Categories
ଆଜିର ଖବର ଜାତୀୟ ଖବର

ସେପ୍ଟେମ୍ବର ୨୦୨୩ ରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରିବ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ

ଦିଲ୍ଲୀ: ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମାଆ, କିଶୋରୀ ଏବଂ ୬ ବର୍ଷରୁ କମ୍ ବୟସର ଶିଶୁମାନଙ୍କ କ୍ଷେତ୍ରରେ ପୋଷଣ ଜନିତ ଫଳାଫଳକୁ ଉତ୍ତମ କରିବାରେ  ଭାରତ ସରକାରଙ୍କ ପ୍ରମୁଖ ପଦକ୍ଷେପ ପୋଷଣ ଅଭିଯାନ ସହାୟକ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପୋଷଣ (ସାମଗ୍ରିକ ପୋଷଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ବ୍ୟାପକ ଯୋଜନା) ଅଭିଯାନ କୁପୋଷଣ ଆହ୍ୱାନର ମୁକାବିଲା ପାଇଁ ମିଶନ ମୋଡରେ କାର୍ଯ୍ୟ କରୁଛି।

ପଞ୍ଚଦଶ ଆର୍ଥିକ ଆୟୋଗ ସମୟରେ ମିଶନ ସକ୍ଷମ ଅଙ୍ଗନବାଡି ଓ ପୋଷଣ- ୨ ଅଧୀନରେ ପୋଷଣ ଅଭିଯାନ, ଅଙ୍ଗନବାଡ଼ି ସେବା ଯୋଜନା ଓ କିଶୋରୀ ମାନଙ୍କ ପାଇଁ ଯୋଜନାକୁ ଏକାଠି କରାଯାଇଥିଲା। ବିଷୟ ବସ୍ତୁ, ବିତରଣ, ପହଂଚିବା ଏବଂ ଫଳାଫଳକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ସମନ୍ୱିତ ପୋଷଣ ସହାୟତା କାର୍ଯ୍ୟକ୍ରମ ଆରମ୍ଭ କରିବା ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ରୋଗ ଏବଂ ପୁଷ୍ଟିହୀନତା ବିରୁଦ୍ଧରେ ରୋଗ  ପ୍ରତିରୋଧକ ଶକ୍ତିକୁ ପ୍ରୋତ୍ସାହିତ କରୁଥିବା ଅଭ୍ୟାସ ଗୁଡିକ ଉପରେ ଧ୍ୟାନ ଦିଆଯାଏ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୨୩ ସେପ୍ଟେମ୍ବର ମାସରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରୁଛି। ମିଶନ ପୋଷଣ ୨.୦ର ମୂଳଦୁଆ ଜୀବନ ଚକ୍ର ପଦ୍ଧତି ମାଧ୍ୟମରେ ପୁଷ୍ଟିହୀନତାକୁ ବ୍ୟାପକ ଭାବେ ମୁକାବିଲା କରିବା ପାଇଁ ଚଳିତ ବର୍ଷ ଲକ୍ଷ୍ୟ ରଖାଯାଇଛି। ଏହି ପଦ୍ଧତିରେ, ପୋଷଣ ମାହ ୨୦୨୩ର କେନ୍ଦ୍ର ବିନ୍ଦୁ ହେଉଛି ଗୁରୁତ୍ୱପୂର୍ଣ୍ଣ ମାନବ ଜୀବନ ପର୍ଯ୍ୟାୟ : ଗର୍ଭାବସ୍ଥା, ବାଲ୍ୟକାଳ, ପିଲାଦିନ ଏବଂ  କିଶୋର ଅବସ୍ଥା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା। “ସୁପୋଷିତ ଭାରତ, ସାକ୍ଷର ଭାରତ, ସଶକ୍ତ ଭାରତ” (ପୋଷଣ ସମୃଦ୍ଧ ଭାରତ, ଶିକ୍ଷିତ ଭାରତ, ସଶକ୍ତ ଭାରତ) ଶୀର୍ଷକ ବିଷୟବସ୍ତୁ ମାଧ୍ୟମରେ ସମଗ୍ର ଭାରତରେ ପୁଷ୍ଟିକର ବୁଝାମଣାକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ।

ଏକ ମାସ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସ୍ତନ୍ୟପାନ ଏବଂ ପରିପୂରକ ଖାଦ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରି ଅଭିଯାନ ମାଧ୍ୟମରେ ତୃଣମୂଳ ସ୍ତରର ପୋଷଣ ସଚେତନତା ବୃଦ୍ଧି ପାଇଁ ଦେଶବ୍ୟାପୀ କେନ୍ଦ୍ରୀଭୂତ ପ୍ରୟାସ ଦେଖିବାକୁ ମିଳିବ। ସ୍ୱାସ୍ଥ୍ୟ ବାଳକ ସ୍ପର୍ଦ୍ଧା (ସୁସ୍ଥ ଶିଶୁ ପ୍ରତିଯୋଗିତା) ଭଳି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ପୋଷଣ ଏବଂ ସାମଗ୍ରିକ ସୁସ୍ଥତା ପାଇଁ ଏକ ସୁସ୍ଥ ପ୍ରତିଯୋଗିତାର ଭାବନା ସୃଷ୍ଟି କରିବା। ଅନ୍ୟାନ୍ୟ ପଦକ୍ଷେପ ଗୁଡ଼ିକ ମଧ୍ୟରେ ପୋଷଣ ଭି, ପଢା଼ଇ ଭି (ପୋଷଣ ଓ ଶିକ୍ଷା), ମିଶନ ଏଲ୍‌ଆଇଏଫ୍‌ଇ (ପରିବେଶ ପାଇଁ ଜୀବନଶୈଳୀ) ମାଧ୍ୟମରେ ପୋଷଣରେ ଉନ୍ନତି, ଆଦିବାସୀ – କେନ୍ଦ୍ରିତ ପୋଷଣ ସମ୍ବେଦନଶୀଳତା ଏବଂ ପରୀକ୍ଷା, ଚିକିତ୍ସା, ଆଲୋଚନା ମାଧ୍ୟମରେ ରକ୍ତହୀନତାକୁ ସମାଧାନ କରିବା ଅନ୍ତର୍ଭୁକ୍ତ।

ଏହା ବ୍ୟତୀତ ପୋଷଣ ମାହ ଅଧୀନରେ ଜନ ଆନ୍ଦୋଳନ ଦେଶର ସ୍ୱାଧୀନତା ଓ ପ୍ରଗତି ଯାତ୍ରାକୁ ସ୍ମରଣ କରି  ‘ମେରି ମାଟି ମେରା ଦେଶ’ ଅଭିଯାନ ଅଧୀନରେ ମିଳିତ ଉତ୍ସବ ପାଇଁ ଏକ ବିସ୍ତୃତ ମଞ୍ଚ ଭାବେ କାର୍ଯ୍ୟ କରିବ।

ଗ୍ରାମ, ବ୍ଲକ  ଓ ଜିଲ୍ଲା ସ୍ତରରେ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ, ଚିହ୍ନଟ ଅଭିଯାନ, ଶିବିର ଏବଂ ଗୃହ ପରିଦର୍ଶନ କରାଯିବ, ଯେଉଁଥିରେ ସମ୍ପ୍ରଦାୟର ବିଭିନ୍ନ ବର୍ଗଙ୍କୁ ସାମିଲ କରାଯାଇ ସାମଗ୍ରିକ ପୋଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଉଭୟ ବ୍ୟକ୍ତିଗତ ଏବଂ ଗୋଷ୍ଠୀ ସ୍ତରରେ ପୋଷଣ ଖୋଜୁଥିବା ଆଚରଣକୁ ପ୍ରୋତ୍ସାହିତ କରିବା ଅଭିଯାନର ଲକ୍ଷ୍ୟକୁ ସାକାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ଠିଆ ହୋଇଛି। ମିଶନ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.୦ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ଜାରି ରହିଛି।

ଏହି ଲକ୍ଷ୍ୟ ହାସଲ ପାଇଁ ସେପ୍ଟେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଂଶୀଦାରଙ୍କ ସହଯୋଗରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରାଯିବ। ଅଭିଯାନ ଆରମ୍ଭ ହେବା ପର ଠାରୁ ସମଗ୍ର ଦେଶରେ ପାଞ୍ଚଟି ସଫଳ ପୋଷଣ ମାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯେଉଁଥିରେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ତଥା ସମନ୍ୱିତ ମନ୍ତ୍ରଣାଳୟ ଏବଂ ବିଭାଗର ଉତ୍ସାହଜନକ ଅଂଶଗ୍ରହଣ ରହିଛି। ୨୦୨୨ ମସିହାରେ ଶେଷ ପୋଷଣ ମାସରେ ୧୭୦ ନିୟୁତରୁ ଅଧିକ ସଚେତନତା କାର୍ଯ୍ୟକ୍ରମ ମୁଖ୍ୟ ବିଷୟବସ୍ତୁରେ ପ୍ରକାଶ ପାଇଥିଲା। ପ୍ରତି ବର୍ଷ ପୋଷଣ ପକ୍ଷ (ମାର୍ଚ୍ଚ) ଏବଂ ପୋଷଣ ମାସ (ସେପ୍ଟେମ୍ବର) ଅଧୀନରେ ଜନ ଆନ୍ଦୋଳନର ଏକ ଅଂଶ ଭାବରେ ବର୍ତ୍ତମାନ ସୁଦ୍ଧା ୬୦୦ ନିୟୁତରୁ ଅଧିକ କାର୍ଯ୍ୟକଳାପ କରାଯାଇଛି।

ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପୋଷଣ ମାହ ୨୦୨୩ ର ଲକ୍ଷ୍ୟ ହେଉଛି ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକର ସାମର୍ଥ୍ୟକୁ ଉପଯୋଗ କରି ଅମୃତ କାଳରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସୁପୋଷିତ ଭାରତର ସ୍ୱପ୍ନକୁ ସାକାର କରିବା।

Categories
ବିଶେଷ ଖବର

ଜମ୍ମୁ-କଶ୍ମୀରରେ କେବେ ହେବ ନିର୍ବାଚନ? ଆଜି ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି ସରକାର

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା କେବେ ପୁନରୁଦ୍ଧାର ହେବ ଏବଂ କେବେ ହେବ ନିର୍ବାଚନ? ସୁପ୍ରିମକୋର୍ଟରେ ଏହାର ଜବାବ ରଖିଛନ୍ତି ସରକାର। ଧାରା-୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣିବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଜମ୍ମୁ-କଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ। ଏହି ନିଷ୍ପତ୍ତି ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ୟୁନିଟ୍ ଉପରେ ନିର୍ଭର କରୁଛି। କେନ୍ଦ୍ର ଆହୁରି ମଧ୍ୟ କହିଛି ଯେ ଜମ୍ମୁ-କଶ୍ମୀରରେ ଭୋଟର ତାଲିକା ଅପଡେଟ୍ କରିବା ପ୍ରକ୍ରିୟା ଚାଲିଛି, ଏହାକୁ ଶେଷ କରିବାକୁ ଏକ ମାସ ସମୟ ଲାଗିବ। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିବାକୁ କିଛି ସମୟ ଲାଗିବ ବୋଲି ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି।

କାଶ୍ମୀରରେ ତିନୋଟି ସ୍ତରରେ ହେବ ନିର୍ବାଚନ

ଯେ ଜମ୍ମୁ-କଶ୍ମୀରରେ ତିନୋଟି ସ୍ତରରେ ନିର୍ବାଚନ ହେବ ବୋଲି ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ପ୍ରଥମେ ପଞ୍ଚାୟତ ସ୍ତରରେ, ଦ୍ୱିତୀୟରେ ପୌର ସଂସ୍ଥା ଏବଂ ପରେ ବିଧାନସଭା ନିର୍ବାଚନ। ସଲିସିଟର ଜେନେରାଲ କହିଛନ୍ତି ଯେ ଲଦାଖ ପାହାଡ଼ ବିକାଶ ପରିଷଦ, ଲେହ ପାଇଁ ନିର୍ବାଚନ ଶେଷ ହୋଇଛି ଏବଂ ଆସନ୍ତା ମାସରେ କାର୍ଗିଲରେ ନିର୍ବାଚନ ଅନୁଷ୍ଠିତ ହେବ। ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ସ୍ପଷ୍ଟ ସମୟସୀମା ଦେଇପାରୁନାହାନ୍ତି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଅସ୍ଥାୟୀ ବୋଲି ସ୍ପଷ୍ଟ କରିଛନ୍ତି। ଏହାକୁ ପୂର୍ଣ୍ଣାଙ୍ଗ ରାଜ୍ୟ କରିବା ପାଇଁ ପ୍ରକ୍ରିୟା ଚାଲିଛି ବୋଲି କେନ୍ଦ୍ର କହିଛି।

