Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓୟୁଏଟି ପକ୍ଷରୁ ଆରମ୍ଭ ହେଲା ତିନିଦିନିଆ କୃଷି-ଶିକ୍ଷା ମେଳା

ଭୁବନେଶ୍ବର: ଚାଷୀର ଭାବାବେଗ ସହିତ ନିଜକୁ ସଂଶ୍ଳିଷ୍ଟ କରି ଚାଷୀ ଓ ଚାଷର ଉନ୍ନତି ନିମନ୍ତେ ଆମକୁ କାମ କରିବାକୁ ପଡ଼ିବ। ପ୍ରତିଦିନ ନୂତନ ଜ୍ଞାନର ବିସ୍ପୋରଣ ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ସମୟୋପଯୋଗୀ ତଥା କୃଷି-ଉପଯୋଗୀ ଜ୍ଞାନକୌଶଳର ବିକାଶ ଆବଶ୍ୟକ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ତିନିଦିନିଆ କୃଷି-ଶିକ୍ଷା ମେଳାର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଗୋଟିଏ ଛାତତଳେ କୃଷି ଓ କୃଷକ ଏବଂ କୃଷି-ଗବେଷକଙ୍କ ସହିତ ଆଲୋଚନାର ଆୟୋଜନ ଏକ ଅଭିନବ ପ୍ରୟାସ। ଏହା ଦ୍ୱାରା ରାଜ୍ୟର କୃଷକ ତଥା କୃଷି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବେ ଉପକୃତ ହୋଇପାରିବେ।

ଉନ୍ନତ ମାନର ବିହନ ଓ ଚାଷ ପଦ୍ଧତିରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ଏବଂ ରାଜ୍ୟ ସରକାରଙ୍କ ଦୂରଦର୍ଶୀ କୃଷି ନୀତି ଓ ଅଧିକ ପୁଂଜି ବିନିଯୋଗ ଯୋଗୁ ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ରାଜ୍ୟ ସରକାର କୃଷକମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ସର୍ବାଧିକ ଗୁରୁତ୍ୱାରୋପ କରୁଥିବାବେଳେ କୃଷି ସହିତ ଆନୁଷଙ୍ଗିକ କୃଷି, ମତ୍ସ୍ୟ ଓ ପ୍ରାଣୀପାଳନ ଆଦି କ୍ଷେତ୍ରକୁ ଚାଷୀଭାଇମାନେ ଆପଣାଇବା ପାଇଁ ପରାମର୍ଶ ଦେଇଛନ୍ତି।

ରାଜ୍ୟ ସରକାର କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର, ଅର୍ଥକରୀ ଫସଲ ଚାଷ, କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଆଦିକୁ ଗୁରୁତ୍ୱ ଦେଇ କୃଷି କ୍ଷେତ୍ର ପ୍ରତି ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଉତ୍ସବରେ ପୌରୋହିତ୍ୟ କରି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ଯେ କୃଷି ଗ୍ରାମୀଣ ଅର୍ଥନୀତି ଓ ସଂସ୍କୃତିକୁ ପରିପୁଷ୍ଟ କରିଥାଏ। କୃଷି ପ୍ରକୃତି ଓ ପରିବେଶ ସହିତ ଜଡ଼ିତ। ଏହି ପରିପ୍ରେକ୍ଷୀରେ ପରିବେଶ ଅନୁକୂଳ କୃଷି କାର୍ଯ୍ୟ କରିବା ଦିଗରେ ବିଶେଷ ଧ୍ୟାନ ଦିଆଯାଉଛି।

ଉତ୍ସବରେ ଜଙ୍ଗଲ ବିଭାଗର ପିସିସିଏଫ୍‌, ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ବିଶିଷ୍ଟ ଅତିଥି ଓ ନନ୍ଦନକାନନ ବାୟୋଲୋଜିକାଲ ପାର୍କର ନିର୍ଦ୍ଦେଶକ ଶ୍ରୀ ମନୋଜ ଭି. ନାୟାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ଅର୍ଥନୀତିରେ କୃଷିର ଗୁରୁତ୍ୱ ଏବଂ କୃଷକମାନଙ୍କ ବିକାଶ ଦିଗରେ ଯୁଗୋପଯୋଗୀ ପଦକ୍ଷେପ ନିଆଯିବା ଉପରେ ଆଲୋଚନା କରିଥିଲେ।

କୃଷିଶିକ୍ଷା ମେଳା ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହିତ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ରାଜ୍ୟର କୃଷକ ଉତ୍ପାଦକ ଗୋଷ୍ଠୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଗବେଷଣା ବିଭାଗର ଡିନ୍‌ ଡ. ଏସ୍‌.କେ. ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍‌ ଡ. ପ୍ରସନ୍ନଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ଅବସରରେ ବିଶ୍ୱବିଦ୍ୟାଳୟର ପରିସରରେ ଆୟୋଜିତ ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୁଲି ଦେଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏଥର ସମ୍ବଲପୁର, ଜୟପୁର, ବ୍ରହ୍ମପୁର ଓ ବାରିପଦାରେ ହେବ ଆଞ୍ଚଳିକ କୃଷି ମେଳା

ଭୁବନେଶ୍ୱର: ପ୍ରତିବର୍ଷ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା’ ଭୁବନେଶ୍ୱରଠାରେ ଆୟୋଜିତ ହେଉଥିବାବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଚାଷୀମାନେ ସହଜରେ ଯେପରି କୃଷି ମେଳାରେ ଭାଗନେଇ ଉପକୃତ ହୋଇପାରିବେ, ସେଥି ନିମନ୍ତେ ଚଳିତ ବର୍ଷ ଆଞ୍ଚଳିକ ସ୍ତରରେ ଆଉ ଚାରିଟି କୃଷି ମେଳାର ଆୟୋଜନ କରାଯିବ।

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶ କ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ବଲପୁର, କୋରାପୁଟ, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ଆଞ୍ଚଳିକ କୃଷି ମେଳାର ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି।

ସମ୍ବଲପୁରଠାରେ ଚଳିତ ଜାନୁଆରୀୁ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ କୃଷି ମେଳା ଆୟୋଜନ କରାଯିବ। ସେହିପରି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ କୃଷି ମେଳା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜାନୁଆରୀ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଏବଂ କୋରାପୁଟ ଜିଲ୍ଲା ଜୟପୁରଠାରେ କୃଷି ମେଳା ଫେବୃଆରୀ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଆଞ୍ଚଳିକ କୃଷି ମେଳା ଫେବୃଆରୀ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି।

ଆଞ୍ଚଳିକ କୃଷି ମେଳାର ଆୟୋଜନ ଦ୍ୱାରା ରାଜ୍ୟର କୋଣ-ଅନୁକୋଣର ଲକ୍ଷ ଲକ୍ଷ ଚାଷୀ ସହଜରେ ଓ ସୁବିଧାରେ କୃଷି ମେଳାରେ ଯୋଗଦେଇ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହୋଇଥିବା ବିକାଶ ଏବଂ ଉପଯୋଗ ହେଉଥିବା ଆଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ସହ କୃଷି ଯନ୍ତ୍ରପାତିଗୁଡ଼ିକର ବ୍ୟବହାର ସଂପର୍କରେ ଜାଣିବାର ସୁବିଧା ପାଇବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

କୃଷି ମେଳାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ସମେତ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲାଯିବ। ଏଥି ସହିତ ବିଭିନ୍ନ ଦିବସରେ ଆଲୋଚନା ଚକ୍ର ସମେତ କୃଷି ବିଶେଷଜ୍ଞ ଓ ଚାଷୀମାନଙ୍କ ସହିତ ଭାବବିନିମୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ମେଳା ଅବସରରେ ଅଗ୍ରଣୀ ଚାଷୀ ଭାଇ ଭଉଣୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତ୍ୟେକ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକରେ କୃଷି ମେଳା ଏବଂ ପ୍ରାକୃତିକ କୃଷି ଉପରେ ପ୍ରଦର୍ଶନୀର ଆୟୋଜନ

ଦିଲ୍ଲୀ: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାରଙ୍କର ବିଭିନ୍ନ ଅନ୍ୟ ମନ୍ତ୍ରଣାଳୟ/ବିଭାଗ ଗୁଡିକର ସହଯୋଗରେ ‘ଆଜାଦୀର ଅମୃତ ମହୋତ୍ସବର ଅଂଶ ବିଶେଷ ଭାବରେ ୨୫ ଏପ୍ରିଲ୍ରୁ ୩୦ ଏପ୍ରିଲ୍, ୨୦୨୨ ପର୍ଯନ୍ତ ‘କିଷାନ ଭାଗୀଦାରୀ, ପ୍ରାଥମିକତା ହମାରି’ ଅଭିଯାନର ଆୟୋଜନ କରୁଛି। ଏହି ଅଭିଯାନ ସମୟରେ, କୃଷି ଏବଂ କୃଷକ କଲ୍ୟାଣ ବିଭାଗ କୃଷକ ମାନଙ୍କ ନିମନ୍ତେ ଆଂଚଳିକ ସ୍ତରରେ ସାରା ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରିବ।

କୃଷି ଅନୁସନ୍ଧାନ ଏବଂ ଶିକ୍ଷା ବିଭାଗ ପ୍ରତ୍ୟେକ କୃଷି ବିଜ୍ଞାନ କେନ୍ଦ୍ରରେ କୃଷି ମେଳା ଏବଂ ପ୍ରାକୃତିକ କୃଷି ଉପରେ ପ୍ରତ୍ୟକ୍ଷ ପ୍ରଦର୍ଶନୀର ଆୟୋଜନ କରିବ। କେନ୍ଦ୍ର କୃଷି ମନ୍ତ୍ରୀ ସାଧାରଣ ସେବା କେନ୍ଦ୍ର (ସିଏସ୍ସି) ଦ୍ୱାରା ଆୟୋଜିତ ଫସଲ ବୀମା ଉପରେ ସାରା ଦେଶରେ କର୍ମଶାଳା ଗୁଡିକର ଶୁଭାରମ୍ଭ କରିବେ।

ଗ୍ରାମ ବିକାଶ ମନ୍ତ୍ରଣାଳୟ ସହିତ ଡିଏୱାଇ – ଏନ୍ଆର୍ଏଲ୍ଏମ୍ ଅଧୀନରେ କୃଷି ପରିବେଶ ଏବଂ ପଶୁଧନ ଅଭ୍ୟାସ ଗୁଡିକ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ କରାଯିବ। ଏହି ସପ୍ତାହରେ ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ (ଓଡିଓପି) ଉପରେ ଏକ ୱେବିନାର ଆୟୋଜିତ ଅନୁଷ୍ଠିତ ହେବ। ୭୫ ଜଣ ମନୋନୀତ କୃଷକ ଏବଂ ଉଦ୍ୟୋଗୀ ମାନଙ୍କୁ ନେଇ ଏକ ରାଷ୍ଟ୍ରୀୟ ଆତ୍ମନିର୍ଭର ଭାରତ ସମ୍ମିଳନୀ ଆୟୋଜନ କରାଯିବ।

ଏହି ସପ୍ତାହରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ, ମତ୍ସ୍ୟ ପାଳନ, ପଶୁପାଳନ ଏବଂ ଡେରୀ ମନ୍ତ୍ରଣାଳୟ ବିଭାଗ ଗୁଡିକର ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ (ଓଡିଓପି) ଆଧାରିତ କର୍ମଶାଳା, ୱେବିନାର ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବ।

ଏହି ଅଭିଯାନରେ ସାରା ଦେଶରେ ଉଭୟ ପ୍ରତ୍ୟେକ୍ଷ (ଅଫ୍ଲାଇନ୍) ଏବଂ ଆଭାସୀ (ଅନ୍ଲାଇନ୍) ମାଧ୍ୟମରେ ୧ କୋଟିରୁ ଅଧିକ କୃଷକ ଏବଂ ହିତାଧିକାରୀ ମାନେ ଅଂଶଗ୍ରହଣ କରିବାର ଆଶା ରହିଛି।

ଏହି ଅଭିଯାନ ସମୟରେ ଭାରତୀୟ ସ୍ୱାଧୀନତାର ୭୫ତମ ବର୍ଷରେ କୃଷି ବିକାଶର ନିମ୍ନଲିଖିତ ମାଇଲ୍ଖୁଂଟ ଉପରେ ଆଲୋକପାତ କରାଯିବ:

– ସବୁଜ ବିପ୍ଲବ : ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା;

– ଉଦ୍ୟାନ କୃଷି ଫସଲର ବୃହତ୍ ଉତ୍ପାଦକ – ଅଦା, ବନ୍ଧାକୋବି, ଆମ୍ବ ଏବଂ ଅମୃତଭଣ୍ଡା

– ହଳଦିଆ ବିପ୍ଲବ (ଅପରେସନ୍ ଗୋଲ୍ଡେନ୍ ଫ୍ଲୋ);

– ମିଠା ବିପ୍ଳବ : ମହୁ ଉତ୍ପାଦନ;

– ଫସଲ ଜଳସେଚନରେ ଉନ୍ନତି;

– କୃଷି କ୍ଷେତ୍ରରେ ଆଇସିଟିର ବ୍ୟବହାର;

– କୃଷିରେ ରିମୋଟ ସେନ୍ସିଂ/ ଜିଆଇଏସ୍/ ଡ୍ରୋନ୍ର ପ୍ରୟୋଗ;

– କୃଷିରେ ବାୟୋଟେକ୍ନୋଲୋଜିର ପ୍ରଭାବ;

– ୱାଟରସେଡ୍ ବିକାଶ କାର୍ଯ୍ୟକ୍ରମର ସଫଳତା;

– ମଞ୍ଜି ଏବଂ ସାରରେ ଆତ୍ମନିର୍ଭରଶୀଳତା;

– ଚାଷ ଯାନ୍ତ୍ରିକୀକରଣରେ ବିକାଶ;

– ମୃତିକା ସ୍ୱାସ୍ଥ୍ୟ ପରିଚାଳନା (ଆଇଏନ୍ଏମ୍)

– କୀଟନାଶକର ପ୍ରଭାବଶାଳୀ ପରିଚାଳନା (ଆଇପିଏମ୍);

‘କିଷାନ ଭାଗିଦାରୀ, ପ୍ରାଥମିକତା ହମାରି’ ଅଭିଯାନ ଭାରତ ସରକାରଙ୍କ ବିଭିନ୍ନ ଫ୍ଲାଗସ୍କିମ୍ ସ୍କିମ୍ ଅନ୍ତର୍ଗତ କାର୍ଯ୍ୟକଳାପ ଏବଂ ସଫଳତା ଉପରେ ଆଲୋକପାତ କରିବ, ଯଥା :

– ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ;

– ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ;

– ପ୍ରଧାନ ମନ୍ତ୍ରୀ କୃଷି ସିଂଚନ ଯୋଜନା – ପ୍ରତି ବୁନ୍ଦାରେ ଅଧିକ ଫସଲ ;

– ପ୍ରଧାନ ମନ୍ତ୍ରୀ କୃଷକ ମାନଧନ ଯୋଜନା ;

– କିଷାନ କ୍ରେଡିଟ୍ କାର୍ଡ;

– କୃଷି ଋଣ ;

– ଇ – ଜାତୀୟ କୃଷି ବଜାର (ଇ – ଏନ୍ଏଏମ୍) ;

– କୃଷକ ଉତ୍ପାଦକ ସଙ୍ଗଠନ ସମୂହ (ଏଫ୍ପିଓଜ୍);

– ମୃତିକା ସ୍ୱାସ୍ଥ୍ୟ କାର୍ଡ;

– ଜୈବିକ ଏବଂ ପ୍ରାକୃତିକ କୃଷି ;

– ଉଦ୍ଭିଦ ସୁରକ୍ଷା ଏବଂ ଉଦ୍ଭିଦ କ୍ୱାରେଂଟିନ୍ ;

– ମହୁମାଛି ପାଳନ ;

– ଫାର୍ମ ମେକାନାଇଜେସନ୍/ ଯାନ୍ତ୍ରିକୀକରଣ ;

– ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ;

– ବିହନ ଏବଂ ରୋପଣ ସାମଗ୍ରୀ ;

– ଉଦ୍ୟାନ କୃଷିର ସମନ୍ୱିତ ବିକାଶ ଉପରେ ମିଶନ ;

– ବ୍ୟାପକ ସଂସ୍କାର (ଏଟିଏମ୍ଏ) ;

– ଆର୍କେଭିୱାଇ – ରଫ୍ତାର – ଏଗ୍ରି ଷ୍ଟାର୍ଟ ଅପ୍ ;