Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ରହୁ ଟେକ୍ସାଟାଇଲ କମଟିର କାର୍ଯ୍ୟାଳୟ, ଓଡିଶା ଶିଳ୍ପୀ ମହାସଂଘର ଦାବୀ

ଭୁବନେଶ୍ବର: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରାଳୟ ଅଧୀନରେ ଥିବା ଭୁବନେଶ୍ୱରର ରିଜିଓନାଲ ଟେକ୍ସାଟାଇଲ କମିଟିର କାର୍ଯ୍ୟାଳୟକୁ କଲିକତା ଉଠାଇନେବାକୁ କେନ୍ଦ୍ରରୁ ନିର୍ଦ୍ଦେଶନାମା ଆସିଛି। ଯାହାକୁ ଦୃଢ ବିରୋଧ କରିଛି ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓଡିଶା ଶିଳ୍ପୀ ମହାସଂଘ। ଏ ସଂକ୍ରାନ୍ତରେ ଭୁବନେଶ୍ୱର ଗସ୍ତରେ ଆସିଥିବା କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରାଳୟର ସଚିବ ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ ଆଜି ଭେଟିଛନ୍ତି ଓଡିଶା ଶିଳ୍ପୀ ମହାସଂଘର ଏକ ପ୍ରତିନିଧୀ ଦଳ।

ଏହି ସାକ୍ଷାତ ସମୟରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଭୁବନେଶ୍ୱରରେ ପୂର୍ବଭଳି ରିଜିଓନାଲ ଟେକ୍ସାଟାଇଲ କମିଟିର କାର୍ଯ୍ୟାଳୟ ପୂର୍ବ ଭଳି କାର୍ଯ୍ୟ ଜାରି ରଖୁ ବୋଲି ଏକ ଦାବୀ ପତ୍ର ସଚିବ ଶ୍ରୀ ସିଂହଙ୍କୁ ପ୍ରଦାନ କରାଯାଇଛି।

ତତସହିତ କିଛି ବର୍ଷ ହେବ କେନ୍ଦ୍ର ବସ୍ତ୍ର ମନ୍ତ୍ରାଳୟ ପକ୍ଷରୁ ବନ୍ଦ ହୋଇଯାଇଥିବା ହସ୍ତଶିଳ୍ପୀଙ୍କ ପାଇଁ ଆମ ଆଦମୀ ବୀମା ଯୋଜନା ଓ ବୁଣାକାରଙ୍କ ପାଇଁ ମହତ୍ମାଗାନ୍ଧୀ ବୁଣାକାର ବୀମା ଯୋଜନା ସହ ଉଭୟଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଲାଗୁ କରିବାକୁ ଶିଳ୍ପୀ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି। କାରଣ କରୋନା ଭଳି ମହାମାରୀ ସମୟରେ ଆମ ରାଜ୍ୟର
କୋଡିଏରୁ ଉର୍ଦ୍ଧ ଶିଳ୍ପୀ ଓ ବୁଣାକାରଙ୍କ ଦେହାନ୍ତ ଘଟିଛି। ନା ରାଜ୍ୟ ନା କେନ୍ଦ୍ର ପକ୍ଷରୁ କୈାଣସି ସମାଜିକ ସୁରକ୍ଷା ଯୋଜନା ନଥିବାରୁ ଦେହାନ୍ତ ଘଟିଥିବା ଶିଳ୍ପୀ ଓ ବୁଣାକାରଙ୍କ ପରିବାରକୁ ଟଙ୍କାଟିଏ ବି ଆର୍ଥିକ ସହାୟତା ମିଳିପାରିନି।

ଓଡିଶା ଶିଳ୍ପୀ ମହାସଂଘ ସହ ଏହି ସାକ୍ଷାତ ସମୟରେ ସଚିବ ଶ୍ରୀ ସିଂହ ଭୁବନେଶ୍ୱରର ରିଜିଓନାଲ ଟେକ୍ସାଟାଇଲ କମିଟି ଏଠାକାର ବୁଣାକାରଙ୍କ କି କାର୍ଯ୍ୟରେ ଆସୁଛି ବୋଲି ପଚାରି ବୁଝିଥିଲେ। ଏ ସପର୍କରେ ସବିଶେଷ ଅନୁଧ୍ୟାାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ।

ଏହି ଅବସରରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଉତରିୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ସୈାଦାମିନୀ ସ୍ୱାଇଁଙ୍କ ହସ୍ତ ନିର୍ମିତ ଏକ ପଟଚିତ୍ର ପ୍ରଦାନ କରି ସଚିବ ଶ୍ରୀ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ ପରିସରରେ ସଚିବଙ୍କ ସହ ଏହି ସାକ୍ଷାତ ସମୟରେ ଓଡିଶା ଶିଳ୍ପୀ ମହାସଂଘର ମୁଖ୍ୟ ଉପଦେଷ୍ଟା ପଦ୍ମବିଭୂଷଣ ସୁଦର୍ଶନ ସାହୁ, ସଭାପତି ଉଦୟ ମହାନ୍ତି, ସଂପାଦକ ପ୍ରିୟରଂଜନ କର, ସଂଗଠନ ସଂପାଦିକା ସରୋଜିନୀ ଦାସ, ଉପସଭାପତି ଶରତ ପ୍ରଧାନ ଓ ଜାତିୟ ପୁରସ୍କାର ପ୍ରାପ୍ତ ପଟଚିତ୍ର ଶିଳ୍ପୀ ସୈାଦାମିନୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।