କେନ୍ଦ୍ରର ଯୁକ୍ତି

୨୦୧୮ ତୁଳନାରେ ୨୦୨୩ରେ ଆତଙ୍କବାଦୀ ଘଟଣା ୪୫.୨% ହ୍ରାସ ପାଇଛି ଏବଂ ଅନୁପ୍ରବେଶ ୯୦% ହ୍ରାସ ପାଇଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ପଥର ମାଡ଼ ଭଳି ଆଇନ ଶୃଙ୍ଖଳା ମାମଲା ୯୭% ହ୍ରାସ ଘଟିଛି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ସଂଖ୍ୟା ୬୫% ହ୍ରାସ ପାଇଛି। ୨୦୧୮ରେ ୧୭୬୭ଟି ପଥର ମାଡ଼ ଘଟଣା ଘଟିଥିବାବେଳେ ଏବେ ତାହା ଶୂନ ରହିଛି। କେନ୍ଦ୍ର କହିଛି ଯେ ୨୦୧୮ରେ ୫୨ଟି ସଟଡାଉନ୍ ହୋଇଥିଲା ଏବଂ ବର୍ତ୍ତମାନ ଏହା ଶୂନ ରହିଛି।

ଧାରା ୩୭୦ ଉଚ୍ଛେଦ ବିରୋଧରେ ଅନ୍ୟତମ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ସରକାର ୫ ହଜାର ଲୋକଙ୍କୁ ଅଟକ ରଖିଛନ୍ତି, ଧାରା ୧୪୪ ଲାଗୁ କରାଯାଇଛି। ଇଣ୍ଟରନେଟ୍ ବନ୍ଦ ହୋଇଯାଇଥିଲା ଏବଂ ଲୋକମାନେ ଡାକ୍ତରଖାନା ମଧ୍ୟ ଯାଇପାରିନଥିଲେ। ଗଣତନ୍ତ୍ରକୁ ଉପହାସ କରିବା ଉଚିତ ନୁହେଁ ଏବଂ ବନ୍ଦ ବିଷୟରେ କହିବା ଉଚିତ ନୁହେଁ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ ଓ କଶ୍ମୀର ସୁରକ୍ଷା ପରିସ୍ଥିତି ଉପରେ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଅମିତ ଶାହ ଆଜି (ତା୧୭.୫.୨୦୨୨) ନୂଆଦିଲ୍ଲୀଠାରେ ଜମ୍ମୁ ଓ କଶ୍ମୀରର ସୁରକ୍ଷା ସମୀକ୍ଷା କରିଛନ୍ତି। ବୈଠକରେ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ଜାତୀୟ ସୁରକ୍ଷା  ପରାମର୍ଶଦାତା ଅଜିତ ଡୋଭାଲ, ସେନାଧ୍ୟକ୍ଷ, ଭାରତ ସରକାର ଏବଂ ଜମ୍ମୁ ଓ କାଶ୍ମୀର ପ୍ରାଶାସନର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

ଶ୍ରୀ ଶାହା ସୁରକ୍ଷାବଳ ଓ ପୁଲିସ ବାହିନୀ ମିଳିମିଶି ଆତଙ୍କ ବିରୋଧୀ କାର୍ଯ୍ୟକଳାପ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଶାହ ଏକ ସମୃଦ୍ଧ ଓ ଶାନ୍ତ ଜମ୍ମୁ ଓ କଶ୍ମୀର ନେଇ ପ୍ରଧାନମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ସୁରକ୍ଷାବଳ କେନ୍ଦ୍ରଶାସିତ ଅଞ୍ଚଳରୁ ଆତଙ୍କବାଦର ମୂଳପୋଛ ସହ ସୀମାପାର ଅନୁପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୧୧୬.୮୯ କୋଟିରୁ ଅଧିକ ଟିକା କରାଯାଇଛି ବିତରଣ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଦେଶର ଲୋକଙ୍କୁ ମାରାତ୍ମକ କରୋନାଭାଇରସରୁ ରକ୍ଷା କରିବା ପାଇଁ କେନ୍ଦ୍ର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୧୧୬.୮୯ କୋଟିରୁ ଅଧିକ ଟିକା ଯୋଗାଇ ଦେଇଛି। ଏପର୍ଯ୍ୟନ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧୫.୯୨ କୋଟିରୁ ଅଧିକ ଡୋଜ ମହଜୁଦ ଅଛି। ଜାରି ରହିଥିବା ଦେଶବ୍ୟାପୀ ଟୀକାକରଣ ଅଭିଯାନ ଏକ ଅଂଶ ଭାବରେ ଭାରତ ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୋଭିଡ ଟିକା ମାଗଣାରେ ଯୋଗାଇ ଦେଉଛି। ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।