ ଧର୍ମଘଟରେ କୃଷକ ସଂଗଠନଗୁଡ଼ିକୁ ଶ୍ରମିକ ଆନ୍ଦୋଳନରେ ସାମିଲ କରି ଧର୍ମଘଟକୁ ସଫଳ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଏହି ସମ୍ମିଳନୀରେ ୧୨ଦଫା ଦାବିକୁ ନେଇ ପ୍ରସ୍ତାବ ପାରିତ ହୋଇଥିଲା ଯାହାକି ଚାରୋଟି ଶ୍ରମକୋଡକୁ ବାତିଲ୍‌, କୃଷି ଆଇନ ବାତିଲ ପରବର୍ତ୍ତୀ ସଂଯୁକ୍ତ କିଷାନ ମୋର୍ଚ୍ଚାର ୬ ଦଫା ଦାବିକୁ ଗ୍ରହଣ, ଘରୋଇକରଣ ବନ୍ଦ କରିବା ସହ ଜାତୀୟ ସମ୍ପଦ ମୁଦ୍ରାକରଣ ଯୋଜନା (ଏମ୍‌.ଏନ୍‌.ପି.) ବାତିଲ୍‌, ମନରେଗା କାର୍ଯ୍ୟଦିବସ ବୃଦ୍ଧି ସହ ସହରାଞ୍ଚଳକୁ ନିଶ୍ଚିତ ରୋଜଗାର ଯୋଜନା ବିସ୍ତାରିତ କରିବା, ସ୍କିମ୍ ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ଓ ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା ପ୍ରଦାନ, କୋଭିଡ଼ ମହାମାରୀ ସମୟରେ ଆଗଧାଡ଼ିର ଶ୍ରମିକମାନଙ୍କୁ ସୁରକ୍ଷା ଓ ବୀମା ବ୍ୟବସ୍ଥା, ଠିକାଶ୍ରମିକମାନଙ୍କୁ ସ୍ଥାୟୀ କରିବା ଏବଂ ସମସ୍ତଙ୍କ ପାଇଁ ସମାନ କାମକୁ ସମାନ ମଜୁରୀ ନୀତି ଲାଗୁ କରିବା ଆଦି ଦାବିକୁ ଅଂଶଗ୍ରହଣ କରିଥିବା ସାଥୀମାନେ ଦାବି କରିଥିଲେ।

ଏହି ସମ୍ମିଳନୀରେ ଏଆଇସିସିଟିୟୁର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଏନ୍‌ଟିୟୁସିର ମଦନ ମୋହନ ଧଳ, ଏଆଇଟିୟୁସି ନେତା ନାରାୟଣ ରେଡ଼ି, ଏଚ୍‌ଏମ୍‌ଏସ୍‌ର ଯୁଗଳ ନାୟକ, ଏଆଇୟୁଟିୟୁସିର ପୂର୍ଣ୍ଣଚନ୍ଦ୍ର ବେହେରା, ଟିୟୁସିିିସିର ଜ୍ୟୋତି ରଞ୍ଜନ ମହାପାତ୍ର, ଏଲ୍‌ପିଏଫ୍‌ର ମନୋରଞ୍ଜନ ମହାରଣା ପ୍ରମୁଖଙ୍କୁ ନେଇଏକ ସଭାପତି ମଣ୍ଡଳୀ ଗଠନ କରାଯାଇଥିଲା। ଏଆଇଟିୟୁସିର ନେତା ଜୟନ୍ତ ଦାସ, ଏଚ୍‌ଏମ୍‌ଏସ୍‌ର କୃଷ୍ଣଚନ୍ଦ୍ର ମହାପାତ୍ର, ସିଆଇଟିୟୁର ଦୁଷ୍ମନ୍ତ ଦାସ, ଏଆଇଟିୟୁସି ନେତା ଜୟସେନ ମେହେର, ଏଆଇସିସିଟିୟୁ ନେତା ରାଧାକାନ୍ତ ସେଠି, ଟିୟୁସିସିର ନାରାୟଣ ଡ଼ାଳୁଆ, ଏଲ୍‌ପିଏଫ୍‌ର ବୀରେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଫେବୃୟାରୀ ୨୩ ଓ ୨୪ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିବା ବେଳେ ଜିଲ୍ଲା ଓ ଶିଳ୍ପାଞ୍ଚଳ ଅଞ୍ଚଳମାନଙ୍କରେ ଧର୍ମଘଟକୁ ସଫଳ କରିବା ପାଇଁ ବ୍ୟାପକ ଅଭିଯାନ ଚାଲୁ ରଖିବା ପାଇଁ ନାରୀନେତ୍ରୀ ପୁଷ୍ପା ଦାସ ଓ ସଂଯୁକ୍ତା ମହଲ ମତପ୍ରକାଶ କରିଥିଲେ।