Categories
ଅପରାଧ ଆଞ୍ଚଳିକ ରାଜ୍ୟ ଖବର

ଶ୍ଵଶୁର ଘରେ ବେକରେ ଦଉଡ଼ି ଲଗାଇ ଜ୍ଵାଇଁ ପୁଅର ଆତ୍ମହତ୍ୟା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଖାରିଆ ଗ୍ରାମରେ ମଣ୍ଟୁ ନାୟକ ନାମକ ଜଣେ ଯୁବକ ନିଜ ଶ୍ଵଶୁର ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ମଣ୍ଟୁର ଘର ନିକଟସ୍ଥ ବୋଲସର ଗ୍ରାମ ହୋଇଥିବା ବେଳେ ସେ ଶ୍ଵଶୁର ଘରେ ରହୁଥିଲା। କିନ୍ତୁ କୌଣସି କାରଣରୁ ସେ ବେକରେ ଦଉଡ଼ି ଦେଇ ଝୁଲୁଥିବା ଦେଖି ଶ୍ଵଶୁର ପ୍ରାଣବନ୍ଧୁ ପ୍ରଧାନ କୋଟିନଡା ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ପାଇ ମଣ୍ଟୁକୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଆସ୍କା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ମଣ୍ଟୁର ବାପା ଶ୍ଵଶୁର ଘର ଲୋକେ ତାଙ୍କ ପୁଅକୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହରିଡାପଦର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ନିର୍ମମ ହତ୍ୟା

ମାନସ ପୂର୍ଣ୍ଣ ଆଚାର୍ଯ୍ୟ
ଆସିକା: ଆସିକା କୋଟିନଡା ଥାନା ଅନ୍ତର୍ଗତ ହରିଡାପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହରିଡାପଦର ଗାଁର ଜଣେ ଯୁବକ ସୁରେଶ ଡାକୁଆ ଓ ତାର ବାପା ଉଭୟ ମିଶି ଜଣେ ହରିଜନ ଯୁବକ ସଞ୍ଜୟ ନାୟକକୁ ନିର୍ମମ ହତ୍ୟା କରିଥିବା ଅଭିଯୋଗ ଥାନାରେ ହୋଇଛି। ମୃତ ବ୍ୟକ୍ତିର ଭଉଣି ଆସିକା ନିକଟସ୍ଥ କୋଟିନଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରବିବାର ଦିନ ପ୍ରାୟ ୧୧ଟା ବେଳେ ଗ୍ରାମର ବଡସାହିରେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଖବର ପାଇ ଆସିକା ପୋଲିସ ଏସଡିପିଓ ଉମାଶଙ୍କର ସିଂ, କୋଟିନଡା ଥାନା ଅଧିକାରୀ କୃଷ୍ଣ ସିଂ ସମେତ ପୋଲିସ ବାହିନୀ ଗାଁରେ ପହଁଚି ଥିଲେ। ମୃତ ଶବକୁ ଜବତ କରି ପୋଲିସ ଆସିକା ସବଡିଭିଜନ ମେଡିକାଲକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛନ୍ତି। ଏହି ଘଟଣା ବିରୋଧରେ ଥାନାରେ ଲିଖୀତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ହରିଡାପଦର ଗାଁରେ ସବର୍ଣ୍ଣ ଓ ଅସବର୍ଣ୍ଣ ବିବାଦ ଦିର୍ଘ ଦିନ ଧରି ଲାଗି ରହିଥିଲା। ଏହି ବିବାଦ ଯୋଗୁଁ ସବୁବେଳେ ହରିଡାପଦର ଗାଁରେ ଗଣ୍ଡଗୋଳ ହେଉଥିଲା। ହରିଜନ ଗ୍ରାମର ଲୋକ ସ୍ଥାନୀୟ ପ୍ରଶାସନର ଅନୁମତିରେ ଏକ ଏସଏଚଜି ଗ୍ରୁପ ଜରିଆରେ ଗାଁ ବନ୍ଧରେ ମାଛ ଛାଷ ପାଇଁ ଅନୁମତି ପାଇଥିଲେ। କିନ୍ତୁ ଗାଁର ଜଣେ ବଳଶାଳୀ ଯୁବକ ଯିଏ ବିଜେଡିର ଯୁବ ନେତା ସୁରେଶ ଡାକୁଆ ସବୁବେଳେ ବିରୋଧ କରି ଆସୁଥିଲେ। ଏନେଇ ହରିଡାପଦର ଗାଁରେ ହରିଜନ ଲୋକଙ୍କୁ ନିଆପାଣି ବାସନ୍ଦ କରାଯାଇଥିଲା। ସେହି ଦିନ ଠାରୁ ହରିଡାପଦର ଗାଁରେ ବିବାଦ ଲାଗି ରହିଥିଲା। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଉପସ୍ତିତିରେ ମଧ୍ୟ ଏହାର ସମାଧାନ ହୋଇଥିଲା। ତଥାପି ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠି ମଧ୍ୟରେ ବିବାଦ ଲାଗି ରହିଥିଲା।

ଏହି ବିବାଦ ଯୋଗୁଁ ଆଜି ଯୁବକକୁ ନିର୍ମମ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ସେପଟେ ସାହି ବାସିନ୍ଦା ପକ୍ଷରୁ ପୋଲିସ ପ୍ରଶାସନର ଅବହେଳା ଯୋଗୁଁ ଆଜି ଗୋଟିଏ ଜୀବନ ଚାଲି ଗଲା ବୋଲି କୁହାଯାଇଛି।

Categories
ଆଞ୍ଚଳିକ

ପାରିବାରିକ କଳହକୁ କେନ୍ଦ୍ର କରି ଯୁବକଙ୍କ ଆତ୍ମହତ୍ୟା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଗୋଲାପଲୀ ଗ୍ରାମର ଜୀବନ ପାତ୍ର ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆସ୍କା ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ପ୍ରକାଶ ଯେ, ମୃତ ଜୀବନ ପ୍ରତ୍ୟେକ ଦିନ ମଦ ପିଇ ଆସି ଘରେ ଗଣ୍ଡଗୋଳ କରୁଥିଲେ। ଗତକାଲି ସନ୍ଧ୍ୟାରେ ମଧ୍ୟ ସେ ମଦ ପିଇ ଆସି ନିଜ ସ୍ତ୍ରୀ ସହ ଗଣ୍ଡଗୋଳ କରିଥିଲେ। ଏହି ଭଳି ପରିସ୍ଥିତିରେ ସ୍ତ୍ରୀ ଅନ୍ୟ କୌଣସି ବନ୍ଧୁଙ୍କ ଘରକୁ ଯାଇଥିବା ବେଳେ ଜୀବନ ଭିତରେ ଥିବା ଏକ କୋଠରୀରେ କବାଟ ଦେଇ ଆତ୍ମହତ୍ୟା କରିଥିବା ସ୍ତ୍ରୀ ଦେଖିଲେ। ସଙ୍ଗେ ସଙ୍ଗେ ସାହି ପଡିଶା ଓ ବନ୍ଧୁମାନଙ୍କୁ ଜଣାଇବା ପରେ ସମସ୍ତେ ଆସି ପହଞ୍ଚି ଘଟଣା ଦେଖିବା ପରେ ପୋଲିସକୁ ଜଣାଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଦେଖିଲା ବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ସମସ୍ତଙ୍କ ସନ୍ଦେହ ସୃଷ୍ଟି ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅପମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜ୍ଞାନ ଯୁଗରେ ବି ହଟୁନି ଅନ୍ଧବିଶ୍ଵାସ: ଗୁଣିଆ ପାଇଁ ଅନୁମତି ମାଗିବାକୁ ଥାନାରେ ଗ୍ରାମବାସୀ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ବିଜ୍ଞାନ ଯୁଗରେ ବି ହଟୁନି ଅନ୍ଧ ବିଶ୍ବାସ। ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। ହେଲେ ଏସବୁ ସଚେତନତାର ବାର୍ତ୍ତା ଅସଲ ବେଳକୁ କାମରେ ଆସୁନି। ଆଉ ଅନ୍ଧବିଶ୍ୱାସର ବଶବର୍ତ୍ତୀ ମଣିଷ ଶେଷରେ ଗୁଣି ଗାରେଡ଼ି ସନ୍ଦେହରେ ଅନେକ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି। ଏଭଳି ଏକ ଅଭାବନୀୟ ଘଟଣା ଆଜି ଗଞ୍ଜାମ ଜିଲ୍ଲାର ଆସିକା କୋଟିନଡା ଥାନା ପରିସରରେ ଦେଖିବାକୁ ମିଳିଛି।

କୋଟିନଡା ଗ୍ରାମର ଗନ୍ଧର୍ବ ମହାନ୍ତିଙ୍କ ପରିବାରର ୩ ଜଣଙ୍କୁ ଏକା ବେଳକେ ଭୂତ ସବାର ହୋଇଛି। ଗ୍ରାମବାସୀ ମାନେ କୋଟିନଡା ଥାନା ଆଗରେ ସଂପୃକ୍ତ ବ୍ୟକ୍ତିମାନଙ୍କ ଶରୀରକୁ ଭୂତ ଆସିଥିବା ଓ ସେମାନେ ବିଭିନ୍ନ ପ୍ରକାର ଚିତ୍କାର କରୁଥିବା ଉଲ୍ଲେଖ କରିଛନ୍ତି। ଏଥି ସହିତ ଗ୍ରାମବାସୀମାନେ କୋଟିନଡା ଥାନାକୁ ଆସି ଗାଁ ରେ ସର୍ବଦା ଏଭଳି ଅଭାବନୀୟ ଘଟଣା ଲାଗି ରହୁଥିବାରୁ ତୁରନ୍ତ ଗୁଣିଆ ଆଣିବା ସହ ଗାଁ ରୁ ଗୁଣିଆକୁ ଖୋଜି ବାହାର କରିବାକୁ ଥାନା ଅଧିକାରୀଙ୍କୁ ଅନୁମତି ଦେବାକୁ ଦାବି କରୁଛନ୍ତି।

ଶେଷରେ ଆସିକା ଏସଡିପିଓ ଉମାଶଙ୍କର ସିଂ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଏବେବି ସେଠାରେ ଉତ୍ତେଜନା ଲାଗି ରହିଛି।