Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆନ୍ତଃରାଜ୍ୟ ସୀମାବିବାଦ ସମ୍ବନ୍ଧୀୟ ଗୃହ କମିଟି ବୈଠକ, କୋଟିଆକୁ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ଆଜି ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତଃରାଜ୍ୟ ସୀମାବିବାଦ ସମ୍ବନ୍ଧୀୟ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ରାଜ୍ୟ ଓ ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲ୍ଲାର ୨୧ଟି କୋଟିଆ ଗ୍ରାମପୁଞ୍ଜର ସମସ୍ୟା ବାବଦରେ ଆଲୋଚନା ହୋଇଥିଲା ।

ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ  କ୍ରମ ଏହି ଗ୍ରାମଗୁଡ଼ିକରେ ବ୍ୟବସ୍ଥା କରାଯାଇଛି । ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ବିଦୁ୍ୟତ ଯୋଗାଣ, ପାନୀୟ ଜଳଯୋଗାଣ, ରାସନ୍‌ କାର୍ଡ ବ୍ୟବସ୍ଥା ଆଦି କରାଯାଇଛି । ସରକାରୀ ଅଧିକାରୀମାନେ ସେମାନଙ୍କ ସହ ନିରନ୍ତର ଯୋଗାଯୋଗ ସ୍ଥାପନ କରି ସେମାନଙ୍କୁ ସୁବିଧା ଯୋଗାଇ ଦେଉଛନ୍ତି ବୋଲି କୋରାପୁଟ ଜିଲ୍ଲାପାଳ ଗୃହ କମିଟିକୁ ଅବଗତ କରାଇଥିଲେ ।

ଏହି ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅମର ଶତପଥୀ ଯୋଗଦେଇଥିବାବେଳେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ବିଧାୟକ ଭୂପିନ୍ଦର ସିଂ, ମୋହନ ଚରଣ ମାଝୀ, ଡ. ନୃସିଂହ ଚରଣ ସାହୁ, ନାଉରି ନାଏକ, କେ. ନାରାୟଣ ରାଓ ପ୍ରମୁଖ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।କୋଟିଆକୁ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ କମିଟ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା।

ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି. ଆଓ, ବିଧାନ ସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।