Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି କେନ୍ଦୁପତ୍ର ବିଭାଗରେ ଶିଶୁ ଶ୍ରମିକ ନିୟୋଜନ ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସରକାର ଶିଶୁ ଶ୍ରମିକ ନିୟୋଜନ ଉପରେ କଟକଣା ଜାରି କରିଥିବା ବେଳେ କଳାହାଣ୍ଡି କେନ୍ଦୁପତ୍ର ବିଭାଗରେ ତାହାର ଉଲ୍ଲଂଘନ କରାଯାଉଥିବା ଜଣାପଡିଛି। ମଦନପୁର ବ୍ଲକ କେନ୍ଦୁପତ୍ର ବିଭାଗ ଅନ୍ତର୍ଗତ ସିଂହପୁର ପଂଚାୟତ କୁଟୁପଲା ଗ୍ରାମରେ କୋମଳମତି ଶିଶୁ ମାନେ ନିୟୋଜିତ ହୋଇ କେନ୍ଦୁପତ୍ର କାମ କରୁଥିବା ଭଲି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସ୍କୁଲରେ ପାଠ ପଢୁଥିବା ୧୪ ବର୍ଷରୁ କମ ବୁସ୍କ ପିଲାମାନଙ୍କୁ ସେଠାକାର କେନ୍ଦୁପତ୍ର ଫଡିରେ ବିଭିନ୍ନ କାମରେ ନିୟୋଜିତ କରି ଦାୟୀତ୍ୱରେ ଥିବା ଫରେଷ୍ଟର ତଥା ମୁନସି ମାନେ ମୁନାଫା ଉଠାଉଥିବାର ଅଭିଯୋଗ ହୋଇଛି।

ସାଂପ୍ରତିକ କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଲକଡାଉନ ସ୍ଥିତି ଜାରି କରିଥିବା ବେଳେ ସେହି କୋମଳମତି ଶିଶୁମାନେ କାମ କରୁଥିବା ସମୟରେ ମାସ୍କ ମଧ୍ୟ ପରିଧାନ କରୁନଥିବା ଦେଖାଯାଉଛି। ସାଧାରଣତଃ କେନ୍ଦୁପତ୍ର ଫଡିମାନଙ୍କରେ ଶ୍ରମିକ ନିଯୁକ୍ତି କରି ପତ୍ର ତୋଳା ଠାରୁ ଆରମ୍ଭ କରି ପତ୍ରକେରା ବାନ୍ଧିବା ସହିତ ଶୁଖାଇବା, ସଂଗ୍ରହ କରି ଫଡିରେ ଭର୍ତି କରିବା ପର୍ଯ୍ୟନ୍ତ ଅନେକ କାମ ରହିଥାଏ। ସେସବୁ କାମ କରିବା ପାଇଁ ସଂପୃକ୍ତ ଫରେଷ୍ଟରଙ୍କ ମାଧ୍ୟମରେ ଅସ୍ଥାୟୀ ମୁନସି ମାନଙ୍କୁ ଦିନ ମଜୁରିଆ ନିୟୋଜନ ଦାୟୀତ୍ୱ ଦିଆଯାଇଥାଏ। ହେଲେ କମ ମଜୁରିଆଦ୍ୱାରା କାମ କରାଇନେଇ ଅଧିକ ବିଲ କରିବା ଠାରୁ ଆରମ୍ଭ କରି ଏଭଲି ଭାବେ ଶିଶୁ ମାନଙ୍କୁ ନିୟୋଜିତ କରି ଅଧିକ ମୁନାଫା ଉଠାଯାଉଥିବାର ଅଭିଯୋଗ ହେଉଛି।

ଗ୍ରାମାଂଚଳର କୋମଳମତି ଶିଶୁଛାତ୍ରମାନେ ସ୍କୁଲ ବନ୍ଦ ହୋଇଥିବା କାରଣରୁ ଏଭଲିଭାବେ କାମ କରୁଥିବା ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇବାରେ ଲାଗିଛି। ହେଲେ କେନ୍ଦୁପତ୍ର ବିଭାଗ ଦ୍ୱାରା ଏଭଲି ଶିଶୁ ମାନଙ୍କୁ ନିୟୋଜନ କରାଯିବା ଘଟଣାକୁ ନିନ୍ଦା କରାଯାଇଛି। ବିଭାଗୀୟ କର୍ତୃପକ୍ଷ ଏସଂପର୍କରେ ଉଚିତ ପଦକ୍ଷେପ ନେବାକୁ ଦାବୀ ହେଉଛି। ଏନେଇ ବିଭାଗୀୟ ପଦାଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ। ଶିଶୁ ଶ୍ରମିକ ସୁରକ୍ଷା ଆଇନ ଅନୁସାରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଆଗାମୀ ସମୟ ରେ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।