Categories
ଜାତୀୟ ଖବର ବିଶେଷ ଖବର

କୋଟିଆ ଦଖଲ ପାଇଁ ଆନ୍ଧ୍ରର ଜୋରଦାର ଉଦ୍ୟମ, ଅଗଷ୍ଟ 15ରୁ ଓଡିଆ ନାମଫଳକ ହଟି ହେବ ତେଲୁଗୁ

କୋରାପୁଟ, ଆନ୍ଧ୍ର ସୀମାରେ ଥିବା ଓଡିଶାର କୋଟିଆ ଅଞ୍ଚଳକୁ ଦଖଲ କରିବା ପାଇଁ ଆନ୍ଧ୍ର ପ୍ରଦେଶ ସରକାର ଜୋରଦାର ଉଦ୍ୟମ ଜାରୀ ରଖିଛନ୍ତି। ଏ ନେଇ ସୁପ୍ରିମ କୋର୍ଟରେ ମାମଲା ଚାଲିଥିବା ବେଳେ ଆନ୍ଧ୍ର ତରଫରୁ କୋଟିଆ ଉପରେ ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି। ଯାହା ଓଡିଶାର ସ୍ବାଭିମାନ ଉପରେ ବଡ କୁଠାରଘାତ ହେବାରେ ଲାଗିଛି। ଆନ୍ଧ୍ରର ଏପରି ବାରମ୍ବାର ଉଦ୍ୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ବର୍ତ୍ତମାନ ସଦ୍ୟତମ ଖବର ଅନୁସାରେ ଆନ୍ଧ୍ର ସରକାର ଅଗଷ୍ଟ 15 ତାରିଖ 75ତମ ସ୍ବାଧୀନତା ଦିବସରେ ଏହି କୋଟିଆ ଅଞ୍ଚଳରେ ଏକ କାର୍ଯ୍ୟକ୍ରମ କରୁଛି। ଏଥିରେ କୋଟିଆ ଅଞ୍ଚଳରେ ଯେତେ ସବୁ ଓଡିଆ ନାମ ଫଳକ ତଥା ସାଇନବୋର୍ଡ ଅଛି ତାହାକୁ ହଟାଇ ଦିଆଯିବ। ତା ସ୍ଥାନରେ ତେଲୁଗୁ ନାମଫଳକ ଲଗାଯିବ ବୋଲି ନିଷ୍ପତି କରିଛି ଆନ୍ଧ୍ର। ପ୍ରାରମ୍ଭିକ ପର୍ଯ୍ୟାୟରେ 22 ଟି ଗ୍ରାମରେ ଏହି ପଦକ୍ଷେପ ଗ୍ରହଣ କରାଯିବ। ସେଥିପାଇଁ କେତେ ତେଲୁଗୁ ନାମଫଳକ ପ୍ରସ୍ତୁତ କରି ରଖାଯାଇଛି।

ସେହିପରି ଅଗଷ୍ଟ 16 ତାରିଖରେ ମଧ୍ୟ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାର ବିଭିନ୍ନ ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି। ସେହି ଅନୁସାରେ ନିକଟସ୍ଥ ସାଲୁର ବିଧାୟକ ଏହାର ଉଦଘାଟନ କରିବେ। ସେହି ସ୍ଥାନରେ ଜିଲ୍ଲାର ଉପଜିଲ୍ଲାପାଳ ତଥା ବିଭିନ୍ନ ସରକାରୀ ଅଧିକାରୀ ଉପସ୍ଥିତ ରହିବେ।

ଦୀର୍ଘ ବର୍ଷ ଧରି ଆନ୍ଧ୍ର ଏବଂ ଓଡିଶା ମଧ୍ୟରେ କୋଟିଆକୁ ନେଇ ବିବାଦ ଲାଗିରହିଛି। ଫଳରେ ସେହି ଅଞ୍ଚଳରେ ବାସ କରୁଥିବା ପ୍ରାୟ ଆଠ ହଜାର ଲୋକ ଫସିଯାଇଛନ୍ତି। ଗତବର୍ଷ ମେ ଆଠ ତାରିଖରେ ଆନ୍ଧ୍ର ସରକାର ଏହି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ଘୋଷଣା କରିଥିଲା। ତେବେ ବର୍ତ୍ତମାନ ଆନ୍ଧ୍ର ସରକାରଙ୍କର ଏପରି ନିଷ୍ପତି ଏହି ବିବାଦକୁ ପୁଣି ଥରେ ଭିନ୍ନ ମୋଡ ନେଉଛି।

Categories
ଆଜିର ଖବର ରାଜ୍ୟ ଖବର

କୋଟିଆରେ ଆରମ୍ଭ ହେଲା ସ୍ବାସ୍ଥ୍ୟ ସର୍ଭେ କାର୍ଯ୍ୟକ୍ରମ, ଘରକୁଘର ବୁଲି ତଦାରଖ କରିବେ ସ୍ବାସ୍ଥ୍ୟକର୍ମି

କୋରାପୁଟ, କୋଟିଆକୁ ନେଇ ବିବାଦ ଚାଲିଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ଏହାର ଉନ୍ନତି ଦିଗରେ ପଦକ୍ଷେପ ଆରମ୍ଭ କରିଛନ୍ତି। ଏଥିରେ କୋଟିଆ ପଞ୍ଚାୟତର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦିଆଯାଇଛି। ସେହି ଅନୁସାରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ କୋଟିଆରେ ପହଁଚି ସର୍ଭେ ଆରମ୍ଭ କରିଛନ୍ତି।

ଏଥିରେ ସେହି ଅଞ୍ଚଳରେ ଲୋକମାନଙ୍କର ସ୍ବାସ୍ଥ୍ୟ କିପରି ରହିଛି ତାହା ଉପରେ ସର୍ଭେ କରାଯିବ। ଏଥିରେ ସ୍ବାସ୍ଥ୍ୟ କର୍ମି, ଅଙ୍ଗନବାଡି ଓ ଆଶା କର୍ମି ଘରକୁ ଘର ବୁଲି ଏହି ସ୍ବାସ୍ଥ୍ୟ ସର୍ଭେ କରିବେ। ଏହାପରେ ଏକ ବିସ୍ତୁତ ରିପୋର୍ଟ ପ୍ରସ୍ତୁତ କରି ସ୍ବାସ୍ଥ୍ୟ ବିଭାଗକୁ ଦିଆଯିବ। ସେହି ରିପୋର୍ଟକୁ ଆଧାର କରି ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ନିଷ୍ପତି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାର ସୀମା ସୁରକ୍ଷାରେ ସରକାର ବିଫଳତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର, କୋଟିଆ ବିବାଦ ସଂକ୍ରାନ୍ତରେ ଆଜି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କର ସମାଲୋଚନା କରିଛନ୍ତି ନିରଂଜନ। ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅପାରଗତା ଓ ଦୂର ଦୃଷ୍ଟି ହୀନତା ପାଇଁ ଆମ ମାତୃଭୂମିର ମାଟିକୁ ଆମେ ହରାଇବାକୁ ଯାଉଛୁ । ଆଗରୁ ମହାନଦୀର ପାଣିକୁ ଆମେ ହରାଇଥିଲୁ, ଏବେ କୋଟିଆ ପରି ଅଂଚଳ ଗୁଡ଼ିକ ପାଇଁ ପ୍ରଶ୍ନବାଚୀ ହୋଇଛି । ଏହା ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଓଡ଼ିଶାର ସୀମାନ୍ତରେ ୭୬ଟି ଗାଁ ବିବାଦୀୟ ବୋଲି ଚିହ୍ନଟ ହୋଇଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୁରଭଞ୍ଜ, କେଉଁଝର ଓ ବାଲେଶ୍ୱର ଜିଲ୍ଲା ମାନଙ୍କରେ ଥିବା ଏହି ୭୬ଟି ଗାଁ ଗୁଡ଼ିକ ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ବିବାଦୀୟ ହୋଇ ରହିଛି । ଏହି ବିବାଦର ବର୍ତମାନ ସ୍ଥିତି କ’ଣ ଓ ରାଜ୍ୟ ସରକାର ଏହି ବିବାଦର ସମାଧାନ ଦିଗରେ କ’ଣ କରିଛନ୍ତି ଓ କରିବାକୁ ଯାଉଛନ୍ତି, ସେ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ଆଜି ଏ ସଂକ୍ରାନ୍ତରେ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଶ୍ରୀ ପଟ୍ଟନାୟକ । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଆନ୍ଧ ସରକାର ଯେତେବେଳେ କୋଟିଆ ର ୨୨ଟି ଗାଁରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କଲେ ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ କେମତି ତା’ର ସୁରାକ ପାଇଲା ନାହିଁ? ସରକାର ଏବଂ ପ୍ରଶାସନର ଦାୟିତ୍ୱ ହୀନତା ପାଇଁ କୋଟିଆ ପ୍ରସଙ୍ଗ ଆଜି ଏଭଳି ବିଷ୍ପୋରକ ସ୍ଥିତିକୁ ଯାଇଛି ଏବଂ ଆମ ହାତରୁ କୋଟିଆ ଗାଁ ଗୁଡ଼ିକୁ ଖସି ଯିବାକୁ ଯାଉଛି । ରାଜ୍ୟ ସରକାର କାହିଁକି ଠିକ୍ ସମୟରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡିଶାର ସୀମାବର୍ତୀ ଗାଁ ଗୁଡ଼ିକର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ପାରି ନାହାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରପତା, ଜୀବିକା ଇତ୍ୟାଦି ସୁନ୍ତିଶ୍ଚିତ କରିବା କ୍ଷେତ୍ରରେ ଓଡ଼ିଶା ସରକର ବିଫଳ ହୋଇଛି ଏବଂ ତାର ସୁଯୋଗ ନେଉଛନ୍ତି ପଡୋଶୀ ରାଜ୍ୟମାନେ । କେବଳ ଆମ ଜନ୍ମ ଭୂମିର ମାଟି ନୁହେଁ , ଆମର ଭାଷା ଉପରେ ମଧ୍ୟ ଅକ୍‌ତିଆର ଜାହିର କରୁଛନ୍ତି । ପଡୋଶୀ ରାଜ୍ୟମାନେ। ପ୍ରାୟ ୨୦୦ ସ୍କୁଲ ଗୁଡ଼ିକରେ ଓଡ଼ିଶା ଶିକ୍ଷକ ନାହାନ୍ତି । ଏ ଗୁଡ଼ିକରେ ତେଲଗୁ ଶିକ୍ଷକମାନେ ନିଯୁକ୍ତି ପାଇଛନ୍ତି । ଆମ ରାଜ୍ୟରେ ପ୍ରାକୃତିକ ସଂପଦଗୁଡ଼ିକୁ ମଧ୍ୟ ଲୁଟ କରିବାକୁ ପଛାଉ ନାହାନ୍ତି ପଡ଼ୋଶୀ ରାଜ୍ୟ।ଏଥିପ୍ରତି ସରକାରଙ୍କର ନିଘା ନାହିଁ । ବିଭିନ୍ନ ନଦୀର ବାଲିକୁ ପଡ଼ୋଶୀ ରାଜ୍ୟମାନେ ଲୁଟ କରୁଛନ୍ତି । ସରକାର ନିରବ କେମିତି ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ସହିତ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଉପସ୍ଥିତି ଥିଲେ ।