Categories
ଆଜିର ଖବର ଆଞ୍ଚଳିକ

ଅକ୍ଟୋବର ଶେଷ ସୁଦ୍ଧା ବାଣପୁର ଏବଂ ଚିଲିକାକୁ କୋଭିଡ ମୁକ୍ତ ବ୍ଲକରେ ପରିଣତ କରିବାକୁ ଲକ୍ଷ୍ୟ: ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଭିଡ଼ିଓ କନଫରେନ୍ସ ଦ୍ୱାରା ଦୁଇଗୋଟି ପର୍ଯ୍ୟାୟରେ କୋଭିଡ ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ବି.ଡ଼ି.ଓ ଏବଂ ସରପଞ୍ଚମାନେ ଅଂଶଗ୍ରହଣ କରିଥିଲେ। କୋଭିଡକୁ ପ୍ରତିହିତ କରିବା ପାଇଁ ଆଜି ଯାଏଁ ନିଜ ନିଜ ପଞ୍ଚାୟତରେ କରିଥିବା କଠିନ ପରିଶ୍ରମ ପାଇଁ ସମସ୍ତ ଜନପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ସାଧୁବାଦ ଜଣାଇଥିଲେ।

ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ଏବଂ ଚିଲିକା ବ୍ଲକରେ କୋଭିଡ ସ୍ଥିତି ସମୀକ୍ଷା ସମୟରେ ଜିଲ୍ଲପାଳ ଉଭୟ ବ୍ଲକର ଚାରି ଜଣ ସରପଞ୍ଚଙ୍କ ସହ ପ୍ରତ୍ୟେକ୍ଷ ଭାବେ କୋଭିଡ ପରିଚାଳନା ଅନୁଭୂତି ଉପରେ ଆଲୋଚନା କରିଥିଲେ। ଏହା ସହ ସେମାନଙ୍କ ଠାରୁ ବିଭିନ୍ନ ମତାମତ ଏବଂ ଅଭିଯୋଗ ମଧ୍ୟ ଗ୍ରହଣ କରିଥିଲେ। କଣ୍ଟେନମେଣ୍ଟ କଡ଼ାକଡ଼ି, ଷ୍ଟିକରିଂ, ସବୁ ଗ୍ରାମରେ ସି.ଏମ.ସି ବୈଠକ, କରୋନା ସଚେତନତା କାର୍ଯ୍ୟକ୍ରମ ଆଦି କରିବା ପାଇଁ ଜିଲ୍ଲାପାଳ ସମସ୍ତ ସରପଞ୍ଚମାନଙ୍କୁ ଅନୁରୋଧ କରିଥିଲେ।

ଚିଲିକା ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ଧୀରେ ଧୀରେ କରୋନା ଆୟତ୍ତକୁ ଆସିଲାଣି ଏବଂ ଯଦି ଏ ସବୁ ନିୟମ କଡାକଡି ଭାବେ ପାଳନ କରାଯାଏ ତାହାଲେ ଆଗାମୀ ଦିନରେ ଚିଲିକାରେ ଜ଼ିରୋ କୋଭିଡ କେସ ଲକ୍ଷ ପୂରଣ ହୋଇପାରିବ ବୋଲି ଜିଲ୍ଲାପାଳ କହିଥିଲେ। ଏଥିସହ ବାଣପୁର ବ୍ଲକ କୁ ଅକ୍ଟୋବର ୨୦ ଏବଂ ଚିଲିକା ବ୍ଲକକୁ ଅକ୍ଟୋବର ୩୧ ସୁଦ୍ଧା କୋଭିଡ ମୁକ୍ତ ବ୍ଲକରେ ପରିଣତ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ଏଥିଲାଗି ଆଉ କିଛି ଦିନ ଉଭୟ ବ୍ଲକ ପ୍ରଶାସନ ଏବଂ ଜନପ୍ରତିନିଧି ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଜିଲ୍ଲାପାଳ ମତପ୍ରକାଶ କରିଥିଲେ।

ପରିଶେଷରେ ଜିଲ୍ଲାପାଳ ପ୍ରତି ଗ୍ରାମରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, କଡା ଆଇସୋଲେସନ ବ୍ୟବସ୍ଥା କରିବା ଏବଂ କୋଭିଡରୁ ସୁସ୍ଥ ହୋଇଥିବା ୧୮-୫୫ ବର୍ଷୀୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ନେଇ ଉତ୍ସହିତ କରିବା ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ଅନୁରୋଧ କରିଥିଲେ। ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଏବଂ ବାଣପୁର ବ୍ଲକ ସଭାଗୃହ ମଧ୍ୟରେ ବି.ଡ଼ି.ଓ ଶ୍ରୀମତୀ ଶୁଭଶ୍ରୀ ତ୍ରିପାଠୀ ଉକ୍ତ ବୈଠକକୁ ପରିଚାଳନା କରିଥିଲେ।