Categories
ଆଜିର ଖବର ରାଜ୍ୟ ଖବର

ଏମ୍‌ସ ଭୁବନେଶ୍ୱର କାଏଜ୍‌ମା-୨୦୨୪କୁ ଉଦ୍‌ଘାଟନ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର: କୋଭିଡ୍‌ ମହାମାରୀ ସମୟରେ ଏମ୍‌ସ ଭୁବନେଶ୍ୱର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ଏହି ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନର ଅବଦାନ ଅନସ୍ବୀକାର୍ଯ୍ୟ। ବିକଶିତ ଭାରତର ପ୍ରକୃତ ଭାବନା ପୂରଣ କରିବାରେ ଦେଶର ଯୁବଗୋଷ୍ଠୀ ସମ୍ମୁଖଭାଗରେ ରହିଛନ୍ତି। ଏଥିସହ ଷ୍ଟାର୍ଟ ଅପ୍ ଇଣ୍ଡିଆ, ଖେଲୋ ଇଣ୍ଡିଆ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ଅନ୍ୟାନ୍ୟ ଯୁବକେନ୍ଦ୍ରିକ କାର୍ଯ୍ୟକ୍ରମରେ ଦେଶର ଯୁବଗୋଷ୍ଠୀଙ୍କ ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ ଥିବା ଏମ୍‌ସ ଭୁବନେଶ୍ବର ଛାତ୍ର ସଂସଦ ପକ୍ଷରୁ ଆୟୋଜିତ କାଏଜ୍‌ମା-୨୦୨୪ ଉତ୍ସବକୁ ଉଦ୍‌ଘାଟନ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଏପରି ମତବ୍ୟକ୍ତ କରିଛନ୍ତି।

ଏହି ଜାତୀୟ ଅନୁଷ୍ଠାନକୁ ପ୍ରଥମ ଗସ୍ତବେଳେ ରାଜ୍ୟପାଳ ରଘୁବର ଦାସ ଏମ୍‌ସ ଭୁବନେଶ୍ୱରକୁ ଦେଶର ସର୍ବୋଚ୍ଚ ଚିକିତ୍ସା ପ୍ରତିଷ୍ଠାନ ହେବାକୁ ଶୁଭେଚ୍ଛା ପ୍ରଦାନ କରିଥିଲେ। କାଏଜ୍‌ମା ଭଳି ମେଗା କାର୍ଯ୍ୟକ୍ରମରେ କ୍ରୀଡ଼ା, ସଂସ୍କୃତି ଏବଂ ସାହିତ୍ୟକୁ ଅନ୍ତର୍ଭୁକ୍ତ କରିଥିବାରୁ ରାଜ୍ୟପାଳ ଖୁସି ବ୍ୟକ୍ତ କରିବା ସହିତ ଏମ୍‌ସ ଭୁବନେଶ୍ବରର ଛାତ୍ର ସଂସଦକୁ ପ୍ରଶଂସା କରିଥିଲେ। ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମର ବ୍ୟାପକତାକୁ ପ୍ରମାଣ କରିବା ସହିତ ଏକ ନିଆରା ଅନୁଭବ ଆଣିଦେବ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ।

ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମାନନୀୟ ରାଜ୍ୟପାଳଙ୍କୁ ସ୍ବାଗତ କରିବା ସହିତ ଏହି ଜାତୀୟ ପ୍ରତିଷ୍ଠାନର ସଫଳତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଉତ୍ସବକୁ ସ୍ବାଗତ କରି ସଫଳତା କାମନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡିନ୍ ଡ. ପି ଆର୍‌ ମହାପାତ୍ର, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ରେଜିଷ୍ଟ୍ରାର୍‌ ଡ. ଦେବପ୍ରିୟ ବନ୍ଦ୍ୟୋପାଧ୍ୟାୟ, ଡିଡିଏ ରଶ୍ମି ରଂଜନ ସେଠୀ, ଏମ୍‌ସ ଛାତ୍ର ସଂସଦ ସଭାପତି ଦିବ୍ୟଜ୍ୟୋତି ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।

ଉଲ୍ଲେଖଯୋଗ୍ୟଯେ ଏମ୍‌ସ ଭୁବନେଶ୍ୱର ଛାତ୍ର ସଂସଦ ପକ୍ଷରୁ ଆୟୋଜିତ କାଏଜ୍‌ମା, ପୂର୍ବ ଭାରତର ଏକ ବୃହତ୍‌ କଲେଜ ଫେଷ୍ଟ ଭାବେ ପରିଚୟ ହାସଲ କରିଛି। ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ଏକାଡେମିକ୍‌ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାଂସ୍କୃତିକ, ସାହିତ୍ୟିକ, କ୍ରୀଡ଼ା, ଏବଂ ମନୋରଂଜନ ଭିତ୍ତିକ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ।

ଏଥିସହିତ କାଏଜ୍‌ମା-୨୦୨୪ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନର ଅବସର ରଖିଛି। ଚଳିତ ମାସ ୨୯ ତାରିଖ(ଗୁରୁବାର) ସନ୍ଧ୍ୟାକୁ ପ୍ରସିଦ୍ଧ ହାସ୍ୟ କଳାକାର ତଥା ୟୁଟ୍ୟୁବ୍‌ ତାରକା ଅଭିମନ୍ୟୁ ଉପମନ୍ୟୁ ତାଙ୍କ ବ୍ୟଙ୍ଗ ମାଧ୍ୟମରେ ଉପସ୍ଥିତ ଦର୍ଶକଙ୍କୁ ମଉଜ କରିବେ। ସେହିପରି ବଲିଉଡ୍‌ର ଲୋକପ୍ରିୟ ପ୍ଲେବ୍ୟାକ୍‌ ସିଙ୍ଗର୍‌ ମୋହିତ ଚୌହାନ୍ୟ ଆସନ୍ତା ମାସ ୨ ତାରିଖ(ଶନିବାର) ସନ୍ଧ୍ୟାକୁ ତାଙ୍କ ସୁଲଳିତ କଣ୍ଠସ୍ବର ମାଧ୍ୟମରେ ଝୁମାଇବାର କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଛି। ସେହିପରି ଆହୁରି ଅନେକ ଖ୍ୟାତିସମ୍ପନ୍ନ ଡିଜେ କଳାକାରଙ୍କ ପ୍ରଦର୍ଶନ ମଧ୍ୟ ରହିଥିବା ସଭାପତି ଦିବ୍ୟଜ୍ୟୋତି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ଅନଲାଇନ୍ ଏଜିଏମ୍‌ରେ ଯୋଡ଼ି ହେଲେ ରେକର୍ଡ ସଂଖ୍ୟକ ଅଂଶଧାରକ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍‌) ର ଅନ୍‌ଲାଇନ୍ ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ରେକର୍ଡ ୪ ଲକ୍ଷ ୩୦ ହଜାରରୁ ଅଧିକ ଅଂଶଧାରକ (ସେୟାରହୋଲଡର) ଯୋଡ଼ି ହୋଇଥିଲେ। ଏଜିଏମ୍‌ରେ ବହୁ ସଂଖ୍ୟାରେ ଅଂଶଧାରକ ଯୋଡ଼ିହେବା ସହ ପୂର୍ବରୁ ଥିବା ସବୁ ରେକର୍ଡ ଏଥର ଭଙ୍ଗ ହୋଇଛି। ୨୦୨୨ରେ ଅନୁଷ୍ଠିତ ଆର୍ଆଇଏଲ୍ ର ଏଜିଏମ୍‌ରେ ପ୍ରାୟ ୩ ଲକ୍ଷ ୯୦ ହଜାର ଲୋକ ସାମିଲ ହୋଇଥିଲେ। କୋଭିଡ୍ ମହାମାରୀ ସମୟରୁ କମ୍ପାନୀ ଭର୍ଚୁଆଲ୍ ମାଧ୍ୟମରେ ଏଜିଏମ୍ ଆୟୋଜନ କରୁଛି।

ଲକ୍ଷ ଲକ୍ଷ ଅଂଶଧାରକ ଯେଭଳି ସୁବିଧାରେ ଏଜିଏମ୍‌ରେ ଅଂଶଗ୍ରହଣ କରିପାରିବେ ସେଥିପାଇଁ କଂପାନି ପକ୍ଷରୁ ବିଭିନ୍ନ ବୈଷୟିକ ବ୍ୟବସ୍ଥା କରାଯାଇଥିଲା । ଭିଡିଓ କଲିଂ ଆପ୍ “ଜିଓମିଟ୍‌’ରେ ଅନୁଷ୍ଠିତ ହୋଇଥିବା କଂପାନିର ଏଜିଏମ୍ ପାଇଁ ମୁକବଧୀରମାନଙ୍କ ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥଲା। ଅଂଶଧାରକମାନଙ୍କ ସାମ୍ନାରେ କମ୍ପାନୀ ଯେଉଁ ସବୁ ପ୍ରସ୍ତାବ ରଖିଥିଲା ତାହାକୁ ସାଙ୍କେତିକ ଭାଷାରେ ମଧ୍ୟ ଉପଲବ୍ଧ କରାଯାଇଥିଲା।

ପଞ୍ଜାବର ଲୁଧିଆନା ସହରରୁ ଏଜିଏମ୍‌ରେ ଯୋଡ଼ି ହୋଇଥିବା ଦୃଷ୍ଟିବାଧିତ ଅଂଶଧାରକ ଲାଲ ସିଂହ ଠାକୁର ନିଜ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରି କହିଛନ୍ତି ଯେ ‘ରିଲାଏନ୍ସ ପକ୍ଷରୁ ଏଜିଏମ୍ ପାଇଁ ମୁକ-ବଧୀର ଓ ଦୃଷ୍ଟିବାଧିତ ମାନଙ୍କ ପାଇଁ ଅତି ସୁନ୍ଦର ବ୍ୟବସ୍ଥା କରାଯାଇଥିଲା । ଅଂଶଧାରକ ଭାବେ ମୁଁ ମୋ କଥା କମ୍ପାନୀ କର୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିପାରିଥିଲି ଏବଂ ଏଥିପାଇଁ କୌଣସି ଅସୁବିଧା ହୋଇନଥିଲା ।’’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରବକ୍ତା କହିଛନ୍ତି ଯେ, “ଅଧିକରୁ ଅଧିକ ଅଂଶଧାରକ ଏଜିଏମ୍‌ରେ ସାମିଲ ହେବା କମ୍ପାନୀ ପ୍ରତି ସେମାନଙ୍କ ରହିଥିବା ବିଶ୍ୱାସକୁ ଦର୍ଶାଉଛି । ଜିଓମିଟ୍‌ରେ ୪ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଯୋଡ଼ି ହେବା କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏକ ବଡ଼ ଉପଲବ୍ଧି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଆମ ବୈଷୟିକ ଟିମ୍ ଦିନରାତି କାର୍ଯ୍ୟ କରିଥିଲେ ।’’

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କ୍ରମାଗତ ତୃତୀୟ ବର୍ଷ ପାଇଁ କୌଣସି ଦରମା ନେଇନାହାନ୍ତି ମୁକେଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଆସନ୍ତା ଅଗଷ୍ଟ ୨୮ ତାରିଖରେ ହେବାକୁ ଥିବା ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ପୂର୍ବରୁ କମ୍ପାନୀର ବାର୍ଷିକ ରିପୋର୍ଟ ଜାରି କରାଯାଇଛି।

କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଲଗାତାର ତୃତୀୟ ବର୍ଷ ପାଇଁ କୌଣସି ଦରମା ନେଇନାହାନ୍ତି। ତିନି ବର୍ଷ ଧରି କୌଣସି ବେତନ ନନେଇ ସେ କମ୍ପାନୀ ପାଇଁ କାର୍ଯ୍ୟ କରୁଛନ୍ତି। କୋଭିଡ୍ ମହାମାରୀରେ ବ୍ୟବସାୟ ପ୍ରଭାବିତ ହୋଇଥିବା ସମୟରେ କମ୍ପାନୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁକେଶ ସ୍ୱଇଚ୍ଛାରେ ବେତନ ନେବେ ନାହିଁ ବୋଲି ଘୋଷଣା କରିଥିଲେ। ୨୦୨୨-୨୩ ଆର୍ôଥକ ବର୍ଷରେ ମଧ୍ୟ ତାଙ୍କ ବେତନ ଶୂନ ରହିଥିବା କମ୍ପାନୀର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ବେତନ ନୁହେଁ, ବିଗତ ତିନି ବର୍ଷରେ ମୁକେଶ ଭତ୍ତା, ଅନ୍ୟାନ୍ୟ ଲାଭ, ସେବାନିବୃତ ଲାଭ, କମିସନ କିମ୍ବା ଷ୍ଟକ ବିକଳ୍ପ ବି ନେଇନାହାନ୍ତି। ସେ ବ୍ୟକ୍ତିଗତ ଉଦାହରଣ ସୃଷ୍ଟି କରି ପୂର୍ବରୁ ନିଜ ବେତନକୁ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ସୀମିତ ରଖି ୨୦୦୮-୦୯ ରୁ ବାର୍ଷିକ ୧୫ କୋଟି ଟଙ୍କାର ବେତନ ନେଉଥିଲେ।

କମ୍ପାନୀର ବାର୍ଷିକ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ନିଖିଲ ମେସ୍‌ୱାନିଙ୍କ ଦରମା ୨୦୨୨-୨୩ରେ ୧ କୋଟି ଟଙ୍କା ବଢ଼ି ୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ବାର୍ଷିକ ୨୫ କୋଟି ଟଙ୍କା ଦରମାରେ ହିତଲ ମେସ୍‌ୱାନି ବି କମ୍ପାନୀରେ କାମ କରୁଛନ୍ତି। ତୈଳ ଓ ଗ୍ୟାସ୍ ବ୍ୟବସାୟ ସହ ଜଡ଼ିତ ପି.ଏମ୍‌. ପ୍ରସାଦଙ୍କ ବେତନ ୨୦୨୧-୨୨ରେ ୧୧.୮୯ କୋଟି ଟଙ୍କା ଥିଲା ଯାହା ୨୦୨୨-୨୩ରେ ୧୩.୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ହେଉଛି ଦେଶର ସର୍ବାଧିକ ଟିକସ ଦେଉଥିବା କମ୍ପାନୀ । ଗତ ତିନି ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସରକାରୀ ରାଜକୋଷରେ ୫ ଲକ୍ଷ ୬୩ କୋଟି ଟଙ୍କା ଜମା କରିଛି। ପ୍ରତ୍ୟକ୍ଷ ଟିକସ, ପରୋକ୍ଷ ଟିକସ ଓ ସ୍ପେକ୍ଟ୍ରମ୍ ଉପଯୋଗ ଶୁଳ୍କ ଓ ଅନ୍ୟାନ୍ୟ ଟିକସ ବାବଦରେ କମ୍ପାନୀ ଏହି ଟଙ୍କା ଜମା କରିଛି। ୨୦୨୨-୨୩ ଆର୍ôଥକ ବର୍ଷରେ କମ୍ପାନୀ ସରକାରୀ ରାଜକୋଷରେ ୧.୭୭ ଲକ୍ଷ କୋଟି ଟଙ୍କା ଜମା କରିଛି। କମ୍ପାନୀର ବାର୍ଷିକ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି। ବିଗତ ତିନି ବର୍ଷରେ ରିଲାଏନ୍ସ ସରକାରୀ ରାଜକୋଷରେ ଯେତିକି ଟଙ୍କା ଜମା କରିଛି ତାହା ଭାରତ ସରକାରଙ୍କ ମୋଟ ବଜେଟ୍ ବ୍ୟୟର ୫%ରୁ ଅଧିକ।

ନିଯୁକ୍ତି ପ୍ରଦାନ କରିବାରେ ମଧ୍ୟ ରିଲାଏନ୍ସ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୨୨-୨୩ରେ ରିଲାଏନ୍ସ ୯୫,୧୬୭ ନିଯୁକ୍ତି ସୃଷ୍ଟି କରିବା ସହିତ ରିଲାଏନ୍ସର ମୋଟ କର୍ମଚାରୀ ସଂଖ୍ୟା ୩.୮୯ ଲକ୍ଷକୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୨.୪୫ ଲକ୍ଷ ରିଲାଏନ୍ସ ରିଟେଲ୍‌ରେ କାମ କରୁଛନ୍ତି। ରିଲାଏନ୍ସ ରିଟେଲ୍ ଦେଶର ସବୁଠୁ ବଡ଼ ନିଯୁକ୍ତିଦାତା ଭାବେ ଉଭା ହୋଇଛି। ରିଲାଏନ୍ସ ଜିଓରେ ୯୫ ହଜାରରୁ ଅଧିକ ଲୋକ କାମ କରୁଛନ୍ତି। ଲାଗାତାର ତୃତୀୟ ବର୍ଷ ପାଇଁ ରିଲାଏନ୍ସ ହଜାର ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି। କୋଭିଡ୍ ମହାମାରୀ ସମୟରେ ମଧ୍ୟ କଂପାନି ୭୫ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇକୁ ମଜବୁତ୍ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଅମୃତ ମହୋତ୍ସବ ଅବସରରେ ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେଇ ସୁସ୍ଥ ରହିବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏହି ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ ଆଜି ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଦେଶ ଓ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦ୍ରୁତ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କୋଭିଡ଼୍ ଲଢ଼େଇର ମାତ୍ର ୧୮ ମାସ ମଧ୍ୟରେ ୨୦୦ କୋଟିରୁ ଅଧିକ ଟିକାକରଣ କରାଇ ଭାରତ ସାରା ବିଶ୍ୱରେ ଇତିହାସ ରଚିଛି, ଯାହା ଖୁସିର ବିଷୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦକ୍ଷ ଏବଂ ବଳିଷ୍ଠ ନେତୃତ୍ୱ ଯୋଗୁଁ ଭାରତ ଆଜି ସମଗ୍ର ବିଶ୍ୱରେ ଏହି ବିରାଟ ବଡ଼ ସଫଳତା ହାସଲ କରିପାରିଛି । ନିରାପଦ ଏବଂ ପ୍ରଭାବଶାଳୀ କୋଭିଡ଼ ଟିକା ଉପଲବ୍ଧ କରାଇ ଆମ ଦେଶ ନିଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଶକ୍ତ କରିବା ସଙ୍ଗେସଙ୍ଗେ ତ୍ୱରିତ ଟୀକାକରଣ ପ୍ରକ୍ରିୟାକୁ ନିଶ୍ଚିତ କରିଛି । ଏହାର ସଫଳତା ପଛରେ ଦେଶର ଲକ୍ଷ ଲକ୍ଷ ଡ଼ାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ବୈଜ୍ଞାନିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ରହିଛି ଏବଂ ଏଥିପାଇଁ ଆମେ ସମସ୍ତେ ତାଙ୍କ ପାଖରେ ଋଣୀ ।

ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କ ତରଫରୁ ପ୍ରଥମେ କୋଭିଡର ଦୁଇଟି ଡୋଜ୍ ଏବଂ ଏବେ ବୁଷ୍ଟର ଡୋଜ୍ ମାଗଣାରେ ଦିଆଯାଉଛି । ବୁଷ୍ଟର ଡୋଜ୍ ଦେବା ପାଇଁ ଅମୃତ କାଳରେ ଜୁଲାଇ ୧୫ରୁ ୭୫ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ଟିକାକରଣ କରାଯାଉଛି । କିନ୍ତୁ କୋଭିଡ଼ ବୁଷ୍ଟର ଡୋଜ୍ ନେବା କ୍ଷେତ୍ରରେ ଜାତୀୟ ହାର ଠାରୁ ଓଡ଼ିଶାର ହାର କମ ଅଛି । ଓଡ଼ିଶାର ୮୭ ପ୍ରତିଶତ ନାଗରିକ ଏ ପର୍ଯ୍ୟନ୍ତ ବୁଷ୍ଟର ଡ଼ୋଜ୍ ଟିକା ନେଇ ନାହାନ୍ତି ।

ଅଗଷ୍ଟ ୪ ତାରିଖ ସୁଦ୍ଧା ଓଡ଼ିଶାରେ ୩ କୋଟି ୨୩ ଲକ୍ଷ ନାଗରିକ ପ୍ରଥମ ଓ ଦ୍ୱିତୀୟ ଡ଼ୋଜ ଟିକା ନେଇସାରିଛନ୍ତି । କେବଳ ୪୨ ଲକ୍ଷ ୩୪ ହଜାର ଜଣ ବୁଷ୍ଟର ଡୋ଼ଜ୍ ନେଇଛନ୍ତି । ରାଜ୍ୟର ୬ଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ଜଗତସିଂପୁର, ସୁନ୍ଦରଗଡ଼, ପୁରୀ ଏବଂ ଅନୁଗୁଳରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତ ବରିଷ୍ଠ ନାଗରିକ ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି । ରାଜ୍ୟର ୮ଟି ଜିଲ୍ଲାରେ ପାଖାପାଖି ୨୫ ଲକ୍ଷ ନାଗରିକ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାନ୍ତି ।

ଏବେ ବର୍ଷାଋତୁରେ କୋଭିଡ଼ ସଂକ୍ରମଣ ଆହୁରି ବଢ଼ିବାର ଆଶଙ୍କା ତିଆରି ହୋଇଛି । ଏହି କୋଭିଡ୍ ମହାମାରୀକୁ ପ୍ରତିହତ କରିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଟୀକା । ତେଣୁ ଯେଉଁମାନେ ପ୍ରିକସନ ଡୋଜ୍ ନେବା ପାଇଁ ଯୋଗ୍ୟ, ସେମାନେ କାଳ ବିଳମ୍ବ ନ କରି ତୁରନ୍ତ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ଯାଇ ଡୋଜ୍ ନିଅନ୍ତୁ । ବୁଷ୍ଟର ଡୋଜ୍ ନେଇ ନ ଥିବା ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରନ୍ତୁ । ନିଜ ପରିବାର, ସମାଜ, ରାଜ୍ୟ ତଥା ଦେଶକୁ ସୁରକ୍ଷିତ ରଖନ୍ତୁ । ବୁଷ୍ଟର ଡୋଜ ନେଇ ସ୍ୱାସ୍ଥ୍ୟକର୍ମୀ ଓ ବୈଜ୍ଞାନିକଙ୍କ ପରିଶ୍ରମକୁ ଉଚିତ୍ ସମ୍ମାନ ଦେବା । କୋଭିଡ଼ ବିରୁଦ୍ଧରେ ଆମ ଲଢ଼େଇକୁ ଆହୁରି ବ୍ୟାପକ କରିବା ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବକୁ ସଗୌରବେ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ନାଗରିକଙ୍କୁ ଆହ୍ୱାନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ଏଆଇସିଟିଇ ପ୍ରାୟୋଜିତ କ୍ଲିନିକାଲ୍ ଟ୍ରାଏଲ୍‌ସ୍‌କୁ ନେଇ ସ୍ୱଳ୍ପକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କୋଭିଡ୍ ମହାମାରୀ ଓ ଏହାର ଭାଇରସ୍‌କୁ ପ୍ରତିହିତ କରିବା ନିମନ୍ତେ ବିଭିନ୍ନ ଟୀକାର ଅଗ୍ରଗତିକୁ ନେଇ “କ୍ଲିନିକାଲ୍ ଟ୍ରାଏଲ୍ସ-ପ୍ରୋସିଡିଓର୍‌, ଡିଜାଇନ୍ ଆଣ୍ଡ ଇଂଟର୍‌ପ୍ରିଟେସନ ଅଫ୍ ରିଜଲଟ୍ସ”ଶୀର୍ଷକ ଏକ ସପ୍ତାହବ୍ୟାପୀ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଆଲୋଚନା ଅଗଷ୍ଟ ୨୮ରେ ଉଦ୍‌ଯାପିତ ହୋଇଯାଇଛି।

ଏଆଇସିଟିଇ ପକ୍ଷରୁ ପରିଚାଳିତ ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ସମୟରେ ବିଭିନ୍ନ କ୍ଲିନିକାଲ୍ ଟ୍ରାଏଲ୍‌ର ନିୟମ, ସହମତି ପ୍ରକ୍ରିୟା, ନିୟମାନୁବର୍ତ୍ତୀ ଆବଶ୍ୟକତା, ଡାଟା ସଂଗ୍ରହ, ଡିଜାଇନ୍ ଓ ବିଶ୍ଳେଷଣ ପ୍ରସଙ୍ଗକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌), ଭୁବନେଶ୍ୱରର ନିର୍ଦ୍ଦେଶିକା ପ୍ରଫେସର ସଙ୍ଘମିତ୍ରା ପତି ଅଗଷ୍ଟ ୨୩ ତାରିଖରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ କୁଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୋଭିଡ ଟୀକା ଏବଂ ଏହାର
କାର୍ଯ୍ୟକ୍ଷମତାର ପରିସର ସମ୍ପର୍କରେ ଆଲୋଚନା କରିଥିଲେ।

କୋଲକାତା ସ୍ଥିତ ୱିପ୍ରୋ ଡିଜିଟାଲ୍ ଅପରେସନ୍‌ସ ଆଣ୍ଡ ପ୍ଲାଟଫର୍ମସର ମେଡିକାଲ୍ ରାଇଟିଙ୍ଗ ମୁଖ୍ୟ ଡଃ ସୁଶାନ୍ତ ସେନାପତି ଜନସଂଖ୍ୟାକୁ ନେଇ କ୍ଲିନିକାଲ୍ ଟ୍ରାଏଲ୍ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ସ୍ୱଦେଶୀ ଟୀକା କୋଭାକ୍ସିନ କ୍ଲିନିକାଲ୍ ଟ୍ରାଏଲ୍ ବିଷୟରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଫେସର ତଥା ଦୁଇଟି ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍‌ର ମୁଖ୍ୟ ପରୀକ୍ଷକ ଡଃ ଇ. ଭେଙ୍କଟରାଓ ଏ ନେଇ ନିଜ ଅନୁଭୂତି ବଖାଣିଥିଲେ।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତମାନ ସୋଆ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, କିମ୍ସ ଭୁବନେଶ୍ୱରର ଡଃ ହରିଶଚନ୍ଦ୍ର ଚୌଧୁରୀ, ସୋଆର ଇନ୍‌ଷ୍ଟିଚ୍ୟୁଟ୍‌ର ଅଫ୍ ଡେଂଟାଲ ସାଇନ୍‌ସେସ୍‌ର ଡଃ ଅନୁରାଗ ଶତପଥୀ, ଭୁବନେଶ୍ୱର ଏଲ୍‌ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌ର ମହମ୍ମଦ ହସିବୁର୍ ରହେମାନ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍‌ସେସ୍ ଭୁବନେଶ୍ୱରର ଡଃ ସଞ୍ଜୀବ କୁମାର ସାହୁ, ବେଙ୍ଗାଲୁରୁ ସ୍ଥିତ ଲାବକର୍ପ ଡ୍ରଗ ଡେଭଲପ୍‌ମେଂଟର ସୁକାନ୍ତ କୁମାର ସାହୁ, କିଟ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ ନିର୍ଦ୍ଦେଶକ ଡଃ ଗୋପାଳ ଚନ୍ଦ୍ର କୁଣ୍ଡୁ, ବେଙ୍ଗାଲୁରୁର କୋଭାନ୍ସ ସାଇନ୍‌ଟିଫିକ୍ ସର୍ଭିସେସ୍ ଆଣ୍ଡ ସଲ୍ୟୁସନ୍‌ସ୍‌ର ମହମ୍ମଦ ଜାଇଘାମ୍ ରବାନି ଏବଂ ବେଙ୍ଗାଲୁରୁ ସ୍ଥିତ ପାରେକ୍ସେଲ୍ ଇଂଟରନ୍ୟାସ୍‌ନାଲ୍‌ର ଡଃ ଜଗନ୍ନାଥ ବେହେରା ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍ ମହାମାରୀରେ ଉତ୍କୃଷ୍ଟ ସେବା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାର ସମ୍ମାନିତ

ଭୁବନେଶ୍ୱର: କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ (ସିଆଇଆଇ) ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ “ଆଇସିଟି ଆୱାର୍ଡ: ଫୋକସ୍ କୋଭିଡ୍‌-୧୯” କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାର, ମଲ୍ଟି ସ୍ପେଶିଆଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସେବା କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ସିଆଇଆଇ ଇଣ୍ଡଷ୍ଟ୍ରିଆଲ୍ କାର୍ନିଭାଲ୍‌ର ଏହି ମେଗା କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଓ ସଫ୍‌ଟୱେର୍ ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ଓଡ଼ିଶା କାର୍ଯ୍ୟାଳୟ ଏବଂ ନ୍ୟାସ୍‌ନାଲ୍ ଇନ୍‌ଫର୍ମାଟିକ୍ସ ସେଂଟର୍‌ (ଏନ୍‌ଆଇସି) ର ସହଯୋଗରେ ଆୟୋଜିତ ହୋଇଥିବା ବେଳେ ଏଥିରେ କୋଭିଡ୍ ମହାମାରୀ ସମୟରେ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ଉତମ କାର୍ଯ୍ୟ ପ୍ରଣାଳୀକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

ସ୍ୱାସ୍ଥ୍ୟସେବାକୁ ନେଇ ସେବା କାଟେଗୋରୀରେ ସମ୍ମାନ ପାଇବା କ୍ଷେତ୍ରରେ ଓଡ଼ିଶାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ହେଉଛି ଏକମାତ୍ର ହସ୍ପିଟାଲ୍।