Categories
ଆଜିର ଖବର ଜାତୀୟ ଖବର

ଗତବର୍ଷର ୪ ଲକ୍ଷ ମେଟ୍ରିକ ଟନ୍‌ ୟୁରିଆ ଯୋଗାଣ ଅବ୍ୟାହତ ରଖିବା ପାଇଁ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦାବି

ଭୁବନେଶ୍ୱର: ରାଜ୍ୟର ଚାଷୀମାନେ କୃଷିକାର୍ଯ୍ୟରେ ପାରମ୍ପରିକ ୟୁରିଆ ସାର ବ୍ୟବହାର କରିଥାଆନ୍ତି। ରାଜ୍ୟରେ ‘ନାନୋ’ ୟୁରିଆ ସାରର ପ୍ରଚଳନ ଆରମ୍ଭ ହୋଇଯାଇଛି। ଚାଷୀମାନେ ପାରମ୍ପରିକ ୟୁରିଆ ସାର ବ୍ୟବହାରକୁ ପସନ୍ଦ କରୁଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ୟୁରିଆ ସାର ବ୍ୟବହାର କମ୍‌ କରିବା ଦ୍ୱାରା କୃଷି ଉତ୍ପାଦନ ବ୍ୟାହତ ହେବାର ଆଶଙ୍କା ରହିଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ କେନ୍ଦ୍ର ତରଫରୁ ଗତବର୍ଷ ପରି ୪ ଲକ୍ଷ ମେଟ୍ରିକ୍‌ ଟନ୍‌ ୟୁରିଆ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
ଆଜି ଭିଡ଼ିଓ କନ୍‌ଫରେନ୍ସ ଜରିଆରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ସାର ଉଚିତ ପରିମାଣରେ ଉପଲବ୍ଧ ନହେଲେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବାର ସମ୍ଭାବନା ରହିଛି। ଏଥି ସହିତ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ରାସାୟନିକ ସାରର ବ୍ୟବହାର କମ୍‌ ହେଉଥିବା ପରିପ୍ରେକ୍ଷୀରେ ‘ପିଏମ୍‌-ପ୍ରଣାମ’ ଯୋଜନାରେ ସଞ୍ଚୟ ହେବାକୁ ଥିବା ଅର୍ଥରୁ ସହାୟତା ରାଶିର ସର୍ବୋଚ୍ଚ ପରିମାଣ ୫୦ ପ୍ରତିଶତ ନିୟମକୁ ରାଜ୍ୟ ନିମନ୍ତେ କୋହଳ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଅନ୍ୟଥା ରାଜ୍ୟ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏଥି ସହିତ ରାଜ୍ୟରେ ମୋଟ ୭୦ ପ୍ରତିଶତ ଚାଷ ଜମିରେ ଅମ୍ଳ ଏବଂ ୬ ପ୍ରତିଶତ ଚାଷଜମିରେ ଲବଣାଂଶ ଅଧିକ ରହୁଥିବା ଦୃଷ୍ଟିରୁ ମୃତ୍ତିକା ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଅଧିକ ପରିମାଣର କେନ୍ଦ୍ର ସହାୟତା ଯୋଗାଇଦେବା ଆବଶ୍ୟକ। ପର୍ଯ୍ୟାୟ କ୍ରମେ ‘ନାନୋ’ ୟୁରିଆ ବ୍ୟବହାର ସଂପର୍କରେ ଓଡ଼ିଶାର ଚାଷୀମାନଙ୍କୁ ସଚେତନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ପୂର୍ବ ବର୍ଷ ପରି ଚଳିତ ଋତୁରେ ୪ ଲକ୍ଷ ମେଟି୍ରକ୍‌ ଟନ୍‌ ୟୁରିଆ ଯୋଗାଇଦେବା ସହିତ ୭୫ ହଜାର ମେଟି୍ରକ୍‌ ଟନ ଏମ୍‌ଓପି ସାର ଯୋଗାଇଦେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛି। ସଂପ୍ରତି ରାଜ୍ୟରେ ପ୍ରାୟ ୩୯ ହଜାର ମେଟି୍ରକ୍‌ ଟନ୍‌ ଏମ୍‌ଓପି ସାର ନିଅଣ୍ଟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୈଠକରେ ପ୍ରକାଶ କରିଥିଲେ।
ବୈଠକରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀଙ୍କ ସମେତ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଯୋଗଦେଇଥିଲେ।
Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଦୁଇ ଦିନିଆ କନ୍‌କ୍ଲେଭ୍‌, ଯୋଗ ଦେବେ ୬୦ ଟି ଷ୍ଟାର୍ଟଅପ୍

