Categories
ଆଜିର ଖବର ଜାତୀୟ ଖବର

କୃଷକମାନଙ୍କୁ ଅଭିନନ୍ଦନ ଜଣାଇଲେ ଅମରିନ୍ଦର ସିଂ, ଅବଶିଷ୍ଟ ଦାବିକୁ ମାନିବା ଲାଗି କେନ୍ଦ୍ରକୁ କଲେ ନିବେଦନ

ନୂଆଦିଲ୍ଲୀ: ଗତକାଲି ସଂସଦରେ ତିନୋଟି କୃଷି ପ୍ରତ୍ୟାହାର ଆଇନ ପାରିତ ହୋଇଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ତିନୋଟି କେନ୍ଦ୍ରୀୟ କୃଷି ଆଇନ ରଦ୍ଦ କରିବାକୁ ସଂସଦରେ ବିଲ୍ ପାରିତ ହେବା ପରେ ଅମରିନ୍ଦର ସିଂ କୃଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ଅମରିନ୍ଦର ସିଂ ଆଶା ପ୍ରକଟ କରିଛନ୍ତି ଯେ, କେନ୍ଦ୍ର ସରକାର ମଧ୍ୟ ଚାଷୀଙ୍କ ଅବଶିଷ୍ଟ ଦାବିକୁ ଗ୍ରହଣ କରିବେ।

କ୍ୟାପଟେନ ଅମରିନ୍ଦର ସିଂ ଟ୍ୱିଟ୍ କରି ଚାଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଆଜି ସଂସଦର ଉଭୟ ଗୃହରେ ଥିବା ତିନୋଟି କୃଷି ଆଇନକୁ ଆନୁଷ୍ଠାନିକ ଭାବେ ରଦ୍ଦ କରିଦେଇଥିବାରୁ ଆମର ସମସ୍ତ କୃଷକଙ୍କୁ ଅଭିନନ୍ଦନ।

ତିନୋଟି କୃଷି ଆଇନ ରଦ୍ଦ ହେବା ପରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଚାଷୀଙ୍କ ଚାହିଦା ହେଉଛି କେନ୍ଦ୍ର ସରକାର ସେମାନଙ୍କ ଅବଶିଷ୍ଟ ଦାବିକୁ ମଧ୍ୟ ବିଚାର କରିବା ଉଚିତ୍। ଚାଷୀଙ୍କ ଅବଶିଷ୍ଟ ଦାବିକୁ ଗ୍ରହଣ କରିବାକୁ ଅମରିନ୍ଦର ସିଂ ମଧ୍ୟ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ମୁଁ ନିଶ୍ଚିତ ଯେ କୃଷକଙ୍କ ବିଚାରାଧୀନ ଦାବିକୁ ସରକାର ସହାନୁଭୂତି ସହ ଦୃଷ୍ଟି ଦେବେ।

ତେବେ ଗତ ବର୍ଷ ତିନୋଟି କୃଷି ଆଇନ କେନ୍ଦ୍ର ସରକାର ଆଣିଥିଲେ। ଏହାକୁ ବିରୋଧ କରି ପଞ୍ଜାବ ଏବଂ ହରିୟାଣାର କୃଷକମାନେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ। କ୍ୟାପଟେନ ଅମରିନ୍ଦର ସିଂ ଆରମ୍ଭରୁ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରିଆସୁଥିଲେ। ତିନୋଟି କୃଷି ଆଇନକୁ ରଦ୍ଦ କରିବା ପାଇଁ ଅମରିନ୍ଦର ସିଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ।