Categories
ଆଜିର ଖବର ଜାତୀୟ ଖବର

ଶୂନ୍ୟ ଅଙ୍ଗାରକ ନିର୍ଗମନ ଅଭିଯାନ ପାଇଁ ଭାରତ ଏବଂ ୟୁଏସ୍‌ଏଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୩୦ ସୁଦ୍ଧା ମିଶନ ନେଟ୍ ଜିରୋ କାର୍ବନ ଏମିସନ (ଶୂନ୍ୟ ଅଙ୍ଗାରକ ନିର୍ଗମନ ଅଭିଯାନ) ହାସଲ କରିବା ପାଇଁ ଭାରତୀୟ ରେଳବାଇକୁ ସହାୟତା କରିବା ନିମନ୍ତେ ଜୁନ୍ ୧୪, ୨୦୨୩ରେ ଭାରତ ଏବଂ ୟୁନାଇଟେଡ୍ ଷ୍ଟେଟ୍ସ ଫର ଇଂଟରନ୍ୟାସନାଲ ଡେଭଲପମେଂଟ (ଆନ୍ତର୍ଜାତିକ ବିକାଶ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା) /ଭାରତ (ୟୁଏସ୍‌ଏଆଇଡି/ଭାରତ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ବିଷୟରେ ଅବଗତ କରାଯାଇଥିଲା ଏବଂ ଏହା ଅନୁମୋଦନ ଲାଭ କରିଥିଲା ।

ଏହି ବୁଝାମଣାପତ୍ର ଭାରତୀୟ ରେଳବାଇକୁ ରେଳ କ୍ଷେତ୍ରରେ ଅତ୍ୟାଧୁନିକ ବିକାଶ ଏବଂ ଜ୍ଞାନ ଆଦାନ ପ୍ରଦାନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଏହି ବୁଝାମଣାପତ୍ରରେ ଜ୍ଞାନ ଆଦାନ ପ୍ରଦାନ ପାଇଁ ନବୀକରଣ ଯୋଗ୍ୟ ଶକ୍ତି , ଶକ୍ତି ଦକ୍ଷତା ଏବଂ ଅନ୍ୟାନ୍ୟ ଆଦାନପ୍ରଦାନ କ୍ଷେତ୍ରରେ ଉପଯୋଗିତାର ଆଧୁନିକୀକରଣ, ଉନ୍ନତ ଶକ୍ତି ସମାଧାନ ଏବଂ ବ୍ୟବସ୍ଥା, ଆଞ୍ଚଳିକ ଶକ୍ତି ଏବଂ ବଜାର ଏକୀକରଣ ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଏବଂ ଯୋଗଦାନ, ପ୍ରଶିକ୍ଷଣ ଏବଂ ସେମିନାର / କର୍ମଶାଳାକୁ ସୁଗମ କରାଯାଇଛି ।

ଏହା ପୂର୍ବରୁ ୟୁଏସ୍‌ଏଆଇଡି /ଭାରତ ମଧ୍ୟ ରେଳ ପ୍ଲାଟଫର୍ମରେ ରୁଫ୍ ଟପ୍ ସୋଲାର ( ଛାତ ଉପରେ ସୌର ଶକ୍ତି) ବ୍ୟବହାର ଉପରେ ଗୁରୁତ୍ୱ ଦେଇ ଆଇଆର ସହିତ କାମ କରିଥିଲା ।

ଯୁକ୍ତରାଷ୍ଟ୍ର ଆମେରିକାର ଆନ୍ତର୍ଜାତିକ ବିକାଶ ଏଜେନ୍ସି /ଭାରତ ସହ ଭାରତୀୟ ରେଳବାଇ ଦ୍ୱାରା ସ୍ୱାକ୍ଷରିତ ବୁଝାମଣାପତ୍ର ନିମ୍ନଲିଖିତ ବୁଝାମଣା ସହିତ ଶକ୍ତି ଆତ୍ମନିର୍ଭରଶୀଳତାକୁ ସକ୍ଷମ କରିବା ପାଇଁ ଅଟେ :

୧. ଉଭୟ ଅଂଶଗ୍ରହଣକାରୀ ମିଳିତ ଭାବରେ ନିମ୍ନଲିଖିତ ପ୍ରମୁଖ କାର୍ଯ୍ୟକଳାପ କ୍ଷେତ୍ର ଗୁଡିକ ଉପରେ ବ୍ୟାପକ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ଏବଂ  ବିବରଣୀ ପୃଥକ ଭାବରେ ସହମତି ପ୍ରାପ୍ତ ହେବ:

କ. ଭାରତୀୟ ରେଳବାଇ ପାଇଁ ସ୍ୱଚ୍ଛ ଶକ୍ତି ସମେତ ଦୀର୍ଘମିଆଦୀ ଶକ୍ତି ଯୋଜନା ।

ଖ. ଭାରତୀୟ ରେଳ ଭବନ ପାଇଁ ଏକ ଶକ୍ତି ଦକ୍ଷତା ନୀତି ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ।

ଗ. ଭାରତୀୟ ରେଳବାଇର ନେଟ୍ – ଜିରୋ ଭିଜନ (ଶୂନ୍ୟ ଲକ୍ଷ୍ୟ) ହାସଲ ପାଇଁ ସ୍ୱଚ୍ଛ ଶକ୍ତି କ୍ରୟ ପାଇଁ ଯୋଜନା ।

ଘ. ନିୟାମକ ଏବଂ କାର୍ଯ୍ୟାନ୍ୱୟନ ପ୍ରତିବନ୍ଧକ ଗୁଡିକର ସମାଧାନ ପାଇଁ ବୈଷୟିକ ସହାୟତା ।

ଙ. ବ୍ୟବସ୍ଥା – ଅନୁକୂଳ, ବୃହତ ପରିମାଣର ନବୀକରଣଯୋଗ୍ୟ କ୍ରୟ ପାଇଁ ବିଡ୍ ପ୍ରସ୍ତୁତ କରିବା ଏବଂ ବିଡ୍ ପରିଚାଳନା ସହାୟତା ।

ଚ. ଇ – ମୋବିଲିଟିକୁ ପ୍ରୋତ୍ସାହିତ କରିବାରେ ଭାରତୀୟ ରେଳବାଇକୁ ସମର୍ଥନ କରିବା ।

ଛ. ଉପରୋକ୍ତ ଚିହ୍ନଟ ହୋଇଥିବା କ୍ଷେତ୍ରରେ ମିଳିତ ଭାବରେ କାର୍ଯ୍ୟକ୍ରମ, ସମ୍ମିଳନୀ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବା ।

୨ . ଏହି ବୁଝାମଣାପତ୍ରର ସମସ୍ତ କିମ୍ବା କୌଣସି ଅଂଶରେ ପୁନରାବୃତ୍ତି, ପରିବର୍ତ୍ତନ କିମ୍ବା ସଂଶୋଧନ ପାଇଁ ଅଂଶଗ୍ରହଣକାରୀ ଲିଖିତ ଭାବେ ଅନୁରୋଧ କରିପାରିବେ । ଅଂଶଗ୍ରହଣକାରୀଙ୍କ ଦ୍ୱାରା ଅନୁମୋଦିତ କୌଣସି ପୁନରାବୃତ୍ତି, ପରିବର୍ତ୍ତନ କିମ୍ବା ସଂଶୋଧନ ଏହି ସଂଶୋଧିତ ବୁଝାମଣାପତ୍ରର ଏକ ଅଂଶ ହେବ । ଏଭଳି ପୁନରାବୃତ୍ତି, ପରିବର୍ତ୍ତନ କିମ୍ବା ସଂଶୋଧନ ଅଂଶଗ୍ରହଣକାରୀ ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ତାରିଖରେ କାର୍ଯ୍ୟକାରୀ ହେବ ।

୩  .  ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ତାରିଖ ଠାରୁ କାର୍ଯ୍ୟକାରୀ ହେବ ଏବଂ ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ଦକ୍ଷିଣ ଏସିଆ ଆଞ୍ଚଳିକ ଶକ୍ତି ଭାଗିଦାରୀ (ଏସ୍‌ଏଆର୍‌ଇପି) ର ପ୍ରଭାବଶାଳୀ ରହିବା ପର୍ଯ୍ୟନ୍ତ , ଉଭୟ ମଧ୍ୟରୁ ଯେଉଁ ଅବଧି କମ୍ ରହିବ ସେପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି ।

ପ୍ରଭାବ:

୨୦୩୦ ସୁଦ୍ଧା ମିଶନ ନେଟ୍ ଜିରୋ କାର୍ବନ ଏମିସନ (ଏନଜେଡ୍‌ସିଇ) ହାସଲ କରିବାରେ ଭାରତୀୟ ରେଳବାଇକୁ ସହାୟତା କରିବା ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଭାରତୀୟ ରେଳବାଇକୁ ଆମଦାନୀ ଇନ୍ଧନ ଯେପରିକି ଡିଜେଲ, କୋଇଲା ଇତ୍ୟାଦି ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ । ନବୀକରଣ ଯୋଗ୍ୟ ଶକ୍ତି (ଆରଇ) ପ୍ଲାଣ୍ଟର ନିୟୋଜନ ଦେଶରେ ଆରଇ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବ । ଏହା ସ୍ଥାନୀୟ ପାରିବେଶିକ ବ୍ୟବସ୍ଥାର ବିକାଶରେ ସହାୟକ ହେବ ଯାହା ପରବର୍ତ୍ତୀ ସମୟରେ ସ୍ଥାନୀୟ ଉତ୍ପାଦ ବିକାଶକୁ ପ୍ରୋତ୍ସାହିତ କରିବ ।

ଏଥିରେ ସମ୍ପୃକ୍ତ ଖର୍ଚ୍ଚ:

ଏହି ବୁଝାମଣାପତ୍ର ଅଧୀନରେ ସେବା ଗୁଡିକ ପାଇଁ ବୈଷୟିକ ସହାୟତା ୟୁଏସ୍‌ଏଆଇଡି ଦ୍ୱାରା ଏସ୍‌ଏଆର୍‌ଇପି ପଦକ୍ଷେପ ଅଧୀନରେ ପ୍ରଦାନ କରାଯିବାର ଉଦ୍ଦେଶ୍ୟ ରହିଛି । ଏହି ବୁଝାମଣାପତ୍ର ପାଣ୍ଠିର ପ୍ରତିଶ୍ରୁତିବଦ୍ଧତା ନୁହେଁ କିମ୍ବା କୌଣସି ପ୍ରକାରର ପ୍ରତିଶ୍ରୁତି ନୁହେଁ, ଏବଂ ଏହା ଅଣ- ବାଧ୍ୟତାମୂଳକ ଅଟେ । ଏଥିରେ ଭାରତୀୟ ରେଳବାଇର କୌଣସି ଆର୍ଥିକ ପ୍ରତିବଦ୍ଧତା ଅନ୍ତର୍ଭୁକ୍ତ ନାହିଁ ।

Categories
ଆଜିର ଖବର ଜାତୀୟ ଖବର

ଇସ୍ରୋ ଏବଂ ଏମ୍ଆରଆଇସି ମଧ୍ୟରେ ମିଳିତ କ୍ଷୁଦ୍ର ଉପଗ୍ରହ ବିକାଶ ସହଯୋଗ ସମ୍ପର୍କିତ ବୁଝାମଣାପତ୍ରକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମରିସସ୍ ଗଣତନ୍ତ୍ରର ସୂଚନା ପ୍ରଯୁକ୍ତି, ଯୋଗାଯୋଗ ଏବଂ ଉଦ୍ଭାବନ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ମରିସସ୍ ଗବେଷଣା ଓ ଉଦ୍ଭାବନ ପରିଷଦ (ଏମଆରଆଇସି) ମଧ୍ୟରେ ନଭେମ୍ବର ୧, ୨୦୨୩ରେ ଏକ ଯୁଗ୍ମ କ୍ଷୁଦ୍ର ଉପଗ୍ରହ ର ବିକାଶ ପାଇଁ ସହଯୋଗ ସମ୍ପର୍କରେ ମରିସସର ପୋର୍ଟ ଲୁଇସ୍ ଠାରେ ସ୍ୱାକ୍ଷରିତ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା ।

ପ୍ରଭାବ:

ଏହି ବୁଝାମଣାପତ୍ର ଇସ୍ରୋ ଏବଂ ଏମଆରଆଇସି ମଧ୍ୟରେ ମିଳିତ ଉପଗ୍ରହର ବିକାଶ ତଥା ଏମଆରଆଇସିର ଗ୍ରାଉଣ୍ଡ ଷ୍ଟେସନର ବ୍ୟବହାର ଉପରେ ସହଯୋଗ ପାଇଁ ଏକ ଢାଞ୍ଚା ସ୍ଥାପନ କରିବାରେ ସହାୟକ ହେବ।  ମିଳିତ ଉପଗ୍ରହ ପାଇଁ କେତେକ ଉପବ୍ୟବସ୍ଥା ଭାରତୀୟ ଶିଳ୍ପର ଅଂଶଗ୍ରହଣ ମାଧ୍ୟମରେ ଗ୍ରହଣ କରାଯିବ ଏବଂ ଶିଳ୍ପପାଇଁ ଲାଭଦାୟକ ହେବ।

ଉପଗ୍ରହର ଏହି ମିଳିତ ବିକାଶ ମାଧ୍ୟମରେ ସହଯୋଗ ମରିସସରେ ଭାରତୀୟ ଗ୍ରାଉଣ୍ଡ ଷ୍ଟେସନ ପାଇଁ ମରିସସ୍ ସରକାରଙ୍କ ନିରନ୍ତର ସମର୍ଥନକୁ ଆହୁରି ସୁନିଶ୍ଚିତ କରିବାରେ ସହାୟକ ହେବ, ଯାହା କି ଇସ୍ରୋ/ଭାରତର ଉତକ୍ଷେପଣ ଯାନ ଏବଂ ଉପଗ୍ରହ ଅଭିଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାବ୍ୟତୀତ ଏହି ମିଳିତ ଉପଗ୍ରହ ନିର୍ମାଣ ଭବିଷ୍ୟତରେ ଇସ୍ରୋର କ୍ଷୁଦ୍ର ଉପଗ୍ରହ ଅଭିଯାନ ପାଇଁ ସେମାନଙ୍କ ଗ୍ରାଉଣ୍ଡ ଷ୍ଟେସନରୁ ଏମଆରଆଇସି ସହାୟତା ସୁନିଶ୍ଚିତ କରିବାରେ ମଧ୍ୟ ସାହାଯ୍ୟ କରିବ । ମିଳିତ ଉପଗ୍ରହ ପାଇଁ କେତେକ ଉପବ୍ୟବସ୍ଥା ଭାରତୀୟ ଶିଳ୍ପର ଅଂଶଗ୍ରହଣ ମାଧ୍ୟମରେ ହାତକୁ ନିଆଯିବ ଏବଂ ଏହା ଦ୍ୱାରା ନିଯୁକ୍ତି ସୃଷ୍ଟି ହୋଇପାରେ ।

କାର୍ଯ୍ୟକାରିତା ସୂଚୀ:

ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଇସ୍ରୋ ଏବଂ ଏମଆରଆଇସି ମଧ୍ୟରେ କ୍ଷୁଦ୍ର ଉପଗ୍ରହ ମିଳିତ ଭାବରେ ଉପଲବ୍ଧ ହେବ। ୧୫ ମାସ ମଧ୍ୟରେ ଏହି ଉପଗ୍ରହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରସ୍ତାବ ରହିଛି।

ଏଥିରେ ସମ୍ପୃକ୍ତ ଖର୍ଚ୍ଚ:

ଏହି ମିଳିତ ଉପଗ୍ରହକୁ ହାସଲ କରିବା ପାଇଁ ଆନୁମାନିକ ଖର୍ଚ୍ଚ ୨୦ କୋଟି ଟଙ୍କା, ଯାହା ଭାରତ ସରକାର ବହନ କରିବେ। ଏହି ବୁଝାମଣା ପତ୍ରରେ ଉଭୟ ପକ୍ଷ ମଧ୍ୟରେ ଅନ୍ୟ କୌଣସି ପାଣ୍ଠି ବିନିମୟ ଅନ୍ତର୍ଭୁକ୍ତ ନୁହେଁ ।

ପୃଷ୍ଠଭୂମି:

ଭାରତ ଓ ମରିସସ୍ ମଧ୍ୟରେ ମହାକାଶ ସହଯୋଗ ୧୯୮୦ ଦଶକର ଶେଷ ଭାଗରେ ଥିଲା ଯେତେବେଳେ ଇସ୍ରୋ ଏହାର ଉତକ୍ଷେପଣ ଯାନ ଏବଂ ଉପଗ୍ରହ ଅଭିଯାନ ପାଇଁ ଟ୍ରାକିଂ ଏବଂ ଟେଲିମେଟ୍ରି ସହାୟତା ପାଇଁ ମରିସସରେ ଏକ ଗ୍ରାଉଣ୍ଡ ଷ୍ଟେସନ ପ୍ରତିଷ୍ଠା କରିଥିଲା, ୧୯୮୬ ରେ ସ୍ୱାକ୍ଷରିତ ଏକ ଦେଶସ୍ତରୀୟ ଚୁକ୍ତି ଅନୁଯାୟୀ ଏହାକୁ କରାଯାଇଥିଲା। ବର୍ତ୍ତମାନର ମହାକାଶ ସହଯୋଗ ୨୯.୭.୨୦୦୯ରେ ସ୍ୱାକ୍ଷରିତ ଦେଶସ୍ତରୀୟ ଚୁକ୍ତି ଦ୍ୱାରା ପରିଚାଳିତ ହେଉଛି, ଯାହା ଉପରୋକ୍ତ ୧୯୮୬ ଚୁକ୍ତିକୁ ଉଚ୍ଛେଦ କରିଥିଲା ।

ମିଳିତ ଭାବେ ମରିସସ୍ ପାଇଁ ଏକ କ୍ଷୁଦ୍ର ଉପଗ୍ରହ ନିର୍ମାଣ ପାଇଁ ଏମଆରଆଇସି ର ଆଗ୍ରହ କୁ ଆଧାର କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ) ଇସ୍ରୋକୁ ଭାରତ-ମରିସସ୍ ମିଳିତ ଉପଗ୍ରହକୁ ବାସ୍ତବ ରୂପ ଦେବା ପାଇଁ ଏମଆରଆଇସି ସହ ଆଲୋଚନା ଆରମ୍ଭ କରିବା ପାଇଁ ଅନୁରୋଧ କରିଛି। ନଭେମ୍ବର ୧, ୨୦୨୩ରେ ମରିସସର ପୋର୍ଟ ଲୁଇସଠାରେ ‘ଅପ୍ରବାସୀ ଦିବସ’ କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରମନ୍ତ୍ରୀଙ୍କ ମରିସସ ଗସ୍ତ ସମୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଆଇଟି ହାର୍ଡୱେୟାର ପାଇଁ ପିଏଲଆଇ ସ୍କିମ୍ – ୨.୦ ଅଧୀନରେ ୨୭ ଜଣ ନିର୍ମାତାଙ୍କୁ ଅନୁମୋଦନ

ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ ପାଇଁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା (ପିଏଲ୍ଆଇ)ର ସଫଳତାକୁ ଭିତ୍ତି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ୧୭ ମେ ୨୦୨୩ରେ ଆଇଟି ହାର୍ଡୱେୟାର ପାଇଁ ପିଏଲଆଇ ଯୋଜନା – ୨.୦କୁ ଅନୁମୋଦନ କରିଥିଲେ। ଏହି ସ୍କିମ୍ ରେ ଲାପଟପ୍, ଟ୍ୟାବଲେଟ୍, ଅଲ୍-ଇନ୍-ୱାନ୍ ପିସି, ସର୍ଭର ଏବଂ ଅଲ୍ଟ୍ରା ସ୍ମଲ୍ ଫର୍ମ ଫ୍ୟାକ୍ଟର ଡିଭାଇସ୍ ଅନ୍ତର୍ଭୁକ୍ତ।

ଆଜି ୨୭ଟି ଆଇଟି ହାର୍ଡୱେୟାର ନିର୍ମାତାଙ୍କ ଆବେଦନକୁ ଅନୁମୋଦନ ମିଳିଛି। ଆସର, ଆସୁସ, ଡେଲ୍, ଏଚ୍ ପି, ଲେନୋଭୋ ଆଦି ଜଣାଶୁଣା ବ୍ରାଣ୍ଡ୍ ର ଆଇଟି ହାର୍ଡୱେୟାର ଭାରତରେ ଉତ୍ପାଦନ କରାଯିବ। ଯୋଜନାର କାର୍ଯ୍ୟକାଳ ମଧ୍ୟରେ ଏହି ଅନୁମୋଦନର ଆଶାନୁରୂପ ଫଳାଫଳ ହେଉଛ :

ନିଯୁକ୍ତି : ସମୁଦାୟ ପ୍ରାୟ ୨ ଲକ୍ଷ

ପାଖାପାଖି ୫୦,୦୦୦ (ପ୍ରତ୍ୟକ୍ଷ) ଏବଂ ପ୍ରାୟ ଦେଢ଼ ଲକ୍ଷ (ପରୋକ୍ଷ)

ଆଇଟି ହାର୍ଡୱେୟାର ଉତ୍ପାଦନର ମୂଲ୍ୟ : ୩ ଲକ୍ଷ ୫୦ ହଜାର କୋଟି ଟଙ୍କା (୪୨ ବିଲିୟନ ଆମେରିକୀୟ ଡଲାର)

କଂପାନିଗୁଡ଼ିକ ଦ୍ୱାରା ନିବେଶ : ୩,୦୦୦ କୋଟି ଟଙ୍କା (୩୬୦ ନିୟୁତ ଆମେରିକୀୟ ଡଲାର)

ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ଅନୁମୋଦିତ ୨୭ ଆବେଦନକାରୀଙ୍କ ମଧ୍ୟରୁ ୨୩ ଜଣ ସଙ୍ଗେ ସଙ୍ଗେ (day zero) ଉତ୍ପାଦନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଫସଫେଟ ଏବଂ ପଟାସ ସାର ଉପରେ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି ହାରକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟ ଏବଂ ପଟାସ (ପିଆଣ୍ଡକେ) ସାର ଉପରେ ରବି ଋତୁ ୨୦୨୩-୨୪ (୦୧.୧୦.୨୦୨୩ରୁ ୩୧.୦୩.୨୦୨୪) ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି (ଏନବିଏସ) ହାର ନିର୍ଦ୍ଧାରଣ କରିବା ପାଇଁ ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ବର୍ଷ କେଜି ପିଛା ଟଙ୍କା
ରବି, ୨୦୨୩-୨୪

(୦୧.୧୦.୨୦୨୩ରୁ ୩୧.୦୩.୨୦୨୪ ପର୍ଯ୍ୟନ୍ତ)

ଏନ ପି କେ ଏସ
୪୭.୦୨ ୨୦.୮୨ ୨.୩୮ ୧.୮୯

ଆଗାମୀ ୨୦୨୩-୨୪ ରବି ଋତୁରେ ଏନବିଏସ ଉପରେ ୨୨,୩୦୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି।

ଚାଷୀଙ୍କୁ ସୁଲଭ ମୂଲ୍ୟରେ ଏହି ସାର ସହଜରେ ଉପଲବ୍ଧ କରାଇବା ପାଇଁ ରବି ଋତୁ ୨୦୨୩-୨୪ (୦୧.୧୦.୨୦୨୩ରୁ ୩୧.୦୩.୨୦୨୪ ପର୍ଯ୍ୟନ୍ତ ଲାଗୁ) ପାଇଁ ଅନୁମୋଦିତ ଦର ଆଧାରରେ ପିଆଣ୍ଡକେ ସାର ଉପରେ ସବସିଡି ପ୍ରଦାନ କରାଯିବ।

ଲାଭ

୧- ଚାଷୀଙ୍କୁ ରିହାତି, ସୁଲଭ ଓ ଉଚିତ ମୂଲ୍ୟରେ ସାର ଉପଲବ୍ଧ କରାଇବା ସୁନିଶ୍ଚିତ ହେବ।

୨- ସାର ଏବଂ କୃଷି ଉପକରଣର ଅନ୍ତର୍ଜାତୀୟ ମୂଲ୍ୟବୃଦ୍ଧିର ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ପିଆଣ୍ଡକେ ସାର ଉପରେ ସବସିଡିକୁ ଯୁକ୍ତିସଙ୍ଗତ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଦେଶକୁ ସକ୍ରିୟ କରିବା ପାଇଁ ବିଇଏସ୍‌ଏସ୍ ଯୋଜନା ଶୁଭାରମ୍ଭ କଲେ ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବ୍ୟାଟେରୀ ଇନ୍ଧନ ସଂରକ୍ଷଣ ପ୍ରଣାଳୀ (ବିଇଏସ୍ଏସ୍)ର ବିକାଶ ପାଇଁ ସାଧନଯୋଗ୍ୟ ଶୂନ୍ୟସ୍ଥାନ ପାଣ୍ଠି ବା ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ନାମକ ଯୋଜନାକୁ ଅନୁମୋଦନ ମିଳିଛି। ଅନୁମୋଦିତ ଯୋଜନାରେ ୨୦୩୦-୩୧ ସୁଦ୍ଧା ୪,୦୦୦ ମେଗାଓ୍ଵାଟ୍-ଘଣ୍ଟା ବିଇଏସ୍ଏସ୍ ପ୍ରକଳ୍ପର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ପୁଞ୍ଜି ବ୍ୟୟର ୪୦% ପର୍ଯ୍ୟନ୍ତ ଆର୍ଥିକ ସହାୟତା ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ) ଆକାରରେ ବଜେଟ୍ ସହାୟତା ପ୍ରଦାନ କରାଯିବ। କେନ୍ଦ୍ର  ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ଅନେକ ପରିବେଶ ଅନୁକୂଳ ପଦକ୍ଷେପ ମଧ୍ୟରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ।ଏହି ପଦକ୍ଷେପ ବ୍ୟାଟେରୀ ଷ୍ଟୋରେଜ୍ ସିଷ୍ଟମର ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି।

ସୌର ଏବଂ ପବନ ଶକ୍ତି ପରି ଅକ୍ଷୟ ଶକ୍ତି ଉତ୍ସଗୁଡିକର ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ସ୍ୱଚ୍ଛ, ଭରସାଯୋଗ୍ୟ ଏବଂ ସୁଲଭ ମୂଲ୍ୟରେ ବିଦ୍ୟୁତ ଯୋଗାଇ ଦେବା। ବିଇଏସ୍‌ଏସ୍ ଯୋଜନାର ବିକାଶ ପାଇଁ ଭିଜିଏଫ ନିମନ୍ତେ  ୯,୪୦୦ କୋଟି ଟଙ୍କାର ପ୍ରାରମ୍ଭିକ ବ୍ୟୟ ବରାଦ କରାଯାଇଛି, ଯେଉଁଥିରେ ୩,୭୬୦ କୋଟି ଟଙ୍କାର ବଜେଟ୍ ସହାୟତା ରହିଛି। ଏହାର ନିରନ୍ତର ବିଦ୍ୟୁତ ଶକ୍ତି ସମାଧାନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଭିଜିଏଫ ସମର୍ଥନ ପ୍ରଦାନ କରି, ଏହି ଯୋଜନା କିଲୋୱାଟ୍ ଘଣ୍ଟା ପିଛା ୫.୫୦-୬.୬୦ ଟଙ୍କା (କିଲୋୱାଟ୍-ଘଣ୍ଟା) ପର୍ଯ୍ୟନ୍ତ ଗୋଟିଏ ସ୍ତରର ଷ୍ଟୋରେଜ୍‌ ଖର୍ଚ୍ଚ (ଏଲସିଓଏସ୍) ହାସଲ କରିବାକୁ ଲକ୍ଷ୍ୟ ରଖିଛି, ଯାହା ସମଗ୍ର ଦେଶରେ ସର୍ବୋଚ୍ଚ ବିଦ୍ୟୁତ ଚାହିଦା ପରିଚାଳନା ପାଇଁ ସଂରକ୍ଷିତ ଅକ୍ଷୟ ଶକ୍ତିକୁ ଏକ ଉପଯୋଗୀ ବିକଳ୍ପରେ ପରିଣତ କରିବ। ବିଇଏସ୍ଏସ୍ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟକୁ ଆଧାର କରି ପାଞ୍ଚଟି କିସ୍ତିରେ ଭିଜିଏଫ୍ ବଣ୍ଟନ କରାଯିବ।

ଯୋଜନାର ଲାଭ ଯେପରି ଉପଭୋକ୍ତାଙ୍କ ପାଖରେ ପହଞ୍ଚି ପାରିବ ତାହା ସୁନିଶ୍ଚିତ କରିବା ପାଇଁ ବିଇଏସଏସ ପ୍ରକଳ୍ପ କ୍ଷମତାର ସର୍ବନିମ୍ନ ୮୫% ବିତରଣ କମ୍ପାନୀ (ଡିସକମ୍) ପାଇଁ ଉପଲବ୍ଧ କରାଯିବ। ଏହା ଦ୍ୱାରା କେବଳ ବିଦ୍ୟୁତ ଗ୍ରିଡରେ ଅକ୍ଷୟ ଶକ୍ତିର ଏକୀକରଣ ବୃଦ୍ଧି ପାଇବ ନାହିଁ ବରଂ ଟ୍ରାନ୍ସମିସନ୍ ନେଟୱର୍କର ଉପଯୋଗ ସୁଦୃଢ଼ ହେବା ସହିତ ଅପଚୟ ମଧ୍ୟ ହ୍ରାସ ପାଇବ। ଫଳରେ ବ୍ୟୟବହୁଳ ଭିତ୍ତିଭୂମି ଉନ୍ନତୀକରଣର ଆବଶ୍ୟକତା ହ୍ରାସ ପାଇବ।

ଭିଜିଏଫ ଅନୁଦାନ ପାଇଁ ବିଇଏସ୍‌ଏସ୍ ଡେଭଲପର୍ ଚୟନ ଏକ ସ୍ୱଚ୍ଛ ପ୍ରତିଯୋଗିତାମୂଳକ ନିଲାମ ପ୍ରକ୍ରିୟା ମାଧ୍ୟମରେ କରାଯିବ, ଯାହା ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ସଂସ୍ଥାଗୁଡିକ ପାଇଁ ଏକ ସମାନ ସୁଯୋଗକୁ ପ୍ରୋତ୍ସାହିତ କରିବ। ଏହି ଆଭିମୁଖ୍ୟ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ ଏବଂ ବିଇଏସଏସ ପାଇଁ ଏକ ସୁଦୃଢ଼ ଇକୋସିଷ୍ଟମର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ଏଥିସହିତ ଯଥେଷ୍ଟ ପୁଞ୍ଜିନିବେଶ ଆକୃଷ୍ଟ କରିବ ଏବଂ ଆନୁଷଙ୍ଗିକ ଶିଳ୍ପ ପାଇଁ ସୁଯୋଗ ସୃଷ୍ଟି କରିବ।

ସ୍ୱଚ୍ଛ ଓ ସବୁଜ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ବିଇଏସଏସ ଯୋଜନା ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅକ୍ଷୟ ଶକ୍ତିର ଉପଯୋଗ କରିବା ଏବଂ ବ୍ୟାଟେରୀ ଷ୍ଟୋରେଜ୍ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରି ସରକାର ସମସ୍ତ ନାଗରିକଙ୍କ ପାଇଁ ଏକ ଉଜ୍ଜ୍ୱଳ ଓ ସବୁଜ ଭବିଷ୍ୟତ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

‘କୋଇଲା ଓ ଲିଗ୍ନାଇଟ ଅନ୍ବେଷଣ ଯୋଜନା’ କୁ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଆଜି 2980 କୋଟି ଟଙ୍କାର ଆନୁମାନିକ ବ୍ୟୟ ସହିତ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା, ‘କୋଇଲା ଏବଂ ଲିଗ୍ନାଇଟ୍ ଅନ୍ବେଷଣ ଯୋଜନା’ କୁ 2021-22 ରୁ 2025-26 ପର୍ଯ୍ୟନ୍ତ ଅର୍ଥାତ୍ 15 ତମ ଅର୍ଥ ଆୟୋଗ ଚକ୍ର ସହିତ ସହ-ସମାପ୍ତି ପର୍ଯ୍ୟନ୍ତ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି।
ଏହି ଯୋଜନା ଅଧୀନରେ କୋଇଲା ଏବଂ ଲିଗ୍ନାଇଟ୍ ପାଇଁ ଅନ୍ବେଷଣ ଦୁଇଟି ବ୍ୟାପକ ପର୍ଯ୍ୟାୟରେ କରାଯାଏ: (i) ପ୍ରମୋସନାଲ୍ (ଆଞ୍ଚଳିକ) ଅନ୍ବେଷଣ ଏବଂ (ii) ଅଣ କୋଲ ଇଣ୍ଡିଆ ଲିମିଟେଡ୍ ବ୍ଲକରେ ବିସ୍ତୃତ ଅନ୍ବେଷଣ।
ଏହି ମଞ୍ଜୁରି ଅଣ-ସିଆଇଏଲ୍‌ କ୍ଷେତ୍ରରେ ପ୍ରଚାର ସମ୍ବନ୍ଧୀୟ (କ୍ଷେତ୍ରୀୟ) ଅନ୍ବେଷଣ ପାଇଁ 1650 କୋଟି ଟଙ୍କା ଓ ବିସ୍ତୃତ ଡ୍ରିଲିଂ ପାଇଁ 1330 କୋଟି ଟଙ୍କାର ବ୍ୟୟ ପ୍ରଦାନ କରିବ। କ୍ଷେତ୍ରୀୟ ଅନ୍ବେଷଣ ଅନ୍ତର୍ଗତ ପ୍ରାୟ 1300 ବର୍ଗ କିମି କ୍ଷେତ୍ର ଏବଂ ବିସ୍ତୃତ ଅନ୍ବେଷଣ ଅନ୍ତର୍ଗତ ପ୍ରାୟ 650 ବର୍ଗ କିମି କ୍ଷେତ୍ରକୁ କଭର କରାଯିବ।
କୋଇଲା ଏବଂ ଲିଗ୍ନାଇଟ୍ ପାଇଁ ଅନ୍ବେଷଣ ଦେଶରେ ଉପଲବ୍ଧ କୋଇଲା ସମ୍ବଳକୁ ପ୍ରମାଣିତ କରିବା ଏବଂ ଆକଳନ କରିବା ଆବଶ୍ୟକ ଯାହାକି କୋଇଲା ଖଣି ଆରମ୍ଭ କରିବା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ। ଏହି ଅନ୍ବେଷଣ ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଭୂତତ୍ତ୍ବିକ ରିପୋର୍ଟଗୁଡିକ ନୂତନ କୋଇଲା ବ୍ଲକଗୁଡିକର ନିଲାମ ପାଇଁ ବ୍ୟବହୃତ ହୁଏ ଏବଂ ପରବର୍ତ୍ତୀ ସମୟରେ ସଫଳ ଆବଣ୍ଟନକାରୀଙ୍କ ଠାରୁ ଏହି ମୂଲ୍ୟ ରିକଭର କରାଯାଇଥାଏ।
Categories
ବିଶେଷ ଖବର

ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତାର ଅତିରିକ୍ତ ୪% କିସ୍ତି ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ମାନଙ୍କୁ ଯଥାକ୍ରମେ ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ସହାୟତା (ଡିଆର)ର ଅତିରିକ୍ତ ୪% ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କ ଲାଭ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜୁନ ୨୦୨୨ରେ ଶେଷ ହେଉଥିବା ଅବଧିରେ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କର ୧୨ ମାସିଆ ହାରାହାରୀ ବୃଦ୍ଧି ପ୍ରତିଶତକୁ ଆଧାର କରି ଡିଏ ଏବଂ ଡିଆରରେ ଏହି ବୃଦ୍ଧି କରାଯାଇଛି।

୧ ଜୁଲାଇ, ୨୦୨୨ ଠାରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଯଥାକ୍ରମେ ଅଧିକ ପରିମାଣର ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ପାଇବା ଲାଗି ହକଦାର ହେବେ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୬,୫୯୧ କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଆକଳନ କରାଯାଇଛି। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ (ଜୁଲାଇ, ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୮ ମାସର ଅବଧି)ରେ ଏଥିପାଇଁ  ସରକାର ୪,୩୯୪ କୋଟି ଟଙ୍କା ରାଜକୋଷରୁ ବ୍ୟୟ କରିବେ।

ଅନ୍ୟପକ୍ଷରେ ପେନସନଭୋଗୀଙ୍କ ମହଙ୍ଗା ସହାୟତା ବୃଦ୍ଧି କାରଣରୁ ରାଜକୋଷ ଉପରେ ବାର୍ଷିକ ୬ହଜାର ୨୬୧ କୋଟି ୨୦ ଲକ୍ଷ ଟଙ୍କା ବୋଝ ପଡ଼ିବ ବୋଲି ଅନୁମାନ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷ (ଜୁଲାଇ, ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୮ ମାସର ଅବଧି)ରେ ସରକାର ଏଥିପାଇଁ ରାଜକୋଷରୁ ୪,୧୭୪.୧୨ କୋଟି ଟଙ୍କା ବ୍ୟୟ କରିବେ।

ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତାକୁ ମିଶାଇଲେ ସରକାରଙ୍କୁ ପ୍ରତିବର୍ଷ ରାଜକୋଷରୁ ୧୨,୮୫୨.୫୬ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ (ଜୁଲାଇ, ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୮ ମାସର ଅବଧି)ରେ ଏଥିପାଇଁ ରାଜକୋଷ ଉପରେ ୮ହଜାର ୫୬୮.୩୬ କୋଟି ଟଙ୍କାର ବ୍ୟୟଭାର ପଡ଼ିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସରକାର ୫ଜି ସ୍ପେକ୍ଟ୍ରମ୍ ନିଲାମକୁ ଦେଲେ ଅନୁମତି, ଖୁବ ଶୀଘ୍ର ଆରମ୍ଭ ହେବ ସେବା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଏମଟି/୫ଜି ସ୍ପେକ୍ଟ୍ରମ ନିଲାମ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ସଂସ୍ଥା/ବିଡରଙ୍କୁ ୫ଜି ସେବା ଦେଶରେ ପ୍ରଦାନ କରିବାର ଅଧିକାର ମିଳିବ। ଜନସାଧାରଣ ଓ ଉଦ୍ୟୋଗ ସମୂହ ଏହି ସେବା ପାଇ ପାରିବେ।

ଭାରତ ସରକାର ତାଙ୍କର ପ୍ରମୁଖ କାର୍ଯ୍ୟକ୍ରମ ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ ଇଣ୍ଡିଆ ଓ ମେକ ଇନ ଇଣ୍ଡିଆରେ ଡିଜିଟାଲ ସଂଯୋଗକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଏଥିପାଇଁ ଆବଶ୍ୟକ ନୀତି ଏବଂ ଯୋଜନା ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରୁଛନ୍ତି।

ବ୍ରଡବ୍ୟାଣ୍ଡ, ବିଶେଷ କରି ମୋବାଇଲ ବ୍ରଡବ୍ୟାଣ୍ଡ ଦେଶର ନାଗରିକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି। ୨ଠ୧୫ରେ ସମଗ୍ର ଦେଶରେ ୪ଜି ସେବାର ଦ୍ରୁତ ସମ୍ପ୍ରସାରଣ ହେବା ପରେ ଏହି ପ୍ରୟାସ ବିଶେଷ ତ୍ୱରାନ୍ୱିତ ହୋଇଥିଲା। ୨ଠ୧୪ରେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ୧ଠ କୋଟି ଥିବାବେଳେ ଏବେ ଏହା ୮ଠ କୋଟିରେ ପହଂଚିଛି।

ଏହି ଐତିହାସିକ ନୀତି ଓ ଯୋଜନା ମାଧ୍ୟମରେ ସରକାର ମୋବାଇଲ ବ୍ୟାଙ୍କିଙ୍ଗ, ଅନଲାଇନ ଶିକ୍ଷା, ଟେଲିମେଡିସିନ ଓ ଅନ୍ତ୍ୟୋଦୟ ପରିବାରଙ୍କ ଇ-ରେସେନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି।

ଦେଶରେ ଯେଉଁ ସଫଳ ୪ଜି ପରିବେଶ ସୃଷ୍ଟି ହୋଇଥିଲା ତାହା ୫ଜିକୁ ଯିବା ପାଇଁ ବାଟ ଖୋଲିଛି। ବଡ଼ କଥା ହେଲା ସ୍ୱଦେଶୀ କାରିଗରୀ ଜ୍ଞାନକୌଶଳ ଓ ପ୍ରଯୁକ୍ତି ଦ୍ୱାରା ଭାରତ ୪ଜିରୁ ୫ଜିକୁ ପ୍ରବେଶ କରୁଛି। ଦେଶରେ ଘରୋଇ ୫ଜି ଟେକ୍ନୋଲୋଜି ସେବା ଆରମ୍ଭ କରିବାକୁ ସରକାର ଦେଶର ଆଠଟି ଶ୍ରେଷ୍ଠ ଟେକ୍ନୋଲୋଜି ପ୍ରତିଷ୍ଠାନରେ ୫ଜି ଟେଷ୍ଟ ବେଡ ସେଟ ଅପ (ପରୀକ୍ଷାମୂଳକ ବ୍ୟବସ୍ଥା) ସ୍ଥାପନ କରିଛନ୍ତି। ସରକାର ମଧ୍ୟ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ନୀତି (ପିଏଲଆଇ) ମାଧ୍ୟମରେ ମୋବାଇଲ ଫୋନ, ଟେଲିକମ ସାମଗ୍ରୀ ଓ ସେମିକଣ୍ଡକ୍ଟର ନିର୍ମାଣକୁ ପ୍ରୋତ୍ସାହନ ଯୋଗାଉଛନ୍ତି। ଏହି ଉଦ୍ୟମ ଦେଶରେ ୫ଜି ସେବା ପ୍ରବର୍ତ୍ତନ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏ କ୍ଷେତ୍ରରେ ଚାଲିଥିବା ନିରନ୍ତର ପ୍ରୟାସ ଭାରତକୁ ଯେ ଶୀଘ୍ର ବିଶ୍ୱର ଅନ୍ୟତମ ପ୍ରମୁଖ ୫ଜି ଟେକ୍ନୋଲୋଜୀ ଓ ଆଗାମୀ ୬ଜି ଟେକ୍ନୋଲୋଜୀ ରାଷ୍ଟ୍ରର ମାନ୍ୟତା ଦେବ ଏଥିରେ ସଂଦେହ ନାହିଁ।

ସମଗ୍ର ୫ଜି ବ୍ୟବସ୍ଥାରେ ସ୍ପେକ୍ଟ୍ରମ ବା ଧ୍ୱନିତରଙ୍ଗ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆସନ୍ନ ୫ଜି ସେବା ଦେଶରେ ନୁ୍ୟ ଏଜ ବିଜନେସ ସୃଷ୍ଟି କରିବାର ସାମର୍ଥ୍ୟ ବହନ କରେ। ଏହା ଫଳରେ ଉଦ୍ୟୋଗଗୁଡ଼ିକ ଅଧିକ ରାଜସ୍ୱ ସୃଷ୍ଟି କରିବେ ଏବଂ ନୂଆ ଟେକ୍ନୋଲୋଜୀ ମୁତୟନ କରି ଅଧିକ ନିଯୁକ୍ତି ସୁଯୋଗ ଯୋଗାଇବେ।

ମୋଟ ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ୨୦ ବର୍ଷ ପାଇଁ ନିଲାମରେ ଦିଆଯିବ । ଏହି ସ୍ପେକ୍ଟ୍ରମ ନିଲାମ କାମ ୨୦୨୨ ଜୁଲାଇ ଶେଷ ସୁଦ୍ଧା ଶେଷ ହେବ । ବିଭିନ୍ନ ବର୍ଗରେ ଏହି ସ୍ପେକ୍ଟ୍ରମ ନିଲାମ କରାଯିବ। ସେଥିରେ ୬୦୦, ୭୦୦, ୮୦୦, ୯୦୦, ୧୮୦୦, ୨୧୦୦ ଓ ୨୩୦୦ ମେଗାହର୍ଜ ସ୍ୱଳ୍ପବର୍ଗ ସ୍ପେକ୍ଟ୍ରମ ଅନ୍ତର୍ଭୁକ୍ତ। ସେହିଭଳି ମଧ୍ୟମ ବର୍ଗରେ ୩୩୦୦ ମେଗାହର୍ଜ ଓ ଉଚ୍ଚ ବର୍ଗରେ ୨୬ (ଗିଗାହର୍ଜ) ଫ୍ରିକୁଏନ୍ସି ବ୍ୟାଣ୍ଡ ମଧ୍ୟ ନିଲାମ ପାଇଁ ଉପଲବ୍ଧ ହେବ।

ଆଶା କରାଯାଉଛି ଯେ ମଧ୍ୟମ ଓ ଉଚ୍ଚ ବ୍ୟାଣ୍ଡ ସ୍ପେକ୍ଟ୍ରମକୁ ଟେଲିଫୋନ ସେବା ଯୋଗାଣକାରୀ ବ୍ୟବହାର କରି ଦେଶରେ ୫ଜି ସେବା ଯୋଗାଣ ଆରମ୍ଭ କରିବେ । ଏହି ୫ଜି ସେବା ଅଧିକ ବେଗ (ସ୍ପିଡ) ଓ ଦକ୍ଷତା ପ୍ରଦାନ କରିବାକୁ ସମର୍ଥ। ବର୍ତ୍ତମାନର ୪ଜି ସେବା ଠାରୁ ଏହା ୧ଠ ଗୁଣ ଦ୍ରୁତତର ସ୍ପିଡ ପ୍ରଦାନ କରିବାକୁ ସକ୍ଷମ।

୨୦୨୧ ସେପ୍ଟେମ୍ବରରେ ସରକାରଙ୍କ ଦ୍ୱାରା ଘୋଷିତ ଟେଲିକମ କ୍ଷେତ୍ର ସଂସ୍କାର ଏହି ସ୍ପେକ୍ଟ୍ରମ ନିଲାମ ଦ୍ୱାରା ତ୍ୱରାନିତ ହେବ। ଏହି ସଂସ୍କାର ଅନୁସାରେ ଆଗାମୀ ନିଲାମରେ ସ୍ପେକ୍ଟ୍ରମ ବ୍ୟବହାର ଦେୟ (ଏସୟୁସି)କୁ ଶୂନ୍ୟ କରାଯିବ । ଅର୍ଥାତ ସ୍ପେକ୍ଟ୍ରମ ବ୍ୟବହାର ବାବଦ ଦେୟ ବ୍ୟବସ୍ଥା ଆଉ ରହିବ ନାହିଁ। ତେଣୁ ଏହାଦ୍ୱାରା ନିଲାମଧାରୀ ସେବା ପ୍ରଦାନକାରୀମାନଙ୍କଠୁ ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ। ସେମାନେ ମଧ୍ୟ ଏହାର ସୁଯୋଗ ନେଇ ନିଜର ନେଟୱର୍କ ଯଥେଷ୍ଟ ବଢ଼ାଇ ପାରିବେ। ଆହୁରି ମଧ୍ୟ ନିଲାମ ପାଇଁ ବିଡରଙ୍କୁ ଯେଉଁ ଆର୍ଥିକ ବ୍ୟାଙ୍କ ଗ୍ୟାରେଣ୍ଟି ଆଉ ଦେବାକୁ ପଡୁଥିଲା ତାହା ଆଉ ଦେବାକୁ ହେବ ନାହିଁ। ଆଗରୁ ଏ ବାବଦରେ ନିଲାମଧାରୀଙ୍କୁ ନିଲାମର ବାର୍ଷିକ କିସ୍ତି ସହିତ ସମାନ ପରିମାଣର ଅର୍ଥ ରାଶି ଜମା କରିବାକୁ ପଡୁଥିଲା।

କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଟେଲିକମ କ୍ଷେତ୍ରର ସଂସ୍କାର ପ୍ରକ୍ରିୟା ଚାଲୁ ରହିବ। ଆଗାମୀ ସ୍ପେକ୍ଟ୍ରମ ନିଲାମ ଠାରୁ ବ୍ୟବସାୟିକ ସୁଗମତା ବଢ଼ାଇବା ପାଇଁ ଆଉ କେତେକ, ପ୍ରଗତିମୂଳକ ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବ। ଯେଉଁମାନେ ନିଲାମ ନେବେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ମିଳିବ। ପ୍ରଥମ ଥର ପାଇଁ ସଫଳ ବିଡରଙ୍କୁ ସିଧାସଳଖ ସବୁ ଅର୍ଥ ଜମା ଦେବାକୁ ପଡ଼ିବ ନାହିଁ। ସେମାନେ ସମାନ ୨ଠ କିସ୍ତିରେ ପ୍ରତିବର୍ଷ ଆରମ୍ଭରେ ଅଗ୍ରିମ ଏହି ଅର୍ଥ ଦାଖଲ କରିବେ। ଏହା ଫଳରେ ସଂଯୁକ୍ତ ଉଦ୍ୟୋଗର ନଗଦ ପ୍ରସାରଣ ବଢ଼ିବ ଏବଂ ସଂଯୁକ୍ତ ଉଦ୍ୟୋଗୀ ବଳକା ଅର୍ଥ ହାତରେ ରଖି ସୁରୁଖୁରୁରେ ଓ ଅଳ୍ପ ପୁଞ୍ଜିରେ ବ୍ୟବସାୟ କରିପାରିବେ। ଯଦି କେହି ନିଲାମଧାରୀ ୧ଠ ବର୍ଷ ପରେ ସ୍ପେକ୍ଟ୍ରମ ଫେରାଇବାକୁ ଚାହାନ୍ତି ସେଥିପାଇଁ ତାଙ୍କୁ ସୁଯୋଗ ମିଳିବ। ସ୍ପେକ୍ଟ୍ରମ ଫେରାଇବା ପୂର୍ବରୁ ସଂଯୁକ୍ତ ନିଲାମଧାରୀଙ୍କୁ ପରିଶୋଧ ହୋଇ ନ ଥିବା ସମସ୍ତ ଦେୟ ପୈଠ କରିବାକୁ ହେବ। ତେବେ ଅବଶିଷ୍ଟ ୧ଠ ବର୍ଷ ପାଇଁ ତାଙ୍କୁ ଆଉ କିସ୍ତି ଦେବାକୁ ପଡ଼ିବ ନାହିଁ।

୫ଜି ସେବା ଆରମ୍ଭ ପାଇଁ ଯଥେଷ୍ଟ ବ୍ୟାକହଲ ସ୍ପେକ୍ଟ୍ରମର ଆବଶ୍ୟକତା ରହିଛି। ଏହି ବ୍ୟାକହଲ ଚାହିଦା ପୂରଣ କରିବା ପାଇଁ ଟେଲିକମ ସେବା ଯୋଗାଣକାରୀଙ୍କୁ ସାମୟିକ ଭାବେ ୨ଟି ୨୫ଠ ମେଗାହର୍ଜ କ୍ଷମତା ବିଶିଷ୍ଟ ଇ-ବ୍ୟାଣ୍ଡ କ୍ୟାରିୟର ଯୋଗାଇ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏହାଛଡ଼ା ବର୍ତ୍ତମାନ ୧୩, ୧୫, ୧୮, ଓ ୨୧ ଗିଗାହର୍ଜ ବ୍ୟାଣ୍ଡ ଫ୍ରିକୁଏନ୍ସରେ ଉପଲବ୍ଧ ହେଉଥିବା ପାରମ୍ପରିକ ମାଇକ୍ରୋୱେଭ ବ୍ୟାକହଲ କ୍ୟାରିୟର ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଆହୁରି ମଧ୍ୟ ଇଣ୍ଡଷ୍ଟ୍ରି ୪.ଠର ଉପଯୋଗ ପାଇଁ ନୂଆ ଇନୋଭେସନ ୱେଭ ଯୋଗାବାକୁ ନିଜସ୍ୱ ସଂଯୋଗ ବ୍ୟବସ୍ଥା (କ୍ୟାଣ୍ଡିଭ ନେଟୱର୍କ) ସ୍ଥାପନକୁ କ୍ୟାବିନେଟ ସବୁଜ ସଂକେତ ଦେଇଛି। ଏହା ଫଳରେ ମେସିନ ଟୁ ମେସିନ କମୁନିକେସନ, ଇଣ୍ଟରନେଟ ଅଫ୍ ଥିଙ୍ଗସ, ଆର୍ଟିଫିସିଆଲ ଇଣ୍ଟରନେଟ ଆଦି ନୂଆ ଅତ୍ୟାଧୁନିକ ଟେକ୍ନୋଲୋଜୀକୁ ଅଟୋମୋଟିଭ, ସ୍ୱାସ୍ଥ୍ୟସେବା, କୃଷି, ଊର୍ଜା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଜରେ ବ୍ୟବହାର କରାଯାଇ ପାରିବ।

Categories
ବିଶେଷ ଖବର ବ୍ୟବସାୟ

ଏମଏସଏମଇ ଲାଗି ୮୦୮ ନିୟୁତ ଆମେରିକୀୟ ଡଲାର ଅର୍ଥ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ‘‘ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ କରିବା(ଆରଏଏମପି)’’ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୮୦୮ ନିୟୁତ ଆମେରିକୀୟ ଡଲାର, ଅର୍ଥାତ୍‌ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ବିଶ୍ବ ବ୍ୟାଙ୍କ ସହାୟତା କାର୍ଯ୍ୟକ୍ରମ ଅଧୀନରେ ଆରଏଏମପି ଯୋଜନାକୁ ମଞ୍ଜୁରି ମିଳିଛି। ୨୦୦୨୨-୨୩ ଆର୍ଥିକ ବର୍ଷରେ ଏକ ନୂଆ ଯୋଜନା ଆକାରରେ ଆରଏଏମପି ଯୋଜନାର ଶୁଭାରମ୍ଭ କରାଯିବ।

ଯୋଜନାରେ ନିହିତ ବ୍ୟୟ:

ଏହି ଯୋଜନାରେ ମୋଟ  ୮୦୮ ନିୟୁତ ଆମେରିକୀୟ ଡଲାର, ଅର୍ଥାତ୍‌ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏଥିମଧ୍ୟରୁ ୩୭୫୦ କୋଟି ଟଙ୍କା ବା ୫୦୦ ନିୟୁତ ଆମେରିକୀୟ ଡଲାର ବିଶ୍ବ ବ୍ୟାଙ୍କରୁ ଋଣ ଆକାରରେ ନିଆଯିବ ଏବଂ ଅବଶିଷ୍ଟ ୨୩୧୨.୪୫ କୋଟି ଟଙ୍କା ବା ୩୦୮ ନିୟୁତ ଆମେରିକୀୟ ଡଲାର ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଯୋଗାଇ ଦେବେ।

ବିନ୍ଦୁ ୱାରୀ ବିବରଣୀ:

‘‘ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ କରିବା(ଆରଏଏମପି)’’ କାର୍ଯ୍ୟକ୍ରମ ବିଶ୍ବ ବ୍ୟାଙ୍କ ସହାୟତାପ୍ରାପ୍ତ ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଓଏମଏସଏମଇ)ର ବିଭିନ୍ନ କରୋନା ଭୂତାଣୁ ରୋଗ ୨୦୧୯ (କୋଭିଡ) ସହନଶୀଳ ଏବଂ ସୁଧାର ହସ୍ତକ୍ଷେପ ସହାୟତା ଯୋଗାଇ ଦିଆଯିବ।

ବଜାର ଏବଂ ଋଣ ସୁବିଧା ପ୍ରଦାନରେ ସୁଧାର, କେନ୍ଦ୍ର ଏବଂ ରାଜ୍ୟରେ ସଂସ୍ଥାଗତ ଏବଂ ପ୍ରଶାସନିକ ଦୃଢ଼ତା, କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ସହଭାଗିତାରେ ସୁଧାର ଆଣିବା, ବିଳମ୍ବିତ ପଇଠ ଏବଂ ଗ୍ରିନିଂ ଭଳି ସମସ୍ୟାର ସମାଧାନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ଏହାଛଡ଼ା ଜାତୀୟ ସ୍ତରରେ ଏମଏସଏମଇ ମନ୍ତ୍ରଣାଳୟର କ୍ଷମତା ନିର୍ମାଣ କରିବା ସହିତ ଆରଏଏମପି କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରିତା କ୍ଷମତା ବୃଦ୍ଧି ଏବଂ ରାଜ୍ୟରେ ଏମଏସଏମଇ କଭରେଜ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।

ନିଯୁକ୍ତି ସୁଯୋଗ ବୃଦ୍ଧି ସମ୍ଭାବନା ଏବଂ ହିତାଧିକାରୀଙ୍କ ସଂଖ୍ୟା ସମେତ ବୃହତ ପ୍ରଭାବ: 

