Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟପାଳ ରଘୁବର ଦାସଙ୍କ ଦ୍ବାରା ଉଦଜାପିତ ହେଲା ‘କୃଷି ଓଡ଼ିଶା-୨୦୨୪’

ଭୁବନେଶ୍ବର: ମହିଳାଙ୍କ ବିନା କୌଣସି ରାଷ୍ଟ୍ରର ପ୍ରଗତିର କଳ୍ପନା କରିହେବ ନାହିଁ । ଭାରତର ତଥା ରାଜ୍ୟର ବିକାଶରେ ମାତୃଶକ୍ତିର ଯେଉଁ ଯୋଗଦାନ ରହିଛି, ଦୁନିଆରେ ତା’ର ତୁଳନା ନାହିଁ । କୃଷି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଦୁଇପାଦ ଆଗକୁ ଯାଇ କାମ କରୁଛନ୍ତି । କୃଷି, ପ୍ରାଣୀପାଳନ, ମତ୍ସ୍ୟଚାଷ ଆଦି ସବୁଥିରେ ମହିଳାମାନେ ଅଗ୍ରଣୀ ଭୂମିକା ନିର୍ବାହ କରି ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ପ୍ରତିପାଦନ କରିଛନ୍ତି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି ।

ଗତକାଲି କୃଷି ଓଡ଼ିଶା-୨୦୨୪ର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କୃଷି ଉତ୍ପାଦକ ଓ ଉତ୍ପାଦିକତାର ଅଧିକ ବୃଦ୍ଧି କରି ରାଜ୍ୟର ଶସ୍ୟ ଭଣ୍ଡାରକୁ ସମୃଦ୍ଧ କରିବା ପାଇଁ କୃଷକମାନଙ୍କୁ ଅଧିକ ପରିମାଣର ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ଓ ଆଧୁନିକ ସୁବିଧାସୁଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା କୃଷିକୁ ଏକ ନୂତନ ଶିଖରରେ ପହଞ୍ଚାଇବା ପାଇଁ କୃଷକମାନଙ୍କ ନିକଟରେ ସାମର୍ଥ୍ୟ ରହିଛି ବୋଲି ସେ କହିଥିଲେ।

ମହିଳା ଚାଷୀମାନଙ୍କୁ ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନକୌଶଳ ବ୍ୟବହାର କରିବା ଲାଗି ଆହ୍ୱାନ ଦେବା ସହ ନିଜ ଉପିାଦର ଭଲ ପ୍ୟାକେଜିଂ ଓ ମାର୍କେଟିଂ କରିବା ଉପରେ ଧ୍ୟାନ ଦେବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ କହିଛନ୍ତି। ଜନଜାତି ଅଂଚଳରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ଯୋଗଦାନ ଢ଼େର ଅଧିକ। ସେମାନଙ୍କ ପାଇଁ ପରିବାର ପ୍ରତିପୋଷଣ ସମ୍ଭବ ହେଉଛି। ଗ୍ରାମୀଣ କ୍ଷେତ୍ରର ବିକାଶ ହେଲେ ଦେଶର ବିକାଶ ତ୍ୱରାନ୍ୱିତ ହୋଇପାରିବ ଏବଂ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ ବୋଲି ସେ କହିଛନ୍ତି।

ରାଜ୍ୟର ମିଶନ ଶକ୍ତି ଦ୍ୱାରା ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରି ମହିଳାମାନେ ଜୀବିକାର୍ଜନ ସହ ଆୟବୃଦ୍ଧି କରିପାରୁଛନ୍ତି। କୃଷିକ୍ଷେତ୍ର ସହିତ କୃଷି ଶିକ୍ଷା କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ସେ କହିଥିଲେ। ‘କୃଷି ଓଡ଼ିଶା’ ମହିଳା କୃଷକଙ୍କ ସମୃଦ୍ଧି ଓ ସଶକ୍ତିକରଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ।

‘କୃଷି ଓଡ଼ିଶା’ ରାଜ୍ୟରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ଥିବା ଅପାର ସମ୍ଭାବନା ଓ ନିବେଶ ସୁଯୋଗକୁ ପ୍ରଦର୍ଶିତ କରିଛି। ଓଡ଼ିଶା ଫସଲ ଉତ୍ପାଦନ ଏବଂ ଉତ୍ପାଦିକତାରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ କୃଷିକର୍ମଣ ପୁରସ୍କାର ପ୍ରାପ୍ତ ହେବା ରାଜ୍ୟ ପାଇଁ ତଥା କୃଷକଙ୍କ ପାଇଁ ଗୌରବର ବିଷୟ ବୋଲି ମାନ୍ୟବର ରାଜ୍ୟପାଳ କହିଥିଲେ।
ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିି ଯେ, ସବଡିଭିଜନ ସ୍ତରରେ ଆୟୋଜନ କରାଯାଇଥିବା ମେଳା ବେଶ ସଫଳ ହୋଇଛି।

ପ୍ରାୟ ୧୪୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି କାରବାର ସହ ୫୦୦ କୋଟି ଟଙ୍କାର ସବ୍‌ସିଡି ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଚାଷୀଙ୍କ ହାତକୁ ଟଙ୍କା ଦେବା, ରୋଜଗାର ସୃଷ୍ଟି କରିବା ଓ ଉପିାଦନ ବଢ଼ାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଚଳିତ ସବ୍‌ଡିଭିଜନ୍‌ସ୍ତରୀୟ କୃଷି ମେଳାର ସଫଳତା ଦୃଷ୍ଟିରୁ ଆଗାମୀ ଦିନରେ କୃଷି ଯନ୍ତ୍ରପାତି ମେଳାକୁ ବ୍ଲକ୍‌ ସ୍ତରରେ ଆୟୋଜନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।

ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଛନ୍ତିି ଯେ, ଜଳ ବିନା ଚାଷ କାମ ହୋଇପାରିବନି। ତେଣୁ ଜଳ ସମ୍ପଦ ବିଭାଗ ଓ କୃଷି ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ସରକାର ମହିଳାମାନଙ୍କ ଉନ୍ନତିକୁ ପ୍ରାଥମିକତା ଦେଉଥିବାବେଳେ ସେମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥନୀତିର ପ୍ରତିଟି କ୍ଷେତ୍ରରେ ସେମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି।

କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇ କହିଛନ୍ତି ଯେ, କୃଷି କ୍ଷେତ୍ରର ନିରନ୍ତର ରୂପାନ୍ତରଣ ପାଇଁ ମହିଳାମାନଙ୍କ ଯୋଗଦାନ ନିତାନ୍ତ ଆବଶ୍ୟକ। ସେମାନଙ୍କ ଯୋଗଦାନ ବିନା ଏହି କ୍ଷେତ୍ରର ପ୍ରଗତି ଅସମ୍ଭବ। ସରକାର ମହିଳା ଚାଷୀମାନଙ୍କୁ ନଜରରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି। ସେମାନଙ୍କ ସମୃଦ୍ଧି ଓ ସମ୍ମାନରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ଡ. ପାଢ଼ୀ ପ୍ରକାଶ କରିଛନ୍ତି ।

ଏହି ଅବସରରେ ମାନ୍ୟବର ରାଜ୍ୟପାଳ ବିଭିନ୍ନ ଜିଲ୍ଲାର ସଫଳ ଚାଷୀ, ଶ୍ରେଷ୍ଠ ପ୍ରଦର୍ଶନକାରୀ ଷ୍ଟଲ ଏବଂ କୁଇଜ୍‌ ଓ ବକ୍ତୃତା ପ୍ରତିଯୋଗତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।
କୃଷି ଓଡ଼ିଶା ୨୦୨୪କୁ ଆହୁରି ଆକର୍ଷଣୀୟ କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍‌ ଓ ବକ୍ତୃତା ପ୍ରତିଯୋଗିତା, ପରୀକ୍ଷାମୂଳକ ଜଳକ୍ରୀଡ଼ା, ସ୍ଥାନୀୟ କୃଷକ ଗୀତ, କାହାଣୀ, ପୋଷ୍ଟକାର୍ଡ ବିନିମୟ ସହ କୃଷକ ସୁବିଧା କେନ୍ଦ୍ର ଓ ଏକ ପରୀକ୍ଷାମୂଳକ ଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। କୃଷି ଓ ଖାଦ୍ୟ ଉପିାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କ ଦ୍ବାରା କୃଷି ଓଡ଼ିଶା ୨୦୨୩ ଉଦ୍‌ଯାପିତ

