Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ପରିଚାଳନା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା

ଭୁବନେଶ୍ୱର: ୨୦୨୦ ମସିହାରେ କୋଭିଡ ସଂକ୍ରମଣ ଆରମ୍ଭ ହେବା ପରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏ କି କରୋନା ସହ ଯୁଦ୍ଧ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଥିଲା। ଯାହାଦ୍ୱାରା କି ସାରା ଦେଶରୁ ସବୁଠାରୁ କମ୍ ମୃତ୍ୟୁ ଓଡ଼ିଶାରେ ହିଁ ହୋଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଓଡ଼ିଶା କୋଭିଡ ମୁକାବିଲା ନିମନ୍ତେ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାସ୍ଥ୍ୟ ସେବା ଓ କୋଭିଡ ପରିଚାଳନା କ୍ଷେତ୍ରରେ ରାଜ୍ୟର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୋଲି ଗତ ଗୁରୁବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇ ଓଡ଼ିଶାରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରାଜ୍ୟ ଆଂଚଳିକ ଟିମ୍ ଲିଡର ଡାକ୍ତର ନିହାର ରଞ୍ଜନ ରାୟ କହିଛନ୍ତି।

ତେବେ ମହାମାରୀ ଯୋଗୁଁ ନିୟମିତ ଟୀକାକରଣ କାର୍ଯ୍ୟ ଭୀଷଣ ଭାବେ ବାଧାପ୍ରାପ୍ତ ହୋଇଥିବା ଡାକ୍ତର ରାୟ କହିଥିଲେ। ଏହା ଦ୍ୱାରା କୋଭିଡ ମହାମାରୀରୁ ବର୍ତ୍ତୀ ଗଲେ ମଧ୍ୟ ଅନେକେ ଟୀକା ଦ୍ୱାରା ପ୍ରତିରୋଧ ହୋଇପାରୁଥିବା ଅନ୍ୟ ରୋଗଗୁଡ଼ିକ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି।

“ଇନ୍‌ଟିଗ୍ରେସନ୍ ଅଫ୍ ଲର୍ଣ୍ଣିଂ ଫ୍ରମ୍ କୋଭିଡ-୧୯ ୱିଥ୍ ରୁଟିନ୍ ଇମ୍ୟୁନାଇଜେସନ୍ ଷ୍ଟ୍ରେନ୍‌ଦେନିଂ ଆଣ୍ଡ ଭ୍ୟାକ୍ସିନ୍ ପ୍ରିଭେଂଟେବୁଲ୍ ଡିଜିଜେସ୍ ସର୍ଭେଲିଆନ୍‌ସ” ଶୀର୍ଷକ କର୍ମଶାଳାରେ ଯୋଗ ଦେଇ ଏହି ବକ୍ତବ୍ୟ ରଖିଛନ୍ତି ଡାକ୍ତର ରାୟ। ଏହି କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ଭେଲିଆନ୍‌ସ ମେଡିକାଲ୍ ଅଫିସର ଡାକ୍ତର ଅର୍ଚ୍ଚନା ଗାଏନ୍ ଏବଂ ସମ୍ ହସ୍ପିଟାଲ୍‌ର ଶିଶୁ ରୋଗ ବିଭାଗର ମୁଖ୍ୟ ଡାକ୍ତର ମମତା ଦେବୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଦେଶରେ ସର୍ବାଧିକ ୯୫.୫ ପ୍ରତିଶତ ଟୀକାକରଣ ଓଡ଼ିଶାରେ ହୋଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତମାନ ମିଜିଲ୍‌ସ ଓ ରୁବେଲା ଭଳି ରୋଗର ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟରତ ଅଛି ବୋଲି ସେ କହିଥିଲେ।

ମହାମାରୀ ପରେ ରାଜ୍ୟରେ ମିଜିଲ୍ସ ଓ ରୁବେଲାର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ବର୍ତମାନ ସବୁ ପିଲାମାନଙ୍କୁ ଏଥି ନିମନ୍ତେ ଟୀକାକରଣ କରାଯାଉଛି।

ଡାକ୍ତର ରାୟ କହିଛନ୍ତି ଯେ କୋଭିଡ ମହାମାରୀ ଆରମ୍ଭ ହେବା ପରେ ରାଜ୍ୟ ସରକାର ଏହାର ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ହସ୍ପିଟାଲ୍ ଆରମ୍ଭ କରିବାର ନିଷ୍ପତି ନେଇଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏହାର ଦାୟିତ୍ୱ ନେଇଥିଲା ଏବଂ କରୋନା ଯୋଦ୍ଧା ଭାବେ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକ୍ସମାନେ ଉଚ୍ଚକୋଟୀର କାର୍ଯ୍ୟ କରିଥିଲେ। କୋଭିଡ୍ ଭ୍ୟାକ୍ସିନ୍ କୋଭାକ୍ସିନ୍‌ର ହ୍ୟୁମାନ୍ ଟ୍ରାଏଲ୍ ମଧ୍ୟ ପ୍ରଥମେ ଆଇଏମ୍‌ଏସ୍ ଆଣ୍ଡ ହସ୍ପିଟାଲ୍‌ରେ କରାଯାଇଥିଲା ବୋଲି ସେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: କୋଭିଡ ସମେତ ସମସ୍ତ ଔଷଧପତ୍ର ମହଜୁଦ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଦେଶର କୋଭିଡ ପରିଚାଳନା ପାଇଁ ଔଷଧପତ୍ର ଉପଲବ୍ଧତା ସହ ଉତ୍ପାଦନ ସାମର୍ଥ୍ୟ ନେଇ ଔଷଧ କମ୍ପାନୀ ପ୍ରତିନିଧିଗଣଙ୍କ ସହ ଆଭାସୀ ମାଧ୍ୟମରେ ଆଜି (୨୯-୧୨.୨୦୨୨)  ସମୀକ୍ଷା କରିଛନ୍ତି। ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା ନେଇ ପ୍ରସ୍ତୁତ ରହିବା ହେଉଛି ଏହି ସମୀକ୍ଷାର ଉଦ୍ଦେଶ୍ୟ। ବିଶ୍ୱବ୍ୟାପୀ କେତେକ ଦେଶରେ କୋଭିଡ-୧୯ ମାମଲା ବୃଦ୍ଧି ପରିପ୍ରେକ୍ଷୀରେ ଏହି ସମୀକ୍ଷା କରାଯାଇଛି।

ଏକ ପରୀକ୍ଷାମୂଳକ ପ୍ରଦର୍ଶନ ମାଧ୍ୟମରେ ବୈଶ୍ୱିକ କୋଭିଡ ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଦେଶରେ କୋଭିଡ ବୈଶ୍ୱିକ ମହାମାରୀ କାଳରେ ଅମୂଲ୍ୟ ଅବଦାନ ପାଇଁ ଡକ୍ଟର ମନସୁଖ ମାଣ୍ଡଭିୟ ଔଷଧ କମ୍ପାନୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ। “ଭାରତୀୟ ଔଷଧ ପ୍ରସ୍ତୁତକାରୀ ଶିଳ୍ପ ସମୂହ ଦୃଢ, ନମନୀୟ ଓ ଦକ୍ଷ। ସେମାନଙ୍କ ମଜବୁତ ସ୍ଥିତି ଯୋଗୁଁ ବୈଶ୍ୱିକ ମହାମାରୀ କାଳରେ ଆମେ ନିଜର ଚାହିଦା ପୂରଣ କରିବା ସହ ୧୫୦ଟି  ଦେଶକୁ ଔଷଧପତ୍ର ପଠାଇ ପାରିଛୁ।” ଔଷଧପତ୍ରର ଦରଦାମ ବୃଦ୍ଧି ନ କରି ତଥା ଗୁଣାତ୍ମକ ମାନରେ କୌଣସି ସାଲିସ ନ କରି ଆମେ ଏହା କରିପାରିଛୁ ବୋଲି ସେ କହିଥିଲେ।

ଔଷଧ କମ୍ପାନୀଗୁଡିକୁ ବୈଶ୍ୱିକ ଯୋଗାଣ ବ୍ୟବସ୍ଥା ଉପରେ ତୀକ୍ଷ୍ମ ନଜର ରଖିବାକୁ କୁହାଯାଇଛି। କୋଭିଡ ପରିଚାଳନା ପାଇଁ ଆବଶ୍ୟକୀୟ ଔଷଧ ଉତ୍ପାଦନ ଓ ଏ.ପି.ଆଇ. ଉପଲବ୍ଧତା ଉପରେ ମଧ୍ୟ ତୀକ୍ଷ୍ମ ଦୃଷ୍ଟି ଦେବାକୁ କୁହାଯାଇଛି। ପର୍ଯ୍ୟାପ୍ତ ଅନ୍ୟାନ୍ୟ ଔଷଧ ମହଜୁଦ୍ ରଖିବା ସହ କୋଭିଡ ଔଷଧର ପାଇକାରୀ ଯୋଗାଣ ଧାରା ଉପରେ ପଦକ୍ଷେପ ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ସମୟୋଜିତ ସମୀକ୍ଷା ବୈଠକ ପାଇଁ ଔଷଧ ପ୍ରସ୍ତୁତିକାରୀ କମ୍ପାନୀମାନେ ପ୍ରଶଂସା କରିବା ସହ ସେମାନଙ୍କ ନିରବିଚ୍ଛିନ୍ନ ସମର୍ଥନ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। କୋଭିଡ ଔଷଧ ଯୋଗାଣ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ସେମାନଙ୍କ ଦୃଢ ବିଶ୍ୱାସଥିବା ମଧ୍ୟ ଜଣାଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଫାର୍ମା ସଚିବ ଏସ. ଅପର୍ଣ୍ଣା, ଏନପିପିଏ ଅଧ୍ୟକ୍ଷ କମଳେଶ ପନ୍ଥ, ଡିସିଜିଆଇ ଡକ୍ଟର ଭି.ଜି. ସୋମାନୀ ଓ ଔଷଧ କମ୍ପାନୀ ପ୍ରତିନିଧିଗଣ ସମୀକ୍ଷା ବୈଠକ କାଳରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ହେଲେ ଦେଶର ୧ ନମ୍ବର

ଭୁବନେଶ୍ବର: ପୁଣିଥରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି। ଇଣ୍ଡିଆ ଟୁଡେ ଦ୍ଵାରା କରାଯାଇଥିବା ଏକ ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଲୋକେ ପସନ୍ଦ କରିଛନ୍ତି। କୋଭିଡ ପରିଚାଳନାକୁ ନେଇ ହୋଇଥିବା ଏହି ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଦେଶର ଅଧିକାଂଶ ଲୋକେ ପସନ୍ଦ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କୁ ଦ୍ଵିତୀୟ ସର୍ବାଧିକ ଲୋକ ପସନ୍ଦ କରିଛନ୍ତି। ତାଙ୍କ ପଛକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲୋକେ ପସନ୍ଦ କରିଛନ୍ତି। ହେମନ୍ତ ସୋରେନ ଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କୋଭିଡ ପରିଚାଳନା ପାଇଁ ଆଉ ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା। ଏହି ସହାୟତା ରାଶିରେ କିଣା ଯାଇଥିବା ଜରୁରୀକାଳୀନ କୋଭିଡ ଉପକରଣକୁ ମୁଖ୍ୟମନ୍ତ୍ରୀ ଆଜି ଲୋକଙ୍କ ସେବାରେ ଉତ୍ସର୍ଗ କରିଛନ୍ତି ।

ଏହି ଅର୍ଥ ଦ୍ବାରା ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ବରଗଡ, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ, ନୂଆପଡ, ଝାରସୁଗୁଡା, ବୌଦ, ସୁବର୍ଣ୍ଣପୁର, ଦେବଗଡ ଓ ଅନୁଗୁଳରେ ସମସ୍ତ ଜରୁରୀକାଳୀନ କୋଭିଡ ଉପକରଣ କିଣା ଯାଇଛି। ଭେଣ୍ଟିଲେଟର, ଅକ୍‌ସିଜେନ୍‌ ପାଇପ ଲାଇନ, ଅଟୋଆନାଲାଇଜର, ସିବିସି ମେସିନ୍‌, ଅକ୍‌ସିମିଟର ଆଦି ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅତିରିକ୍ତ ଅର୍ଥ ବ୍ୟବସ୍ଥା ଦ୍ବାରା ଏହି ଜିଲ୍ଲାଗୁଡିକରେ କୋଭିଡ ଭିତ୍ତିଭୂମି ଆହୁରି ସୁଦୃଢ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରି କହିଛନ୍ତି ଯେ ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ଖୁବ ଶୀଘ୍ର ଏ ସଂକଟରୁ ମୁକ୍ତ ହେବୁ। ପଶ୍ଚିମ ଓଡିଶାରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ, ମୁଖ୍ୟମନ୍ତ୍ରୀ ଏହାର ସବୁ ଶ୍ରେୟ ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ଦେଇଛନ୍ତି। ଆଗଧାଡିରେ ରହି କାମ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡୀ ଓ ଆଶାକର୍ମୀ ସମସ୍ତଙ୍କୁ ଶ୍ରେୟ ଦେଇ ସେମାନଙ୍କ ତ୍ୟାଗ ଓ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଆଗକୁ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ପଶ୍ଚିମ ଓଡିଶା ବିକାଶ ପରିଷଦ, ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇ କହିଥିଲେ ଯେ ପଶ୍ଚିମ ଓଡିଶାର ବିକାଶ ପରିଷଦ ଯେପରି ଅଧିକ ବିକାଶ କାମ କାର୍ଯ୍ୟକାରୀ କରିପାରିବ, ସେଥିପାଇଁ ଅଧିକ ପାଣ୍ଠି ଦିଆଯାଉଛି। ବିକାଶ ପରିଷଦ ଏହାର ଦାୟିତ୍ବ ସଫଳ ଭାବରେ ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ଅକ୍‌ସିଜେନ ଯୋଗାଣରେ ଓଡିଶା ନୂଆ ପରିଚୟ ସୃଷ୍ଟି କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି। ଏ ସଂକଟ ସମୟରେ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ – ଏହା ଆମର ସିଦ୍ଧାନ୍ତ ବୋଲି ପ୍ରକାଶ କରି ପ୍ରତ୍ୟେକ ଲୋକ ଯେପରି ଉତ୍ତମ ଚିକିତ୍ସା ସେବା ପାଇପାରିବ, ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା, ଅର୍ଥ ମନ୍ତ୍ରୀ  ନିରଞ୍ଜନ ପୂଜାରୀ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ, ଗ୍ରାମ୍ୟ ଉନ୍ନୟମ ମନ୍ତ୍ରୀ ସୁଷାନ୍ତ ସିଂହ, ଶକ୍ତି ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଏବଂ ସାଂସଦ ଓ ବିଧାୟକ ମାନେ ଯୋଗ ଦେଇଥିଲେ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପି.କେ. ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼ ପରିଚାଳନା ପାଇଁ ବିଏମସିକୁ ଆଉ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ରାଜଧାନୀରେ କୋଭିଡ଼ ମହାମାରୀ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ କୋଡ଼ିଏ କୋଟି ଟଙ୍କା ମଂଜୁର କରିଛନ୍ତି ।  ପୂର୍ବରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ କୁ 77କୋଟି ଟଙ୍କା ଦିଆଯାଇଛି ।

ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ଼ ହସ୍ପିଟାଲ ରହିଛି ଏବଂ ଚିକିତ୍ସିତ ରୋଗୀ ଙ୍କ ସଖ୍ୟା ମଧ୍ୟ ଏଠାରେ ସର୍ବାଧିକ। ୱଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଭିଡ଼ ରୋଗୀ ଭୁବନେଶ୍ୱର କୁ ଆସି ଥାନ୍ତି। ତେଣୁ ଭୁବନେଶ୍ୱରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଂଜୁର କରାଯାଇଛି ।

Categories
ବିଶେଷ ଖବର ରାଜ୍ୟ ଖବର

କୋଭିଡ଼ ଚିକିତ୍ସା କରୁଥିବା ଘରୋଇ ଡାକ୍ତରଖାନା ନିର୍ଦ୍ଧାରିତ ଫି’ ଠାରୁ ଅଧିକ ନେଲେ ଦୃଢ଼ କାର୍ଯାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋ ସରକାର କାର୍ଯ୍ୟକ୍ରମରେ କୋଭିଡ ପରିଚାଳନା ସଂପର୍କରେ ରାଜ୍ୟ ସରକାର ଫିଡ୍‌ବ୍ୟାକ୍‌ ସଂଗ୍ରହ କରିଛନ୍ତି।

ଏହି ତଥ୍ୟ ଭିତ୍ତିରେ ନିମ୍ନୋକ୍ତ ବିଷୟ ଉପରେ ଗୁରୁତ୍ବ ଆରୋପ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

୧. ଜିଲ୍ଲାସ୍ତରରେ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଏବଂ ମେଡିକାଲ ଅକ୍‌ସିଜେନ ସୁବିଧା (logistics) ସବୁଠାରୁ ବଡ ପ୍ରାଥମିକତା। ଏହା ଉପରେ ୨୪ ଘଣ୍ଟିଆ ତଦାରଖ କରାଯିବା ଆବଶ୍ୟକ।

୨. ଅଧିକ କୋଭିଡ ସଂଖ୍ୟା ଥିବା ଅଞ୍ଚଳ ଗୁଡିକରେ ଟେଷ୍ଟିଂ, ଟ୍ରେସିଂ ଓ କଣ୍ଟେନମେଣ୍ଟକୁ ଜୋରଦାର କର।

୩. ଆଇସିୟୁ ଓ ଏଚଡିୟୁ ଦାୟିତ୍ବରେ ଥିବା ଡାକ୍ତରମାନଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍ ନେଇ ସେମାନଙ୍କ ମତାମତ ଭିତ୍ତିରେ ପଦକ୍ଷେପ ନିଅ।

୪. ଟୀକାକରଣ କାର୍ଯ୍ୟକ୍ରମ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ତ୍ରୁଟି ଶୂନ୍ୟ ବ୍ୟବସ୍ଥା କରାଯାଉ।

ବୟସ୍କ, ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକଙ୍କର ଯତ୍ନ ନିଆଯାଉ। ଯେତେଶୀଘ୍ର ସମ୍ଭବ ଅଧିକ ସଂଖ୍ୟକ ଟୀକା ସଂଗ୍ରହ ପାଇଁ ଆମର ଉଦ୍ୟମ ଜାରି ରହିଛି।

୫. କୋଭିଡ ଚିକିତ୍ସା କରୁଥିବା ବେସରକାରୀ ମେଡିକାଲ ଉପରେ ସତର୍କ ଦୃଷ୍ଟି ରଖ। ସେମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଭିତରେ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ। ଯଦି ସେମାନେ ଏହା ନ କରନ୍ତି, ତେବେ ସଂପୃକ୍ତ ହସ୍‌ପିଟାଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।

୬. କୋଭିଡ ହସ୍‌ପିଟାଲ ଗୁଡିକରେ ହେଲ୍‌ପ ଲାଇନ ଗୁଡିକୁ ଅଧିକ କ୍ରିୟାଶୀଳ କରାଯାଉ ଏବଂ ରୋଗୀଙ୍କ ପରିବାର ବର୍ଗଙ୍କୁ ନିୟମିତ ସୂଚନା ଦିଆଯାଉ।

୭. ଏଭଳି କଠିନ ସମୟରେ ଦୁଃଖ ଓ ଦୈନ୍ୟରେ ଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବ୍ୟବହାର କରି ସାହାଯ୍ୟ କର।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଏକ ମାସ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୋଭିଡ ସଂଖ୍ୟା ବହୁ ପରିମାଣରେ ବଢିଥିଲେ ମଧ୍ୟ କୋଭିଡ ଯୋଦ୍ଧା ମାନଙ୍କର ଦୃଢ ପରିଶ୍ରମ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ ପରିସ୍ଥିତିକୁ ଠିକ୍‌ ଭାବରେ ପରିଚାଳନା କରାଯାଇପାରିଛି।

ତଥାପି ଆହ୍ବାନ ବହୁତ ବଡ ଏବଂ ଏହି ଯୁଦ୍ଧ ବହୁତ ଲମ୍ବା। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଲକ୍‌ଡାଉନ ଲାଗୁ କରାଯାଇଛି। ଏହା ଠିକ୍‌ ଚାଲିଥିଲେ ମଧ୍ୟ କେତେକ ସ୍ଥାନରେ ଏଥିରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମେ ସଫଳତା ପାଇଛୁ ଏବଂ ଏହି କୋଭିଡ ମହାମାରୀ କ୍ଷେତ୍ରରେ ମଧ୍ୟ ଏହା ହିଁ ଉପଯୁକ୍ତ ପନ୍ଥା।

ତେଣୁ ସହରାଞ୍ଚଳରେ ସ୍ଥାନୀୟ ଜନସାଧାରଣ ଏବଂ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମାଞ୍ଚଳରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ସକ୍ରିୟ ସହଯୋଗରେ ଲୋକଙ୍କ ସହାୟତା କରଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦେଶର ଅଳ୍ପ କେତେକ ରାଜ୍ୟଙ୍କ ମଧ୍ୟ ରେ ଓଡିଶା ହେଉଛି ଏକ ରାଜ୍ୟ ଯେଉଁ ଠାରେ କି କୋଭିଡର ପରୀକ୍ଷା ଠାରୁ ଆରମ୍ଭ କରି ଚିକିତ୍ସା, ରହିବା ସୁବିଧା, ଖାଦ୍ୟ ଓ ଔଷଧ ପର୍ଯ୍ୟନ୍ତ ସବୁକିଛି ସରକାର ମାଗଣାରେ ଦେଉଛନ୍ତି।

ଏହାଦ୍ବାରା ସବୁବର୍ଗର ଲୋକ, ବିଶେଷ କରି ଗରିବ ଲୋକମାନେ ଭଲ ଭଲ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ନିର୍ଭୟରେ ଆଗେଇ ଆସୁଛନ୍ତି।

ଏଥିପାଇଁ ସରକାର ତାଙ୍କ ସମ୍ବଳର ଏକ ବଡ ଅଂଶ ଖର୍ଚ୍ଚ କରୁଛନ୍ତି। ତେଣୁ ଲୋକଙ୍କୁ ଉତ୍ତମ ମାନର ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ମହାମାରୀକୁ ନିୟନ୍ତ୍ରଣ କରିବାକୁ ଟୀକାକରଣ ହେଉଛି ଆମର ମୁଖ୍ୟ ରଣନୀତି। ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ହେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ମାସ୍କ ବ୍ୟବହାର, ହାତ ଧୁଆ ଓ ସାମାଜିକ ଦୂରତ୍ବ ବଜାୟ ରଖିବା ସହିତ ଅନାବଶ୍ୟକ ଭାବେ ବାହାରେ ନ ବୁଲି ଘରେ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ବୈଠକରେ ଆଲୋଚନା ସମୟରେ ତୃତୀୟ ଲହରୀର ସମ୍ଭାବନା ସଂପର୍କରେ ତଥ୍ୟ ସଂଗ୍ରହ ସହିତ ସମ୍ଭାବ୍ୟ ମୁକାବିଲା ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପୁରୀରେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଓ ସେମାନଙ୍କ ପରିବାରବର୍ଗଙ୍କ ସଂପୂର୍ଣ୍ଣ ଟୀକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ହସ୍‌ପିଟଲ ଗୁଡିକରେ ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯାଇଛି।

କୋଭିଡ ଅବଜରଭର ମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଅକ୍‌ସିଜେନ ବ୍ୟବସ୍ଥାର ୨୪ ଘଣ୍ଟିଆ ତଦାରଖ କରାଯାଉଛି। କୋଭିଡ କେୟାର କେନ୍ଦ୍ର ଗୁଡିକରେ ଅଧିକ ଆଇସିୟୁ ଓ ଭେଣ୍ଟିଲେଟର ଶଯ୍ୟାର ବ୍ୟବସ୍ଥା କରାଯାଇଛି ଏବଂ ଆହୁରି ଅଧିକ ଶଯ୍ୟା ପାଇଁ ପଦକ୍ଷେପ ଜାରି ରହିଛି।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କୋଭିଡ ପରିସ୍ଥିତି ଉପରେ ଏକ ଉପସ୍ଥାପନା ରଖି କହିଥିଲେ ଯେ ସାରା ବିଶ୍ବରେ ବର୍ତ୍ତମାନ ଭାରତର କୋଭିଡ ସଂକ୍ରମଣ ସଂଖ୍ୟା ୫୪ ପ୍ରତିଶତ ରହିଛି। ଓଡିଶାରେ ବର୍ତ୍ତମାନର ସ୍ଥିତି ସଂପର୍କରେ ଆଲୋକପାତ କରି ସେ କହିଥିଲେ ଯେ ଓଡିଶାର କୋଭିଡ ସଂଖ୍ୟା ବର୍ତ୍ତମାନ ଦେଶର କୋଭିଡ ସଂଖ୍ୟାର ୨.୭ ପ୍ରତିଶତ ରହିଛି। ସର୍ବଭାରତୀୟ ସ୍ତରରେ ମୃତ୍ୟୁ ହାର (ସିଏଫଆର) ୧.୦୯ ଥିବାବେଵେ, ଓଡିଶାରେ ଏହା ୦.୪୦ ରହିଛି। ଖୋର୍ଦ୍ଧା ଓ କଟକ ଜିଲ୍ଲା ବ୍ୟତୀତ ଛତିଶଗଗଡ ସୀମାରେ ଜିଲ୍ଲା ଗୁଡିକରେ ଅଧିକ ପଜିଟିଭ କେସ୍‌ ରହୁଛି ବୋଲି ସେ କହିଥିଲେ। ଓଡିଶାର ବର୍ତ୍ତମାନ ଟେଷ୍ଟ ପଜିଟିଭିଟି ଗତ ୧୫ ଦିନ ଧରି ୨୦.୨ ରହିଛି । ଓଡିଶାରେ ଅକ୍‌ସିଜେନ ଉପଲବ୍ଧତା ଉପରେ ସୂଚନା ଦେଇ ସେ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଦୈନିକ ୫୨.୯ ମେଟ୍ରିକ ଟନ୍‌ ଅକ୍‌ସିଜେନ ଖର୍ଚ୍ଚ ହେଇଛି। ରାଜ୍ୟରେ ଟୀକାର ଉପଲବ୍ଧତା ଓ ବ୍ୟବହାର ସଂପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ।

ପୋଲିସ ମହାନିର୍ଦ୍ଦେଶକ ଅଭୟ କୋଭିଡ ନିୟମାବଳୀର ଅନୁପାଳନ ଦିଗରେ ପୋଲିସର ପଦକ୍ଷେପ ସଂପର୍କରେ ସୂଚନା ଦେବା ସହିତ କହିଥିଲେ ଯେ କୋଭିଡ ନିୟମାବଳୀର ଉଲଘଂନ ପାଇଁ ବର୍ତ୍ତମାନ ସୁଦ୍ଧା ୨୮ କୋଟି ୯୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ବିଭିନ୍ନ କୋଭିଡ ଚିକିତ୍ସାଳୟରେ ଅଗ୍ନି ନିୟନ୍ତ୍ରଣ ସଂପର୍କରେ ନିଆଯାଉଥିବା ପଦକ୍ଷେପ ଉପରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ।

ବୈଠକରେ ସମ୍ବଲପୁର, ବରଗଡ, ପୁରୀ, କଟକ ଓ ଭୁବନେଶ୍ବର ମହାନଗର ନିଗମରେ କୋଭିଡ ପରିଚାଳନା ସଂପର୍କରେ ଜିଲ୍ଲାପାଳ ଓ କମିଶନର ମାନେ ସୂଚନା ଦେଇଥିଲେ।

ମୁଖ୍ୟମନ୍ତୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକକୁ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭ କୋଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ଵ ଦେଉଛନ୍ତି। ପ୍ରଭାବିତ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଅଲଗା ଅଲଗା ଆର୍ଥିକ ଅନୁଦାନ ମଧ୍ୟ ପ୍ରଦାନ କରୁଛନ୍ତି।

ତେବେ ଆଜି ମୁଖ୍ୟମନ୍ତ୍ରୀ ୩ ଟି ଜିଲ୍ଲାକୁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ସମ୍ବଲପୁର, ପୁରୀ ଏବଂ ସୋନପୁର   ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ, ପୁରୀ ପାଇଁ ୨ କୋଟି ଏବଂ ସୋନପୁର ପାଇଁ ୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ସିଏମଆରଏଫରୁ ଦେଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ପରିଚାଳନା ପାଇଁ ସମ୍ବଲପୁର ଜିଲ୍ଲାକୁ ମୋଟ ୧୬ କୋଟି ୧୨ ଲକ୍ଷ ପ୍ରଦାନ କରାଯାଇଥିବା ବେଳେ  ପୁରୀ ଜିଲ୍ଲା ପାଇଁ ୧୬ କୋଟି ୫୯ ଲକ୍ଷ ଏବଂ ସୋନପୁର ଜିଲ୍ଲା ପାଇଁ ୩  କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ମୁକାବିଲା ପାଇଁ ନିୟମରେ କୋହଳ, ଲକ୍ଷଣ ନଥିଲେ ଘରେ ରହି ଚିକିତ୍ସା ପାଇଁ ମିଳିବ ଅନୁମତି

ଭୁବନେଶ୍ବର, କୋଭିଡ-19 ପରିଚାଳନା ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଏଣିକି ହୋମ୍ ଆଇସୋଲେସନରେ ରଖିବା ପାଇଁ ଅନୁମତି ଦିଆଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରିବର୍ତ୍ତିତ ନିୟମ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ସେ କହିଛନ୍ତି ସହରାଞ୍ଚଳରେ ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବ। ଲକ୍ଷଣ ନଥାଇ ପଜିଟିଭ ଚିହ୍ନଟ ହେଲେ ଘରେ ରହି ରୋଗୀ ଚିକିତ୍ସିତ ହୋଇପାରିବେ। ହେଲେ ଘରେ ରହି ଚିକିତ୍ସିତ ହେବାକୁ ହେଲେ କିଛିଟା ସର୍ତ୍ତ ପୂରଣ କରିବାକୁ ପଡିବ। ସମସ୍ତ 114 ପୌରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟରେ ହୋମ୍ ଆଇସୋଲେସନକୁ ଅନୁମତି ମିଳିବ। ଏଥସହିତ ସମସ୍ତ ଉପଖଣ୍ଡ ଓ ବ୍ଲକ ମୁଖ୍ୟାଳୟ ରୋଗୀଙ୍କୁ ମଧ୍ୟ ହୋମ୍ ଆଇସୋଲେସନର ସୁବିଧା ମିଳିବ। ହେଲେ ହୋମ୍ ଆଇସୋଲେସନ ସୁବିଧା ଥିଲେ ହିଁ ଘରେ ରହି ଚିକିତ୍ସା ଅନୁମତି ମିଳିବ।

ହୋମ ଆଇସୋଲେସନରେ ରହୁଥିବା ରୋଗୀ ପାଇଁ ଜଣେ ଘର ଲୋକ ରହିବେ। ଘରର ସଂପୃକ୍ତ ସାବାଳକ ବ୍ୟକ୍ତି ସରକାର ଓ ରୋଗୀ ମଧ୍ୟରେ ସେତୁ ସାଜିବେ। ସେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀର ସମସ୍ତ କଥା ବୁଝିବେ। ହୋମ ଆଇସୋଲେସନ ରୋଗୀ ପାଇଁ ସମସ୍ତ ଚିକିତ୍ସା ସରକାର ଯୋଗାଇ ଦେବେ। ପିପିଇ କିଟ୍ ଠାରୁ ଔଷଧ ପର୍ଯ୍ୟନ୍ତ ସବୁ କିଛି ରାଜ୍ୟ ସରକାର ଯୋଗାଇ ଦେବେ।

ଏମିତିକି ଖାଦ୍ୟ ଭତ୍ତା ମଧ୍ୟ ସରକାର ଯୋଗାଇ ଦେବେ ବୋଲି ମୁଖ୍ୟ ସଚିବ କହିଛନ୍ତି। ହେଲେ କିଛି ବିଶେଷ ପ୍ରଚାରର ଲୋକଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବ ନାହିଁ। ଏଚଆଇଭି ରୋଗୀ,ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତି, କ୍ୟାନସର, ହୃଦରୋଗୀ, ବୟସ୍କ ଓ ବିଶେଷ ରୋଗ ଥିବା ବ୍ୟକ୍ତିଙ୍କୁ ଏହି ଅନୁମତି ମିଳିବନି ବୋଲି ମୁଖ୍ୟ ସଚିବ କହିଛନ୍ତି।

ସେ କହିଛନ୍ତି,ଏବେ ରାଜ୍ୟର 80 ପ୍ରତିଶତ ରୋଗୀ ଲକ୍ଷଣହୀନ ହୋଇଥିବା ଜଣାପଡ଼ିଛି। ସେହି କାରଣରୁ ଲକ୍ଷଣହୀନ ରୋଗୀଙ୍କୁ କ୍ରିଟିକାଲ କେୟାର ସୁବିଧା ଦେବା ଦରକାର ନାହିଁ। ଗୁରୁତର ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଏପରି ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।

କୌଣସି ସଂସ୍ଥା ଚାହିଁଲେ ନିଜ କର୍ମଚାରୀଙ୍କ ପାଇଁ କୋଭିଡ କେୟାର ହୋମ କରିପାରିବେ। 10ରୁ 20 ଜଣ ରୋଗୀଙ୍କ ପାଇଁ କେୟାର ହୋମ୍ କରିବାକୁ ଅନୁମତି ଦିଆଯିବ। ବିଭିନ୍ନ ସଂସ୍ଥା, ଅନୁଷ୍ଠାନ, ଧର୍ମୀୟ ଅନୁଷ୍ଠାନ ଓ ବଡ ସଂସ୍ଥା ମାନଙ୍କୁ କୋଭିଡ କେୟାର ସେଣ୍ଟର ପାଇଁ ଅନୁମତି ଦିଆଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୀନିଲ କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ OSD ନିଯୁକ୍ତ, କୋଭିଡ ପରିଚାଳନା ଦାୟିତ୍ବରେ ରହିବେ

ଭୁବନେଶ୍ବର,ଭୀନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଅନ ସ୍ପେଶାଲ ଡ୍ୟୁଟି OSD ଭାବେ ନିଯୁକ୍ତି ଦିଆଯାଇଛି। ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହି କୋଭିଡ ପରିଚାଳନା କଥା ବୁଝିବେ। ଓଡ଼ିଶା ଖଣି ନିଗମର ଏମଡି, କ୍ରୀଡା ବିଭାଗର ନିର୍ଦେଶକ ଭାବେ ପୂର୍ବ ଦାୟିତ୍ବ ସହ ଓଏସଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।ଭୀନିଲ କ୍ରିଷ୍ଣା OMECLରେ ଏମଡି ମଧ୍ୟ ଅଛନ୍ତି।

ଆଉ ଦୁଇ ଅଫିସରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଛି। ଲାଲା ମନୋଜ କୁମାର ରାୟ ସିଏମଓ ଯୁଗ୍ମ ସଚିବ ନିଯୁକ୍ତ ହୋଇଛନ୍ତି। ଏବେ ସେ ଜଳସମ୍ପଦ ବିଭାଗରେ ଯୁଗ୍ମ ସଚିବ ଥିଲେ। କଟକ ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର ସିଏମଓ ଡେପୁଟୀ ସଚିବ ହୋଇଛନ୍ତି। ଶୁଭ୍ରାଂଶୁ ମିଶ୍ରଙ୍କ ସ୍ଥାନରେ ପ୍ରତାପ କୁମାର ବେଉରାଙ୍କୁ କଟକ ଉପଜିଲ୍ଲାପାଳ ପଦରେ ଅବସ୍ଥାପିତ କରାଯାଇଛି।