Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନିଜ ଗାଁରେ ଦୀପାବଳୀ ପାଳିଲେ ମୁଖ୍ୟମନ୍ତ୍ରୀ: ସୋହରାଇ ପୂଜାରେ ବଜାଇଲେ ପାରମ୍ପରିକ ବାଦ୍ୟ ମାଦଳ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି। ଆଜି ଗାଁରେ ପରିବାର ସହ ଏବଂ ଗାଁ ଲୋକଙ୍କ ଗହଣରେ ଦିପାବଳି ପାଳନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଜନ୍ମମାଟିରେ ଦୀପାବଳୀ ପାଳନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ମା’ କାଳୀଙ୍କ ଆରାଧନା ନିମନ୍ତେ ନିଜ ଜନ୍ମମାଟି ରାଇକଳାଠାରେ ସୋହରାଇ ପୂଜାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କ ସହ ମିଶି ପାରମ୍ପରିକ ବାଦ୍ୟ ମାଦଳ ବଜାଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ, ସୋହରାଇ ପୂଜାରେ ହେବେ ସାମିଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି। ଗାଁରେ ପରିବାର ସହ ଏବଂ ଗାଁ ଲୋକଙ୍କ ଗହଣରେ ଦିପାବଳି ପାଳନ କରିବେ।

ଆଦିବାସୀ ମନଙ୍କ ସ୍ଵତନ୍ତ୍ର ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଦୀପାବଳି ପାଳନ କରିବେ। ଦୀପାବଳିରେ ସୋହରାଇ ପୂଜା କରିଥାନ୍ତି ଆଦିବାସୀ ମାନେ । ମୁଖ୍ୟମନ୍ତ୍ରୀ ନିଜେ ଗାଁରେ ଏହି ପୂଜାରେ ସାମିଲ ହେବେ।

Categories
ବିଶେଷ ଖବର ରାଜ୍ୟ ଖବର

ଜନ୍ମ ମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ: ପିଲାଦିନର ସ୍ମୃତି ମନେପକାଇଲେ ହେଲେ ଭାବବିହ୍ୱଳ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ନିଜ ଜନ୍ମ ମାଟି ରାଇକଳା ଓ ଝୁମ୍ପୁରାକୁ ଯାଇ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପିଲାଦିନର ସ୍ମୃତିକୁ ମନେ ପକାଇଥିଲେ। ଭାବବିହ୍ୱଳ ମଧ୍ୟ ହୋଇଥିଲେ।

ରାଇକଳାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଏଇ ଗାଁ ମାଟିର ପୁଅ। ଏଇ ଗାଁର ପିଲାମାନଙ୍କ ସହିତ ସେ ଖେଳିଛନ୍ତି, ବୁଲିଛନ୍ତି, ପର୍ବପର୍ବାଣୀ ପାଳନ କରିଛନ୍ତି। ଏଇ ଗାଁ ମାଟିର ପିଲାମାନଙ୍କ ସହଯୋଗରେ ସେ ଆଜି ସାରା ଓଡିଶାର ନେତୃତ୍ୱ ନେବାକୁ ସୁଯୋଗ ପାଇଛନ୍ତି। ତେଣୁ ଏବେ ସମୟ ଆସିଛି ସମସ୍ତେ ମିଶି ଗାଁର ବିକାଶ ପାଇଁ କାମ କରିବା। ଆପଣଙ୍କ ମୋହନ ଭାଇ ସବୁବେଳେ ଆପଣଙ୍କ ସାଥିରେ ଅଛି।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ରାଇକଳାରୁ ଏକ ରୋଡ୍ ସୋ ରେ ଯାଇ ଝୁମ୍ପୁରାଠାରେ ପହଞ୍ଚିଥିଲେ। ଝୁମ୍ପୁରା ଏବଂ ଆଖପାଖର ହଜାର ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ବିଶାଳ ରୋଡ୍‌ ସୋ ଓ ଫୁଲ ପକାଇ ଜନ୍ମ ମାଟିକୁ ସ୍ୱାଗତ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ପ୍ଲାକାର୍ଡ ଧରି ଠିଆ ହୋଇ ରହିଥିଲେ ହଜାର ହଜାର ଜନତା। ବୟସ୍କଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଆସିଥିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାପାଇଁ। ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇଁ ସମସ୍ତଙ୍କ ମୁହଁରେ ଖୁସି ଅନୁଭୁତ ହେଉଥିଲା।

ହେଲିପ୍ୟାଡଠାରେ ଏବଂ ରୋଡ୍‌ ସୋ ରେ ସମସ୍ତଙ୍କୁ ହାତ ହଲାଇ ନମସ୍କାର କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଉଥିଲେ। ସ୍ଥାନେ ସ୍ଥାନେ ଲୋକଙ୍କଠୁ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରୁଥିଲେ।

ହେଲିପ୍ୟାଡଠାରେ ଅପେକ୍ଷା କରିଥିବା ଜଣେ ଦିବ୍ୟାଙ୍ଗଙ୍କ ପାଖକୁ ଯାଇ ତାଙ୍କଠାରୁ ଫୁଲ ତୋଡା ଗ୍ରହଣ କରି ହାତ ମିଶାଇଥିଲେ। ତାଙ୍କ ସମସ୍ୟା ଶୁଣିଥିଲେ।

ନିଜେ ପଢୁଥିବା ବିଦ୍ୟାଳୟକୁ ଯାଇଥିଲେ। ସହପାଠୀମାନଙ୍କ ସହିତ ମିଶିଥିଲେ ଓ ଫଟୋ ଉଠାଇଥିଲେ। ସବୁ ଜାଗାରେ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହେବାକୁ ସୁଯୋଗ ପାଉଥିଲେ। ବାସ୍ତବିକ୍ ଏଇଟା ତ ହେଉଛି ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ପରିଚୟ। ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର।

ଝୁମ୍ପୁରାଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଜର ଅଭିଭାଷଣ ରଖି ସେ କହିଲେ ଯେ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ଶତବାର୍ଷିକୀ ପାଳନ ବେଳକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ବିକଶିତ ରାଷ୍ଟ୍ର ହୋଇସାରିଥିବ, ଭାରତ ସହିତ ତାଳ ଦେଇ ଓଡିଶା ମଧ୍ୟ ବିକଶିତ ରାଜ୍ୟରେ ପରିଣତ ହେବ । ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଯେଉଁ ପରିବର୍ତ୍ତନ ଆଣିଛନ୍ତି ତା’ର ସୁଫଳ ଆପଣମାନେ ନିଶ୍ଚିତ ପାଇବେ। ଆମେ ଯେଉଁ ପ୍ରତିଶୃତି ଦେଇଥିଲୁ ତାହା ନିଶ୍ଚୟ ପାଳନ କରିବୁ। ଶପଥ ନେବାର ଦୁଇ ଘଣ୍ଟା ମଧ୍ୟରେ କ୍ୟାବିନେଟ ଡାକି ନିଷ୍ପତ୍ତି କଲୁ। ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଗଲା। ମନ୍ଦିରର ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ କରାଗଲା। ମା’ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର, ଚାଷୀମାନଙ୍କୁ ଧାନ ପାଇଁ ୩୧୦୦ ଟଙ୍କାର ସହାୟକ ମୂଲ୍ୟ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ।

କେନ୍ଦୁଝର ମାଟିର ଗୁଣଗାନ କରି ସେ କହିଲେ ଯେ ଏହା ହେଉଛି ବିପ୍ଳବୀ ଧରଣୀଧରଙ୍କ ମାଟି। ଏ ମାଟିର ପିଲା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବା ଜାଣିଛି। ଲଢେଇ ନକଲେ ଆମେ ଜୀବନରେ ଆତ୍ମସମ୍ମାନର ସହ ଆଗକୁ ବଢି ପାରିବା ନାହିଁ ବୋଲି ସେ କହିଥିଲେ।

ସେ କହିଥିଲେ ଯେ କେନ୍ଦୁଝର ମାଟିରୁ ଖଣି ଲୁଟ୍ ଓ ଶୋଷଣ ବନ୍ଦ ହେବ। କେନ୍ଦୁଝରର ବିକାଶ ପାଇଁ ବହୁତ ଟଙ୍କା ଅଛି। ଇଚ୍ଛା ଶକ୍ତିର ଅଭାବ ଥିଲା। ତାହା ଆଜି ପୂରଣ ହୋଇଛି। ଖଣିଜ ସମ୍ପଦର ସୁବିନିଯୋଗ କରାଯାଇ ସୁନାର କେନ୍ଦୁଝର ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ।

ନିଜ ପିଲା ଦିନର ସ୍ମୃତିକୁ ଉଜ୍ଜୀବିତ କରି ସେ କହିଲେ ଯେ ଏହି ଝୁମ୍ପୁରା ହାଟକୁ ସେ ମା’ଙ୍କ ସହିତ ପ୍ରତି ହାଟ ପାଳିରେ ଆସୁଥିଲେ। ସେ ସ୍ମୃତି ଆଜି ତାଙ୍କର ପୁଣିଥରେ ତାଜା ହୋଇଥିଲା ଓ ତାଙ୍କୁ ଭାବପ୍ରବଣ କରିଥିଲା। ସେ କହିଥିଲେ ଯେ ଏ ମାଟିରେ ମୁଁ ପାଠ ପଢିଛି, ପାଠ ବି ପଢାଇଛି। ଏ ମାଟିର ସମସ୍ତଙ୍କ ସହିତ ମୋର ଭାବଗତ ସମ୍ପର୍କ ଅଛି। ଆପଣମାନେ ଯେତେବେଳେ ମୋତେ ଚାହିଁବେ, ମୋତେ ଭେଟି ପାରିବେ। କୌଣସି ଅସୁବିଧା ନାହିଁ। ଆପଣଙ୍କ ମୋହନ ଭାଇ ଆଜି ସାରା ଓଡିଶାର ନେତୃତ୍ୱ ନେଇଛି। ଗାଁର ହେଉ ବା ନିଜ ଜିଲ୍ଲାର ହେଉ ବା ସାରା ଓଡିଶାର- ଲୋକଙ୍କ ପାଇଁ ମୋ ପାଖରେ ସବୁବେଳେ ସମୟ ଅଛି। ମୋ ସରକାର ହେଉଛି ଲୋକଙ୍କ ସରକାର।

Categories
ବିଶେଷ ଖବର

5ଟି ସଚିବଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ: ନୂଆ ରୂପରେ ଝଲସିବ ଘଟଗାଁ ମା’ ତାରିଣୀ ପୀଠ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା 5ଟି ସଚିବ ଭି କେ ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ ଘଟଗାଁ, ହରିଚନ୍ଦନପୁର, ବାଂଶପାଳ, ହାଟଡିହି, କେନ୍ଦୁଝର ଓ ଆନନ୍ଦପୁର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର ସମୀକ୍ଷା କରିଛନ୍ତି।

ଏଥିସହ ବିଭିନ୍ନ ଆଧ୍ୟାତ୍ମିକସ୍ଥଳୀ ଗସ୍ତକରି ସେଠାକାର ଉନ୍ନତୀକରଣ ବାବଦରେ ଆଲୋଚନା କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି। ମିଶନ ଶକ୍ତି ଏସଏଚଜି ସଦସ୍ୟ, କୃଷକ, ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି 5ଟି ସଚିବ।

ଆଜି ପ୍ରଥମେ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ସିଦ୍ଧମଠ ପରିଦର୍ଶନରେ ଯାଇଥିଲେ 5ଟି ସଚିବ। ସେଠାରେ ବିଭିନ୍ନ ମନ୍ଦିରରେ ଦେବାଦେବୀଙ୍କ ଦର୍ଶନ କରିବା ସାଙ୍ଗକୁ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ ସିଦ୍ଧମଠର ପାରିପାର୍ଶ୍ୱିକ ବିକାଶ ସମ୍ପର୍କରେ ମନ୍ଦିର କମିଟି ସଦସ୍ୟ, ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ଏହି ପୀଠର ରୂପରେଖ ବଦଳିବ ବୋଲି 5ଟି ସଚିବ ସୁଚନା ଦେଇଥିଲେ।