ଭୁବନେଶ୍ୱର: ସଭ୍ୟତାର ଉନ୍ମେଷ, ବିକାଶ ଓ ଉତ୍ତରଣରେ କୃଷିର ସର୍ବଗରିଷ୍ଠ ଭୂମିକା ରହିଛି । କୃଷି ହିଁ ଭିତ୍ତି। ଆମ ଧର୍ମ, ସଂସ୍କୃତି, ଐତିହ୍ୟ, ଇତିହାସ, ପରମ୍ପରା, ଜୀବନଶୈଳୀ, ଜୀବନବୋଧ, ଦୃଷି ଓ ଦର୍ଶନର ଆଦି ବିନ୍ଦୁ ହେଉଛି କୃଷି। ସଭ୍ୟତାର ଉତ୍ତମ ସଂରଚନା ଉପରେ ଏହା ପ୍ରତିଷ୍ଠିତ। ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରି ତିନୋଟି ମୌଳିକ ଉପାଦାନ ଆମକୁ ସଭ୍ୟ, ମାର୍ଜିତ ଓ ଉତ୍ତରିତ କରିଛି। ଏସବୁର ଉତ୍ସ ଓ ଆଧାର ହେଉଛି କୃଷି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।

ଆଜି ‘କୃଷି ଓଡ଼ିଶା ୨୦୨୩’ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ କହିଛନ୍ତି ଯେ କୃଷି କର୍ମ ହେଉଛି ଏକ ଆଧ୍ୟାତ୍ମିକ କ୍ରିୟା। ଶସ୍ୟ କେତେ ଜୀବନଧାରଣର କାରଣ ହୋଇଥିବାରୁ କୃଷି କର୍ମ ଏକ ମହତ୍ତ୍ୱପୂର୍ଣ୍ଣ ସାଧନା। ଏଥିରେ ଯେଉଁ ରହସ୍ୟମୟ ରସ ଅଛି ତାହାକୁ ଆସ୍ୱାଦନ କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି।

ରାଜ୍ୟପାଳ ପ୍ରଫେସର ଲାଲ ପୁଣି କହିଛନ୍ତି ଯେ ଜଳ, ଅଗ୍ନି, ବାୟୁ, ପୃଥିବୀ ଓ ଆକାଶ ପରି ପଞ୍ଚ ମହାଭୂତରୁ ସବୁକିଛି ସୃଷ୍ଟି ହୋଇଛି । ଏହି ତତ୍ତ୍ୱକୁ କେବଳ କୃଷକ ବୁଝିପାରେ ଏବଂ ଏହାକୁ କାର୍ଯ୍ୟରେ ଲଗାଏ। ତା’ ହାତ ତିଆରି ଖାଦ୍ୟ କାହା ପେଟକୁ ଯିବ ସେ ବିଚାର କରେନି। ଏପରି ସାର୍ବଜନୀନତା ଓ ଲୋକକଲ୍ୟାଣର ମହାଭାବ ନେଇ କୃଷକ ତା’ର କାର୍ଯ୍ୟ କରେ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ଆହ୍ୱାନ ରୁପେ ଉଭା ହୋଇଛି ଏବଂ ଏହା ଦ୍ୱାରା କୃଷି ଓ କୃଷକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି ବୋଲି ଉଲ୍ଲେଖ କରି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ଯେ ଏହାର ମୁକାବିଲା ପାଇଁ ସାରା ମାନବସମାଜ ସଂଗଠିତ ହେବା ଆବଶ୍ୟକ। ନୂତନ ଜ୍ଞାନକୌଶଳ, ଚିନ୍ତା, ଚେତନାର ପ୍ରୟୋଗରେ ଏହାକୁ ରୋକାଯାଇପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ କହିଛନ୍ତି ଯେ କୃଷି କ୍ଷେତ୍ରରେ ରାଜ୍ୟ ଆଜି ଏକ ନୂତନ ସୋପାନରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ବିଭିନ୍ନ କୃଷି କାର୍ଯ୍ୟରେ ନିୟୋଜିତ କରାଯାଇ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି। କୃଷି ଗବେଷଣାଲବ୍ଧ ଜ୍ଞାନକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ କୃଷି ଓଡ଼ିଶା ଏକ ସଫଳ ପ୍ରୟାସ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି।

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ସବରେ ପୌରୋହିତ୍ୟ କରି କହିଛନ୍ତି ଯେ କୋଭିଡ୍‌-୧୯ ସମୟରେ କୃଷକମାନେ ଯେପରି ନିଜ ସୁରକ୍ଷାକୁ ବାଜି ଲଗାଇ କୃଷିକାର୍ଯ୍ୟ କରି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଥିଲେ ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ। ରାଜ୍ୟ ସରକାରଙ୍କ ପକ୍ଷରୁ ସମୟୋଚିତ ପଦକ୍ଷେପ ଯୋଗୁ ବିଗତ ୨୦ ବର୍ଷରେ ରାଜ୍ୟ ଚାଉଳ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇପାରିଛି ଏବଂ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିଛି ବୋଲି ସେ ପ୍ରକାଶ କରିଛନ୍ତି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ ରାମଚନ୍ଦ୍ର ପଣ୍ଡା କୃଷିଜାତ ଦ୍ରବ୍ୟର ରପ୍ତାନୀ, ବିକି୍ରବଟାର ବଜାର ସୁବିଧା ଓ କୃଷି କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭାଗୀଦାରିତା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ ଫସଲର ବିବିଧିକରଣ, କୃଷି ଯାନ୍ତ୍ରିକୀକରଣ ଏବଂ କୃଷି ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ପ୍ରାଥମିକତା ପ୍ରଦାନ କରାଯାଉଛି ।

ମତ୍ସ୍ୟ ଓ ପ୍ରାଣୀସଂପଦର ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦର ଦ୍ରୁତ ବିକାଶ ଦିଗରେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଫିକିର ଜାତୀୟ କୃଷି କମିଟିର ଅଧ୍ୟକ୍ଷ ଟି.ଆର୍‌, କେଶବନ୍‌ କହିଛନ୍ତି ଯେ ସଂପ୍ରତି ଓଡ଼ିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଛି। ଓଡ଼ିଶା ମିଲେଟ୍‌ ମିଶନର ସଫଳତା ସେଥି ମଧ୍ୟରେ ଅନ୍ୟତମ ବୋଲି ସେ ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ କୃଷକମାନଙ୍କ ପାଇଁ ଭାରତର ପ୍ରଥମ କୃତି୍ରମ ବୁଦ୍ଧିମତା ଚାଳିତ କୃଷିଭିତ୍ତିକ ସ୍ମାର୍ଟ ଚାଟବଟ୍‌ “ଆମ କୃଷ୍‌ଏଆଇ’’କୁ ଲୋକାର୍ପିତ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଗ୍ରଣୀ ଓ ସଫଳ ଚାଷୀଙ୍କୁ ରାଜ୍ୟପାଳ ପ୍ରଫେସର ଲାଲ ସମ୍ବର୍ଦ୍ଧିତ କରିଥିଲେ।

ଉତ୍ସବ ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ପ୍ରାଣୀପାଳନର ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ।