Categories
ଜାତୀୟ ଖବର ବିଶେଷ ଖବର

ଅନୁଗୁଳରେ ମହାତ୍ମା ଗାନ୍ଧୀ, ୧୯୩୪ ର ଉଦବାସ୍ତୁ ଅତିଥି

କୈଳାସଚନ୍ଦ୍ର ଦାଶ

ମହାତ୍ମା ଗାନ୍ଧୀଙ୍କର ଜୟନ୍ତୀ ଅବକାଶରେ ତାଙ୍କ ଚିନ୍ତନ ଓ କର୍ମଧାରା ଓଡିଶାରେ କିପରି ପ୍ରଭାବଶାଳୀ ଥିଲା ତାହାର ବିଚାର ଆବଶ୍ୟକ। ମହାତ୍ମା ଗାନ୍ଧୀ ଓଡିଶାକୁ ୧୯୨୧, ୧୯୨୫, ୧୯୨୭, ୧୯୩୪ , ୧୯୩୮ ଓ ୧୯୪୬ରେ ଆସି ଓଡିଶାରେ ଜାତୀୟ ଜାଗରଣର ପ୍ରବଳ ପ୍ରବାହ କରାଇଥିଲେ। ତରୁଣତରୁଣୀମାନେ ତାଙ୍କ ଚିନ୍ତନରେ ପ୍ରଭାବିତ ହୋଇଥିଲେ। ଏତେ ପରିମାଣରେ ଗାନ୍ଧୀବାଦୀ ଧାରା ପ୍ରସାରିତ ହୋଇଥିଲେ ମଧ୍ୟ ୧୯୩୦ ଦଶକରେଏହାର ବିରୋଧ ମଧ୍ୟ କରାଯାଇଥିଲା। ୧୯୩୦ରୁ ୧୯୩୪ ମଧ୍ୟରେ ‘ସତ୍ୟ ସମାଚାର” ଓ ”ଦେଶକଥା” ସାପ୍ତାହିକ ସମ୍ବାଦପତ୍ରରେ ଗାନ୍ଧୀ ମତବାଦର ଖୋଲା ଆଲୋଚନା ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା ୧୯୩୪ ମସିହାର ମହାତ୍ମାଗାନ୍ଧୀଙ୍କର ପତିତପାବନ ଯାତ୍ରା ପାଇଁ ଅନୁଗୁଳରେ ବାଧା ଓ ବିରୋଧ। ଏ ସମ୍ପର୍କରେ ୧୯୩୪ ମସିହାର ସରକାରୀ ଗୋପନ ପତ୍ରରେ ବିବରଣୀ ରହିଛି।

୨୫ ଏପ୍ରିଲ ୧୯୩୪ରେ ଉତ୍କଳ ହରିଜନ ସେବକ ସଙ୍ଘର ସମ୍ପାଦକ ତଥା କଟକର ଓକିଲ ସତ୍ୟ ନାରାୟଣ ସେନଗୁପ୍ତ ଅନୁଗୁଳର ଡେପୁଟିକମିଶନର (ଦୁର୍ଗା ଦାସ)ଙ୍କୁ ସାକ୍ଷାତକରି ତାଙ୍କର ସେଠାରେ ଅବସ୍ଥାନ କଥା ଆଲୋଚନା କରିଥିଲେ। ଡେପୁଟି କମିଶନର ମହାତ୍ମାଙ୍କର ରହିବା ବ୍ୟବସ୍ଥା ଅନୁଗୁଳର ବାହାରେ କରିବାକୁ କହିଥିଲେ, କାରଣ ତାଙ୍କର ଉପସ୍ଥିତି ତଥା ସଭା ଅନୁଗୁଳ ସହର ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାର ସମ୍ଭାବନା ଥିଲା ବୋଲି ସେମାନେ କହିଥିଲେ। ସେନଗୁପ୍ତ ୩୦ ଏପ୍ରିଲ ସୁଦ୍ଧା ତାଙ୍କର ବ୍ୟବସ୍ଥା ଡେପୁଟିଙ୍କୁ ଜଣାଇ ଦେବାକୁ କହିଥିଲେ। କିନ୍ତୁ ସେନଗୁପ୍ତ ସେ ସମ୍ପର୍କରେ କିଛି ଜଣାଇ ପାରି ନଥିଲେ

ପୂର୍ବରୁ ପୋଲିସ କର୍ତ୍ତୃପକ୍ଷଙ୍କୁ ବିଜନ ବିହାରୀ ଘୋଷଙ୍କ ଘରେ ମହାତ୍ମା ଗାନ୍ଧୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବାର ସୂଚନା ମିଳିଥିଲା। କିନ୍ତୁ ପରେଏହାର ପରିବର୍ତ୍ତନ କରାଯାଇ ଦେବେନ୍‍ ଦତ୍ତ(ପୂର୍ବତନ ଫରେଷ୍ଟ୍‍ କଞ୍ଜର୍‍ଭେଟର୍‍)ଙ୍କ ଘରେ ମହାତ୍ମା ରହିବାର ବ୍ୟବସ୍ଥା ୪ ମେ ୧୯୩୪ରେ ପୋଲିସ୍‍ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେବାରୁ ତାହା ଡେପୁଟି କମିଶନର ଗ୍ରହଣ କରି ନଥିଲେ, କାରଣଏହି ସ୍ଥାନ ନିକଟରେ ଥିବା ଆମ୍ବ ପଡିଆ(ଯେଉଁଠାରେ ମହାତ୍ମା ସଭା କରିବାକୁ ସ୍ଥିର ହୋଇଥିଲା) ସରକାରୀ କର୍ମଚାରୀ ମାନଙ୍କର ଘର ନିକଟବର୍ତ୍ତୀ ହୋଇଥିବାରୁ ସେମାନଙ୍କ ପାଇଁ ଗାନ୍ଧୀ ଶୋଭାଯାତ୍ରା ଅସୁବିଧା କରିବ ବୋଲି ସେମାନେ କହିଥିଲେ। ମହାତ୍ମା ଗାନ୍ଧୀ ଏହା ଶୁଣି ଦୁଃଖ ପ୍ରକାଶ କରିଥିଲେ। ସେ ମଧ୍ୟ କର୍ତ୍ତୃପକ୍ଷଙ୍କୁ ଟେଲିଗ୍ରାମ କରିଥିଲେ।

ଗାନ୍ଧୀ ଏବଂ ତାଙ୍କ ଦଳ ଅନୁଗୁଳ ସହର ବାହାରେ ଏକ ଆମ୍ବ ପଡିଆରେ ଅସ୍ଥାୟୀ ଭାବରେ ରହି ସଭା କରିବାକୁ ହୋଇଥିଲା। ୧୯୩୪ ମସିହା ମେ ୫ ତାରିଖରେ କଟକ ୟୁନାଇଟେଡ୍‍ ପ୍ରେସର ସ୍ୱତନ୍ତ୍ର ପ୍ରତିନିଧି ସମାଜରେ ମହାତ୍ମାଗାନ୍ଧୀ ଅନୁଗୁଳର ଅନାବଶ୍ୟକ ଅତିଥି ବୋଲି କର୍ତ୍ତୃପକ୍ଷ ଗ୍ରହଣ କରିବା ସଙ୍ଗେସଙ୍ଗେ ତାଙ୍କୁ ସରକାରୀ ବଙ୍ଗଳାରେ ରହିବାକୁ ମଧ୍ୟ ଅନୁମତି ମିଳିଲା ନାହିଁ ବୋଲି ସୂଚାଇ ଦେବା ସଙ୍ଗେସଙ୍ଗେ ମହାତ୍ମା ଗୁପ୍ତଚର ପରିବେଷ୍ଟିତ ସହର ବାହାରର  ଆମ୍ବ ଉଦ୍ୟାନରେ ରହିବାରେ ଜନସାଧାରଣ ଆଶ୍ଚର୍ଯ୍ୟ ହୋଇଥିବାର ସୂଚନା ଦେଇଥିଲେ। ମେ ୮, ୧୯୩୪ରେ ମଧ୍ୟ ଦି ଷ୍ଟେଟସ୍‍ମ୍ୟାନ୍‍ ସମ୍ବାଦପତ୍ରରେଏହି ପ୍ରସଙ୍ଗ ସ୍ଥାନ ପାଇଥିଲା। ଅନୁଗୁଳ ନନ୍‍ ରେଗୁଲେଟେଡ୍‍ ଜିଲ୍ଲା ହିସାବରେ ପରିଚିତ ଥିବାରୁ ସେଠାରେ ଡେପୁଟି କମିଶନର୍‍ ସର୍ବୋଚ୍ଚ କ୍ଷମତାର ଅଧିକାରୀ। ଅମୃତବଜାର ପତ୍ରିକାର ମେ ୮, ୧୯୩୪ ସଂଖ୍ୟାରେଏହି ପରିବେଶର ବିବରଣୀ ଦିଆଯାଇଥିଲା-ମିଷ୍ଟର୍‍ ଗାନ୍ଧୀ ଅନୁଗୁଳକୁ ଆସି ସହରର ସୀମାରେ ଏକ ଆମ୍ଭ ବଗିଚାରେ ଏକ ଅସ୍ଥାୟୀ ଶିବିରରେ ବିଶ୍ରାମକଲେ; କିନ୍ତୁ ତାଙ୍କୁ ସହର ମଧ୍ୟରେ ପୂର୍ବ ନିର୍ଦ୍ଧାରିତ କୌଣସି ଗୃହରେ ରହିବାକୁ ଅନୁମତି ମିଳିଲା ନାହିଁ। ଶେଷରେ ମହାତ୍ମା ଗାନ୍ଧୀ ଅନୁଗୁଳର ଅନିମନ୍ତ୍ରିତ ଅତିଥି ବୋଲି ଚିତ୍ରିତ ହୋଇଥିଲେ।

ଏ.ଭି.ଠକ୍କର୍‍ ମଧ୍ୟ ଏ ସମ୍ପର୍କରେ ଏକ ଦୀର୍ଘବିବରଣୀ ପୁନାର ଆର୍ଯ୍ୟ ଭୂଷଣ ପ୍ରେସରୁ ପ୍ରକାଶ କରି ଅନୁଗୁଳର ସ୍ୱେଚ୍ଛାଚାରୀ ଶାସକ(ଡେପୁଟିକମିଶନର)ଙ୍କ ଉପରେ କଡା ମନ୍ତବ୍ୟ ଦେଇ ମହାତ୍ମାଙ୍କ ଅନୁଗୁଳ ଅବସ୍ଥାନ ସମ୍ପର୍କରେ ଦୁଃଖ ପ୍ରକାଶ କରିଥିଲେ। ସେ ଲେଖିଥିଲେ-ଅନୁଗୁଳର ଡେପୁଟି କମିଶନର୍‍ ତାଙ୍କକ୍ଷମତାର ପୂର୍ଣ୍ଣ ଅପବ୍ୟବହାର କରିଛନ୍ତି। ପରିଣତିରେ ଏକ ବିଶ୍ୱ ପ୍ରସିଦ୍ଧ ତଥା ସର୍ବୋଚ୍ଚ ସମ୍ମାନୀୟ ବ୍ୟକ୍ତିଙ୍କୁ କିଛି ଘଣ୍ଟା ପାଇଁ ତାଙ୍କ ସହରର ପୂର୍ବ ନିର୍ଦ୍ଧାରିତ ଗୃହରେ ବିନା କାରଣରେ ରହିବାକୁ ଅନୁମତି ଦେଲେ ନାହିଁ। ମହାତ୍ମା ଗାନ୍ଧୀ କୌଣସି ରାଜନୈତିକ ଅଭିଯାନ ପାଇଁ ଅନୁଗୁଳ ଯାତ୍ରା କରିନଥିଲେ। ଏହା ସର୍ବସାଧାରଣଙ୍କୁ ଜଣା ଯେ ତାଙ୍କର ଅସ୍ପୃଶ୍ୟତା ନିବାରଣ ଅଭିଯାନ ପାଇଁ ଏହି ଯାତ୍ରା ଅଭିପ୍ରେତ ଥିଲା।

ସମ୍ବାଦପତ୍ର ତଥା ଜନସାଧାରଣରେ ଏହି ସମ୍ବାଦ ସେତେବେଳେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ବ୍ରିଟିଶ୍‍ ସାମ୍ରାଜ୍ୟବାଦ ମଧ୍ୟରେ ଆଞ୍ଚଳିକ ସାମ୍ରାଜ୍ୟବାଦ ତଥା କଠୋର ଓ ଅନାବଶ୍ୟକ ଅମଲାତନ୍ତ୍ର କିପରି ରାଜତ୍ୱ କରୁଥିଲା ତାହାର ଏକ ଦୃଷ୍ଟାନ୍ତ ଏହି ଘଟଣାରୁ ସଂଗ୍ରହ କରାଯାଇପାରେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଧଉଳି ଗିରି ଓ କୌଶଲ୍ୟାଗଙ୍ଗର ଇତିହାସ; ଏକ ନୂତନ ଅନ୍ଵେଷଣ

କୈଳାସଚନ୍ଦ୍ର ଦାଶ

ବୌଦ୍ଧ କୀର୍ତ୍ତଯୁକ୍ତ ଧଉଳୀ ଅଞ୍ଚଳ ଯେ ତୋଷାଳୀର ଅଂଗ ଥିଲା  ତାହାର ଏକ ଅଭ୍ରାନ୍ତ ପ୍ରମାଣ କୌଶଲ୍ୟାଗଙ୍ଗ। କୌଶଲ୍ୟାଗଙ୍ଗକୁ ନେଇ ଏକ ଜନଶ୍ରୁତି ରହିଛି ଯାହା ମାଦଳାପାଞ୍ଜିର ରାଜଭୋଗରେ ସ୍ଥାନ ପାଇଛି। ଏହା ମଧ୍ୟ ଦେଶଖଂଜା ପୋଥିରେ ଭିନ୍ନ ଭାବରେ ଉପସ୍ଥାପନ କରାଯାଇଛି ।ରାଜଭୋଗରେ ବର୍ଣ୍ଣିତ ପ୍ରସଂଗକୁ ଷ୍ଟାର୍‍ଲିଂ ଏବଂ କିଟ୍ଟୋ ମଧ୍ୟ ବ୍ୟବହାର କରିଛନ୍ତି। ମୂଳରାଜଭୋଗରେ କୁହାଯାଇଛି:ଗଙ୍ଗେଶ୍ୱର ଦେବ ନିଜ କନ୍ୟା ସହିତ ଦୈହିକ ସମ୍ପର୍କ ରଖିବାରୁ ଏବଂଏହା ପାପ କାର୍ଯ୍ୟ ବୋଲି ବ୍ରାହ୍ମଣମାନେ ମତ ଦେବାରୁ ପ୍ରାୟଶ୍ଚିତ କରିଥିଲେ। ପ୍ରାୟଶ୍ଚିତ ପାଇଁ ରାଜକନ୍ୟା ଦୁଇମାଠିଆ ପାଣି ଘେନି ଚାଲିଚାଲି ଗଲାବେଳେ ଯେଉଁଠାରେ ରୁଧିର ଜାତ ହେ ବସେଠାରେ ଚାରିବାହି ଆୟତନରେ ପୋଖରୀ ଖୋଳାଯିବା ସଂଗସଂଗେ ମଧ୍ୟରେ ଦୀପଦଣ୍ଡି ରହିବ। ତାହାରି ମଧ୍ୟରେ ସେ ରହିବେ। ରାଜକନ୍ୟାକୁଏହି ପରି ଚଳାଇଲା ବେଳକୁ ଲୋକମାନେ ଉପହାସ କଲେ। ତେଣୁ ସଂକୋଚ ପାଇ ରାଜା ପୁଣି ରାଜକନ୍ୟାଙ୍କୁ ନଅରକୁ ନେଲେ ।ରାଜକନ୍ୟାଙ୍କୁ ଯେଉଁ ପର୍ଯ୍ୟନ୍ତ ବୁଲାଇ ରକ୍ତଗୋଡରୁ ବହିନଥିଲା ତାହାର ସୀମାନ୍ତ ଘେନି ପୋଖରୀ ଖୋଳାଇ ଦୀପଦାଣ୍ଡି କଲେ। ସେହିଦିନୁ ପୋଖରୀ କୌସଲ୍ୟାଗଙ୍ଗ ନାମରେ ପରିଚିତ ହେଲା। ରାଜଭୋଗରେ ପ୍ରସଂଗଟିଏହିପରି ଥିଲେ ମଧ୍ୟ ଦେଶଖଂଜାରେ ପରବର୍ତ୍ତୀ ପର୍ଯ୍ୟାୟରେ ଧର୍ମକେଶରୀ ପ୍ରସଂଗରେ ଏହା ସୂଚିତ ହୋଇଥିଲା ।ରାଜଭୋଗରେ କୌସଲ୍ୟାଗଙ୍ଗର ସ୍ଥାନ ନିର୍ଣ୍ଣିତ ହୋଇନଥିଲା।

କିନ୍ତୁ ଦେଶଖଂଜାରେ “କଉସୁଲାଗାଙ୍ଗ କୋଠ ରାହାଙ୍ଗ ବିଶେରେ” ଅବସ୍ଥିତ ଥିବାର ବର୍ଣ୍ଣନା ରହିଛି। କଟକ ରାଜବଂଶାବଳୀରେ ପ୍ରସଂଗଟିକୁ ସଂକ୍ଷେପ କରି ଗଙ୍ଗସୂର ପ୍ରସଂଗରେ କୁହାଯାଇଛି। ଏଥିରେ ବର୍ଣ୍ଣନା କରାଯାଇଛି-ରାଜାଗଂଗାସୂର(ଗଂଗେଶ୍ୱର) ଅନ୍ୟାୟରେ ମତ୍ତ ହୋଇ କାଳକ୍ରମେ ନିଜ ପାପର ପ୍ରାୟଶ୍ଚିତ ପାଇଁ କୋଶଳଗଙ୍ଗା ନାମକ ପୁଷ୍କରିଣୀ ଖୋଳାଇଥିଲେ। ତେଣୁ ମୁଖ୍ୟତଃ ଜନଶ୍ରୁତିଟି ଗଙ୍ଗବଂଶ ସହିତ ଜଡିତ ଥିଲା। ଭୁଲ୍‍କ୍ରମେ ଏହାକୁ ଦେଶଖଂଜାରେ କେଶରୀବଂଶ ପ୍ରସଂଗରେ ପ୍ରବେଶ କରାଇ ଦିଆଯାଇଛି ।ଏହି ପ୍ରସଂଗଟି ମଧ୍ୟ ଗୋପାଳତୀର୍ଥ ମଠ ପାଞ୍ଜିରେ ସ୍ଥାନ ପାଇଥିଲା ।ସେଥିରେ କୁହାଯାଇଥିଲା-“ଧର୍ମକେଶରୀ ଏ ରାଜାଙ୍କର ଝିଅ କୌଶଲ୍ୟା ଯେମା ଦେଇ। ଏ ଝିଅକୁ ସୁନ୍ଦର ଦେଖି ଅଧର୍ମ ଆଚରଣ କରି ମହାଦେଇ କଲେ। ଏ ରାଣୀ ନାଏକୋଠ ରାହାଙ ବିଶେରେ କୌଶଲ୍ୟାଗାଙ୍ଗ ପୋଖରୀ ଖୋଳାଇ ଚାରିଦିଗେ ଚାରି ଶାସନ ବସାଇ ପୋଖରୀ ମଝିରେ ବାରବାଟି ଦିପିଦଣ୍ଡି କରିଶାସନ ବସାଇଲା।” ସମ୍ଭବତଃ ଏହି ଅଂଶଟିଏବଂ ଦେଶଖଂଜା ଅଂଶଟି ଗୋଟିଏ ପାଂଜିରୁ ଉଦ୍ଧୃତ ହେବାବେଳେ କେତେକ ପରିବର୍ତ୍ତନ କରିଦିଆଯାଇଥିଲା। ଯେପରି ଦେଶଖଂଜାରେ ଦିପଦଣ୍ଡି କରବାଟି ଥିବାବେଳେ ଗୋପାଳତୀର୍ଥ ପାଂଜିରେ ବାରବାଟି ଦିପିଦଣ୍ଡି ବୋଲି ସୂଚାଇ ଦିଆଯାଇଛି। ପ୍ରସଂଗଟିକୁ କିଟ୍ଟୋ ମଧ୍ୟ ବ୍ୟବହାର କରିଥିଲେ । ଏଥିରେ ବାରବାଟି ଶବ୍ଦଟି ଥିବାରୁ ପୁଷ୍କରିଣୀ ମଧ୍ୟ ସ୍ଥଳରେ ନିର୍ମିତ ମଣ୍ଡପଟି ଏକ ବୃହତ୍‍ ପ୍ରାସାଦ ତୁଲ୍ୟ ହୋଇଥିବାର ମନେହୁଏ।

ଏହି ଜନଶ୍ରୁତି ଷୋଡଶ ଶତକ ଶେଷଭାଗରେ ଓଡିଶାରେ ପ୍ରଚଳିତ ଥିଲା ବା ସଂରଚିତ ହୋଇଥିଲା ଯାହା ଫଳରେ ଏହା ପ୍ରଥମେ ରାଜଭୋଗରେ ସ୍ଥାନ ପାଇଥିଲା। ଏହା ଏକ ଐତିହାସିକ ଘଟଣାପ୍ରବାହର ବିକୃତ ବର୍ଣ୍ଣନ। ବିଂଶ ଶତକରେ କେତେକ ଐତିହାସିକ ନାମଟିକୁ କୋଶଳା ଭାବି ଚୋଡଗଙ୍ଗଙ୍କ ରାଣୀ କୋସଲମା ସହିତ ସଂଯୋଜିତ କରିଥିଲେ।ତେବେ ଷୋଡଶ ଶତକ ପୂର୍ବେ ଏହା କୁଶଳଗଙ୍ଗା ଥିବା ସତ୍ୟ ମନେହୁଏ। କୁଶଳଗଙ୍ଗା କ୍ରମେ  କୌଶଲ୍ୟାଗାଙ୍ଗରେ ପରିଣତହୋଇଗଲା। କୁଶଳ ଶବ୍ଦଟି ତୋଷଳ ସହିତ ଜଡିତ। ସମ୍ଭବତଃ ଏହା ପ୍ରଥମେ ତୋଷାଳୀର ସୀମାରେ ଥିବାରୁ ବୌଦ୍ଧ ଅନୁଶାସନରେ ଥିବା ଶୁରଭଗିରି(ପରବର୍ତ୍ତୀ ଧଉଳୀ) ନିକଟସ୍ଥ ଏକ ବୃହତ୍‍ ପୁଷ୍କରିଣୀ କୁ ତୋଷଳଗଂଗା ବୋଲି କୁହାଯାଇଥିଲା। ତାହା ପରିବର୍ତ୍ତିତ ହୋଇ ତୋଷଳଶବ୍ଦର ପ୍ରଚଳନ ବନ୍ଦ ହେବା ପରେ ମଧ୍ୟଯୁଗରେ ତୋଷରୁ କୁଶଳଗଙ୍ଗା ଏବଂ ପରେପରେ କୌଶଲ୍ୟାଗାଙ୍ଗରେ ପରିଣତ ହେଲା।ସମ୍ଭବତଃ ଅଶୋକଙ୍କର ଶିଳାନୁଶାସନ ଶୁରଭଗିରି/ଧଉଳୀଗିରିରେ ଉତ୍କୀର୍ଣ୍ଣ ହେବାପରେ ବୌଦ୍ଧମାନେ ବହୁସଂଖ୍ୟାରେ ବସବାସ କରିବା ପରେ ସେମାନଙ୍କର ଆବଶ୍ୟକତା ପାଇଁ ଏପରି ପୁଷ୍କରିଣୀ ଖୋଦନ କରା ଯାଇଥିଲା।

ପରେପରେ ବୌଦ୍ଧଧର୍ମର ପତନ ହେବାପରେ ବ୍ରାହ୍ମଣ୍ୟ ଧର୍ମଏହି ଅଞ୍ଚଳରେ ପ୍ରତିଷ୍ଠା ହେବାବେଳେ ତୋଷଳ ଶବ୍ଦଟି କୁଶଳଶବ୍ଦରେ ପରିଣତ ହୋଇ କାଳକ୍ରମେ କୌଶଲ୍ୟାଗଂଗାରେ ପରିଚିତହେଲା। ପରବର୍ତ୍ତୀ ପର୍ଯ୍ୟାୟରେ ଗଙ୍ଗବଂଶୀ ରାଜାମାନେ ଭୁବନେଶ୍ୱରରେ କେତେକ କୀର୍ତ୍ତି ସ୍ଥାପନ କରିଥିଲେ। ଚୋଡଗଙ୍ଗଙ୍କ ଉତ୍କଳ ଅଧିକାର ସମୟରେ ଭୁବନେଶ୍ୱର ଶୈବକ୍ଷେତ୍ରର ଉନ୍ନତି କରାଇଥିବାର ସୂଚନା ତାଙ୍କର ଶିଳାଲେଖମାନଙ୍କରେ ରହିଛି। ପୁଣି ମାଦଳାପାଞ୍ଜି ଅନୁସାରେ ଚୋଡଗଙ୍ଗ ଉତ୍କଳରେ କ୍ଷମତା ବୈଧିକରଣ ପାଇଁ ଭୁବନେଶ୍ୱର-ଶୈବ ମାନଙ୍କର ସକ୍ରିୟ ସମର୍ଥନ ପାଇଥିଲେ ।ଭୁବନେଶ୍ୱର ଓ ଧଉଳୀ ମଧ୍ୟବର୍ତ୍ତୀ ଶିଶୁପାଳଗଡରେ ଗ୍ରାମଦେବତାରୂପେ ପୂଜିତ ହୋଇଥିବା ଏକ ପାର୍ବତୀମୂର୍ତ୍ତିର ପୃଷ୍ଠଦେଶରେ ଉତ୍କୀର୍ଣ୍ଣ ଏକ ସଂସ୍କୃତ  ଲେଖାରେ ଗଙ୍ଗେଶ୍ୱର ଦେବଙ୍କ ଦ୍ୱାରା ଏକ ମନ୍ଦିର ନିର୍ମାଣ ସମ୍ପର୍କରେ ଏକ ପ୍ରଶସ୍ତି ମିଳେ ଯାହା ଚୋଡଗଙ୍ଗ ଦେବଙ୍କୁ ଭୁବନେଶ୍ୱର ସହିତ ସଂଯୋଜିତ କରିବାର ଅନ୍ୟ ଏକ ଅଭ୍ରାନ୍ତ ପ୍ରମାଣ। ତେଣୁ ଅନୁମାନ କରାଯାଇପାରେ ଯେ ଚୋଡଗଙ୍ଗ କାଳରେ ଏହି କୁଶଳ ପୁଷ୍କରିଣୀଟି ବୃହତ୍‍ କରାଯାଇ ମଧ୍ୟ ଭାଗରେ ଏକ ବିସ୍ତାରିତ ଅଂଶରେ ଦୀପଦଣ୍ଡି ନିର୍ମାଣ କରାଯାଇଥିଲା ଯାହା ଏକ ବୃହତ୍‍ ପ୍ରାସାଦ ତୁଲ୍ୟ। ଏଠାରେ ଆମୋଦପ୍ରମୋଦ ପାଇଁ ରାଜ ପରିବାର ବସବାସ କରୁଥିଲେ। ସେପରି କାରଣରୁଏହି ପୁଷ୍କରିଣୀର ନାମ କୌଶଲ୍ୟାଗାଙ୍ଗ ହୋଇଥିବା ଅସମ୍ଭବ ନୁହେଁ। ଯେହେତୁ ପ୍ରଥମେ ଏହା ବୌଦ୍ଧମାନଙ୍କର ସରୋବର ଥିଲା ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରାହ୍ମଣମାନେ  ବୌଦ୍ଧଧର୍ମ ଧାରା କୁ ଲୋକଚକ୍ଷୁରେ ନିମ୍ନ କରିବାକୁ ଚେଷ୍ଟାକରିଏପରି କୁତ୍ସିତ ଆଖ୍ୟାନ ସଂରଚନା କରିଥିଲେ।

ପୁଣି ଯେହେତୁ ଚୋଡଗଙ୍ଗ ଓଡିଶାରେ ରାଜତ୍ୱ ଆରମ୍ଭରେ ତାନ୍ତ୍ରିକ ପଦ୍ଧତି ମାଧ୍ୟମରେ ତାନ୍ତ୍ରିକ ପୀଠମାନଙ୍କୁ ତଥା ଗୋସାଣୀ ମାନଙ୍କୁ ନିୟନ୍ତ୍ରଣକରିଥିଲେ-ଯାହାର ପ୍ରମାଣ ମାଦଳାପାଞ୍ଜିରେ ସ୍ଥାନୀତଏବଂ ଯେହେତୁ ବୌଦ୍ଧଯୁଗରୁ ପ୍ରସିଦ୍ଧ ଥିବା କୁଶଳ ପୁଷ୍କରିଣୀ କୁ ସେ ବୃହତ୍‍ ରୂପ ଦେଇଥିଲେ ତେଣୁ ବୌଦ୍ଧମାନଙ୍କୁ ନିନ୍ଦିତ କରିବାବେଳେ ତାଙ୍କ ସ୍ଥାନ ନିୟନ୍ତ୍ରକ ଚୋଡଗଙ୍ଗଙ୍କୁ ମଧ୍ୟ ନିନ୍ଦିତ କରିବାର ଉଦ୍ୟମ ହୋଇଥିବା ଅସମ୍ଭବ ନୁହେଁ। ମାଦଳାପାଞ୍ଜିରଏହି ଆଖ୍ୟାନରେ ବୌଦ୍ଧ-ବ୍ରାହ୍ମଣ୍ୟ ବିବାଦ ପ୍ରଚ୍ଛନ୍ନ ଭାବରେ ରହିଛି। କୌଶଲ୍ୟା ଗଙ୍ଗ ଜନଶ୍ରୁତି ମାଧ୍ୟମରେ ବୌଦ୍ଧଧର୍ମ ଧାରାର ତାନ୍ତ୍ରିକ ମତବାଦକୁ କଠୋର ସମାଲୋଚନା କରାଯାଇଛି। ଗଙ୍ଗବଂଶୀ ସମ୍ରାଟ ଚୋଡଗଙ୍ଗ ବେତାଳ ସାଧ୍ୟ ଥିବାର ପରଂପରାକୁ ବ୍ୟବହାର କରି ତାଙ୍କର ମହତ୍‍ ଗଠନାତ୍ମକ କାର୍ଯ୍ୟକୁ ଘୋଡାଇଏପରି କୁତ୍ସିତ ଆଖ୍ୟାନ ସଂରଚିତହେଲା। ତାନ୍ତ୍ରିକ ବୌଦ୍ଧମାନେ ଏହିପରି ପାପ କାର୍ଯ୍ୟରେ  ମଧ୍ୟ ପ୍ରବୃତ୍ତ ହୋଇଥିଲେ ବୋଲି ନିନ୍ଦା କରାଯାଇଥିଲା। ତାହାସତ୍ତ୍ୱେ ଏହି ପ୍ରକାଣ୍ଡ ସର ଏକଦା ବୌଦ୍ଧମାନଙ୍କର ଏକ କେନ୍ଦ୍ରସ୍ଥଳ ଥିଲା ଏଥିରେ ସନ୍ଦେହ କରାଯାଇ ନପାରେ। ସମ୍ଭବତଃ ଅଶୋକ ପରବର୍ତ୍ତୀ କାଳରେ ବୌଦ୍ଧମାନେ ସୁରଭଗିରି ଅଞ୍ଚଳରେ ବସବାସକରି ଏପରି ଏକ ସର ଖୋଦନ କରାଇଏ ହାର  ଉପଯୁ କ୍ତ ବ୍ୟବହାର କରିଥିଲେ। ପରେ ଏହା ମଧ୍ୟଯୁଗରେ ଏକ ବୃହତ୍‍ ଜଳାଶୟ ବା ଗଙ୍ଗାରୂପ ନେଇଥିଲା। କୌଶଲ୍ୟାଗଙ୍ଗା  ଅଞ୍ଚଳରେ ନାନା ପ୍ରକାର ବୌଦ୍ଧ କୀର୍ତ୍ତି ଥିବାର କଥା ଊନବିଂଶ ଶତକର ଐତିହାସିକମାନେ ମତ ଦେଇଥିବାରୁ  ମଧ୍ୟଯୁଗରେ ବୌଦ୍ଧମାନଙ୍କୁ ଲୋକଚକ୍ଷୁରେ କଳଂକିତ କରିବା ଅଭିପ୍ରାୟରେ ବ୍ରାହ୍ମଣମାନେ ଏପରି ଏକ କୁତ୍ସିତ ଆଖ୍ୟାନ ସଂରଚନା କରିଥିବା ଅସମ୍ଭବ ନୁହେଁ ।ମାଦଳାପାଞ୍ଜି ରାଜଭୋଗରେ ବୌଦ୍ଧ-ବ୍ରାହ୍ମଣ ବିବାଦର ନାନା ପ୍ରସଂଗ ରହିଛି। ବୌଦ୍ଧ ଯୁଗ ସହିତ ଜଡିତ କୌଶଲ୍ୟା ଗଙ୍ଗ ସେହି ବିବାଦର ଏକ ଭୂମି ରୂପେ ଗ୍ରହଣ କରାଯାଇପାରେ।