ଏହାପରେ ଶଙ୍କରପୁର ସ୍ଥିତ ଧରଣୀଧର କ୍ରୀଡ଼ା କମ୍ପ୍ଲେକ୍ସ ଯାଇ ବିଭିନ୍ନ ନୂଆ ନିର୍ମାଣ ସବୁ ବୁଲି ଦେଖିଥିଲେ 5ଟି ସଚିବ। ଫୁଟବଲ ଗ୍ରାଉଣ୍ଡ, ଆଥଲେଟିକ ଗ୍ରାଉଣ୍ଡ, ଇଣ୍ଡୋର ବ୍ୟାଡ଼ମିଣ୍ଟନ କୋର୍ଟ, ଆର୍ଚେରି ଗ୍ରାଉଣ୍ଡ ଏବଂ ଇଣ୍ଡୋର ଜିମ୍ ପରିଦର୍ଶନ କରିବା ସାଙ୍ଗକୁ ଉପସ୍ଥିତ ଖେଳାଳିମାନଙ୍କର ସହ ଆଲୋଚନା କରିଥିଲେ। ସମସ୍ତଙ୍କୁ ଉନ୍ନତମାନର ତାଲିମ୍, ଖାଦ୍ୟପେୟ ଓ ହଷ୍ଟେଲ ସୁବିଧା ମିଳୁଥିବା ଜାଣି 5ଟି ସଚିବ ସନ୍ତୋଷ ବ୍ୟକ୍ତ କରିଥିଲେ। କ୍ୟାମ୍ପସରେ ବୃକ୍ଷରୋପଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ସେଠାରୁ ସିଧା ଘଟଗାଁ ଗସ୍ତ କରିଥିଲେ 5ଟି ସଚିବ। ଘଟଗାଁରେ ପହଞ୍ଚିବା ପରେ ପ୍ରଥମେ ମା ତାରିଣୀଙ୍କ ପୀଠକୁ ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ମନ୍ଦିର ପରିଚାଳନା କମିଟି ଓ ଦେହୁରୀ ସେବାୟତଙ୍କ ସହ ଆଲୋଚନା କରି ଖୁବଶୀଘ୍ର ମା’ଙ୍କର ପୀଠର ବିକାଶ କାମ ହାତକୁ ନିଆଯାଇ ଏହାର ରୁପାନ୍ତର କରାଯିବ ବୋଲି କହିଥିଲେ।

ତା’ପରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ କୃଷକ, ମିଶନ ଶକ୍ତି ମହିଳା ଓ ସ୍ଥାନୀୟ ଜନସାଧାରଣଙ୍କ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ 5ଟି ସଚିବ। ଏହି ଅବସରରେ ସମସ୍ତଙ୍କ ଆଗରେ ସେ ନିଜ ଚାକିରି ଜୀବନର ପୁରୁଣା ସ୍ମୃତିକୁ ସାଉଣ୍ଟିଥିଲେ। ଓଡ଼ିଶା କ୍ୟାଡରରେ ଯୋଗଦେବାପରେ ସେ କିଭଳି କେନ୍ଦୁଝର ଜିଲ୍ଲାରେ ପ୍ରଥମ ପୋଷ୍ଟିଂ ପାଇଥିଲେ ଏବଂ ପ୍ରଥମ କରି କିଭଳି ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସିଥିଲେ, ସେ କଥା ବର୍ଣ୍ଣନା କରି ଥିଲେ। ଏଥିସହ ପୁରୀ ଶ୍ରୀମନ୍ଦିର, ତାରା ତାରିଣୀ ଓ ସମଲେଇ ପୀଠ ଭଳି ଘଟଗାଁରେ ମଧ୍ୟ ମା ତାରିଣୀଙ୍କ ପୀଠର ବିକାଶ କରାଯିବ।

ସେହିଭଳି ଗୁଣ୍ଡିଚାଘାଗି ଜଳପ୍ରପାତର ମଧ୍ୟ ଉନ୍ନତିକରଣ ହେବ। ଆଗାମୀ 500 ବର୍ଷକୁ ଆଖିରେ ରଖି ଭିତ୍ତିଭୂମି ନିର୍ମାଣ ହେବ ଏବଂ କାର୍ଯ୍ୟ ଆରମ୍ଭ ହେବାର 6 ମାସ ମଧ୍ୟରେ ଏହାକୁ ଶେଷ କରାଯିବ। ଏଥିପାଇଁ ସେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ।

ଏହାପରେ ଶ୍ରୀ ପାଣ୍ଡିଆନ ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ଅଭିମୂଖେ ବାହାରିଥିଲେ। ସେଠାରେ ଜୁଆଙ୍ଗ ପିଲାଙ୍କ ପାଇଁ ଏସସି, ଏସଟି ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଶିକ୍ଷାନିକେତନ ଓ ଏହା ଅନ୍ତର୍ଗତ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସ୍କୁଲରେ 5ଟି ରୁପାନ୍ତର ଦେଖି ଖୁସି ହେବାସହ ସେ ଏନେଇ ପିଲାମାନଙ୍କ ସହ ଅଧିକ ଆଲୋଚନା କରିଥିଲେ। ଖୁବଶୀଘ୍ର ଏହି ଶିକ୍ଷାନିକେତନରେ ଯୁକ୍ତଦୁଇ ପାଠ୍ୟକ୍ରମ ଆରମ୍ଭ ହେବବୋଲି 5ଟି ସଚିବ ପ୍ରକାଶ କରିଛନ୍ତି।

ପରେ, ବୈତରଣୀ ନଦୀର ଉତ୍ପତିସ୍ଥଳ ତଥା ଗୁପ୍ତଗଙ୍ଗା ସ୍ଥଳୀ ପରିଦର୍ଶନ କରି ଏହାର ବିକାଶ ଦିଗରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ 5ଟି ସଚିବ। ଏନେଇ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ସେଠାରୁ ପ୍ରସିଦ୍ଧ ଶୈବପୀଠ ବ୍ରହ୍ମେଶ୍ୱର ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଏବଂ ପାରିପାର୍ଶ୍ୱିକ ବିକାଶ କାମ ଖୁବଶୀଘ୍ର କରାଯିବ ବୋଲି କହିଥିଲେ 5ଟି ସଚିବ। ସେହିଠାରେ କୃଷକ, ମିଶନ ଶକ୍ତି ମହିଳା ଓ ସ୍ଥାନୀୟ ଲୋକଙ୍କ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିଥିଲେ। ଅଞ୍ଚଳବାସୀଙ୍କ ସମସ୍ତ ଦାବି ସେ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିବେ ଏବଂ ସରକାରୀ ବିଧି ବ୍ୟବସ୍ଥା ଆଧାରରେ ସେ ସବୁ ପୂରଣ ହେବ ବୋଲି ସଚିବ ଉପସ୍ଥିତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସେଠାରୁ ଶ୍ରୀ ପାଣ୍ଡିଆନ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ କୁସୁମଯୋଡ଼ି ଯାଇ ସ୍ଥାନୀୟ ମହିଳା କୃଷକ ବଜାର ପରିଦର୍ଶନ କରିଥିଲେ। କୃଷି ଉତ୍ପାଦନ କ୍ଲଷ୍ଟର(ଏପିସି) କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ମହିଳା ଚାଷୀମାନେ ଲାଭାନ୍ୱିତ ହୋଇପାରିଛନ୍ତି ସେସବୁ ଦେଖି ସେ ଖୁସିବ୍ୟକ୍ତ କରିଥିଲେ ଏବଂ ସବୁବେଳେ ସେମାନଙ୍କ ସହଯୋଗ ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି ଆଶ୍ଵାସନା ଦେଇ ଥିଲେ। ଏହାପରେ ସେ ବଘାମୁଣ୍ଡା ସ୍ଥିତ ଟସର ସିଲ୍କ ପାର୍କ ଅଭିମୂଖେ ବାହାରିଥିଲେ। ସେଠାରେ ସେ ମହିଳାମାନେ କିଭଳି ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରି ଟସର ସିଲ୍କରୁ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରୁଛନ୍ତି, ସେ ସବୁ ଦେଖିଥିଲେ। ସେଣ୍ଟରଟିର କାର୍ଯ୍ୟପ୍ରଣାଳୀ ଉପରେ ପଚାରି ବୁଝିବା ସହ ପ୍ରସ୍ତୁତ ଦେଉଥିବା ସମସ୍ତ ଦ୍ରବ୍ୟର ବ୍ରାଣ୍ଡିଂ ଓ ମାର୍କେଟିଂ ଲାଗି ରାଜ୍ୟ ସରକାର ସହାୟତା ଯୋଗାଇଦେବେ ବୋଲି 5ଟି ସଚିବ କହିଥିଲେ। ଏହି ଅବସରରେ ସେ ସ୍ଥାନୀୟ ଲୋକଙ୍କ ଦାବି ମୁତାବକ ସିତାବିଞ୍ଜି ମନ୍ଦିରର ବିକାଶ କାମ ମଧ୍ୟ ହାତକୁ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମ ଜାରିରଖି, 5ଟି ସଚିବ ପରେ ହାଟଡିହି ବ୍ଲକ ଅନ୍ତର୍ଗତ ସୁନ୍ଦରପାଳ ଠାରେ ପହଞ୍ଚିଥିଲେ। ସେଠାରେ ସେ ବହୁସଂଖ୍ୟାରେ ଏକତ୍ରିତ ହୋଇଥିବା ମହିଳା, ଚାଷୀ ଓ ବିଭିନ୍ନ ବର୍ଗର ଲୋକଙ୍କ ସହ ବାର୍ତ୍ତାଳାପରେ ସାମିଲ ହୋଇଥିଲେ। ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି ଏବଂ ଚାଷୀଙ୍କ ସମସ୍ୟାର ସମାଧାନ ସରକାରଙ୍କ ପ୍ରଥମିକତା ବୋଲି 5ଟି ସଚିବ କହିଥିଲେ। ଏହାପରେ ସେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ସଙ୍ଗମ ଠାରେ ଜାରି ରହିଥିବା ଜଳ ବିଶୋଧନାଗାର ପରିଦର୍ଶନ କରିବା ସହ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ଏବଂ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ।

ପରେ ସେ ଆନନ୍ଦପୁର ବ୍ୟାରେଜ୍ ସାଇଟ୍ ପରିଦର୍ଶନ କରି ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଚାଲିଥିବା କେନାଲ କାର୍ଯ୍ୟ ବିଷୟରେ ତାଙ୍କୁ ସୂଚନା ଦିଆଯାଇଥିଲା ଯାହା କି କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ 60,000 ହେକ୍ଟର ଅଞ୍ଚଳରେ ଜଳସେଚନର ସମ୍ଭାବନା ସୃଷ୍ଟି କରିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ସମାପ୍ତି ନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି।

5T ସଚିବ ଙ୍କ ଗସ୍ତ ଅବସରରେ କ୍ରୀଡା ସଚିବ ଶ୍ରୀ ଆର୍ ଭିନିଲ କ୍ରିଷ୍ଣା ,ଜିଲ୍ଲାପାଳ ଆଶିଷ ଥାକରେ ,ଏସ୍ ପି ନୀତିଶ କୁଶାଲକର ପ୍ରମୂଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲର ଲୋକାର୍ପଣ କରିଛନ୍ତି। ହଜାର ହଜାର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଆନନ୍ଦ ଉଲ୍ଲାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହା ଉଦ୍‌ଘାଟନ କରି ଯେତେବେଳେ ପଚାରିଲେ ‘ଆପଣମାନେ ଖୁସି ତ ?’ ସେତେବେଳେ ବହୁଗୁଣିତ ଉତ୍ସାହର ସହ ପ୍ରତିଧ୍ବନିତ ହୋଇଥିଲା ‘ହଁ’। ତା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ବି ବହୁତ ଖୁସି।

ଏହାପରେ ଧରଣୀଧର କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ସ୍ବୟଂ ଏହି ମାନ୍ୟତା ପତ୍ର ପିଲାମାନଙ୍କୁ ଦେବାକୁ ଚାହାନ୍ତି ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ। ଆନନ୍ଦ, ଉଲ୍ଲାସ ମଧ୍ୟରେ ଛାତ୍ରଛ୍ରତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶ୍ବବିଦ୍ୟାଳୟ ମାନ୍ୟତାର ନିର୍ଦ୍ଦେଶନାମା ଦେଖାଇଥିଲେ।

କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଦ୍ବାରା ଡାକ୍ତର ଅଭାବ ଦୂର ହେବା ସହିତ ଜିଲ୍ଲାରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ ଏବଂ ଜିଲ୍ଲାବାସୀ ଆଉ କଟକ-ଭୁବନେଶ୍ବର ଯାଇ ହଇରାଣ ହେବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ସବୁ ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୀତିରେ ରାଜ୍ୟର ସ୍ବାସ୍ଥ୍ୟସେବାର ବିକାଶ କରାଯାଉଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାରା ରାଜ୍ୟରେ ୮ ଲକ୍ଷ ୩୦ ହଜାର ୭୭୩ ଲୋକ ଉପକୃତ ହୋଇଥିବା ବେଳେ ଏଥିପାଇଁ ୧୮୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। କେବଳ କେନ୍ଦୁଝରରେ ୨୪ ହଜାର ଲୋକ ଉପକାର ପାଇଛନ୍ତି ଏବଂ ୪୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ପାଇଁ ୪୭୦୩ କୋଟି ଟଙ୍କାର ୨୫୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୧୦୩ କୋଟି ଟଙ୍କାର ୧୩୮ଟି ପ୍ରକଳ୍ପ ପାଇଁ ଭିତ୍ତିଭୂମି ଦିଆଯାଇଥିବା ବେଳେ, ୮୬୮ କୋଟି ଟଙ୍କାର ୯୮ଟି ପ୍ରକଳ୍ପ ଉଦ୍‌ଘାଟନ କରାଯାଇଥିଲା ଏବଂ ୨୭୩୧ କୋଟି ଟଙ୍କାର ୨୩ଟି ନୂଆ ପ୍ରକଳ୍ପ ପାଇଁ ଘୋଷଣା ରହିଛି ।

ଜିଲ୍ଲାରେ ୧୪,୩୭୨ ମିଶନ ଶକ୍ତି ଗୋଷ୍ଠୀ ଜରିଆରେ ୧.୬୦ ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି । ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୩୭୮ କୋଟି ଟଙ୍କାର ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି । ବାଂଶପାଳର ବଣପୁଷ୍ପ ସ୍ବୟଂ ସହାୟକ ଗୋଷ୍ଠୀକୁ ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ଟଙ୍କାର ଋଣ ଚେକ୍‌ ଆକାରରେ ପ୍ରଦାନ କରିଥିଲେ ଏବଂ ଘଷିପୁରାର ବିଜୟା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୫,୭୫୭ ଟଙ୍କାର ସୁଧ ରିହାତି ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମା ମାନେ ରାଜ୍ୟର ସୁନାମ ବୃଦ୍ଧି କରିଛନ୍ତି। ସେମାନଙ୍କୁ ଉଦ୍ୟୋଗୀ କରିବା ମୋର ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ଯେ ଏହି ଅର୍ଥରେ ସେମାନେ ଭଲ ବିଜିନେସ୍‌ କରି ନିଜର, ନିଜ ପରିବାରର ଓ ନିଜ ଅଞ୍ଚଳର ଆର୍ଥିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ, ମହିଳା ଓ ଯୁବସମାଜ ଆମ ରାଜ୍ୟର ତ୍ରିଶକ୍ତି। ଏମାନେ ହିଁ ଆମ ରାଜ୍ୟର ପ୍ରଗତୀର ସାରଥୀ ଏବଂ ଏକ ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିବାରେ ଏହି ତ୍ରିଶକ୍ତି ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନୂଆ ମେଡିକାଲ କଲେଜର ଅଡିଟୋରିଅମରେ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅର୍ଥ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଚନ ପୂଜାରୀ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ, ଚମ୍ପୁଆ ବିଧାୟକ ମିନାକ୍ଷୀ ମହନ୍ତ, କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ।