Categories
ଆଜିର ଖବର ଜାତୀୟ ଖବର

ଅକ୍ଟୋବର ସୁଦ୍ଧା ଘରୋଇ କୋଇଲା ଭିତ୍ତିକ ଶକ୍ତି ଉତ୍ପାଦନରେ ୮.୮% ବୃଦ୍ଧି

ନୂଆଦିଲ୍ଲୀ: ବାର୍ଷିକ ବିଦ୍ୟୁତ ଚାହିଦା ପ୍ରାୟ ୪.୭% ବୃଦ୍ଧି ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଉପଭୋକ୍ତା ଭାବରେ ସ୍ଥାନ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଭାରତରେ ବିଦ୍ୟୁତ୍ ଉତ୍ପାଦନ ପୂର୍ବ ବର୍ଷ ର ସମାନ ସମୟ ତୁଳନାରେ ୮.୧୮% ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ଏପ୍ରିଲ-ଅକ୍ଟୋବର ୨୩ ମଧ୍ୟରେ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନରେ ୧୧.୧୬% ବୃଦ୍ଧି ଘଟିଛି, ଯେଉଁଥିପାଇଁ ତାପମାତ୍ରାରେ ଅଭୂତପୂର୍ବ ବୃଦ୍ଧି, ବିଳମ୍ବିତ ମୌସୁମୀ ଏବଂ କୋଭିଡ୍ ପରେ ସମ୍ପୂର୍ଣ୍ଣ ବାଣିଜ୍ୟିକ କାର୍ଯ୍ୟକଳାପ ପୁନଃ ଆରମ୍ଭ ହୋଇଛି।

ଅକ୍ଟୋବର ୨୦୨୩ ସୁଦ୍ଧାଘରୋଇ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନ୬୮୬.୭ ବିଲିୟନ ୟୁନିଟ୍ (ବିୟୁ)ରେ ପହଞ୍ଚିଛି, ଯାହା ଗତ ବର୍ଷ ସମାନ ଅବଧିରେ ଉତ୍ପାଦନ ହୋଇଥିବା ୬୩୦.୭ ବିଲିୟନ ୟୁନିଟ୍ (ବିୟୁ) ତୁଳନାରେ ୮.୮୮% ବୃଦ୍ଧି ହୋଇଥିବା ଦର୍ଶାଉଛି।

ବିଦ୍ୟୁତ ଚାହିଦା ବୃଦ୍ଧି ସତ୍ତ୍ୱେ, ମିଶ୍ରଣ ପାଇଁ କୋଇଲା ଆମଦାନୀ ୪୬.୫୭% ହ୍ରାସ ପାଇ ଅକ୍ଟୋବର’୨୩ ସୁଦ୍ଧା ୧୩.୫୭ ନିୟୁତ ଟନ୍ ରେ ପହଞ୍ଚିଛି, ଯାହା ଗତବର୍ଷ ଏହି ଅବଧିରେ ୨୫.୪ ମେଟ୍ରିକ ଟନ୍ ଥିଲା। ଏହି କୋଇଲା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଏବଂ ସାମଗ୍ରିକ କୋଇଲା ଆମଦାନୀକୁ ହ୍ରାସ କରିବା ପାଇଁ ଦେଶର ପ୍ରତିବଦ୍ଧତାକୁ ଦର୍ଶାଉଛି।

କୋଇଲା ଉତ୍ପାଦନ କୁ ଆହୁରି ବଢ଼ାଇବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ଉପଲବ୍ଧତା ବୃଦ୍ଧି କରିବା ଏବଂ ଆମଦାନୀ କୋଇଲା ଉପରେ ନିର୍ଭରଶୀଳତା ହ୍ରାସ କରିବା, ଯାହା ଦ୍ୱାରା ବୈଦେଶିକ ଭଣ୍ଡାରକୁ ସୁରକ୍ଷିତ ରଖାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବହୁଳ ଷ୍ଟେରଏଡ୍ ବ୍ୟବହାର କାରଣରୁ ଓଷ୍ଟିଓପୋରୋସିସ୍ ଯଥେଷ୍ଟ ବୃଦ୍ଧି ପାଇଛି: ବିଶେଷଜ୍ଞ

ଭୁବନେଶ୍ୱର: ୫୦ ବର୍ଷ ବୟସ ପରେ ଓଷ୍ଟିଓପୋରୋସିସ୍ (ହାଡ଼ପୋରିଆ, ପୋଲା ହାଡ଼) ଏକ ସାଧାରଣ ସମସ୍ୟା ଅଟେ। ଇଷ୍ଟ୍ରୋଜେନ୍ ହରମୋନ୍ ଅଭାବ କାରଣରୁ ଏହା ସାଧାରଣତ ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଥିବା (ପୋଷ୍ଟମେନୋପାଜାଲ୍) ମହିଳାମାନଙ୍କଠାରେ ଦେଖାଯାଏ। ୫୦ ବର୍ଷ ପରେ ଓଷ୍ଟିଓପୋରୋସିସ୍ ହେତୁ ପ୍ରାୟ ୩୦ ପ୍ରତିଶତ ରୋଗୀ ଆକ୍ରାନ୍ତ ହୁଅନ୍ତି। ବହୁଳ ଷ୍ଟେରଏଡ୍ ବ୍ୟବହାର କାରଣରୁ କୋଭିଡ୍ ପରବର୍ତ୍ତୀ ସମୟରେ ଓଷ୍ଟିଓପୋରୋସିସ୍ ଘଟଣା ବୃଦ୍ଧି ପାଇଛି ବୋଲି ଆଜି ଏମ୍ସ ଭୁବନେଶ୍ୱରରେ “ବିଶ୍ୱ ଓଷ୍ଟିଓପୋରୋସିସ୍ ଦିବସ” ପାଳନ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ଏନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏମ୍ସ ଅର୍ଥୋପେଡିକ୍ସ ବିଭାଗ ପକ୍ଷରୁ ଆଜି ଓପିଡି ପରିସରରେ ଏକ ଜନସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମେଡିକାଲ୍ ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଏବଂ ଡିନ୍ ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ଓଷ୍ଟିଓପୋରୋସିସରେ ଆକ୍ରାନ୍ତ ରୋଗୀଙ୍କ ଅସ୍ଥି ଦୁର୍ବଳ ହୋଇଯାଇଥାଏ। ଯାହାକି ସାଧାରଣତଃ ଡେକ୍ସା ସ୍କାନ୍ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥାଏ ଯାହା। ଏହି ପ୍ରଣାଳୀ ଦ୍ବାରା ହାଡ଼ର ମିନେରାଲ୍ ସାନ୍ଦ୍ରତାକୁ ମାପ କରାଯାଇଥାଏ। ମାସିକ ଋତୁସ୍ରାବ ବନ୍ଦହୋଇଯାଇଥିବା ସମସ୍ତ ମହିଳା ଏବଂ ବୟସ୍କ ପୁରୁଷମାନେ ବର୍ଷକୁ ଅନ୍ତତଃପକ୍ଷେ ଥରେ ଡେକ୍ସା ସ୍କାନ୍ ଦ୍ବାରା ଅସ୍ଥିର ସାନ୍ଦ୍ରତାକୁ ଆକଳନ କରିବା ଉଚିତ୍ ବୋଲି ଅଧୀକ୍ଷକ ଡ. ମହାନ୍ତି ପ୍ରକାଶ କରିଛନ୍ତି।

ଓଷ୍ଟିଓପୋରୋସିସ୍ କାରଣରୁ ପିଠି, ଆଣ୍ଠୁ ଯନ୍ତ୍ରଣା ହୋଇଥାଏ ଏବଂ ଅଳ୍ପ ଆଘାତ ଦ୍ବାରା ମଧ୍ୟ ହାଡ଼ ଭାଙ୍ଗିଯାଇଥାଏ। ତେଣୁ ଏଥିରୁ ରକ୍ଷା ପାଇବାକୁ ହେଲେ ନିୟମିତ ବ୍ୟାୟାମ, ଉପଯୁକ୍ତ ଖାଦ୍ୟ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଉଚିତ୍। ବୃଦ୍ଧ ରୋଗୀଙ୍କୁ କ୍ୟାଲସିୟମ ଏବଂ ଭିଟାମିନ୍ ଡି ପ୍ରଦାନ କରାଯିବା ସହିତ ଓଷ୍ଟିଓପୋରୋସିସ୍ ଚିହ୍ନଟ ହୁଏ ତେବେ ସେମାନଙ୍କୁ କରାଯିବା ଉଚିତ ବୋଲି ଡ. ମହାପାତ୍ର ସୂଚନା ଦେଇଛନ୍ତି।

ଅର୍ଥୋପେଡିକ୍ସ ବିଭାଗର ଅତିରିକ୍ତ ପ୍ରଫେସର ଡ. ସୁଜିତ କୁମାର ତ୍ରିପାଠୀ ଏହି ନିରବ ମହାମାରୀ ବିଷୟରେ ଜନସଚେତନାର ଗୁରୁତ୍ୱ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେଇଥିଲେ। ଡ. ତ୍ରିପାଠୀଙ୍କ ମତରେ ୫୦ ବର୍ଷ ବୟସ ପରେ ମହିଳାମାନେ ଓଷ୍ଟିଓପୋରୋସିସ୍ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଏବଂ ଏହି ମହିଳାମାନେ ନିୟମିତ ଅସ୍ଥି ମିନେରାଲ୍ ସାନ୍ଦ୍ରତା (ବିଏମ୍ଡି) ଯାଞ୍ଚ କରିବା ଉଚିତ୍। ସହକାରୀ ପ୍ରଫେସର୍ ଡ. ଗୁଞ୍ଜର ଜୈନ, ଡ. ଗୁରୁଦୀପ ଦାସ, ଡ. ସାୟନ୍ତନ୍ ରାୟ(ଏଣ୍ଡୋକ୍ରାଇନୋଲୋଜି), ସିନିୟର୍ ରେସିଡେଣ୍ଟ୍ ଡ. ହୃଦେଶ୍ୱର ବେହେରା, ଡାଏଟିସିଆନ୍ ଡ. ସୌମ୍ୟାସୁଚରିତା ପୃଷ୍ଟି ପ୍ରମୁଖ ଏହି ରୋଗର ପ୍ରକାରଭେଦ, ନିରାକରଣ, ଜୀବନଶୈଳୀରେ ପରିବର୍ତ୍ତନ, ସୁଷମ ଖାଦ୍ୟ ଗ୍ରହଣ ଆଦି ସମ୍ପର୍କରେ ଉପାଦେୟ ମତ ରଖିଥିଲେ।

ଏହି ସଚେତନତାଧର୍ମୀ କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଲୋକ ଯୋଗ ଦେଇଥିଲେ। ସମସ୍ତଙ୍କର ମାଗଣା ଅସ୍ଥି ମିନେରାଲ୍ ସାନ୍ଧ୍ରତା ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୭୮ ରୋଗୀଙ୍କ ହାଡର ମିନେରାଲ୍ ସାନ୍ଦ୍ରତା ହ୍ରାସ ପାଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ଏପରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଥିବାରୁ ଅର୍ଥୋପେଡିକ୍ସ ବିଭାଗକୁ ସାଧୁବାଦ ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିନ୍ତା ବଢାଇଲାଣି କରୋନା ଆକ୍ରାନ୍ତ ସଂଖ୍ୟା, ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ୱର: ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ତେବେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଟିକାକରଣ, ସଚେତନତା ଏବଂ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି ।

ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ଼୍ ସ୍ଥିତି ସମୀକ୍ଷା କରି ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ବିଷୟରେ ନିର୍ଦ୍ଦେଶମାନ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ କୋଭିଡ଼୍ ସଂକ୍ରମଣ ଓ ପରିଚାଳନା ସମ୍ବନ୍ଧିତ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆସନ୍ତା କାଲି ୧୫ ତାରିଖରୁ ୧୮-୫୯ ବର୍ଷ ଲୋକଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରିବା, ଦୈନିକ କୋଭିଡ଼୍ ପରୀକ୍ଷା ସଂଖ୍ୟା ବଢ଼ାଇବା କଲ୍ ସେଣ୍ଟରକୁ ୨୪x ୭ ଭିତ୍ତିରେ କାର୍ଯ୍ୟକ୍ଷମ କରାଇବା ଏବଂ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବିଭିନ୍ନ ଇଞ୍ଜିନିଅରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନ ଆଦିରେ ଛାତ୍ରଛାତ୍ରୀମାନଙ୍କର ଟିକାକରଣ ସହ ସହରାଞ୍ଚଳମାନଙ୍କରେ ୧୮ ରୁ ୫୯ ବର୍ଷ ଲୋକଙ୍କ ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସହରାଞ୍ଚଳରେ ପ୍ରତି ୱାର୍ଡ଼ ଏବଂ ଗ୍ରାମାଞ୍ଚଳରେ ଗ୍ରାମ ଓ ପଂଚାୟତୱାରୀ ଟିକାକରଣ କାର୍ଯ୍ୟଯୋଜନା କାର୍ଯ୍ୟାନ୍ୱୟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଜନ ପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ସାମିଲ କରିବାକୁ ଉନ୍ନୟନ କିମିଶନର ଶ୍ରୀ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟରେ ଆଇ.ଏଲ୍.ଆଇ. ଏବଂ ସାରି ରୋଗର ସଂନୀରକ୍ଷଣକୁ ସଘନ କରିବା ସହ ଲୋକମାନଙ୍କ ମଧ୍ୟରେ କୋଭିଡ଼୍ ନିରୋଧି ବ୍ୟବହାରିକ ଢ଼ଙ୍ଗି ଯଥା ମାସ୍କ ପରିଧାନ, ପରସ୍ପରଠାରୁ ଶାରିରୀକ ଦୁରତା, ଭିଡ଼୍ ମଧ୍ୟକୁ ନଯିବା, ଅଯଥା ଗହଳି ସୃଷ୍ଟି ନକରିବା ଆଦି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଟିକାକରଣ କେନ୍ଦ୍ରର ଅବସ୍ଥିତି ଓ ସମୟ, କଲ୍ସେଣ୍ଟର ଓ ସହାୟତା କେନ୍ଦ୍ରର ନମ୍ବର ଏବଂ କୋଭିଡ଼୍ ଚିକିତ୍ସା ସୁବିଧା ବିଷୟରେ ଲୋକମାନଙ୍କୁ ସଠିକ୍ ସୂଚନାପ୍ରଦାନ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।

ସମୀକ୍ଷାରୁ ଜଣାପଡିଥିଲା ଯେ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୪୨୬୨ ଆକ୍ଟିଭ୍ କୋଭିଡ଼୍ କେସ୍ ଅଛି । ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ପିଲାଙ୍କ ସଂଙ୍ଖ୍ୟା ୭୧ । ସଂକ୍ରମିତମାନେ ମୁଖ୍ୟତଃ ହୋମ୍ ଆଇସୋଲେସନ୍ ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୩୯ ଜଣ ଚିକିତ୍ସା ପାଇଁ ହସ୍ପିଟାଲରେ ଆଡମିସନ୍ ହୋଇଛନ୍ତି । ପ୍ରତ୍ୟେକ ମେଡ଼ିକାଲ କଲେଜ ଏବଂ ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ଼୍ ୱାର୍ଡ ବ୍ୟବସ୍ଥା କରାଯାଇଛି । ଆବଶ୍ୟକତା ଅନୁସାରେ ହସ୍ପିଟାଲ ଏବଂ ବେଡ୍ ସଂଖ୍ୟା ବଢ଼ାଇବା ପାଇଁ ପ୍ରତି ଜିଳ୍ଲା ପ୍ରସ୍ତୁତ ଅଛି । ଜୁଲାଇ ୧୫ ତାରିଖରୁ ୧୮ ରୁ ୫୯ ବର୍ଷ ବୟସ୍କ ନିମନ୍ତେ ମାଗଣା ବୁଷ୍ଟର ଡ଼ୋଜ୍ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି କରାଯାଉଛି ।

ଉନ୍ନୟନ କମିାନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ଶ୍ରୀ ସଂଜୀବ ଚେପ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଗଣ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଳ୍ଲାପାଳ ଏବଂ ପୌର ପରିଷଦ କମିଶନରମାନେ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଅଂଚଳର କୋଭିଡ଼୍ ସ୍ଥିତି ଓ ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ସଦ୍ୟତନ ସୂଚନା ଦେଇଥିଲେ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସରକାରୀ ସହାୟତା ପାଇବେ କୋଭିଡ୍ ରେ ଜୀବନ ହରାଇଥିବା ୧୬ ସାମ୍ବାଦିକଙ୍କ ପରିବାର 

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ କମିଟିର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏହା ଅନ୍ତର୍ଗତ ଜୀବନ ହରାଇଥିବା ୩୫ ଜଣ ସାମ୍ବାଦିକ ପରିବାରଙ୍କୁ  ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି ୧୬ ଜଣ ସାମ୍ବାଦିକଙ୍କ  ପରିବାର ଯେଉଁମାନେ କୋଭିଡ-୧୯ ହେତୁ ଜୀବନ ହରାଇଛନ୍ତି। ଏହି ସହାୟତା ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ (ଜେଡବ୍ଲୁଏସ) ଅନ୍ତର୍ଗତ ପ୍ରଦାନ କରାଯିବ। ଏହି ପରିବାରଗୁଡ଼ିକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ।

ଜେଡବ୍ଲୁଏସ୍ କମିଟି ସ୍ଥାୟୀ ଭିନ୍ନକ୍ଷମତାରେ ପୀଡ଼ିତ ଥିବା ଦୁଇ ଜଣ ସାମ୍ବାଦିକଙ୍କୁ ଓ ଗୁରୁତର ରୋଗରେ ପୀଡ଼ିତ ଥିବା ପାଞ୍ଚ ଜଣ ସାମ୍ବାଦିକଙ୍କ ପାଇଁ ଜେଡବ୍ଲୁଏସ୍ ନିୟମାବଳୀ ଅନୁସାରେ ସହାୟତା ପାଇଁ ସୁପାରିଶ୍ କରିଛନ୍ତି। ଏହି ମିଟିଂରେ କମିଟି ସମୁଦାୟ ଟ.୧.୮୧ କୋଟିର ସହାୟତା ମଞ୍ଜୁର କରିଛନ୍ତି।

ଏପର୍ଯ୍ୟନ୍ତ କୋଭିଡ୍-୧୯ ହେତୁ ଜୀବନ ହରାଇଥିବା ୧୨୩ ଜଣ ସାମ୍ବାଦିକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ଚଳିତ ମିଟିଂର ବର୍ତ୍ତମାନର ମଞ୍ଜୁର ସହିତ, ସମୁଦାୟ ୧୩୯ ପରିବାରକୁ ସହାୟତା ପ୍ରଦାନ କରାଯାଇଛି।

ଏହି ସ୍କିମ୍ ଅନ୍ତର୍ଗତ ସମ୍ବାଦିକଙ୍କ  ପରିବାରକୁ  ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ସହିତ ସ୍ଥାୟୀ ଅକ୍ଷମତା, ଗୁରୁତର ଦୁର୍ଘଟଣା ଓ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଗତ ଆର୍ଥିକ ବର୍ଷରେ, ବିଭିନ୍ନ ବର୍ଗରେ ୧୩୪ ଜଣ ସାମ୍ବାଦିକ ଓ ତାଙ୍କର ପରିବାରକୁ ୬.୪୭ କୋଟିର ସହାୟତା ପ୍ରଦାନ କରାଯାଇଥିଲା।

ଏହି ଜେଡବ୍ଲୁଏସ କମିଟି ମିଟିଂରେ ଜୟଦୀପ ଭଟ୍ଟନାଗର, ପ୍ରମୁଖ ମହାନିର୍ଦ୍ଦେଶକ, ପିଆଇବି, ବିକ୍ରମ ସହାୟ, ଯୁଗ୍ମ ସଚିବ ଏବଂ କମିଟିର ସମ୍ବାଦିକମାନଙ୍କ ପ୍ରତିନିଧି ସନ୍ତୋଷ ଠାକୁର, ଅମିତ କୁମାର, ଉମେଶ୍ବର କୁମାର, ସର୍ଜନା ଶର୍ମା, ରାଜକିଶୋର ତିୱାରୀ ଓ ଗଣେଶ ବିଷ୍ଟ ଉପସ୍ଥିତ ଥିଲେ।

ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ୍ (ଜେଡବ୍ଲୁଏସ୍) ଅନ୍ତର୍ଗତ ସମ୍ବାଦିକ ଓ ତାଙ୍କର ପରିବାର ସହାୟତା ପାଇଁ ପିଆଇବି ର ୱେବସାଇଟ୍ https://accreditation.pib.gov.in/jws/default.aspx ରେ ଆବେଦନ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍ ଓ ମଧୁମେହ ଗୋଟିଏ ଖଣ୍ଡାର ଦୁଇଟି ଧାର: ବିଶେଷଜ୍ଞ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ମଧୁମେହ ଦିବସ ପାଳିତ

ଭୁବନେଶ୍ୱର: କୋଭିଡ୍ ମହାମାରୀ ଗତ ଦୁଇ ବର୍ଷ ଧରି ସାରା ବିଶ୍ୱକୁ ଆକ୍ରାନ୍ତ କରି ରଖିଥିବା ବେଳେ ମଧୁମେହ ରୋଗକୁ ନେଇ ବିଶେଷଜ୍ଞମାନେ ଉଦ୍‌ବେଗଜଜନକ ତଥ୍ୟ ପ୍ରକାଶ କରିଛନ୍ତି। ମଧୁମେହ ରୋଗ ଥିବା ବ୍ୟକ୍ତିଙ୍କୁ କୋଭିଡ୍‌-୧୯ ଅଧିକ ଆକ୍ରାନ୍ତ କରୁଥିବାର ଲକ୍ଷ୍ୟ କରାଯାଇଥିବା ବେଳେ ଏହି ରୋଗୀମାନେ ଅଧିକ ମାତ୍ରାରେ ଗୁରୁତର ହୋଇପଡୁଛନ୍ତି।

ସେହିପରି କୋଭିଡ୍ ଚିକିତ୍ସା ସମୟରେ ରୋଗୀମାନଙ୍କୁ ଦିଆଯାଉଥିବା ଔଷଧ ଯୋଗୁଁ ସେମାନେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇପଡୁଥିବା ବେଳେ କୋଭିଡ୍‌ରୁ ସୁସ୍ଥ ହେବା ପରେ ମଧ୍ୟ ପୂର୍ବରୁ ମଧୁମେହ ନ ଥିବା ବ୍ୟକ୍ତିମାନଙ୍କୁ ଏହି ବ୍ୟାଧି ଆକ୍ରାନ୍ତ କରୁଥିବା ଦେଖିବାକୁ ମିଳୁଛି। ତେଣୁ କୋଭିଡ୍ ଓ ମଧୁମେହ ଉଭୟ ଗୋଟିଏ ଖଣ୍ଡାର ଦୁଇଟି ଧାର ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅଭୟ କୁମାର ସାହୁ। ସମ୍ ହସ୍ପିଟାଲ୍‌ରେ ନଭେମ୍ବର ୧୪ ତାରିଖ ଦିନ ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ଡାକ୍ତର ସାହୁ।

ଚଳିତବର୍ଷ ବିଶ୍ୱ ମଧୁମେହ ଦିବସର ଥିମ୍ ରହିଛି “ ଆକ୍ସେସ୍ ଟୁ ଡାଏବେଟିସ୍ କେୟାର”  ଅର୍ଥାତ୍ ସମସ୍ତଙ୍କୁ ମଧୁମେହର ଚିକିତ୍ସା ଓ ଯତ୍ନଲବ୍ଧ ହେବା ଆବଶ୍ୟକ। ବର୍ତ୍ତମାନ ସହରାଂଚଳରେ ୧୧ ରୁ ୧୨ ପ୍ରତିଶତ ଲୋକଙ୍କୁ ମଧୁମେହ ରୋଗ ଗ୍ରାସ କରୁଥିବା ବେଳେ ଗ୍ରାମାଂଚଳରେ ୮ ରୁ ୧୫ ପ୍ରତିଶତ ଲୋକଙ୍କୁ ମଧୁମେହ ହେଉଥିବାର ଦେଖିବାକୁ ମିଳୁଛି। ଯଦିଓ ସହରାଂଚଳ ଲୋକ ଚିକିତ୍ସା ପାଇପାରୁଛନ୍ତି ଗ୍ରାମାଂଚଳ ଲୋକଙ୍କ ପାଇଁ ଏହା କଷ୍ଟକର ହେଉଛି। ତେଣୁ ସମସ୍ତଙ୍କୁ ଚିକିତ୍ସା ଆବଶ୍ୟକ ବୋଲି ଡାକ୍ତର ସାହୁ କହିଛନ୍ତି।

ଏହି ଅବସରରେ ସମ୍ ହସ୍ପିଟାଲ୍ ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ପ୍ରତ୍ୟେକ ବର୍ଷ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଥିବା ବେଳେ ୱାକାଥନ୍‌, ର‌୍ୟାଲି, ପଥପ୍ରାନ୍ତ ନାଟକ ଓ ମାଗଣା ଚିକିତ୍ସା ଶିବିର ଜରିଆରେ ଲୋକଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ କରାଯାଇଥାଏ। ଏହି ରୋଗରୁ ଲୋକମାନେ ମୁକ୍ତି ପାଇପାରିବେ ଏବଂ ଏହି ବାର୍ତ୍ତା ଦେବା ଆମର ମୂଳ ଲକ୍ଷ୍ୟ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର।

ଏହି ଅବସରରେ ସମ୍ ହସ୍ପିଟାଲ୍‌ର ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର ଡାକ୍ତର ଜୟଭାନୁ କନ୍‌ୱର କହିଛନ୍ତି ଇନ୍‌ସୁଲିନ୍‌ର ଉଦ୍‌ଭାବନ୧୦୦ ବର୍ଷ ତଳେ ହୋଇଥିଲେ ମଧ୍ୟ ଲୋକମାନେ ଏହାର ବ୍ୟବହାର ସମ୍ପର୍କରେ ଏପର୍ଯ୍ୟନ୍ତ ଅବଗତ ହୋଇପାରୁ ନାହାନ୍ତି। ତେଣୁ ମଧୁମେହ ରୋଗର ଆଗୁଆ ଚିହ୍ନଟ, ଚିକିତ୍ସା ଓ ଏହାର ନିରାକରଣ ଦିଗରେ ସଚେତନତା ଜରୁରୀ ବୋଲି ସେ କହିଛନ୍ତି।

ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏଣ୍ଡୋକ୍ରାଇନୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜୟଶ୍ରୀ ସ୍ୱାଇଁ, ଡାକ୍ତର ସ୍ୱୟଂସିଦ୍ଧ ମଙ୍ଗରାଜ, ଡିଏମ୍  ରେସିଡେଂଟ ଡାକ୍ତର ଅଙ୍କିତ ମଙ୍ଗଲୁନିଆ, ଡାକ୍ତର ଯଶପ୍ରୀତ ସିଂହ, ଡାକ୍ତର ପୂଜା ଜଦ୍ଧାୱ, ଡାକ୍ତର ଏସ୍‌.ଏଲ୍ ଶ୍ରବ୍ୟ, ସିନିୟର ଡାଏଟିସିଆନ୍ ସୂର୍ଯ୍ୟଶିଖା ମହାନ୍ତି, ଡାଏଟିସିଆନ୍ ତନୟା ବରାଳ, ଫିଜିଓଥେରାପିଷ୍ଟସ୍ ଡାକ୍ତର ଅରବିନ୍ଦ ରଥ, ଡେପୁଟି ଡାଇରେକ୍ଟର ପ୍ରିୟବ୍ରତ ଦାସ, ଡିଜିଏମ୍ (ଅପରେସନ୍‌) ପୁଷ୍ପାଞ୍ଜଳୀ ରାଉତ, ଜୁନିଅର୍ ହସ୍ପିଟାଲ୍ ଆଡ୍‌ମିନିଷ୍ଟ୍ରେଟର୍ ଶଶିଭୂଷଣ ଗିରି ଓ ପ୍ରଭାତ କୁମାର ନାୟକଙ୍କ ସମେତ ଷ୍ଟାଫ୍ ନର୍ସ ଏବଂ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ। ଅନେକ ମଧୁମେହ ରୋଗୀ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଭର୍ଚୁଆଲ ପ୍ଲାଟଫର୍ମ ରେ ବିଜୁ ଯୁବ ଜନତା ଦଳର କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ର ସାମାଜିକ ଅନୁଷ୍ଠାନ ‘ଓଡ଼ିଶା ମୋ ପରିବାର’ ସମସ୍ତ ସାମାଜିକ କାର୍ଯ୍ୟ କୁ ସମଗ୍ର ରାଜ୍ୟରେ ତ୍ବରାନ୍ବିତ କରୁଅଛି।ଏହି ପରିପ୍ରେକ୍ଷୀରେ ଯୁବ ବିଜେଡ଼ି ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ପ୍ଲାଟଫର୍ମ ରେ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସେ କହିଥିଲେ” ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ରେ ବିଜୁ ଜନତା ଦଳ ର ସାମାଜିକ ପ୍ରତିବଦ୍ଧତା ଆଜି ସମଗ୍ର ଦେଶରେ ସାମାଜିକ ବିପ୍ଲବ ରେ ପରିଣତ ହୋଇପାରିଛି। ବିଜୁ ଯୁବ ଜନତା ଦଳ’ ଓଡ଼ିଶା ମୋ ପରିବାର’ ର ସମସ୍ତ ସାମାଜିକ କାର୍ଯ୍ୟ ଯଥା ଜୀବନ ବିନ୍ଦୁ ରକ୍ତଦାନ,ପ୍ଲାଜମା ସଂଗ୍ରହ,କୋଭିଡ୍ ସହାୟତା କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ କରିବ।ଏହି କୋଭିଡ୍ ପରିଚାଳନା

ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଧାୟକ ପ୍ରଣବ ବଳବନ୍ତରାୟ କହିଥିଲେ ଯେ ” କୋଭିଡ ୧୯ ର ପ୍ରଥମ ଏବଂ ଦ୍ବିତୀୟ ଲହର ସମୟରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଆଧାର ରେ ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲ ଠାରୁ ଆରମ୍ଭ କରି କୋଭିଡ୍ ଟିକାକରଣ ପର୍ଯ୍ୟନ୍ତ କୋଭିଡ୍ ପରିଚାଳନା କ୍ଷେତ୍ରରେ ଠିକ ସମୟରେ ଠିକ ନିଷ୍ପତ୍ତି ନେଇ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଛନ୍ତି”।

ଏହି ଅବସରରେ ରାଜ୍ୟ ସରକାର ଙ୍କ ଦ୍ଵାରା ଗ୍ଲୋବାଲ ଅନଲାଇନ ଟେଣ୍ଡର ମାଧ୍ୟମରେ ୩କୋଟି ୮୦ ଲକ୍ଷ କୋଭିଡ ଟିକା କ୍ରୟ କରିବା ର କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁୟସୀ ପ୍ରଶଂସା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ବିଜେଡି ଆଇ.ଟି ସଂଯୋଜକ ସୁବ୍ରତ ଛାଟୋଇ, ବିଜୁ ଯୁବ ଜନତା ଦଳ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ,ଶୁଭେନ୍ଦୁ ମଙ୍ଗରାଜ, ବରିଷ୍ଠ ଉପସଭାପତି ଧୃତି ରଂଜନ ମାର୍ଥା, ଜ୍ୟୋସ୍ନାମୟୀ ପରିଡ଼ା, ରାଜ୍ୟ ସାଧାରଣ ସଂପାଦକ ଆଶିଷ ରଂଜନ ମିଶ୍ର,ତାରିଣୀ ପ୍ରସାଦ ନାୟକ ଙ୍କ ସମେତ ସମସ୍ତ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ।