Categories
ଆଜିର ଖବର ଜାତୀୟ ଖବର

କ୍ୟାବିନେଟ୍‌ ନିଷ୍ପତ୍ତି: ଜାତୀୟ ପ୍ରାକୃତିକ କୃଷି ମିଶନର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବରେ ପ୍ରାକୃତିକ କୃଷି ଉପରେ ଜାତୀୟ ମିଶନ (ଏନଏମଏନଏଫ)ର ଶୁଭାରମ୍ଭକୁ ମଞ୍ଜୁରି ମିଳିଛି।

ଏହି ଯୋଜନାରେ ପଞ୍ଚଦଶ ଅର୍ଥ ଆୟୋଗ (୨୦୨୫-୨୬) ଅବଧି ସୁଦ୍ଧା ମୋଟ ବ୍ୟୟ ଅଟକଳ ୨୪୮୧ କୋଟି ଟଙ୍କା (ଭାରତ ସରକାରଙ୍କ ଅଂଶ – ୧୫୮୪ କୋଟି ଟଙ୍କା; ରାଜ୍ୟ ଅଂଶ – ୮୯୭ କୋଟି ଟଙ୍କା) ରଖାଯାଇଛି।

ଭାରତ ସରକାର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବରେ ସମଗ୍ର ଦେଶରେ ମିଶନ ମୋଡରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ପ୍ରାକୃତିକ କୃଷି ମିଶନ (ଏନଏମଏନଏଫ) ଆରମ୍ଭ କରିଛନ୍ତି ।

ସେମାନଙ୍କ ପୂର୍ବପୁରୁଷଙ୍କଠାରୁ ପ୍ରାପ୍ତ ପାରମ୍ପରିକ ଜ୍ଞାନ ଆଧାରରେ, ଦେଶର ଚାଷୀମାନେ ଏକ ରାସାୟନିକ ମୁକ୍ତ ଚାଷ ଭାବରେ ପ୍ରାକୃତିକ କୃଷି (ଏନଏଫ) ଅଭ୍ୟାସ ଅବଲମ୍ବନ କରିବେ ଯେଉଁଥିରେ ସ୍ଥାନୀୟ ପ୍ରାଣୀସମ୍ପଦ ସମନ୍ୱିତ ପ୍ରାକୃତିକ ଚାଷ ପଦ୍ଧତି, ବିବିଧ ଫସଲ ପ୍ରଣାଳୀ ଇତ୍ୟାଦି ଅନ୍ତର୍ଭୁକ୍ତ । ଏନଏଫ ସ୍ଥାନୀୟ ଜ୍ଞାନ, ଭୌଗଳିକ ସ୍ଥିତି ଅନୁକୂଳ ଜ୍ଞାନକୌଶଳ ଉପରେ ଆଧାରିତ ସ୍ଥାନୀୟ କୃଷି-ପରିବେଶ ନୀତିକୁ ଅନୁସରଣ କରିବ ଏବଂ ସ୍ଥାନୀୟ କୃଷି-ପରିବେଶ ଅନୁଯାୟୀ ବିକଶିତ ହେବ ।

ସମସ୍ତଙ୍କ ପାଇଁ ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଏନ୍ଏଫ୍ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ଏନଏମଏନଏଫର ଲକ୍ଷ୍ୟ । ଚାଷର ଇନପୁଟ୍ ଖର୍ଚ୍ଚ ହ୍ରାସ କରିବା ଏବଂ ବାହାରୁ କିଣା ଯାଇଥିବା ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ କୃଷକମାନଙ୍କୁ ସହାୟତା କରିବା ନିମନ୍ତେ ଏହି ମିଶନ ପ୍ରସ୍ତୁତ କରାଯାଇଛି। ପ୍ରାକୃତିକ କୃଷି ଦ୍ୱାରା ସୁସ୍ଥ ମୃତ୍ତିକା ପରିବେଶ ବ୍ୟବସ୍ଥା ନିର୍ମାଣ ଓ ରକ୍ଷଣାବେକ୍ଷଣ ସମ୍ଭବ ହେବ, ଜୈବ ବିବିଧତାକୁ ପ୍ରୋତ୍ସାହନ ମିଳିବ ଏବଂ ସ୍ଥାନୀୟ କୃଷି ପରିବେଶ ଅନୁଯାୟୀ ଦୀର୍ଘସ୍ଥାୟୀତ୍ୱ ବୃଦ୍ଧି ପାଇଁ ବିଭିନ୍ନ ଫସଲ ପ୍ରଣାଳୀକୁ ପ୍ରୋତ୍ସାହିତ କରାଯିବ। କୃଷକ ପରିବାର ଏବଂ ଉପଭୋକ୍ତାଙ୍କ ପାଇଁ ଦୀର୍ଘସ୍ଥାୟୀତ୍ୱ, ଜଳବାୟୁ ସ୍ଥିରତା ଏବଂ ସୁସ୍ଥ ଖାଦ୍ୟ ଦିଗରେ କୃଷି ଅଭ୍ୟାସକୁ ବୈଜ୍ଞାନିକ ରୂପେ ପୁନରୁଦ୍ଧାର ଏବଂ ସୁଦୃଢ଼ କରିବା ପାଇଁ ଏନଏମଏନଏଫ ଆରମ୍ଭ କରାଯାଇଛି ।

ଆଗାମୀ ଦୁଇ ବର୍ଷ ମଧ୍ୟରେ ଇଚ୍ଛୁକ ଗ୍ରାମ ପଞ୍ଚାୟତର ୧୫,୦୦୦ କ୍ଲଷ୍ଟରରେ ଏନଏମଏନଏଫ କାର୍ଯ୍ୟକାରୀ ହେବ । ୧ କୋଟି କୃଷକଙ୍କ ପାଖରେ ମିଶନ ପହଞ୍ଚିବ ଏବଂ ୭.୫ ଲକ୍ଷ ହେକ୍ଟର ଅଞ୍ଚଳରେ ପ୍ରାକୃତିକ ଚାଷ (ଏନଏଫ) ଆରମ୍ଭ କରାଯିବ । ଏନଏଫ କୃଷକ, ଏସଆରଏଲଏମ / ପିଏସିଏସ / ଏଫପିଓ ଇତ୍ୟାଦି ଅଭ୍ୟାସ କରୁଥିବା ଅଞ୍ଚଳକୁ ପ୍ରାଥମିକତା ଦିଆଯିବ । ଏହାବ୍ୟତୀତ, କୃଷକମାନଙ୍କ ପାଇଁ ବ୍ୟବହୃତ ଏନଏଫ ଇନପୁଟଗୁଡିକୁ ସହଜରେ ଉପଲବ୍ଧତା ଏବଂ ସୁଲଭତା ପ୍ରଦାନ କରିବା ପାଇଁ ଆବଶ୍ୟକତା ଭିତ୍ତିକ ୧୦,୦୦୦ ବାୟୋ-ଇନପୁଟ୍ ରିସୋର୍ସ ସେଣ୍ଟର (ବିଆରସି) ପ୍ରତିଷ୍ଠା କରାଯିବ ।

ଏନଏମଏନଏଫ ଅଧୀନରେ, କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), କୃଷି ବିଶ୍ୱବିଦ୍ୟାଳୟ (ଏୟୁ) ଓ କୃଷକଙ୍କ ଜମି ନିକଟରେ ପାଖାପାଖି ୨୦ ଏନଏଫ ମଡେଲ ପ୍ରଦର୍ଶନ ଫାର୍ମ ପ୍ରତିଷ୍ଠା କରାଯିବ ଏବଂ ଅଭିଜ୍ଞ ଏବଂ ତାଲିମପ୍ରାପ୍ତ କୃଷକ ମାଷ୍ଟର ଟ୍ରେନରଙ୍କ ଦ୍ୱାରା ସମର୍ଥନ କରାଯିବ । ଇଚ୍ଛୁକ କୃଷକମାନଙ୍କୁ କେଭିକେ, ଏୟୁ ଏବଂ ଏନଏଫ କୃଷକଙ୍କ ଜମିରେରେ ସେମାନଙ୍କ ଗାଁ ନିକଟରେ ଅଭ୍ୟାସର ଏନଏଫ ପ୍ୟାକେଜ, ଏନଏଫ ଇନପୁଟ୍ ପ୍ରସ୍ତୁତି ଇତ୍ୟାଦି ଉପରେ ମଡେଲ ପ୍ରଦର୍ଶନ ଫାର୍ମରେ ପ୍ରଶିକ୍ଷଣ ଦିଆଯିବ । ୧୮.୭୫ ଲକ୍ଷ ତାଲିମପ୍ରାପ୍ତ ଇଚ୍ଛୁକ କୃଷକମାନେ ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କୁ ବ୍ୟବହାର କରି କିମ୍ବା ବିଆରସିରୁ କ୍ରୟ କରି ଜୀବମୃତ, ବିଜାମୃତ ଇତ୍ୟାଦି ସାମଗ୍ରୀ ପ୍ରସ୍ତୁତ କରିବେ । କ୍ଲଷ୍ଟରରେ ଇଚ୍ଛୁକ କୃଷକମାନଙ୍କୁ ସଚେତନତା ସୃଷ୍ଟି, ସହଯୋଗ ଏବଂ ସହାୟତା ପାଇଁ ୩୦,୦୦୦ କୃଷି ସଖୀ / ସିଆରପି ନିୟୋଜିତ କରାଯିବ । ପ୍ରାକୃତିକ କୃଷି ପ୍ରଣାଳୀ କୃଷକମାନଙ୍କୁ ଚାଷର ଇନପୁଟ୍ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ମାଟିର ସ୍ୱାସ୍ଥ୍ୟ, ଉର୍ବରତା ଏବଂ ଗୁଣବତ୍ତାକୁ ପୁନରୁଦ୍ଧାର କରିବ ଏବଂ ଜଳବନ୍ଦୀ, ବନ୍ୟା, ମରୁଡ଼ି ଇତ୍ୟାଦି ଜଳବାୟୁ ବିପଦର ମୁକାବିଲା କରିବାରେ ସହାୟକ ହେବ । ଏହି ଅଭ୍ୟାସ ସାର, କୀଟନାଶକ ଇତ୍ୟାଦି ସଂସ୍ପର୍ଶରେ ଆସିବା ଦ୍ୱାରା ସ୍ୱାସ୍ଥ୍ୟ ବିପଦକୁ ହ୍ରାସ କରିଥାଏ ଏବଂ କୃଷକ ପରିବାର ପାଇଁ ସ୍ୱାସ୍ଥ୍ୟକର ଏବଂ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିଥାଏ। ଏହାବ୍ୟତୀତ ପ୍ରାକୃତିକ କୃଷି ଜରିଆରେ ଭବିଷ୍ୟତ ପିଢ଼ି ପାଇଁ ପୃଥିବୀ ମାତାଙ୍କ ସଂରକ୍ଷଣକୁ ପ୍ରୋତ୍ସାହନ ମିଳେ। ମୃତ୍ତିକା କାର୍ବନ ପରିମାଣ ଏବଂ ଜଳ ବ୍ୟବହାର ଦକ୍ଷତାରେ ଉନ୍ନତି ମାଧ୍ୟମରେ, ଏନଏଫରେ ମୃତ୍ତିକା ଅଣୁଜୀବ ଏବଂ ଜୈବ ବିବିଧତା ବୃଦ୍ଧି ପାଇଥାଏ ।

କୃଷକମାନଙ୍କୁ ସେମାନଙ୍କ ପ୍ରାକୃତିକ କୃଷିଜାତ ଦ୍ରବ୍ୟର ବଜାରୀକରଣ ପାଇଁ ଏକ ସହଜ ସରଳ ପ୍ରମାଣୀକରଣ ବ୍ୟବସ୍ଥା ଏବଂ ଉତ୍ସର୍ଗୀକୃତ ସାଧାରଣ ବ୍ରାଣ୍ଡିଂ ପ୍ରଦାନ କରାଯିବ । ଏନଏମଏନଏଫ କାର୍ଯ୍ୟକାରିତାର ରିୟଲ ଟାଇମ୍ ଜିଓ-ଟ୍ୟାଗ୍ ଏବଂ ରେଫରେନ୍ସ ମନିଟରିଂ ଏକ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ କରାଯିବ ।

ସ୍ଥାନୀୟ ପଶୁପାଳନ ବୃଦ୍ଧି, କେନ୍ଦ୍ରୀୟ ପଶୁ ପ୍ରଜନନ ଫାର୍ମ/ଆଞ୍ଚଳିକ ପଶୁଖାଦ୍ୟ କେନ୍ଦ୍ରଗୁଡ଼ିକରେ ଏନ୍. ଏଫ୍. ମଡେଲ ପ୍ରଦର୍ଶନ ଫାର୍ମର ବିକାଶ, ସ୍ଥାନୀୟ କୃଷକ ବଜାର, ଏ. ପି. ଏମ୍. ସି. (କୃଷି ଉତ୍ପାଦ ବଜାର କମିଟି), ମଣ୍ଡି, ହାଟ, ଡିପୋ ଇତ୍ୟାଦି ପାଇଁ ସମନ୍ୱୟ ମାଧ୍ୟମରେ ଜିଲ୍ଲା/ବ୍ଲକ/ପଞ୍ଚାୟତ ସ୍ତରରେ ବଜାର ସଂଯୋଗ ପ୍ରଦାନ କରିବା ପାଇଁ ଭାରତ ସରକାର/ରାଜ୍ୟ ସରକାର/ଜାତୀୟ ଏବଂ ଆନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକର ବିଦ୍ୟମାନ ଯୋଜନା ଏବଂ ସହାୟକ ଢାଞ୍ଚା ସହିତ ସମନ୍ୱୟ ଅନ୍ୱେଷଣ କରାଯିବ। ଏହାବ୍ୟତୀତ ଆରଏଭି କାର୍ଯ୍ୟକ୍ରମ ଏବଂ ଏନଏଫରେ ଉତ୍ସର୍ଗୀକୃତ ସ୍ନାତକ, ସ୍ନାତକୋତ୍ତର ଏବଂ ଡିପ୍ଲୋମା ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଏନଏମଏନଏଫରେ ନିୟୋଜିତ କରାଯିବ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କେନ୍ଦ୍ରୀୟ ଯୋଜନା ‘କୃଷି ଭିତ୍ତିଭୂମି ପାଣ୍ଠି’ର କ୍ରମିକ ସଂପ୍ରସାରଣକୁ କ୍ୟାବିନେଟ୍ ଅନୁମୋଦନ  

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ‘କୃଷି ଭିତ୍ତିଭୂମି ପାଣ୍ଠି’ ଅନ୍ତର୍ଗତ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ଯୋଜନାର କ୍ରମିକ ସମ୍ପ୍ରସାରଣକୁ ମଞ୍ଜୁରି ମିଳିଛି, ଯାହାଦ୍ୱାରା ଏହା ଅଧିକ ଆକର୍ଷଣୀୟ, ଫଳପ୍ରଦ ଏବଂ ସମାବେଶୀ ହୋଇପାରିବ।

ଦେଶରେ କୃଷକ ସମ୍ପ୍ରଦାୟର ବୃଦ୍ଧି, ସୁଦୃଢ଼ୀକରଣ ଏବଂ ସହାୟତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର କୃଷି ଭିତ୍ତିଭୂମି ପାଣ୍ଠି (ଏ. ଆଇ. ଏଫ୍.) ଯୋଜନାର ପରିସରକୁ ସମ୍ପ୍ରସାରିତ କରିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି।

ଦେଶରେ କୃଷି ଭିତ୍ତିଭୂମିକୁ ବଢ଼ାଇବା, ସୁଦୃଢ଼ କରିବା ଏବଂ କୃଷକ ସମାଜକୁ ସହାୟତା ପ୍ରଦାନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପରେ ସରକାର କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ଯୋଜନାର ପରିଧିକୁ ବିସ୍ତାର କରିବା ଲାଗି ଅନେକ ଉପାୟ ଘୋଷଣା କରିଛନ୍ତି । ଯୋଗ୍ୟ ପ୍ରକଳ୍ପଗୁଡ଼ିକର ପରିସରକୁ ବିସ୍ତାର କରିବା ଏବଂ ଏକ ସୁଦୃଢ଼ କୃଷି ଭିତ୍ତିଭୂମି ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଅତିରିକ୍ତ ସହାୟକ ଉପାୟକୁ ଯୋଡିବା ଏହି ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ।

ବ୍ୟବହାରଯୋଗ୍ୟ କୃଷି ସମ୍ପତ୍ତି: ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ‘ଗୋଷ୍ଠୀ କୃଷି ସମ୍ପତ୍ତି ନିର୍ମାଣ ପାଇଁ ବ୍ୟବହାରଯୋଗ୍ୟ ପ୍ରକଳ୍ପ’ ଅଧୀନରେ ଆସୁଥିବା ମୌଳିକ ଭିତ୍ତିଭୂମି ସୃଷ୍ଟି ଲାଗି ଅନୁମତି ଦେବା। ଏହି ପଦକ୍ଷେପ ଦ୍ୱାରା  ବ୍ୟବହାରଯୋଗ୍ୟ ପ୍ରକଳ୍ପର ବିକାଶ ସୁଗମ ହେବାର ଆଶା କରାଯାଉଛି । ଏହା ଗୋଷ୍ଠୀ କୃଷି କ୍ଷମତା ବୃଦ୍ଧି କରିବ ଯାହାଫଳରେ ଏହି କ୍ଷେତ୍ରରେ ଉତ୍ପାଦକତା ଓ ସ୍ଥିରତାରେ ସୁଧାର ଆସିବ।

ସମନ୍ୱିତ ପ୍ରକ୍ରିୟାକରଣ ପ୍ରକଳ୍ପ: କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ଅଧୀନରେ ଯୋଗ୍ୟ ଗତିବିଧିର ତାଲିକାରେ ସମନ୍ୱିତ ପ୍ରାଥମିକ ଦ୍ୱିତୀୟକ ପ୍ରକ୍ରିୟାକରଣ ପ୍ରକଳ୍ପକୁ ସାମିଲ କରିବା। ତେବେ କେବଳ ଦ୍ୱିତୀୟକ ପ୍ରକଳ୍ପ ଯୋଗ୍ୟ ହେବ ନାହିଁ ଏବଂ ସେଗୁଡ଼ିକୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟର ଯୋଜନାଗୁଡ଼ିକର ଅନ୍ତର୍ଗତ ସାମିଲ୍‌ କରାଯିବ ।

ପିଏମ କୁସୁମ ଉପାଦାନ – ଏ: କୃଷକ/ଚାଷୀ ଗୋଷ୍ଠୀ/କୃଷକ ଉତ୍ପାଦକ ସଂଗଠନ/ସମବାୟ ସମିତି/ପଞ୍ଚାୟତ ପାଇଁ ଏଆଇଏଫ୍ ସହିତ ପିଏମ-କୁସୁମର ସମନ୍ୱୟ-ଏକୁ ଅନୁମତି। କୃଷି ଭିତ୍ତିଭୂମିର ବିକାଶ ସହିତ ନିରନ୍ତର ସ୍ୱଚ୍ଛ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ମିଶ୍ରଣର ଲକ୍ଷ୍ୟ ।

ନବ ସଂରକ୍ଷଣ : ସିଜିଟିଏମଏସଇ ବ୍ୟତୀତ, ନବ ସଂରକ୍ଷଣ ଟ୍ରଷ୍ଟି କମ୍ପାନୀ ପ୍ରାଇଭେଟ୍ ଲିମିଟେଡ ମାଧ୍ୟମରେ ଏଫପିଓଗୁଡିକର ଏଆଇଏଫ କ୍ରେଡିଟ୍ ଗ୍ୟାରେଣ୍ଟି କଭରେଜ୍ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । କ୍ରେଡିଟ୍ ଗ୍ୟାରେଣ୍ଟି ବିକଳ୍ପର ଏହି ସମ୍ପ୍ରସାରଣ ର ଉଦ୍ଦେଶ୍ୟ ହେଉଛି ଏଫପିଓଗୁଡ଼ିକର ଆର୍ଥିକ ସୁରକ୍ଷା ଏବଂ ଋଣଯୋଗ୍ୟତା ବୃଦ୍ଧି କରିବା, ଯାହା ଦ୍ୱାରା କୃଷି ଭିତ୍ତିଭୂମି ପ୍ରକଳ୍ପଗୁଡିକରେ ଅଧିକ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରାଯାଇପାରିବ ।

୨୦୨୦ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ପରଠାରୁ ଏଆଇଏଫ୍ ୬୬୨୩ ଗୋଦାମଗୃହ, ୬୮୮ ଶୀତଳ ଭଣ୍ଡାର ଏବଂ ୨୧ଟି ସାଇଲୋ ପ୍ରକଳ୍ପ ନିର୍ମାଣରେ ସହାୟକ ହୋଇଛି, ଯାହା ଦ୍ୱାରା ଦେଶରେ ପ୍ରାୟ ୫୦୦ ଲକ୍ଷ ମେଟ୍ରିକ୍‌ ଟନ୍‌ (ଏଲଏମଟି)ର ଅତିରିକ୍ତ ଷ୍ଟୋରେଜ୍ କ୍ଷମତା ପ୍ରଦାନ କରାଯାଇଛି । ଏଥିରେ ୪୬୫ ଏଲଏମଟି ଶୁଷ୍କ ଭଣ୍ଡାର ଏବଂ ୩୫ ଏଲଏମଟି ଶୀତଳ ଭଣ୍ଡାର କ୍ଷମତା ଅନ୍ତର୍ଭୁକ୍ତ ।

ଏହି ଅତିରିକ୍ତ ସଂରକ୍ଷଣ କ୍ଷମତା ସହିତ ବାର୍ଷିକ ୧୮.୬ ଏଲଏମଟି ଖାଦ୍ୟଶସ୍ୟ ଏବଂ ୩.୪୪ ଏଲ୍‌ଏମଟି ଉଦ୍ୟାନ କୃଷି ଜାତ ଦ୍ରବ୍ୟ ସଞ୍ଚୟ କରାଯାଇପାରିବ । ଏଆଇଏଫ୍ ଅଧୀନରେ ବର୍ତ୍ତମାନ ସୁଦ୍ଧା ୭୪,୫୦୮ଟି ପ୍ରକଳ୍ପ ପାଇଁ ୪୭,୫୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ କୃଷି କ୍ଷେତ୍ରରେ ୭୮,୫୯୬ କୋଟି ଟଙ୍କାର ପୁଞ୍ଜିନିବେଶ ସୃଷ୍ଟି କରିଥିବା ବେଳେ ସେଥିମଧ୍ୟରୁ ୭୮,୪୩୩ କୋଟି ଟଙ୍କା ଘରୋଇ ସଂସ୍ଥାରୁ ସଂଗ୍ରହ କରାଯାଇଛି।

ଏହାବ୍ୟତୀତ ଏଆଇଏଫ୍ ଅଧୀନରେ ମଞ୍ଜୁର ହୋଇଥିବା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ କୃଷି କ୍ଷେତ୍ରରେ ୮.୧୯ ଲକ୍ଷରୁ ଅଧିକ ଗ୍ରାମୀଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି। ଏଆଇଏଫ ଯୋଜନାର ପରିସର ବୃଦ୍ଧି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ, ଉତ୍ପାଦକତା ରେ ଉନ୍ନତି ଆଣିବ, କୃଷି ଆୟ ବୃଦ୍ଧି କରିବ ଏବଂ ଦେଶରେ କୃଷିର ସାମଗ୍ରିକ ସ୍ଥାୟୀତ୍ୱରେ ଯୋଗଦାନ କରିବ । ଏହି ପଦକ୍ଷେପ ଦେଶରେ କୃଷି ଭିତ୍ତିଭୂମିର ସାମଗ୍ରିକ ବିକାଶ ମାଧ୍ୟମରେ କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Categories
ଜାତୀୟ ଖବର ବିଶେଷ ଖବର

‘‘ପ୍ରଧାନମନ୍ତ୍ରୀ ଜୀ-ବନ୍‌ ଯୋଜନା’’ରେ ସଂଶୋଧନକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: ଜୈବ ଇନ୍ଧନ କ୍ଷେତ୍ରରେ ସଦ୍ୟତମ ବିକାଶ ସହିତ ତାଳମେଳ ରକ୍ଷା କରିବା ଏବଂ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ସଂଶୋଧିତ ପ୍ରଧାନମନ୍ତ୍ରୀ ଜୀ-ବନ ଯୋଜନାକୁ ଅନୁମୋଦନ କରାଯାଇଛି।

ସଂଶୋଧିତ ପ୍ରସ୍ତାବରେ ଏହି ଯୋଜନାକୁ ୫ ବର୍ଷ ଅର୍ଥାତ୍ ୨୦୨୮-୨୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାର ସମୟସୀମା ବୃଦ୍ଧି କରାଯାଇଛି ଏବଂ ଏହାର ପରିସରରେ ଲିଗ୍ନୋସେଲୁଲୋସିକ୍ ଫିଡଷ୍ଟକ୍ ରୁ ଉତ୍ପାଦିତ ଉନ୍ନତ ଜୈବ ଇନ୍ଧନ ଯଥା କୃଷି ଓ ଜଙ୍ଗଲ ବର୍ଜ୍ୟ, ଶିଳ୍ପ ବର୍ଜ୍ୟବସ୍ତୁ, ସିନ୍ଥେସିସ୍ (ସିନ୍) ଗ୍ୟାସ୍, ଶୈବାଳ ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରାଯାଇଛି। ‘‘ବୋଲ୍ଟ ଅନ୍’’ ପ୍ଲାଣ୍ଟ ଏବଂ ‘‘ବ୍ରାଉନଫିଲ୍ଡ ପ୍ରୋଜେକ୍ଟ’’ ମଧ୍ୟ ବର୍ତ୍ତମାନ ସେମାନଙ୍କ ଅଭିଜ୍ଞତାକୁ ଉପଯୋଗ କରିବା ଓ ନିଜ ସାମର୍ଥ୍ୟରେ ଉନ୍ନତି ଆଣିବା ପାଇଁ ଯୋଗ୍ୟ ହେବେ ।

ଏକାଧିକ ଜ୍ଞାନକୌଶଳ ଏବଂ ଏକାଧିକ ଫିଡଷ୍ଟକକୁ ପ୍ରୋତ୍ସାହିତ କରିବା ପାଇଁ, ବର୍ତ୍ତମାନ ଏହି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ଅଭିନବତା ରହିଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ପ୍ରାଥମିକତା ଦିଆଯିବ ।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ସେମାନଙ୍କ କୃଷି ବର୍ଜ୍ୟ ସାମଗ୍ରୀ ପାଇଁ ଲାଭଦାୟକ ଆୟ ପ୍ରଦାନ କରିବା, ପରିବେଶ ପ୍ରଦୂଷଣର ମୁକାବିଲା କରିବା, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଭାରତର ଇନ୍ଧନ ସୁରକ୍ଷା ଓ ଆତ୍ମନିର୍ଭରଶୀଳତାରେ ଯୋଗଦାନ କରିବା । ଏହା ଉନ୍ନତ ଜୈବ ଇନ୍ଧନ ପ୍ରଯୁକ୍ତିଗତ ବିକାଶକୁ ସମର୍ଥନ କରିବା ସହିତ ମେକ୍ ଇନ୍ ଇଣ୍ଡିଆ ମିଶନକୁ ପ୍ରୋତ୍ସାହିତ କରେ । ଏହା ୨୦୭୦ ସୁଦ୍ଧା ଶୁଦ୍ଧ-ଶୂନ୍ୟ ଜିଏଚଜି ନିର୍ଗମନ ପାଇଁ ଭାରତର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାରେ ମଧ୍ୟ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଜୀ-ବନ୍‌ ଯୋଜନା ମାଧ୍ୟମରେ ଉନ୍ନତ ଜୈବ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଏକ ସ୍ଥାୟୀ ଏବଂ ଆତ୍ମନିର୍ଭରଶୀଳ ଶକ୍ତି କ୍ଷେତ୍ର ପ୍ରତି ରହିଥିବା ସମର୍ପଣକୁ ପ୍ରତିଫଳିତ କରେ ।

ପୃଷ୍ଠଭୂମି :

ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ପ୍ରୋତ୍ସାହିତ କରୁଛନ୍ତି ଯେଉଁଥିରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ଓଏମସି) ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରିଥାନ୍ତି । ଇବିପି କାର୍ଯ୍ୟକ୍ରମ ଅଧୀନରେ ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ୨୦୧୩-୧୪ରେ ପେଟ୍ରୋଲ ସହିତ ଇଥାନଲ୍ ର ମିଶ୍ରଣ ୩୮ କୋଟି ଲିଟର ଥିବା ବେଳେ ୨୦୨୨-୨୩ରେ ଏହା ୫୦୦ କୋଟି ଲିଟରରୁ ଅଧିକକୁ ବୃଦ୍ଧି ପାଇଛି। ୨୦୨୪ ଜୁଲାଇ ମାସରେ ମିଶ୍ରଣ ପ୍ରତିଶତ ୧୫.୮୩% ଛୁଇଁଛି ଏବଂ ଚଳିତ ଇଏସୱାଇ ୨୦୨୩-୨୪ରେ ସମୁଦାୟ ମିଶ୍ରଣ ପ୍ରତିଶତ ୧୩% ଅତିକ୍ରମ କରିଛି।

୨୦୨୫-୨୬ ଶେଷ ସୁଦ୍ଧା ୨୦% ମିଶ୍ରଣ ଲକ୍ଷ୍ୟ ହାସଲ କରିବାକୁ ଓଏମସି ଗୁଡ଼ିକ ଲକ୍ଷ୍ୟ ରଖିଛନ୍ତି। ଆକଳନ ମୁତାବକ, ୨୦% ମିଶ୍ରଣ ହାସଲ କରିବା ପାଇଁ ଇଏସୱାଇ ୨୦୨୫-୨୬ ରେ ୧୧୦୦ କୋଟି ଲିଟରରୁ ଅଧିକ ଇଥାନଲ୍ ଆବଶ୍ୟକ ହେବ । ଏଥିପାଇଁ ମିଶ୍ରଣ ଆବଶ୍ୟକତା ପୂରଣ କରିବା ଏବଂ ଅନ୍ୟାନ୍ୟ ବ୍ୟବହାର (ପୋଟେବଲ, ରାସାୟନିକ, ଔଷଧ ଇତ୍ୟାଦି) ପାଇଁ ୧୭୫୦ କୋଟି ଲିଟର ଇଥାନଲ୍ ଡିଷ୍ଟିଲେସନ୍ କ୍ଷମତା ସ୍ଥାପନ କରିବା ଆବଶ୍ୟକ ।

ଇଥାନଲ ମିଶ୍ରଣ ଲକ୍ଷ୍ୟ ପୂରଣ କରିବା ପାଇଁ ସରକାର ଦ୍ୱିତୀୟ ପିଢ଼ିର (୨ଜି) ଇଥାନଲ (ଉନ୍ନତ ଜୈବ ଇନ୍ଧନ) ଭଳି ବିକଳ୍ପ ଉତ୍ସ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଅତ୍ୟାଧୁନିକ ଜୈବ ଇନ୍ଧନ ଜ୍ଞାନକୌଶଳ ବ୍ୟବହାର କରି ଅତିରିକ୍ତ ବାୟୋମାସ୍ /କୃଷି ବର୍ଜ୍ୟବସ୍ତୁ ଯେଉଁଥିରେ ସେଲୁଲୋଜିକ୍ ଏବଂ ଲିଗ୍ନୋସେଲୁଲୋସିକ୍ ଅଂଶ, ଶିଳ୍ପ ବର୍ଜ୍ୟବସ୍ତୁ ଇତ୍ୟାଦି ରହିଛି ତାହାକୁ ଇଥାନଲରେ ରୂପାନ୍ତରିତ କରାଯାଇପାରିବ ।

ଦେଶରେ ଟୁ-ଜି ଇଥାନଲ୍ କ୍ଷମତାକୁ ପ୍ରୋତ୍ସାହିତ କରିବା ଏବଂ ଏହି କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଟୁ-ଜି ବାୟୋ-ଇଥାନଲ ପ୍ରକଳ୍ପକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ୦୭.୦୩.୨୦୧୯ରେ ‘‘ପ୍ରଧାନମନ୍ତ୍ରୀ ଜୀ-ବନ୍ (ଜୟବ ଇନ୍ଧନ- ଭାତବରଣ ଅନୁକୂଳ ନିବାସ) ଯୋଜନା’’ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଏହି ଯୋଜନା ଅଧୀନରେ ହରିୟାଣାର ପାନିପତ ଠାରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଦ୍ୱାରା ସ୍ଥାପିତ ପ୍ରଥମ ଟୁ-ଜି ଇଥାନଲ ପ୍ରକଳ୍ପକୁ ମାନ୍ୟବର ପ୍ରଧାନମନ୍ତ୍ରୀ ୧୦ ଅଗଷ୍ଟ ୨୦୨୨ ରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ବିପିସିଏଲ୍, ଏଚପିସିଏଲ୍ ଓ ଏନ୍ ଆର୍ ଏଲ୍ ପକ୍ଷରୁ ବରଗଡ଼ (ଓଡ଼ିଶା), ଭଟିଣ୍ଡା (ପଞ୍ଜାବ) ଏବଂ ନୁମାଲିଗଡ଼ (ଆସାମ)ରେ ପ୍ରତିଷ୍ଠା କରାଯାଉଥିବା ଅନ୍ୟ ଟୁ-ଜି ବାଣିଜ୍ୟିକ ପ୍ରକଳ୍ପ ଗୁଡ଼ିକ ମଧ୍ୟ ଶେଷ ହେବାକୁ ଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଦେଶର ତିନୋଟି ପ୍ରମୁଖ ରେଳ ଷ୍ଟେସନର ପୁନଃବିକାଶ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶର ତିନୋଟି ପ୍ରମୁଖ ରେଳ ଷ୍ଟେସନର ବିକାଶ ନିମନ୍ତେ ଭାରତୀୟ ରେଳବାଇ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏସବୁ ଷ୍ଟେସନର ବିକାଶ ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରେଳ ଷ୍ଟେସନଗୁଡ଼ିକ ହେଲେ:

ନୂଆଦିଲ୍ଲୀ ରେଳ ଷ୍ଟେସନ;

ଅହମ୍ମଦାବାଦ ରେଳ ଷ୍ଟେସନ; ଏବଂ

ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ମୁମ୍ବାଇ

ଯେକୌଣସି ସହର ପାଇଁ ରେଳ ଷ୍ଟେସନ ଏକ ଗୁରୁତ୍ବପୂର୍ଣ୍ଣ ଏବଂ କେନ୍ଦ୍ରୀୟ ସ୍ଥାନ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳବାଇର ରୂପାନ୍ତରଣରେ ଷ୍ଟେସନଗୁଡ଼ିକର ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି। ଆଜିର କ୍ୟାବିନେଟ ନିଷ୍ପତ୍ତି ରେଳ ଷ୍ଟେସନଗୁଡ଼ିକର ବିକାଶ ପାଇଁ ଏକ ନୂତନ ମାର୍ଗ ପ୍ରଶସ୍ତ କରିବ । ଦେଶରେ ୧୯୯ଟି ଷ୍ଟେସନର ପୁନଃବିକାଶ କାର୍ଯ୍ୟ ଜାରି ରହିଛି। ଏଥିମଧ୍ୟରୁ ୪୭ଟି ଷ୍ଟେସନର ବିକାଶ ପାଇଁ ଟେଣ୍ଡର ଜାରି କରାଯାଇ ସାରିଛି। ଅବଶିଷ୍ଟ ଷ୍ଟେସନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତି ଏବଂ ଡିଜାଇନ କାର୍ଯ୍ୟ ଜାରି ରହିଛି। ଏବେ ସୁଦ୍ଧା ୩୨ଟି ଷ୍ଟେସନର ବିକାଶ କାର୍ଯ୍ୟରେ ଅଗ୍ରଗତି ଜାରି ରହିଛି। ଦେଶର ତିନୋଟି ବଡ଼ ରେଳ ଷ୍ଟେସନ ଯଥା ନୂଆଦିଲ୍ଲୀ ରେଳ ଷ୍ଟେସନ , ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ମୁମ୍ବାଇ ଏବଂ ଅହମ୍ମଦାବାଦ ରେଳ ଷ୍ଟେସନର ବିକାଶ ପାଇଁ ଆଜି କେନ୍ଦ୍ର କ୍ୟାବିନେଟ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଷ୍ଟେସନ ଡିଜାଇନରେ ମାନକ ଉପାଦାନ ଗୁଡ଼ିକ ହେବ:

 ପ୍ରତ୍ୟେକ ଷ୍ଟେସନରେ ଏକ ପ୍ରଶସ୍ତ ପରିସର ବା ରୁଫ ପ୍ଲାଜା (୩୬/୭୨/୧୦୮ ମିଟର) ରହିବା ସହିତ ଖୁଚୁରା ବ୍ୟବସାୟ, କ୍ୟାଫେଟେରିଆ, ଅବସର ବିନୋଦନ ସମେତ ସବୁ ଯାତ୍ରୀ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହେବ।

ସହରର ଉଭୟ ପାର୍ଶ୍ବ ଷ୍ଟେସନ ସହିତ ଯୋଡ଼ି ହେବ, ରେଳ ଟ୍ରାକର ଉଭୟ ପାର୍ଶ୍ବରେ ଷ୍ଟେସନ ବିଲ୍ଡିଂ ରହିବ।

ଫୁଡ କୋର୍ଟ, ଯାତ୍ରୀ ପ୍ରତୀକ୍ଷାଳୟ, ପିଲାମାନଙ୍କ ଖେଳିବା ସ୍ଥାନ, ସ୍ଥାନୀୟ ଉତ୍ପାଦ ପାଇଁ ସ୍ଥାନ ଆଦି ସୁବିଧା ଷ୍ଟେସନରେ ଉପଲବ୍ଧ ହେବ।

ସହର ଭିତରେ ରହିଥିବା ଷ୍ଟେସନଗୁଡ଼ିକରେ ଏକ ସିଟି ସେଣ୍ଟର ବା ସହର କେନ୍ଦ୍ରସ୍ଥଳୀ ଭଳି ସ୍ଥାନ ରହିବ।

ଷ୍ଟେସନଗୁଡ଼ିକୁ ଆରାମଦାୟକ କରିବା ଲାଗି ଯଥେଷ୍ଟ ଆଲୋକୀକରଣ, ମାର୍ଗ ସନ୍ଧାନ ସଙ୍କେତ/ଚିହ୍ନ, ଆକାଉଷ୍ଟିକ୍ସ, ଲିଫ୍ଟ/ଏସ୍କେଲେଟର୍ସ/ଟ୍ରାଭେଲେଟର୍ସ ରହିବ।

ଯଥେଷ୍ଟ ପାର୍କିଂ ସୁବିଧା ସହିତ ସୁଗମ ଟ୍ରାଫିକ ଗତିବିଧି ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି।

ମେଟ୍ରୋ, ବସ ଆଦି ଅନ୍ୟ ପରିବହନ ମାଧ୍ୟମ ସହିତ ସଂଯୋଗୀକରଣ ପାଇଁ ବ୍ୟବସ୍ଥା କରାଯିବ।

ସୌର ଶକ୍ତି, ଜଳ ସଂରକ୍ଷଣ/ଜଳ ପୁନଃଚକ୍ରଣ ଏବଂ ବୃକ୍ଷ ଘନତାରେ ସୁଧାର ସହିତ ସବୁଜ ଅଟ୍ଟାଳିକା ଜ୍ଞାନକୌଶଳ ବ୍ୟବହାର କରାଯିବ।

ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ସୁବିଧା ଯୋଗାଇ ଦେବା ଲାଗି ବିଶେଷ ଧ୍ୟାନ ଦିଆଯିବ।

ଇଣ୍ଟେଲିଜେଣ୍ଟ ବିଲ୍ଡିଂ ଅବଧାରଣା ସହିତ ଏସବୁ ଷ୍ଟେସନଗୁଡ଼ିକର ବିକାଶ କରାଯିବ।

ଆଗମନ/ପ୍ରସ୍ଥାନ ପାଇଁ ଅଲଗା ବ୍ୟବସ୍ଥା ରହିବ, କୋଳାହଳ ମୁକ୍ତ ପ୍ଲାଟଫର୍ମ, ଉନ୍ନତ ପୃଷ୍ଠଭୂମି, ସମ୍ପୂର୍ଣ୍ଣ ଛାତ ଆଚ୍ଛାଦିତ ପ୍ଲାଟଫର୍ମ ନିର୍ମାଣ କରାଯିବ।

ସିସିଟିଭି ଏବଂ ଆକ୍ସେସ କଣ୍ଟ୍ରୋଲ ସଂଯୋଗ କରାଯିବା ସହିତ ଷ୍ଟେସନଗୁଡ଼ିକୁ ନିରାପଦ କରାଯିବ।

ଏଗୁଡ଼ିକ ଆଦର୍ଶ ଷ୍ଟେସନ ଅଟ୍ଟାଳିକା ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏଣିକି ରାଜ୍ୟଗୁଡିକୁ ରିହାତି ଦରରେ ଡାଲି ଯୋଗାଇ ଦେବ କେନ୍ଦ୍ର, ମିଳିଲା କ୍ୟାବିନେଟ ମଂଜୁରୀ 

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇ ଦେବେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ କିଣାଯାଇଥିବା ଡାଲି ଷ୍ଟକରୁ କେନ୍ଦ୍ର ସରକାର ଏହି ଚଣା ରାଜ୍ୟମାନଙ୍କୁ ଯୋଗାଇ ଦେବେ।

ଏହି ଡାଲିକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଉପଯୋଗ କରିବେ। ଅନ୍ୟପଟେ ବିରି, ହରଡ଼ ଓ ମସୁର ଡାଲି ପାଇଁ ପିଏସଏସ ଅଧୀନରେ ଗୁଣବତ୍ତା କ୍ରୟ ସୀମାକୁ ମଧ୍ୟ ବର୍ତ୍ତମାନର ୨୫%ରୁ ୪୦%କୁ ବଢ଼ାଇବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଅନୁମୋଦିତ ଯୋଜନାରେ, ଉତ୍ସ ରାଜ୍ୟର ନିର୍ଗମ ମୂଲ୍ୟ ଉପରେ କିଲୋ ପ୍ରତି ୮ଟଙ୍କା ରିହାତିରେ ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚଣା ଯୋଗାଇ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପ୍ରସ୍ତାବ ଦିଆଯାଇଛି। ପ୍ରଥମେ ଅନୁରୋଧ ଆସିଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ପ୍ରଥମେ ଏହି ଯୋଜନାର ସୁବିଧା ମିଳିପାରିବ।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ସେମାନଙ୍କର ବିଭିନ୍ନ କଲ୍ୟାଣମୂଳକ କାର‌୍ୟ୍ୟକ୍ରମ/ଯୋଜନା ଯଥା ମଧ୍ୟାହ୍ନ ଭୋଜନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ସମନ୍ବିତ ଶିଶୁ ବିକାଶ କାର‌୍ୟ୍ୟକ୍ରମ (ଆଇସିଡିପି) ଆଦିରେ ଏହିସବୁ ଡାଲିକୁ ନିଜ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଉପଯୋଗ କରିବେ।

୧୨ ମାସର ଏକକାଳୀନ ବିତରଣ ଅବଧି କିମ୍ବା ୧୫ ଲକ୍ଷ ମେଟ୍ରିକ ଟନ୍ ଚଣା ଷ୍ଟକ୍ ସରିବା ପର‌୍ୟ୍ୟନ୍ତ, ଯାହା ପ୍ରଥମେ ହେବ ସେହି ସୀମା ଅନୁଯାୟୀ ଏହି ସୁବିଧା ଉପଲବ୍ଧ ରହିବ। ଭାରତ ସରକାର ଏହି ଯୋଜନାକୁ କାର‌୍ୟ୍ୟକାରୀ କରିବା ଲାଗି ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ।

କ୍ୟାବିନେଟଙ୍କ ନିଷ୍ପତ୍ତି ଫଳରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ ପିଡିଏସ, ମଧ୍ୟାହ୍ନ ଭୋଜନ ଯୋଜନା ଆଦି ବିଭିନ୍ନ କଲ୍ୟାଣମୂଳକ କାର‌୍ୟ୍ୟକ୍ରମରେ ଏହି ଚଣାକୁ ଉପଯୋଗ କରିବା ଲାଗି ସକ୍ଷମ ହେବେ। ମହଜୁଦ ଡାଲି ଉପଯୋଗ ହେବା ପରେ ପଣ୍ୟାଗାରଗୁଡ଼ିକରେ ସ୍ଥାନ ଖାଲି ହୋଇପାରିବ ଯାହାକି ଆସନ୍ତା ରବି ଋତୁ ସମୟରେ ମୂଲ୍ୟ ସମର୍ଥନ ଯୋଜନାରେ କିଣାଯାଇଥିବା ଡାଲି ଜାତୀୟ ଫସଲ ମହଜୁଦ କରି ରଖିବାରେ ସହାୟକ ହେବ।

ଏହାଦ୍ବାରା ଚାଷୀମାନେ ସେମାନଙ୍କ ଡାଲିର ଉଚିତ୍ ମୂଲ୍ୟ ପାଇପାରିବେ ଏବଂ ଅଧିକ ଡାଲିଜାତୀୟ ଫସଲ ଚାଷରେ ନିବେଶ କରିବା ପାଇଁ ସେମାନେ ଅନୁପ୍ରାଣିତ ହେବେ। ଭବିଷ୍ୟତରେ ମଧ୍ୟ ସେମାନେ ନିଜ ଉତ୍ପାଦର ଉଚିତ୍ ମୂଲ୍ୟ ପାଇପାରିବେ। ଅଧିକନ୍ତୁ, ଏହା ଆମ ଦେଶକୁ ଏପରି ଡାଲି ଉତ୍ପାଦନ କ୍ଷେତ୍ରରେ ଆତ୍ମ ନିର୍ଭର ହେବା ଦିଗରେ ସହାୟକ ହେବ।

ନିକଟ ଅତୀତରେ, ବିଶେଷ କରି ଗତ ତିନି ବର୍ଷ ମଧ୍ୟରେ ଚଣା (ଡାଲି) ଉତ୍ପାଦନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ ରବି ଋତୁରେ ମୂଲ୍ୟ ସମର୍ଥନ ଯୋଜନା ଅଧୀନରେ ଭାରତ ସରକାର ରେକର୍ଡ ପରିମାଣର ଚଣା କିଣି ପାରିଛନ୍ତି।

ଏହି କାରଣରୁ ପିଏସଏସ ଏବଂ ପିଏସଏଫ ଅଧୀନରେ ସରକାରଙ୍କ ପାଖରେ ୩୦.୫୫ ଲକ୍ଷ ମେଟ୍ରିକ ଟନ୍ ଚଣା ମହଜୁଦ ଅଛି। ପରବର୍ତ୍ତୀ ରବି ଋତୁରେ ଚଣା ଉତ୍ପାଦନ ମଧ୍ୟ ଭଲ ରହିବ ବୋଲି ଆଶା କରାଯାଉଛି। ଏହାଛଡ଼ା ୨୦୨୨-୨୩ ଋତୁ ପାଇଁ ଚଣାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଥିବା କାରଣରୁ ମୂଲ୍ୟ ସମର୍ଥନ ଯୋଜନାରେ ଅଧିକ ଡାଲି କିଣାଯିବ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ ଗଠନ ପ୍ରସଂଗ, ଆଜି କେନ୍ଦ୍ର କ୍ୟାବିନେଟ ଦେଲେ ମଂଜୁରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାମ ଅଏଲ (ତାଳ ତେଲ) ଲାଗି ଏକ ନୂତନ ମିଶନ ଆରମ୍ଭ କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ (ଏନଏମଇଓ-ଓପି) ନାମରେ ପରିଚିତ ହେବ। ଏହା ଏକ କେନ୍ଦ୍ର ପ୍ରୟୋଜିତ ଯୋଜନା। ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପ ସମୂହ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଏହି ଯୋଜନା କାର୍ଯ୍ୟକାରୀ କରାଯିବ।

ଖାଇବା ତେଲ ପାଇଁ ବର୍ତ୍ତମାନ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ୁଛି, ସେଥିପାଇଁ ଖାଇବା ତେଲ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଏଥିପାଇଁ ପାମ ଅଏଲ ଚାଷ ଓ ଉତ୍ପାଦନ ବଢ଼ାଇବା ଅତ୍ୟନ୍ତ ଜରୁରି।

ଏହି ଯୋଜନା ପାଇଁ ୧୧,୦୪୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ କରାଯାଇଛି। ଏଥିମଧ୍ୟରୁ କେନ୍ଦ୍ର ସରକାର ୮,୮୪୪ କୋଟି ଟଙ୍କା ବ୍ୟୟ କରିବେ। ଅବଶିଷ୍ଟ ୨,୧୯୬ କୋଟି ଟଙ୍କା ରାଜ୍ୟ ମାନଙ୍କୁ ବହନ କରିବାକୁ ହେବ। ଏଥିରେ ଆୟରୁ ଅଧିକ ବ୍ୟୟ ସ୍ଥିତିରେ କ୍ଷତିପୂରଣ ନିମନ୍ତେ ବ୍ୟବସ୍ଥା ମଧ୍ୟ ସାମିଲ ରହିଛି।

ଏହି ଯୋଜନା ଅନ୍ତର୍ଗତ, ୨୦୨୫-୨୬ ସୁଦ୍ଧା ପାମ ଅଏଲ ଚାଷର କ୍ଷେତ୍ରକୁ ଅତିରିକ୍ତ ୬.୫ ଲକ୍ଷ ହେକ୍ଟର ପର‌୍ୟ୍ୟନ୍ତ ବଢ଼ାଇବା ଲାଗି ପ୍ରସ୍ତାବ ରହିଛି। ଶେଷରେ ୧୦ ଲକ୍ଷ ହେକ୍ଟର ପର‌୍ୟ୍ୟନ୍ତ ପାମ ଅଏଲ ଚାଷକୁ ବୃଦ୍ଧି କରାଯିବ। ଅଶୋଧିତ ପାମ ଅଏଲ (ସିପିଓ)ର ଉତ୍ପାଦନ ପରିମାଣ ୨୦୨୫-୨୬ ସୁଦ୍ଧା ୧୧.୨୦ ଲକ୍ଷ ଟନ ଏବଂ ୨୦୨୯-୩୦ ସୁଦ୍ଧା ୨୮ ଲକ୍ଷ ଟନ ପର‌୍ୟ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଏହି ଯୋଜନା ଦ୍ବାରା ପାମ ଅଏଲ ଚାଷୀମାନଙ୍କୁ ଅଧିକ ଲାଭ ମିଳିବ। ପୁଞ୍ଜି ନିବେଶ ବୃଦ୍ଧି ପାଇବା ସହିତ ରୋଜଗାର ସୁଯୋଗ ସୃଷ୍ଟି ହେବ। ଏଥିସହିତ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଚାଷୀଙ୍କ ଆୟ ମଧ୍ୟ ବଢ଼ିବ।

୧୯୯୧-୯୨ ଠାରୁ ଭାରତ ସରକାର ତୈଳ ବୀଜ ଏବଂ ପାମ ଅଏଲ ଉତ୍ପାଦନ ବଢ଼ାଇବା ଲାଗି ଅନେକ ପ୍ରୟାସ କରିଆସିଛନ୍ତି। ୨୦୧୪-୧୫ରେ ୨୭୫ ଲକ୍ଷ ଟନ ତୈଳବୀଜ ଉତ୍ପାଦିତ ହୋଇଥିଲା। ୨୦୨୦-୨୧ରେ ଏହା ବୃଦ୍ଧି ପାଇଁ ୩୬୫.୬୫ ଲକ୍ଷ ଟନରେ ପହଞ୍ଚିଥିଲା। ପାମ ଅଏଲ ଉତ୍ପାଦନ କ୍ଷମତାକୁ ଦୃଷ୍ଟିରେ ରଖି ୨୦୨୦ରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଅଏଲ ପାମ ରିସର୍ଚ୍ଚ (ଆଇଆଇଓପିଆର) ପକ୍ଷରୁ ପାମ ଅଏଲ ଚାଷ ପାଇଁ ଏକ ଅଧ୍ୟୟନ କରାଯାଇଥିଲା। ପାଖାପାଖି ୨୮ ଲକ୍ଷ ହେକ୍ଟର ଜମିରେ ପାମ ଅଏଲ ଚାଷ ବିଷୟରେ ଏହି ସଂସ୍ଥାନ ପକ୍ଷରୁ ବିଚାର ବ୍ୟକ୍ତ କରାଯାଇଥିଲା। ତେଣୁ ତାଳ ଗଛ ଲଗାଇବାର ଅପାର ସମ୍ଭାବନା ରହିଛି, ଯାହା ଆଧାରରେ କଞ୍ଚା ତାଳ ତେଲ ଉତ୍ପାଦନ ବୃଦ୍ଧି କରାଯାଇପାରିବ।

ବର୍ତ୍ତମାନ ସମୟରେ ମାତ୍ର ୩.୭୦ ହେକ୍ଟରରେ ଅଏଲ ପାମ୍ ଚାଷ କରାଯାଉଛି। ଅନ୍ୟ ତୈଳ ବୀଜ ତୁଳନାରେ ତାଳ ତେଲ ଉତ୍ପାଦନ ହେକ୍ଟର ପ୍ରତି ୧୦ରୁ ୪୬ ଗୁଣା ଅଧିକ ହୋଇଥାଏ। ଏହାବ୍ୟତୀତ ଗୋଟିଏ ହେକ୍ଟର ଫସଲରୁ ପାଖାପାଖି ଚାରି ଟନ ତେଲ ବାହାରିଥାଏ। ସେହିପରି ଏହି ଚାଷ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି।

ଉପରୋକ୍ତ ବିଷୟ ପ୍ରତି ଧ୍ୟାନ ଦେଇ ତଥା ପାଖାପାଖି ୯୮ ପ୍ରତିଶତ କଞ୍ଚା ତାଳ ତେଲ ଆମଦାନୀ କରାଯାଉଥିବା ଦୃଷ୍ଟିରୁ ଏହି ଯୋଜନା ଆରମ୍ଭ କରାଯିବା ଲାଗି ପ୍ରସ୍ତାବ ଦିଆଯାଇଛି। ଯାହାଫଳରେ ତାଳ ଚାଷର କ୍ଷେତ୍ର ଏବଂ ଉତ୍ପାଦନ ଦେଶରେ ବୃଦ୍ଧି ପାଇବ। ପ୍ରସ୍ତାବିତ ଯୋଜନାରେ ବର୍ତ୍ତମାନର ଜାତୀୟ ଖାଦ୍ୟ ସୁରକ୍ଷା ମିଶନ-ଅଏଲ ପାମ କାର‌୍ୟ୍ୟକ୍ରମକୁ ସାମିଲ କରି ଦିଆଯିବ।

ଏହି ଯୋଜନାରେ ଦୁଇଟି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପାମ ଅଏଲ ଚାଷୀମାନେ ସତେଜ ଫଳ ଗୁଚ୍ଛ (ଏଫଏଫବି) ପ୍ରସ୍ତୁତ କରିଥାନ୍ତି, ଯାହାର ବୀଜରୁ ତୈଳ ଉଦ୍ୟୋଗ ତେଲ ବାହାର କରିଥାନ୍ତି। ବର୍ତ୍ତମାନ ସମୟରେ ଏହି ଏଏଫବିର ମୂଲ୍ୟ ସିପିଓର ଅନ୍ତର୍ଜାତୀୟ ମୂଲ୍ୟରେ ଉତ୍ଥାନ-ପତନ ଆଧାରରେ ନିର୍ଦ୍ଧାରିତ ହୋଇଥାଏ। ପ୍ରଥମ ଥର କେନ୍ଦ୍ର ସରକାର ଏହି ଏଫଏଫବି ପାଇଁ ଚାଷୀମାନଙ୍କୁ ସୁନିଶ୍ଚିତ ମୂଲ୍ୟ ପ୍ରଦାନ କରୁଛନ୍ତି।

ଏହା ସାଧନଯୋଗ୍ୟତା ମୂଲ୍ୟ (ଭିପି) ନାମରେ ପରିଚିତ ହେବ, ଅର୍ଥାତ ଚାଷୀମାନେ କୌଣସି କ୍ଷତି ସହିବେ ନାହିଁ। ଏହା ଜରିଆରେ ସିପିଓର ଅନ୍ତର୍ଜାତୀୟ ମୂଲ୍ୟରେ ଉତ୍ଥାନ-ପତନ ସମୟରେ ଚାଷୀଙ୍କ ହିତକୁ ସୁରକ୍ଷିତ ରଖାଯିବ। ଏହି ସାଧନଯୋଗ୍ୟତା ମୂଲ୍ୟ ବିଗତ ପାଞ୍ଚ ବର୍ଷ ସମୟରେ ବାର୍ଷିକ ହାରାହାରୀ ସିପିଓ ମୂଲ୍ୟ ଆଧାରରେ ନିର୍ଦ୍ଧାରିତ ହେବ ଏବଂ ପାଇକାରୀ ମୂଲ୍ୟ ସୂଚକାଙ୍କରେ ଦିଆଯାଇଥିବା ପାମ ଅଏଲର ତଥ୍ୟରେ ୧୪.୩ ପ୍ରତିଶତ ବୃଦ୍ଧି କରାଯିବ।

ଅର୍ଥାତ ସାଧନଯୋଗ୍ୟତା ମୂଲ୍ୟ ଏହି ଦୁଇଟି ମୂଲ୍ୟକୁ ମିଶାଇ ନିର୍ଦ୍ଧାରିତ କରାଯିବ। ଏହାକୁ ନିର୍ଦ୍ଧାରଣ କରିବାର ପ୍ରାରମ୍ଭିକ ଅବଧି ନଭେମ୍ବର ୧ ତାରିଖ ଠାରୁ ହେବ ଏବଂ ପରବର୍ତ୍ତୀ ବର୍ଷ ଅକ୍ଟୋବର ୩୧ ତାରିଖ ପର‌୍ୟ୍ୟନ୍ତ ଏହା ଜାରି ରହିବ। ଏହି ସମ୍ପୂର୍ଣ୍ଣ ଅବଧିକୁ ‘ପାମ ଅଏଲ ବର୍ଷ’ କୁହାଯିବ। ଏହି ମୂଲ୍ୟ ସୁନିଶ୍ଚିତତା ଫଳରେ ଭାରତରେ ତାଳ ତେଲ ଚାଷ କରୁଥିବା ଚାଷୀଙ୍କ ମନରେ ବିଶ୍ବାସ ସୃଷ୍ଟି ହେବ ଏବଂ ସେମାନେ ଚାଷର କ୍ଷେତ୍ର ବୃଦ୍ଧି କରିବେ।

ଏହିପରି ଭାବେ ଦେଶରେ ତାଳ ତେଲ ଉତ୍ପାଦନ ବୃଦ୍ଧି ପାଇବ। ଫର୍ମୂଲା ମୂଲ୍ୟ (ଏଫପି) ମଧ୍ୟ ନିର୍ଦ୍ଧାରଣ କରାଯିବ, ଯାହାର ଅନ୍ତର୍ଗତ କ୍ରେତା-ବିକ୍ରେତା ଅଗ୍ରୀମ ଭାବେ ମୂଲ୍ୟ ଉପରେ ସହମତ ହେବେ। ଏହା ମାସିକ ଆଧାରରେ ସିପିଓର ୧୪.୩ ପ୍ରତିଶତ ହେବ। ଆବଶ୍ୟକତା ପଡ଼ିଲେ ସାଧନଯୋଗ୍ୟତା ମୂଲ୍ୟ ଓ ଫର୍ମୁଲା ମୂଲ୍ୟ ଆଧାରରେ ଆୟ-ବ୍ୟୟର ବ୍ୟବଧାନରେ କ୍ଷତିପୂରଣ ଦିଆଯିବ, ଯାହାଫଳରେ ଚାଷୀମାନେ କ୍ଷତି ସହିବେ ନାହିଁ। ଏହି ଅର୍ଥରାଶିକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ ସିଧାସଳଖ ଚାଷୀଙ୍କ ଆକାଉଂଟକୁ ପଠାଇ ଦିଆଯିବ।

ଚାଷୀଙ୍କୁ ସାଧନଯୋଗ୍ୟତା ବ୍ୟବଧାନର କ୍ଷତିପୂରଣ ରୂପରେ ଆଶ୍ବାସନା ଦିଆଯିବ। ସିପିଓର ମୂଲ୍ୟକୁ ୧୪.୩ ପ୍ରତିଶତ ଉଦ୍ୟୋଗଗୁଡ଼ିକ ପରିଶୋଧ କରିବେ, ଯାହାକି ୧୫.୩ ପ୍ରତିଶତ ପର‌୍ୟ୍ୟନ୍ତ ବୃଦ୍ଧି ପାଇପାରେ। ଯୋଜନାରେ ଏହି ବ୍ୟବସ୍ଥା ମଧ୍ୟ କରାଯାଇଛି ଯେ ଏକ ନିର୍ଦ୍ଧାରିତ ଅବଧି ପରେ ନିୟମ-କାନୁନ ଆପେ ଆପେ ଶେଷ ହୋଇଯିବ। ଏହାର ତାରିଖ ନଭେମ୍ବର ୧, ୨୦୩୭ ପର‌୍ୟ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି।

ଉତ୍ତର ପୂର୍ବାଞ୍ଚଳ ଓ ଆଣ୍ଡାମାନ କ୍ଷେତ୍ରରେ ଏ ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାର ସିପିଓଗୁଡ଼ିକୁ ଦିଆଯିବାକୁ ଥିବା ଦୁଇ ପ୍ରତିଶତ ବ୍ୟୟ ଅତିରିକ୍ତ ଆକାରରେ ବହନ କରିବେ, ଯାହାଫଳରେ ଏଠାକାର କୃଷକମାନଙ୍କୁ ଦେଶର ଅନ୍ୟ ସ୍ଥାନର କୃଷକମାନଙ୍କ ଭଳି ଅଧିକ ଅର୍ଥ ପଇଠ ସୁନିଶ୍ଚିତ ହୋଇପାରିବ। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତାବିତ ମାର୍ଗକୁ ଆପଣାଉଥିବା ରାଜ୍ୟମାନଙ୍କୁ ଯୋଜନାରେ ଉଲ୍ଲିଖିତ ସାଧନଯୋଗ୍ୟତା ଅନ୍ତରାଳ ପରିଶୋଧର ଲାଭ ମିଳିବ। ଏଥିପାଇଁ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ସହିତ ବୁଝାମଣାପତ୍ରରେ ସ୍ବାକ୍ଷର କରିବାକୁ ହେବ।

ଯୋଜନାର ଦ୍ବିତୀୟ ପ୍ରମୁଖ ଭାଗ ହେଉଛି ବିଭିନ୍ନ ପ୍ରକାରର ଭୂମିକା ଓ ଗତିବିଧିକୁ ତ୍ବରାନ୍ବିତ କରିବା। ତାଳ ଚାଷ ପାଇଁ ସହାୟତା ବ୍ୟାପକ ମାତ୍ରାରେ ବୃଦ୍ଧି କରାଯାଇଛି। ପୂର୍ବରୁ ହେକ୍ଟର ପ୍ରତି ୧୨ ହଜାର ଟଙ୍କା ଦିଆଯାଉଥିଲା, ଯାହାକୁ ଏବେ ବଢ଼ାଇ ହେକ୍ଟର ପ୍ରତି ୨୯ ହଜାର ଟଙ୍କା କରି ଦିଆଯାଇଛି। ଏହାଛଡ଼ା ରକ୍ଷଣାବେକ୍ଷଣ ଏବଂ ଫସଲ ସମୟରେ ସହାୟତାରେ ମଧ୍ୟ ବୃଦ୍ଧି କରାଯାଇଛି। ପୁରୁଣା ଉଦ୍ୟାନଗୁଡ଼ିକୁ ପୁଣି ଚାଲୁ କରିବା ଲାଗି ଗଛ ପିଛା ୨୫୦ ଟଙ୍କାର ବିଶେଷ ସହାୟତା ଦିଆଯାଉଛି, ଅର୍ଥାତ୍ ଗୋଟିଏ ଗଛ ଲଗାଇଲେ ୨୫୦ ଟଙ୍କା ମିଳିବ।

ଦେଶରେ ଚାରାରୋପଣ ଉପକରଣ କ୍ଷେତ୍ରରେ ରହିଥିବା ଅଭାବକୁ ଦୂର କରିବା ଲାଗି, ବୀଜ ଉତ୍ପାଦନ କରୁଥିବା ଉଦ୍ୟାନକୁ ମଧ୍ୟ ସହାୟତା ଦିଆଯିବ। ଏହାର ଅନ୍ତର୍ଗତ ଭାରତର ଅନ୍ୟ ସ୍ଥାନଗୁଡ଼ିକରେ ୧୫ ହେକ୍ଟର ଲାଗି ୮୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସହାୟତା ରାଶି ଦିଆଯିବ, ଅନ୍ୟପକ୍ଷରେ ଉତ୍ତର – ପୂର୍ବାଞ୍ଚଳ ଓ ଆଣ୍ଡାମାନ କ୍ଷେତ୍ରରେ ଏହି ସହାୟତା ରାଶି ୧୫ ହେକ୍ଟର ପିଛା ଏକ କୋଟି ଟଙ୍କା ନିର୍ଦ୍ଧାରଣ କରାଯାଇଛି।

ଏହାବ୍ୟତୀତ ଦେଶର ଅନ୍ୟ ସ୍ଥାନରେ ବୀଜ ଉଦ୍ୟାନ ପାଇଁ ୪୦ ଲକ୍ଷ ଟଙ୍କା ଏବଂ ଉତ୍ତର – ପୂର୍ବାଞ୍ଚଳ ଓ ଆଣ୍ଡାମାନ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରାଯାଇଛି। ଉତ୍ତର ପୂର୍ବାଞ୍ଚଳ ଓ ଆଣ୍ଡାମାନକୁ ବିଶେଷ ସହାୟତା ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି, ଯାହାର ଅନ୍ତର୍ଗତ ପାହାଡ଼ ଉପରେ ସୋପାନ ପ୍ରଣାଳୀରେ ଅର୍ଦ୍ଧଚନ୍ଦ୍ରାକାର ଚାଷ, ବାୟୋ ଫେନ୍ସିଂ ଏବଂ ଜମିକୁ କୃଷି ଉପଯୋଗୀ କରିବା ଲାଗି ସମନ୍ବିତ କୃଷି ନିମନ୍ତେ ବନ୍ଦୋବସ୍ତ କରାଯାଇଛି। ଉତ୍ତର ପୂର୍ବାଞ୍ଚଳ ଓ ଆଣ୍ଡାମାନ ଲାଗି ଉଦ୍ୟୋଗଗୁଡ଼ିକୁ ପୁଞ୍ଜି ସହାୟତା ସନ୍ଦର୍ଭରେ ଘଂଟା ପ୍ରତି ପାଞ୍ଚ ମେଟ୍ରିକ ଟନ ଆକାରରେ ପାଞ୍ଚ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଫଳରେ ଏହି କ୍ଷେତ୍ର ପ୍ରତି ଉଦ୍ୟୋଗଗୁଡ଼ିକ ଆକୃଷ୍ଟ ହେବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପୋଷଣୀୟ ସହରାଞ୍ଚଳ ବିକାଶ ନିମନ୍ତେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସହଯୋଗକୁ କ୍ୟାବିନେଟ ମୋହର

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପୋଷଣୀୟ ସହରାଞ୍ଚଳ ବିକାଶ ନିମନ୍ତେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ମଞ୍ଜୁରି ମିଳିଛି । ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଏବଂ ମାଳଦ୍ୱୀପର ରାଷ୍ଟ୍ରୀୟ ପ୍ଲାନିଂ, ଗୃହନିର୍ମାଣ ଓ ଭିତ୍ତିଭୂମି ମନ୍ତ୍ରଣାଳୟ ମଧ୍ୟରେ ଏହି ବୁଝାମଣା ପତ୍ର ୨୦୨୧ ମସିହା ଫେବୃଆରୀ ମାସରେ ସ୍ୱାକ୍ଷରିତ ହୋଇଛି ।

ଏହି ବୁଝାମଣା ପତ୍ରର ଢ଼ାଂଚା ଅନୁସାରେ ସହଯୋଗ କାର‌୍ୟ୍ୟକ୍ରମକୁ ରଣନୀତିକ ଭାବେ ପ୍ରସ୍ତୁତ କରିବା ତଥା ପ୍ରବର୍ତ୍ତନ କରିବା ନିମନ୍ତେ ଏକ ମିଳିତ କାର‌୍ୟ୍ୟକାରୀ ଗୋଷ୍ଠୀ (ଜେଡବ୍ଲୁଜି) ଗଠନ କରାଯିବ ।

ଉପକାରିତା

ଏହି ବୁଝାମଣା ପତ୍ର ଉଭୟ ରାଷ୍ଟ୍ର ମଧ୍ୟରେ ପୋଷଣୀୟ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଏକ ସୁଦୃଢ଼, ନିବିଡ଼ ତଥା ଦୀର୍ଘସ୍ଥାୟୀ ଦ୍ୱିପାକ୍ଷିକ ସହଯୋଗ ସୃଷ୍ଟିକୁ ପ୍ରୋତ୍ସାହିତ କରିବ । ଆଶା କରାଯାଏ ଯେ ପୋଷଣୀୟ ସହରାଞ୍ଚଳ ବିକାଶ କ୍ଷେତ୍ର ତଥା ସହରାଞ୍ଚଳ ଯୋଜନା, ସ୍ମାର୍ଟ ସିଟି ବିକାଶ, କଠନ ବର୍ଜ୍ୟ ପରିଚାଳନା, ସୁଲଭ ମୂଲ୍ୟର ବାସଗୃହ, ସହରାଞ୍ଚଳ ମଧ୍ୟରେ ସବୁଜ ବିଚରଣ, ସହରାଞ୍ଚଳ ମଧ୍ୟରେ ଦ୍ରୁତ ସାଧାରଣ ପରିବହନ ବ୍ୟବସ୍ଥା, ସ୍ମାର୍ଟ ସିଟି ବିକାଶ ଆଦି କ୍ଷେତ୍ରରେ ଏହା ବ୍ୟାପକ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ ।

ବିସ୍ତୃତ ବିବରଣ

ଉଭୟ ବୁଝାମଣା ପତ୍ର ସ୍ୱାକ୍ଷରକାରୀ ପକ୍ଷଙ୍କ ମଧ୍ୟରେ ଏହା ସ୍ୱାକ୍ଷରିତ ହେବା ଦିନଠାରୁ, ଅର୍ଥାତ୍‍, ଫେବୃଆରୀ ୨୦, ୨୦୨୧ ତାରିଖ ଠାରୁ ଏହା ବଳବତ୍ତର ହେବ ଏବଂ ଅନିର୍ଦ୍ଦିଷ୍ଟ ଅବଧି ପର‌୍ୟ୍ୟନ୍ତ ଏହା ବଳବତ୍ତର ରହିବ ।

ଏହି ବୁଝାମଣା ପତ୍ରର ଉଦ୍ଦ୍ୟେଶ୍ୟ ହେଲା ଭାରତ- ମାଳଦ୍ୱୀପ ମଧ୍ୟରେ ପୋଷଣୀୟ ସହରାଞ୍ଚଳ ବିକାଶ କ୍ଷେତ୍ର ଯେଉଁଥିରେ କି ସହରାଞ୍ଚଳ ଯୋଜନା, ସ୍ମାର୍ଟ ସିଟି ବିକାଶ, କଠିନ ବର୍ଜ୍ୟ ପରିଚାଳନା, ସୁଲଭ ମୂଲ୍ୟର ବାସଗୃହ, ସହରାଞ୍ଚଳ ମଧ୍ୟରେ ସବୁଜ ବିଚରଣ, ସହରାଞ୍ଚଳ ମଧ୍ୟରେ ଦ୍ରୁତ ସାଧାରଣ ପରିବହନ ବ୍ୟବସ୍ଥା, ସ୍ମାର୍ଟ ସିଟି ବିକାଶ ଏବଂ ଅନ୍ୟାନ୍ୟ ସଂପର୍କୀତ କ୍ଷେତ୍ର ଯେଉଁଥିପାଇଁ ଉଭୟ ରାଜିନାମା ପକ୍ଷ ସ୍ୱାକ୍ଷର କରିଛନ୍ତି ସେମାନଙ୍କୁ ବୈଷୟିକ ସହଯୋଗ ପ୍ରଦାନ ନିମନ୍ତେ ସୁବିଧା ଯୋଗାଣ ତଥା ସମ୍ପର୍କର ସୁଦୃଢ଼ୀକରଣ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଘର ଭଡା ଦେବା ପାଇଁ କେନ୍ଦ୍ର ମଡେଲ ଟେନାନ୍ସି ଆଇନି ଲାଗୁ କରିବାକୁ କ୍ୟାବିନେଟ ଦେଲା ମଂଜୁରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଘର ଭଡ଼ା ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ ଲାଗୁ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଲାଗି ଜାରି କରାଯାଇଛି। ଯାହାଫଳରେ ସେମାନେ ବର୍ତ୍ତମାନର ଆଇନ ଅନୁସାରେ ନୂଆ ଆଇନ ପ୍ରସ୍ତୁତ କରିପାରିବେ କିମ୍ବା ବର୍ତ୍ତମାନର ଆଇନରେ ସଂଶୋଧନ କରିପାରିବେ।

ଏହାଫଳରେ ସାରା ଦେଶରେ ଭଡ଼ାରେ ଘର ଦିଆଯିବା ସଂକ୍ରାନ୍ତ ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବାରେ ସହାୟତା ମିଳିପାରିବ, ଯାହାଫଳରେ ଆଗାମୀ ଦିନରେ ବିକାଶର ମାର୍ଗ ପ୍ରଶସ୍ତ ହେବ। ମଡେଲ ଟେନାନ୍ସି ଆଇନର ଉଦ୍ଦେଶ୍ୟ ହେଉଛି ଦେଶରେ ଘର ଭଡ଼ା ଦିଆଯିବା ମାଧ୍ୟମରେ ଏକ ଜୀବନ୍ତ, ଦୀର୍ଘସ୍ଥାୟୀ ଏବଂ ସମାବେଶୀ ଢାଞ୍ଚା ପ୍ରସ୍ତୁତ କରିବା। ଏହାଫଳରେ ପ୍ରତ୍ୟେକ ଆୟ ବର୍ଗର ଲୋକମାନଙ୍କ ପାଇଁ ଭଡ଼ା ଘର ଉପଲବ୍ଧ ହୋଇପାରିବ ଓ ବେଘର ହେବାର ସମସ୍ୟା ସମାଧାନ ହୋଇପାରିବ। ମଡେଲ ଟେନାନ୍ସି ଆଇନ ଫଳରେ ଘର ଭଡ଼ା ଦେବା ପ୍ରକ୍ରିୟା ଧୀରେ ଧୀରେ ଔପଚାରିକ ବଜାରରେ ପରିବର୍ତ୍ତିତ ହୋଇ ଏହାକୁ ସଂସ୍ଥାଗତ ରୂପ ଦିଆଯାଇପାରିବ।

ମଡେଲ ଟେନାନ୍ସି ଆଇନ ଲାଗୁ ହେବା ଫଳରେ ଖାଲି ପଡ଼ିଥିବା ଘରକୁ ଭଡ଼ାରେ ଦେବା ଲାଗି ଖୋଲା ଯାଇପାରିବ। ଆଶା କରାଯାଉଛି ଯେ ଏହା ଜରିଆରେ ଭଡ଼ା ଦେବାର ବଜାରକୁ ବ୍ୟବସାୟ ରୂପରେ ବିକଶିତ କରିବାରେ ଘରୋଇ ଭାଗିଦାରୀ ବଢ଼ିବ, ଯାହାଫଳରେ ଆବାସିକ ବାସଗୃହର ବ୍ୟାପକ ଅଭାବକୁ ଦୂର କରାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର

କୋଭିଡ ମୁକାବିଲା ନେଇ ଆଜି ବସିବ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ, ଦେଶରେ କୋଭିଡର ସ୍ଥିତି ଯେପରି ବିଗିଡିବାରେ ଲାଗିଛି ସେ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ଦେଶର 5ଟି ରାଜ୍ୟରେ ଏହା ଭୟବହତା ବିଶେଷଭାବେ ପରିଲକ୍ଷିତ ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାବାରେ ଲାଗିଛି।

ଏପରି ପରିସ୍ଥିତିରେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବ। ଦିନ 11 ଟା ବେଳ ଏହି ବୈଠକ ବସିବ ବୋଲି ନିଷ୍ପତି ହୋଇଛି। ତେବେ ଏହି ବୈଠକରେ କରୋନା ମୁକାବିଲା ନେଇ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

କ୍ୟାବିନେଟ ମଞ୍ଜୁରି: ତିନୋଟି ଗଣରାଜ୍ୟରେ ଖୋଲିବ ଭାରତୀୟ ମିଶନ

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୨୦୨୧ରେ ଏସ୍ଟୋନିୟା, ପାରାଗୁଏ ଏବଂ ଡୋମିନିକାର ଗଣରାଜ୍ୟରେ ତିନୋଟି ଭାରତୀୟ ମିଶନ ଖୋଲିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି।

କାର୍ଯ୍ୟକାରୀ ରଣନୀତି:

ଏହି ରାଷ୍ଟ୍ରଗୁଡ଼ିକରେ ତିନୋଟି ଭାରତୀୟ ମିଶନ ଖୋଲାଯିବା ଫଳରେ ଭାରତର କୂଟନୈତିକ ପରିଧି ବୃଦ୍ଧି, ରାଜନୈତିକ ସମ୍ପର୍କ ଗଭୀର ହେବା, ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ଓ ଆର୍ଥିକ ସମ୍ପର୍କ ବିକଶିତ କରିବା, ଜନସମ୍ପର୍କ ମଜବୁତ କରିବା, ବହୁପକ୍ଷୀୟ ମଞ୍ଚରେ ରାଜନୈତିକ ପ୍ରସାର ବୃଦ୍ଧି ପାଇବା ଏବଂ ଭାରତର ବିଦେଶ ନୀତି ନିମନ୍ତେ ସମର୍ଥନ ଯୋଗାଡ଼ କରିବାରେ ସହାୟତା ମିଳିପାରିବ।

ଏସବୁ ଦେଶରେ ଭାରତୀୟ ମିଶନ ସେଠାରେ ରହୁଥିବା ଭାରତୀୟ ସମୁଦାୟ ଏବଂ ସେମାନଙ୍କର ହିତର ସୁରକ୍ଷା ଲାଗି ଉନ୍ନତ ଢଙ୍ଗରେ ସହାୟତା କରିପାରିବ।

ଉଦ୍ଦେଶ୍ୟ:

ଆମର ବିଦେଶ ନୀତିର ଉଦ୍ଦେଶ୍ୟ ହେଉଛି ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହିତ ଭାଗିଦାରୀ ଜରିଆରେ ଭାରତର ଉନ୍ନତି ଓ ବିକାଶ ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା। ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଭାରତୀୟ ମିଶନ ଏବଂ ପୋଷ୍ଟ ରହିଛି। ଏଗୁଡ଼ିକ ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହିତ ଆମ ସମ୍ପର୍କର ବାହକ ଭାବେ କାର୍ଯ୍ୟ କରୁଛନ୍ତି।

ଏହି ତିନୋଟି ନୂତନ ଭାରତୀୟ ମିଶନ ଖୋଲିବାର ଏହି ନିଷ୍ପତ୍ତି ‘ସବକା ସାଥ ସବକା ବିକାଶ’ ବା ଉନ୍ନତି ଏବଂ ବିକାଶକୁ ନେଇ ଆମର ଜାତୀୟ ପ୍ରାଥମିକତାକୁ ପ୍ରାପ୍ତି ଦିଗରେ ଏକ ଭବିଷ୍ୟଗାମୀ ପଦକ୍ଷେପ। ଭାରତର ରାଜନୈତିକ ଉପସ୍ଥିତିରେ ବୃଦ୍ଧି ପାରସ୍ପରିକ ଭାବେ ଭାରତୀୟ କମ୍ପାନୀଗୁଡ଼ିକୁ ଉନ୍ନତ ବଜାର ସୁବିଧା ପ୍ରଦାନ କରିବ ଏବଂ ସାମଗ୍ରୀ ଓ ସେବାର ଭାରତୀୟ ରପ୍ତାନିକୁ ପ୍ରୋତ୍ସାହନ ଦେବ। ‘ଆତ୍ମନିର୍ଭର ଭାରତ’ ପାଇଁ ଆମର ଲକ୍ଷ୍ୟ ଅନୁରୂପ ଘରୋଇ ଉତ୍ପାଦନ ଏବଂ ରୋଜଗାରକୁ ବଢ଼ାଇବାରେ ଏହାର ସିଧା ପ୍ରଭାବ ପଡ଼ିବ।