ଭୁବନେଶ୍ୱର: କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ୬୦ ଟି ଷ୍ଟାର୍ଟଅପ୍ ଶନିବାର ଠାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ହେବାକୁ ଥିବା ଏକ ଦୁଇ ଦିନିଆ କନ୍‌କ୍ଲେଭ୍‌ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି କନ୍‌କ୍ଲେଭଟି ସାମାଜିକ ଉଦ୍ୟୋଗ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଂଟ ଆନନ୍ଦ (ଇର୍ମା) -ଆଇସିଡ ଫାଉଣ୍ଡେସନ୍‌, ପେସ୍ ଫାଉଣ୍ଡେସନ୍ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି।

ଏକ ଖସଡ଼ା ମାଧ୍ୟମରେ ବିଚାରଧାରା, ଜ୍ଞାନକୌଶଳ ଏବଂ ବିଭିନ୍ନ ପ୍ରକ୍ରିୟା ସମ୍ବଳିତ ସାମାଜିକ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍‌ରୁ ଉତ୍ପନ୍ନ ପଦ୍ଧତିଗୁଡ଼ିକୁ ସମ୍ମୁଖକୁ ଆଣିବା ଏହି କନ୍‌କ୍ଲେଭ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହା ଦ୍ୱାରା ଓଡ଼ିଶାର କୃଷକ ଏବଂ ଗ୍ରାମାଂଚଳରେ କାର୍ଯ୍ୟରତ ବ୍ୟକ୍ତିମାନେ ବିଶ୍ୱର ନୂତନ ଚିନ୍ତାଧାରା, ଜ୍ଞାନକୌଶଳ ଏବଂ ଉଦ୍‌ଭାବନ ସମ୍ପର୍କରେ ଅବଗତ ହୋଇପାରିବେ। ଏହି କନ୍‌କ୍ଲେଭ୍‌ରେ ସମାନ୍ତରାଳ ଭାବେ ଦୁଇଟି ପ୍ଲାଟ୍‌ଫର୍ମରେ କାର୍ଯ୍ୟ କରିବ। ଗୋଟିଏ ପଟେ ଷ୍ଟାର୍ଟଅପ୍‌ଗୁଡ଼ିକ ଉପସ୍ଥିତ କୃଷକଙ୍କୁ ନିଜ ଚିନ୍ତାଧାରା ଓ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଇବେ ଏବଂ ଅନ୍ୟ ପଟେ ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀ ମଧ୍ୟ କରାଯିବ।

ଏହି କନ୍‌କ୍ଲେଭ୍ ଦ୍ୱାରା ଷ୍ଟାର୍ଟଅପ୍‌ଗୁଡ଼ିକ ବଜାର ସହିତ ଯୋଡି ହୋଇପାରିବେ ଏବଂ ଓଡ଼ିଶାର କୃଷକମାନେ ନୂତନ ଜ୍ଞାନକୌଶଳ ଏବଂ ବ୍ୟବସାୟର ମଡେଲ୍‌କୁ ଆପଣାଇ ନିଜର ଆୟ ବଢ଼ାଇପାରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଓଡ଼ିଶାର ୬୫ଟି ବ୍ଲକ୍‌ରୁ ପ୍ରାୟ ୩୦୦ କୃଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ଭାରତର ବିଭିନ୍ନ ଅଂଚଳରୁ ପ୍ରାୟ ୬୦ଟି ଷ୍ଟାର୍ଟଅପ୍ ଏଥିରେ ଯୋଗ ଦେଉଥିବା ବେଳେ କେବଳ ଓଡ଼ିଶାରୁ ୧୦ଟି ଷ୍ଟାର୍ଟଅପ୍ ଏହି କନ୍‌କ୍ଲେଭ୍‌ରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ଏହି ଷ୍ଟାର୍ଟଅପ୍‌ଗୁଡ଼ିକ ମଧ୍ୟରେ ଆଇ-ହବ୍ ଗୁଜୁରାଟ, ଇର୍ମା-ଆଇସିଡ୍ ଫାଉଣ୍ଡେସନ୍ସ, କିଟ୍‌-ଟିବିଆଇ, ସୋସିଆଲ୍ ଆଲ୍‌ଫା ଏବଂ ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍‌ସେସ୍ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଏହି ଅବସରରେ ଏକ ହାକାଥନ୍‌ର ଆୟୋଜନ କରାଯିବ ଯେଉଁଥିରେ କି ବିଭିନ୍ନ ଷ୍ଟାର୍ଟଅପ୍‌ଗୁଡ଼ିକ ବିଭିନ୍ନ ମଡେଲକୁ ନେଇ ନିଜ ଭିତରେ ପ୍ରତିଯୋଗିତା କରିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ସୋଆର ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଓ ଆଇସିଡ୍‌ର ଚେୟାର ଡକ୍ଟର ରାକେଶ ଆରାୱାଟିଆ ଉପସ୍ଥିତ ଥିଲେ।