Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବିଶ୍ବରେ ପ୍ରଥମ କୋଭିଡ୍-୧୯ ଟିକାର ପରୀକ୍ଷା କଲା ରୁଷ୍ : ଇଂଜେକସନ ଆକାରରେ ମାଂସପେଶୀରେ ଦିଆଗଲା ଟିକା

ନୂଆଦିଲ୍ଲୀ: ବିଶ୍ବରେ ପ୍ରଥମ ଥର ପାଇଁ କରୋନାଭାଇରସ୍ ବିରୋଧୀ ଟିକାର ସଫଳ ଡାକ୍ତରୀ ପରୀକ୍ଷା କରାଯାଇଛି। ରୁଷ୍ ଏହି ପରୀକ୍ଷା କରିଥିବା ଦାବି କରିଛି। ମାନବ ଶରୀରରେ ଏହାର ପରୀକ୍ଷଣ କରାଯାଇଛି। ‘ଲାଇପୋଫିଲିସ୍‌ଡ୍’ ବା ପାଉଡର୍ ଭାବେ ଥିବା ଏହି ଟିକାରୁ ଦ୍ରବଣ ପ୍ରସ୍ତୁତ କରାଯାଇ ସ୍ବେଚ୍ଛାସେବୀ‌ମାନଙ୍କ ମାଂସପେଶୀରେ ଇଂଜେକସନ ଆକାରରେ ଦିଆ ଯାଇଥିଲା।

ଇଂଜେକସନ ନେବା ପରେ ଅନ୍ୟାନ୍ୟ ଟିକା ଭଳି ସେମାନଙ୍କର ମୁଣ୍ଡବିନ୍ଧା ଓ ଜ୍ବର ହୋଇଥିବା ସେମାନେ କହିଥିଲେ। କିନ୍ତୁ ଏହାକୁ ପ୍ରସ୍ତୁତ କରୁଥିବା ସଂସ୍ଥାର ଦାବି ଥିଲା ଯେ, ଟିକା ନେବାର ୨୪ ଘଣ୍ଟା ମଧ୍ୟରେ ଏହା କମିଯିବ। ଯେଉଁମାନଙ୍କ ଶରୀରରେ ଟିକା ପ୍ରୟୋଗ କରାଯାଇଥିଲା ସେମାନଙ୍କୁ ସେଚେନୋଭ୍ ବିଶ୍ବବିଦ୍ୟାଳୟର ଗୋଟିକିଆ ଓ ଦି’ଟିକିଆ ୱାର୍ଡରେ ରଖାଯାଇଥିଲା।

ଅନ୍ୟାନ୍ୟ ସଂକ୍ରମଣରୁ ନିରପଦ ରହିବାକୁ ସମ୍ପୃକ୍ତ ସ୍ବେଚ୍ଛାସେବୀ‌ମାନଙ୍କୁ ୨୮ ଦିନିଆ ଏକାନ୍ତବାସରେ ରଖାଯାଇଛି। ବିଶ୍ବବିଦ୍ୟାଳୟରୁ ଯିବା ପରେ ଛଅ ମାସଯାଏଁ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖାଯିବ।

ଜୁନ୍ ୧୮ ତାରିଖ ଦିନ ‘ସେଚେନୋଭ୍ ଫାଷ୍ଟ୍‌ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟି’ରେ ଭଲ୍ୟୁଣ୍ଟର୍‌ମାନଙ୍କ ଶରୀରରେ ବିଶ୍ବର ପ୍ରଥମ କରୋନାଭାଇରସ୍ ଟିକାର ସଫଳ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଥିବା କଥା ‘ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ଟ୍ରାନ୍‌ସ୍‌ଲେସ୍‌ନାଲ୍‌ ମେଡିସିନ୍ ଆଣ୍ଡ୍‌ ବାୟୋଟେକ୍ନୋଲୋଜି’ର ନିର୍ଦେଶକ ଭାଦିମ ତାରାସୋଭ୍‘ କହିଥିଲେ। ଟିକା ନେଇଥିବା ପ୍ରଥମ ଦଳର ସ୍ବେଚ୍ଛାସେବୀମାନଙ୍କୁ ବୁଧବାର ଦିନ ଏବଂ ଦ୍ବତୀୟ ଦଳର ଭଲ୍ୟୁଣ୍ଟର୍ସମାନଙ୍କୁ ଜୁଲାଇ ୨୦ ଦିନ ଛଡ଼ାଯିବ।

ରୁଷ୍‌ର ‘ଗା‌ମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡେମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି’ ଦ୍ବାରା ଉତ୍ପାଦିତ ଏହି ଟିକାର ଡାକ୍ତରୀ ପରୀକ୍ଷା ଜୁନ୍ ୧୮ ତାରିଖ ଦିନ ହୋଇଥିଲା। ସେଦିନ ୧୮ ଜଣ ସୁସ୍ଥ ଭଲ୍ୟୁଣ୍ଟର୍ ଏହି ଟିକା ନେଇଥିଲେ। ଜୁନ୍ ୨୩ ତାରିଖ ଦିନ ହୋଇଥିବା ପରୀକ୍ଷାରେ ୨୦ ଜଣ ଭଲ୍ୟୁଣ୍ଟର୍‌ଙ୍କୁ ଏହି ଟିକା ଦିଆଯାଇଥିଲା। ସମସ୍ତ ସ୍ବେଚ୍ଛାସେବୀ‌ ଥିଲେ ୧୮ରୁ ୬୫ ବର୍ଷ ବୟସର ପୁରୁଷ ଓ ମହିଳା।