ବର୍ତ୍ତମାନର ଏମଏସଏମଇ ଯୋଜନାର ପ୍ରଭାବ ବିସ୍ତାର ମାଧ୍ୟମରେ ଏମଏସଏମଇ କ୍ଷେତ୍ରରେ ରହିଥିବା କୋଭିଡ ଏବଂ ସାଧାରଣ ସମସ୍ୟାଗୁଡ଼ିକ ସମାଧାନ ପାଇଁ ଆରଏଏମପି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯିବ। ବିଶେଷ କରି ପ୍ରତିଯୋଗିତାମୂଳକ କ୍ଷମତା ବଢ଼ାଇବା ପାଇଁ ପଦକ୍ଷେପ ନିଆଯିବ। ଆହୁରି, ଏହି କାର୍ଯ୍ୟକ୍ରମ ଜରିଆରେ ଅପହଞ୍ଚ କ୍ଷେତ୍ର ବିଶେଷ କରି କ୍ଷମତା ନିର୍ମାଣ, ହ୍ୟାଣ୍ଡ ହୋଲ୍ଡିଂ, କୌଶଳ ବିକାଶ, ଗୁଣବତ୍ତା ସମୃଦ୍ଧି, ବୈଷୟିକ ଉନ୍ନତିକରଣ, ଡିଜିଟାଲକରଣ, ଜନସମ୍ପର୍କ ଏବଂ ମାର୍କେଟିଂ ପ୍ରୋତ୍ସାହନ ଆଦି ଅନ୍ୟାନ୍ୟ ଆବଶ୍ୟକତା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯିବ।

ରାଜ୍ୟମାନଙ୍କ ସହିତ ବିସ୍ତୃତ ସହଯୋଗ ମାଧ୍ୟମରେ ଆରଏଏମପି କାର୍ଯ୍ୟକ୍ରମ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବଜାର ଆଗକୁ ବଢ଼ାଇବ, ଆର୍ଥିକ ସୁବିଧା ପ୍ରଦାନ କରିବ ଏବଂ ଦୁର୍ବଳ ବର୍ଗ ତଥା ସବୁଜ ପ୍ରୟାସକୁ ସମର୍ଥନ ଯୋଗାଇ ଦେବା କ୍ଷେତ୍ରରେ ପ୍ରଭାବୀ ସାବ୍ୟସ୍ତ ହେବ।

ଯେଉଁସବୁ ରାଜ୍ୟରେ ଏମଏସଏମଇର ଉପସ୍ଥିତି କମ ରହିଛି, ଆରଏଏମପି ଅଧୀନରେ କଭର କରାଯାଉଥିବା ଯୋଜନାର ଉଚ୍ଚ ପ୍ରଭାବ ଫଳରେ, ଅଧିକ ସଂଖ୍ୟାରେ ଔପଚାରିକ ଏମଏସଏମଇ ଉଦ୍ୟୋଗ ଆରମ୍ଭ ହେବ। ଏକ ଉନ୍ନତ ଏମଏସଏମଇ କ୍ଷେତ୍ରର ବିକାଶ ଲାଗି ଏସବୁ ରାଜ୍ୟ ପକ୍ଷରୁ ବିକଶିତ ଏସଆଇପି, ରୋଡମ୍ୟାପ ଆକାରରେ କାର୍ଯ୍ୟ କରିବେ।

ଉଦ୍ୟୋଗ ମାପଦଣ୍ଡ, କାର୍ଯ୍ୟ ପଦ୍ଧତିରେ ନବସୃଜନ ଏବଂ ବୃଦ୍ଧିକୁ ପ୍ରୋତ୍ସାହନ ଦେବା ମାଧ୍ୟମରେ ଆରଏଏମପି କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ମିଶନକୁ ସମର୍ଥନ ଯୋଗାଇ ଦେବ ତଥା ଏମଏସଏମଇ କ୍ଷେତ୍ରକୁ ପ୍ରତିଯୋଗିତାମୂଳକ ତଥା ଆତ୍ମନିର୍ଭରଶୀଳ କରିବ। ରପ୍ତାନି ବୃଦ୍ଧି କରିବା, ଆମଦାନୀ ହ୍ରାସ କରିବା ଏବଂ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଆବଶ୍ୟକ ବୈଷୟିକ ଇନପୁଟ୍‌ ପ୍ରଦାନ କରିବ।

ଆରଏଏମପି ଯୋଜନାର ଲାଭ:

ପ୍ରତିଦ୍ବନ୍ଦ୍ବିତା ଏବଂ ବ୍ୟବସାୟିକ ସ୍ଥିରତାର ସ୍ଥିତିକୁ ଉନ୍ନତ କରିବା ଲାଗି ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ସହ ଜଡ଼ିତ ଅଧିକ ପ୍ରଭାବୀ ଏବଂ ଦୀର୍ଘସ୍ଥାୟୀ ଉପାୟଗୁଡ଼ିକର ବିତରଣ ସମ୍ଭବ କରିବା ଉଦ୍ଦେଶ୍ୟରେ ସାକ୍ଷ୍ୟ ଆଧାରିତ ନୀତି ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଲାଗି ବର୍ଦ୍ଧିତ କ୍ଷମତା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଏକ ‘‘ନୀତି ନିର୍ମାତା’’ ସାବ୍ୟସ୍ତ ହେବ। ଅନ୍ତର୍ଜାତୀୟ ଅଭିଜ୍ଞତାର ଲାଭ ଉଠାଇ ମାନକ ନିର୍ଦ୍ଧାରିତ କରିବା, ସର୍ବୋତ୍ତମ ପ୍ରଚଳନ/ସଫଳତା କାହାଣୀ ଶେୟାର କରିବା ଏବଂ ଏହାର ପ୍ରଦର୍ଶନ କରିବା ମାଧ୍ୟମରେ ଏକ ‘‘ଜ୍ଞାନ ପ୍ରଦାତା’’ ସାବ୍ୟସ୍ତ ହେବ। ଏବଂ ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ (ଆଇଓଟି), ମେସିନ ଲର୍ଣ୍ଣିଂ ଆଦି ଉଚ୍ଚତମ ସ୍ତରର ପ୍ରଯୁକ୍ତି ମାଧ୍ୟମରେ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର ଡିଜିଟାଲ ଏବଂ ବୈଷୟିକ ରୂପାନ୍ତରଣ ହୋଇଥାଏ। ତେଣୁ ଏହି ପ୍ରଯୁକ୍ତିର ଲାଭ ପାଇବା ଲାଗି କାର୍ଯ୍ୟକ୍ରମ ଏକ ‘‘ପ୍ରଯୁକ୍ତି ପ୍ରଦାନକାରୀ’’ ସାବ୍ୟସ୍ତ ହେବ।

ସାରା ଦେଶରେ ନିଜର ପ୍ରଭାବ ସହିତ ଆରଏଏମପି ଯୋଜନା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସେସବୁ ୬୩ ନିୟୁତ ଉଦ୍ୟୋଗକୁ ଲାଭାନ୍ବିତ କରିବ ଯେଉଁ ଉଦ୍ୟୋଗଗୁଡ଼ିକ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର  ଯୋଗ୍ୟତା ଲାଭ କରିଛନ୍ତି।

ତେବେ ମୋଟ ୫,୫୫,୦୦୦ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ଉନ୍ନତ ପ୍ରଦର୍ଶନ କରିବା ଲାଗି ସକ୍ଷମ କରିବା ଲାଗି ଏହି କାର୍ଯ୍ୟକ୍ରମ ଅଧୀନରେ ପରିକଳ୍ପନା କରାଯାଇଛି। ଏହାବ୍ୟତୀତ, ଏହି ଯୋଜନା ଅଧୀନରେ ସେବା କ୍ଷେତ୍ରକୁ ସାମିଲ କରିବା ଲାଗି ନିର୍ଦ୍ଦିଷ୍ଟ ଲକ୍ଷିତ ବଜାରକୁ ସମ୍ପ୍ରସାରିତ କରିବା ଏବଂ ପାଖାପାଖି ୭୦,୫୦୦ ମହିଳା ଏମଏସଏମଇ ବୃଦ୍ଧି କରିବା ପାଇଁ ପରିକଳ୍ପନା କରାଯାଇଛି।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ପ୍ରାରମ୍ଭିକ ମିଶନ ଏବଂ ଅଧ୍ୟୟନ ପରେ କାର୍ଯ୍ୟକ୍ରମ ଦୁଇଟି ପରିଣାମ କ୍ଷେତ୍ର ଚିହ୍ନଟ କରିଛି : (୧) ଏମଏସଏମଇ କାର୍ଯ୍ୟକ୍ରମର ସଂସ୍ଥାନ ଏବଂ ପ୍ରଶାସନକୁ ସୁଦୃଢ଼ କରିବା ଏବଂ (୨) ବଜାର ପହଞ୍ଚ, କମ୍ପାନୀର କ୍ଷମତା ଏବଂ ପୁଞ୍ଜି ଉପଲବ୍ଧତା ଯୋଗାଇ ଦେବା ନିମନ୍ତେ ସହଯୋଗ କରିବା ।

ବଜାର ପ୍ରସାର ଏବଂ ପ୍ରତିଯୋଗିତାରେ ସୁଧାର ଉପରେ ଧ୍ୟାନ କେନ୍ଦ୍ରିତ କରି, ଏମଏସଏମଇ ମନ୍ତ୍ରଣାଳୟର ବର୍ତ୍ତମାନର କାର୍ଯ୍ୟକ୍ରମଗୁଡ଼ିକୁ ସମର୍ଥନ କରିବା ଲାଗି ଅର୍ଥ ପଇଠ ସହ ଜଡ଼ିତ ସଙ୍କେତକ (ଡିଏଲଆଇ)ରୁ ପୃଥକ ଅନ୍ୟ ମନ୍ତ୍ରଣାଳୟର ବଜେଟରେ ଆରଏଏମପି ମାଧ୍ୟମରେ ପାଣ୍ଠି ଯୋଗାଇ ଦିଆଯିବ।

ବିଶ୍ବ ବ୍ୟାଙ୍କରୁ ଆରଏଏମପି ଯୋଜନାକୁ ପାଣ୍ଠି ଯୋଗାଣ ନିମ୍ନୋକ୍ତ ବିତରଣ ଆଧାରିତ ସଙ୍କେତକ ଉପରେ କରାଯିବ:

ଜାତୀୟ ଏମଏସଏମଇ ସୁଧାର ଏଜେଣ୍ଡାକୁ ଲାଗୁ କରିବା

ଏମଏସଏମଇ କ୍ଷେତ୍ରରେ କେନ୍ଦ୍ର-ରାଜ୍ୟ ସହଯୋଗକୁ ତ୍ବରାନ୍ବିତ କରିବା

ପ୍ରଯୁକ୍ତି ଉନ୍ନୟନ ଯୋଜନା (ସିଏଲସିଏସ-ଟିୟୁଏସ)ର ପ୍ରଭାବକୁ ବଢ଼ାଇବା

ଏମଏସଏମଇ ପାଇଁ ପ୍ରାପ୍ୟ ଅର୍ଥ ପୋଷଣ ବଜାରକୁ ମଜବୁତ କରିବା

ସୂକ୍ଷ୍ମ ଏବଂ ଲଘୁ ଉଦ୍ୟୋଗ (ସିଜିଟିଏମଏସଇ) ଏବଂ ‘‘ଗ୍ରିନିଂ ଏଣ୍ଡ ଜେଣ୍ଡର’’ ଡିଲିଭରୀ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଟ୍ରଷ୍ଟର ପ୍ରଭାବକୁ ବଢ଼ାଇବା

ବିଳମ୍ବରେ ଅର୍ଥ ପଇଠ ମାମଲା ହ୍ରାସ କରିବା

ରଣନୈତିକ ନିବେଶ ଯୋଜନା (ଏସଆଇପି) ପ୍ରସ୍ତୁତ କରିବା ଆରଏଏମପିର ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ, ଏଥିରେ ସବୁ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶକୁ ଆମନ୍ତ୍ରିତ କରାଯିବ।

ଆରଏଏମପି ଅଧୀନରେ ଏମଏସଏମଇର ଚିହ୍ନଟ ଏବଂ ଉନ୍ନତିକରଣ ପାଇଁ ଏକ ପ୍ରଚାରପ୍ରସାର ଯୋଜନା, ପ୍ରମୁଖ ବାଧା ଏବଂ ବ୍ୟବଧାନକୁ ଚିହ୍ନଟ କରିବା, ବିଶେଷ ଉପଲବ୍ଧି ଏବଂ ପ୍ରକଳ୍ପର ନିର୍ଦ୍ଧାରଣ ଏବଂ ଅକ୍ଷୟ ଶକ୍ତି, ଗ୍ରାମୀଣ ଏବଂ ଅଣ-କୃଷି ବ୍ୟବସାୟ, ପାଇକାରୀ ଏବଂ ଖୁଚୁରା ବ୍ୟବସାୟ, ଗ୍ରାମୀଣ ଏବଂ କୁଟୀର ଶିଳ୍ପ, ମହିଳା ଉଦ୍ୟୋଗ ଆଦି ସମେତ ପ୍ରାଥମିକତା କ୍ଷେତ୍ରରେ ପ୍ରୟାସ ପାଇଁ ଆବଶ୍ୟକ ବଜେଟ୍‌ ଉପସ୍ଥାପନ କରିବା ଆଦି ଏସଆଇପିରେ ସାମିଲ ରହିଛି।

ଏକ ଶୀର୍ଷ ଜାତୀୟ ଏମଏସଏମଇ ପରିଷଦ ମାଧ୍ୟମରେ ଆରଏଏମପିର ସାମଗ୍ରିକ ନିରୀକ୍ଷଣ ଏବଂ ନୀତିର ଅବଲୋକନ କରାଯିବ, ଏଥିରେ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧିମାନଙ୍କ ସହିତ ଏମଏସଏମଇ ମନ୍ତ୍ରୀ ସାମିଲ ରହିବେ। ଏହାକୁ ସମର୍ଥନ ଯୋଗାଇ ଦେବା ପାଇଁ ଏକ ସଚିବାଳୟ ରହିବ। ଆରଏଏମପି କାର୍ଯ୍ୟକ୍ରମ କମିଟି ଏମଏସଏମଇ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରାଯିବ ଯାହାକି ଆରଏଏମପି ଯୋଜନାର ନିର୍ଦ୍ଦିଷ୍ଟ ବିତରଣଯୋଗ୍ୟ ଦିଗକୁ ଅନୁଧ୍ୟାନ କରିବ। ଆହୁରି ଦୈନନ୍ଦିନ କାର୍ଯ୍ୟକାରିତା ପାଇଁ ଜାତୀୟସ୍ତରରେ ଏବଂ ରାଜ୍ୟସ୍ତରରେ ଏକ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ୍‌ ରହିବ। ଏଥିରେ ଆରଏଏମପି କାର୍ଯ୍ୟକ୍ରମର କାର୍ଯ୍ୟକାରିତା, ଅନୁଧ୍ୟାନ ଏବଂ ମୂଲ୍ୟାଙ୍କନ ପାଇଁ ଏମଏସଏମଇ ମନ୍ତ୍ରଣାଳୟ ଏବଂ ରାଜ୍ୟମାନଙ୍କୁ ସମର୍ଥନ ଯୋଗାଇ ଦେବା ନିମନ୍ତେ ଶିଳ୍ପ ବିଶେଷଜ୍ଞମାନେ ରହିବେ।

କେଉଁ ରାଜ୍ୟ/ଜିଲ୍ଲା ଯୋଜନା ପରିଧିରେ ରହିବେ:

ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶକୁ ଏସଆଇପି ପ୍ରସ୍ତୁତ କରିବା ଲାଗି ଆମନ୍ତ୍ରଣ କରାଯିବ ତଥା ଏସଆଇପି ଅଧୀନରେ ଦିଆଯିବାକୁ ଥିବା ପ୍ରସ୍ତାବକୁ ସେଗୁଡ଼ିକର ମୂଲ୍ୟାଙ୍କନ ଆଧାରରେ ପାଣ୍ଠି ଯୋଗାଇ ଦିଆଯିବ।

ଅର୍ଥ ପୋଷଣ ବସ୍ତୁନିଷ୍ଠ ଚୟନ ମାନଦଣ୍ଡ ଉପରେ ଆଧାରିତ ହେବ ଏବଂ ଏସଆଇପିର ମୂଲ୍ୟାଙ୍କନ ଏବଂ ଏହାର ମଞ୍ଜୁରି ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ପ୍ରତିଷ୍ଠିତ କଠୋର ପ୍ରକ୍ରିୟା ଜରିଆରେ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

ରେଳ କର୍ମଚାରୀଙ୍କ ପାଇଁ ଘୋଷଣା ହେଲା ପୂଜା ବୋନସ, ବଣ୍ଟା ଯିବ ୧୯୮୪ କୋଟି ଟଙ୍କା

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆରପିଏଫ୍ / ଆରପିଏସ୍ଏଫ୍ କର୍ମଚାରୀଙ୍କୁ ବାଦ ଦେଇ ସମସ୍ତ ଯୋଗ୍ୟ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ ଉତ୍ପାଦକତା ଲିଙ୍କ୍ ବୋନସ୍ (ପ୍ରଡକ୍ଟିଭିଟି ଲିଙ୍କ୍ ବୋନସ୍ PLB) ପାଉଣା କରିବାକୁ ଅନୁମୋଦନ କରାଯାଇଅଛି।

ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଏହା ୭୮ ଦିନର ମଜୁରୀ ସହିତ ସମାନ ହେବ। ଆରପିଏଫ୍ କର୍ମଚାରୀଙ୍କୁ ବାଦ ଦେଇ ପ୍ରାୟ ୧୧.୫୬ ଲକ୍ଷ ଅଣ-ଗେଜେଟେଡ୍ ରେଳ କର୍ମଚାରୀ ଏହି ଉତ୍ପାଦକତା ଲିଙ୍କ୍ ବୋନସ୍ ଦ୍ୱାରା ହିତାଧିକାରୀ ହେବେ।

ଯୋଗ୍ୟ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନ ପାଇଁ ସର୍ବାଧିକ ଦେୟ ହେଉଛି ୧୭,୯୫୧/- ଟଙ୍କା। ଏହି ଉତ୍ପାଦନ ଲିଙ୍କଡ୍ ବୋନସ୍ ସମସ୍ତ ରେଳ କର୍ମଚାରୀ ଯଥା ଟ୍ରାକ ମେଣ୍ଟେନର, ଡ୍ରାଇଭର ଓ ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲପର, କଣ୍ଟ୍ରୋଲର ( ନିୟନ୍ତ୍ରକ), ପଏଣ୍ଟମ୍ୟାନ୍, କିରାଣୀ ଓ ଅନ୍ୟ ସମସ୍ତ ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ପ୍ରଦାନ କରାଯିବ।

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନ ପିଏଲବି ପାଇଁ ପ୍ରାୟ ୧୯୮୪.୭୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କୋଭିଡ -୧୯ ପ୍ରତିକୂଳ ପରିସ୍ଥିତିର ଆର୍ଥିକ ସମସ୍ୟା ସତ୍ୱେ ଏହି PLB ଦେୟ ପାଇଁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।

ନିର୍ଦ୍ଦିଷ୍ଟ ଫର୍ମୁଲା ଆଧାରରେ କାର୍ଯ୍ୟ କରାଯାଇଥିବା କାର୍ଯ୍ୟ ଦିବସ ଅପେକ୍ଷା PLB କାର୍ଯ୍ୟ ଦିବସ ଦିଆଯାଉଥିବା ପ୍ରକୃତ ସଂଖ୍ୟା ଅଧିକ ଅଟେ। ରେଳବାଇର କାର‌୍ୟ୍ୟରେ ଉନ୍ନତି ଆଣିବା ପାଇଁ ରେଳ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ PLB ଦେୟ ଏକ ପ୍ରୋତ୍ସାହନ ଭାବରେ କାର୍ଯ୍ୟ କରିଥାଏ।