Categories
ଆଜିର ଖବର ରାଜ୍ୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅନୁଭୂତି ବଖାଣିଲେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ

ଭୁବନେଶ୍ୱର: ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ଉପଲବ୍ଧି ହେଉଛି ସାଧାରଣ ନାଗରିକଙ୍କ ଜୀବନକୁ ସହଜ କରୁଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତାରେ ସଫଳତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ପିଏମ୍‌ କିଷାନ୍‌ ଆଦି କେନ୍ଦ୍ରୀୟ ଯୋଜନା ସାଧାରଣ ନାଗରିକ, ବିଶେଷ କରି ଗ୍ରାମାଞ୍ଚଳର ଗରିବ ଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ନିକଟରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଜାମୁଯୋଡ଼ି ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଥିବା ହିତାଧିକାରୀମାନେ ‘ମେରୀ କାହାନୀ ମେରୀ ଜୁବାନୀ’ ଅନ୍ତର୍ଗତ ନିଜର ଅନୁଭୂତି ପ୍ରକାଶ କରିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଫୁଲମଣି ମହାନ୍ତ କୁହନ୍ତି, ବାସଗୃହ ନିର୍ମାଣ ପାଇଁ ସହାୟତା ମିଳିବା ପରେ ତାଙ୍କର ୫ ଜଣିଆ ପରିବାର ଜୀବନରେ ସୁଧାର ଆସିଛି। ପକ୍କା ଘରେ ରହୁଥିବାରୁ ଖରାବର୍ଷର ଭୟ ରହୁନାହିଁ। ସେମାନେ ଖୁବ୍‌ ଖୁସିରେ ଚଳୁଛନ୍ତି। ଏଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ବାସନ୍ତୀ ବେହେରା କୁହିଛନ୍ତି, ତାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ ମିଳିଛି। ରିହାତି ଦରରେ ସିଲିଣ୍ଡର ଭରିବା ସହିତ ସେ ଧୂଆଁମୁକ୍ତ ପରିବେଶରେ ରୋଷେଇ କରିପାରୁଛନ୍ତି। ପାରମ୍ପରିକ ଚୁଲିରେ ରୋଷେଇ କରିବା ପାଇଁ କାଠ ଜାଳେଣି ସଂଗ୍ରହ କରିବାର ସମସ୍ୟାରୁ ମୁକ୍ତି ମିଳିଛି। ଏହାଦ୍ୱାରା ତାଙ୍କର ସ୍ୱାସ୍ଥ୍ୟ ରକ୍ଷା ହେବା ସହ ପରିବେଶ ସଂରକ୍ଷଣ ମଧ୍ୟ ହୋଇପାରୁଛି। ତାଙ୍କର ଜୀବନ ଅଧିକ ସହଜ ହୋଇଛି।

ଆଉ ଜଣେ ଗ୍ରାମାଞ୍ଚଳ ହିତାଧିକାରୀ ପ୍ରମୋଦ କୁମାର ନାୟକଙ୍କୁ ପିଏମ୍‌ କିଷାନ ଯୋଜନାରେ ମାସିକ ୬ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଛି। ଏହା ତାଙ୍କର ଚାଷ କାମରେ ବିଶେଷ ସହାୟକ ହେଉଛି ବୋଲି ସେ ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତାଙ୍କ ଭଳି ଚାଷୀଙ୍କ ପାଇଁ ପିଏମ୍‌ କିଷାନ ଯୋଜନା ବେଶ ଲାଭଜନକ ବୋଲି କହିବା ସହ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଶତପ୍ରତିଶତ ପ୍ରସାର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ବର୍ତ୍ତମାନ ଦେଶର ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳରେ ଜାରି ରହିଛି।