Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ୱରରେ ‘ଆୟୁଷ ଦୀକ୍ଷା’ ମାନବ ସମ୍ବଳ ବିକାଶ କେନ୍ଦ୍ର ପାଇଁ ଶିଳାନ୍ୟାସ କରିବେ କେନ୍ଦ୍ର ଆୟୁଷ ମନ୍ତ୍ରୀ 

ଭୁବନେଶ୍ଵର: ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନ ଆୟୁର୍ବେଦ ଅନୁସନ୍ଧାନ ପରିଷଦର ମାନବ ସମ୍ବଳ ବିକାଶ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ ସମାରୋହ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଭୁବନେଶ୍ୱର ଭରତପୁର ସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ) ଠାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ଆୟୁଷ ଓ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଏହି ଅବସରରେ ସିସିଆରଏଏସ୍ ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ପ୍ରଫେସର ବୈଦ୍ୟ ରବିନାରାୟଣ ଆଚାର୍ଯ୍ୟ, ଭୁବନେଶ୍ୱରସ୍ଥିତ ସିଏଆରଇ ନିର୍ଦ୍ଦେଶକ ଡାକ୍ତର ଏମ.ଏମ. ରାଓଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ।

୩୦ କୋଟି ଟଙ୍କାର ବଜେଟ୍ ମଞ୍ଜୁରି ସହିତ ‘ଆୟୁଷ ଦୀକ୍ଷା’ ପ୍ରକଳ୍ପ ଅତ୍ୟାଧୁନିକ ସୁବିଧାକୁ ପ୍ରୋତ୍ସାହିତ କରିବ, ଯେଉଁଥିରେ ୩୦ରୁ ୪୦ ଜଣ ଜଣ ପ୍ରଶିକ୍ଷାର୍ଥୀଙ୍କ ବସିବା ସ୍ଥାନ ଥିବା ନେଇ ଦୁଇଟି ସଭାଗୃହ, ପ୍ରଶିକ୍ଷାର୍ଥୀ ରହିବା ପାଇଁ ସଂଯୁକ୍ତ ବାଥରୁମ୍ ସହିତ ୪୦ଟି କେନ୍ଦ୍ରୀୟ ବାତାନୁକୂଳିତ କୋଠରୀ, ଭିଆଇପି ଏବଂ ଭିଭିଆଇପି ସୁଟ୍, ଏକ ପ୍ରାକୃତିକ ପୁସ୍ତକାଳୟ ଏବଂ ଆଲୋଚନା କକ୍ଷ ପାଇଁ ସମର୍ପିତ କ୍ଷେତ୍ର, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ମଡ୍ୟୁଲାର ପେଣ୍ଟ୍ରି, ଡାଇନିଂ ଲାଉଞ୍ଜ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ରହିଛି ।

ଏହି ଅନୁଷ୍ଠାନ ସାଧାରଣତଃ ଆୟୁଷ ଏବଂ ବିଶେଷ କରି ଆୟୁର୍ବେଦର ସମସ୍ତ ଅଂଶୀଦାରଙ୍କୁ ଜାତୀୟ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଦାନ କରିବ । ଏହା ଦ୍ୱାରା ଅନ୍ୟ ଜାତୀୟ ଅନୁଷ୍ଠାନ ଗୁଡ଼ିକ ସହିତ ଦକ୍ଷତା ବିକାଶ, ଆୟୁର୍ବେଦରେ ମାନବ ସମ୍ବଳକୁ ସୁଦୃଢ଼ କରିବା, ଗବେଷଣା ଓ ବିକାଶକୁ ସୁଗମ କରିବା, ଉଚ୍ଚମାନର ଗୁଣବତ୍ତା ବଜାୟ ରଖିବା ଏବଂ ରାଜସ୍ୱ ସୃଷ୍ଟି ସହିତ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସହାୟକ ହେବ।

କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ), ଭୁବନେଶ୍ୱର ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସ୍ୱୟଂଶାସିତ ସଂସ୍ଥା କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଗବେଷଣା ପରିଷଦ (ସିସିଆରଏଏସ) ଅଧୀନରେ ଏକ ୟୁନିଟ୍ ରୂପରେ କାର୍ଯ୍ୟ କରିଥାଏ। ଆୟୁର୍ବେଦ କ୍ଷେତ୍ରରେ ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ଆଗକୁ ବଢ଼ାଇବା ଦିଗରେ ଆୟୁଷ ଦୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଏହି କେନ୍ଦ୍ର ଆୟୁଷ କ୍ଷେତ୍ରରେ ଗୁଣାତ୍ମକ ମାନବ ସମ୍ବଳକୁ ସୁଦୃଢ଼ କରିବା ଦିଗରେ ବର୍ତ୍ତମାନର ସରକାରଙ୍କ ପ୍ରୟାସର ଏକ ଅଂଶବିଶେଷ ଏବଂ ଏହା ବର୍ଷ ସାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଦାନ କରିବ ।

୨୦ ଜାନୁଆରୀ ୨୦୨୪ ପୂର୍ବାହ୍ନ ସାଢ଼େ ୧୧ଟାରେ ଭୁବନେଶ୍ୱରର କେଂଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ)ଠାରେ ଏହି ଐତିହାସିକ ସମାରୋହରେ ସାମିଲ ହେବା ପାଇଁ ସିସିଆରଏଏସ ସମସ୍ତ ସମ୍ପୃକ୍ତ ଅଂଶୀଦାର, ଗଣମାଧ୍ୟମ ଏବଂ ଜନସାଧାରଣଙ୍କୁ ଆମନ୍ତ୍ରଣ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ଧାରଣାରତ ଓଡିଶା ଆୟୁଷ ଛାତ୍ରଛାତ୍ରୀ, ଦାବୀ ପୁରଣ ପାଇଁ ଅନୁରୋଧ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ଟା ସମୟରେ ନୂଆଦିଲ୍ଲୀ ସ୍ଥିତ ଟ୍ରାନ୍ସପୋର୍ଟ ଭବନ ରେ କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସାନୁୱାଲ ଙ୍କ ସହିତ ଓଡ଼ିଶାର ଆୟୁଷ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ସାକ୍ଷାତ ଆଲୋଚନା କରିଛନ୍ତି।

ଓଡିଶା ସାଂସଦ ଜୁଏଲ ଓରାମଙ୍କ ଉପସ୍ଥିତରେ ଏହି ପ୍ରତିନିଧି ଦଳ ପକ୍ଷରୁ ହୋମିଓପ୍ୟାଥିକ ପ୍ରତିନିଧି ଭାବେ ଡା ନିଶିକାନ୍ତ ଆଚାର୍ଯ୍ୟ, ଡା ପୀୟୂଷ କୁମାର ବାରିକ,ଡା ହିତେଶ କୁମାରଗିରି, ଡାସନ୍ତୋଷ ସାହୁ,ଡା ସୁକଦେବ ଦାସ,ଡା ମନୋଜ ହାଲଦାର ଆୟୁର୍ବେଦ ପ୍ରତିନିଧି ଦଳ ପକ୍ଷରୁ ଡା ଶ୍ରେୟା ଶର୍ମା, ଡା ଆଶୁତୋଷ ପ୍ରଧାନ, ଡା ନିତେଶ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାର ଆୟୁଷ ବର୍ତ୍ତମାନ ଅଧପତନ ସ୍ଥିତି ଉପରେ ଆଲୋଚନା କରିବା ସହିତ ଏକ ନିବେଦନ ପତ୍ର ପ୍ରଦାନ କରିଥିଲେ।

କେନ୍ଦ୍ର ଆୟୁଷ ମନ୍ତ୍ରୀ ଆଲୋଚନା କରି କହିଥିଲେ କେନ୍ଦ୍ର ସରକାରଙ୍କ ଆୟୁଷ ବିଭାଗ ପକ୍ଷରୁ ରାଜ୍ୟର ଆୟୁଷର ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦିଆଯାଇଛି। ଏଥିରେ ଆୟୁଷ ହସ୍ପିଟାଲର ଉନ୍ନତି, ବିଭିନ୍ନ ଆୟୁଷ ଭେଷଜ ମହାବିଦ୍ୟାଳୟ ର ଭିତ୍ତିଭୂମି ବିକାଶ, ରାଜ୍ୟ ଆୟୁଷ ପଦ୍ଧତି ର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଦିଆଯାଇଛି। ମାତ୍ର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଠିକ ରୂପେ ପରିଚାଳନା ନ କରିବା ଦ୍ୱାରା ଅର୍ଥ ଫେରି ଆସୁଥିବା ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଏକ ରିପୋର୍ଟ ସେ ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ପଠାଇଥିବା ଜଣାଯାଇଛି।

ରାଜ୍ୟରେ ଆୟୁଷର ବିପର୍ଯ୍ୟୟ ସ୍ଥିତି କାରଣରୁ ଦୀର୍ଘ ୧୫ ଦିନ ଧରି ଆନ୍ଦୋଳନ କରିଥିବା ସମସ୍ତ ସରକାରୀ ଆୟୁଷ ଛାତ୍ରଛାତ୍ରୀ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ଆୟୁଷ ନିର୍ଦ୍ଦେଶକଙ୍କୁ ଗତ ୧୬ ତାରିଖରେ ସାକ୍ଷାତ ଆଲୋଚନା କରିବା ପରେ ସେମାନେ ଧର୍ମଘଟ ବନ୍ଦ କରି ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ।

ଗୋଟିଏ କାର୍ଯ୍ୟ ଦିବସରେ ଦାବୀ କୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି କୁ ପଠାଇ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ କହିଥିଲେ ମଧ୍ୟ କେବଳ ଆୟୁଷ ଛାତ୍ରଛାତ୍ରୀଙ୍କ ଦାବୀକୁ ମନ୍ତ୍ରୀ ସ୍ତରୀୟ କମିଟିକୁ ପ୍ରେରଣ କରି ଆୟୁଷ ଛାତ୍ରଛାତ୍ରୀ ଙ୍କୁ ଦେଖା ଦେଉ ନ ଥିବାର ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଏହାର ପ୍ରତିବାଦରେ ଆସନ୍ତା ୨୫ ତାରିଖଠାରୁ ପୁନଶ୍ଚ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟର ସମସ୍ତ ସରକାରୀ ଆୟୁଷ କଲେଜ ଛାତ୍ରଛାତ୍ରୀ, ହସ୍ପିଟାଲରେ କାର୍ଯ୍ୟରତ ଆୟୁଷ ହାଉସ ସର୍ଜନ ଭୁବନେଶ୍ୱର ରାଜରାସ୍ତା କୁ ଆସି ସେମାନଙ୍କ ଅଧିକାର ପାଇଁ ଧାରଣା ଓ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଗତକାଲି ରାଜ୍ୟ ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ କୁ ଲିଖିତ ଭାବେ ଜଣାଇଛନ୍ତି।

ଏହି ଆୟୁଷ ଛାତ୍ରଛାତ୍ରୀଙ୍କୁ ଦାବୀ ପ୍ରତି ରାଜ୍ୟର ବିଭିନ୍ନ ସ୍ତରରୁ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି।