Categories
ଆଜିର ଖବର ରାଜ୍ୟ ଖବର

କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକା ସବନମ୍ ସିରିନଙ୍କ ପରିବାରକୁ ମିଳିଲା ୧୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: କୋଭିଡରେ ପ୍ରାଣ ହରାଇଥିବା ନ୍ୟୁଜ୍-୭ର କାର୍ଯ୍ୟକ୍ରମର ବ୍ୟବସ୍ଥାପିକା ତଥା ସାମ୍ବାଦିକା ସ୍ୱର୍ଗୀୟା ସବନମ୍ ସିରିନ୍ ଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆବଶ୍ୟକ ତଥ୍ୟ ସଂଗ୍ରହ ପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ସହାୟତା ରାଶି ସବନମ୍ ଙ୍କ ସ୍ୱାମୀ କମରୁଦ୍ଦିନ୍ ଖାଁଙ୍କୁ ପ୍ରଦାନ କରାଯ।ଇଛି ।

ଭୁବନେଶ୍ୱରରେ କାର୍ଯ୍ୟରତ ସାମ୍ବାଦିକା ସ୍ୱର୍ଗୀୟା ସରିନ୍ ଗତ ୨୦୨୧ ମସିହା ମଇ ମାସ ୧୧ ତାରିଖରେ କୋଭିଡ୍ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ପ୍ରକାଶ ଥାଉକି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଅର୍ଥ ସବନମ୍ ଙ୍କ ସ୍ୱାମୀ ଓ ସେମାନଙ୍କ ନାବାଳିକା ଝିଅ ସିନମ୍ ସରିନ୍ ଙ୍କ ଯୁଗ୍ମ ଜମାଖାତାକୁ ଅନ୍ ଲାଇନ୍ ମାଧ୍ୟମରେ ପ୍ରଦାନ କରାଯାଇଛି ।

ଏହି ସହାୟତା ପାଇବା ପରେ ହିତାଧିକାରୀ କମରୁଦ୍ଦିନ୍ ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ସହାୟତା ରାଶି ପ୍ରଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ଅନୂଜ କୁମାର ଦାସ ପଟ୍ଟନାୟକ, ଜିଲ୍ଲା ଆପତକାଳୀନ ଅଧିକାରୀ ଶ୍ରୀମତୀ ଊର୍ମିପ୍ରଭା ମହାପାତ୍ର ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଭୁବନେଶ୍ୱର ଶ୍ରୀ ପଠାଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଉଠା ଦୋକାନୀଙ୍କୁ କୋଭିଡ ସହାୟତା ରାଶି ବଣ୍ଟନ, ରାସନ କାର୍ଡ ହିତାଧିକାରୀଙ୍କୁ ମିଳିଲା ୧ ହଜାର ଟଙ୍କା

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସି ରେ ବହୁ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅନ୍ତର୍ଗତ କୋଭିଡ ସହାୟତା ରାଶି ପ୍ରଦାନ କରାଯାଇଛି। ଏ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ସୂଚନା ଦେଇଛନ୍ତି।

ବାଲୁଗାଁ ସହରାଞ୍ଚଳର ୮୪ ଜଣ ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ କୋଭିଡ ସହାୟତା ଅର୍ଥରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଥିବା ଜଣାପଡିଛି। ତେବେ ପୂର୍ବରୁ ମଧ୍ୟ ଉକ୍ତ ୮୪ ଜଣ ଉଠାଦୋକାନୀ କୋଭିଡ ସହାୟତା ରାଶିର ପ୍ରଥମ ଭାଗ କିସ୍ତି ପାଇଥିଲେ।

ସେହିପରି ଭାବେ ଏନଏସିରେ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ୧ ହଜାର ଟଙ୍କା କୋଭିଡ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ହୋଇଯାଇଛି। ଆଜି ପ୍ରଥମ ଦିନରେ ୧୦୦ ଜଣ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ୧ ହଜାର ଟଙ୍କା କୋଭିଡ଼ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଆଗକୁ ପ୍ରତି ୱାର୍ଡରେ ହିତାଧିକାରୀଙ୍କୁ ଉକ୍ତ ରାଶି ବଣ୍ଟନ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସେଠ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

BREAKING: ପିଡିଏସ ହିତାଧିକାରୀଙ୍କୁ ରାଜ୍ୟ ସରକାର ଦେଲେ 1000 ଟଙ୍କା ଲେଖାଏଁ କୋଭିଡ ସହାୟତା

ଭୁବନେଶ୍ବର: ରାଜ୍ୟ ସରକାର ଆଉ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ତାହା ହେଲା ପ୍ରତି ପିଡିଏସ ହିତାଧିକାରୀଙ୍କୁ 1000 ଟଙ୍କା ଲେଖାଏଁ ସହାୟତା ଦେବେ। ସେହି ଅନୁସାରେ 30ଟି ଜିଲ୍ଲାକୁ ଆଜି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ 350 କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏଥିରେ କୁହାଯାଇଛି ଯେ, ପ୍ରତି ହିତାଧୀକାରୀଙ୍କ ଖାତାକୁ ଏହି ଟଙ୍କା ପ୍ରଦାନ କରାଯିବ।  ମୁଖ୍ୟତଃ କରୋନା ପରିସ୍ଥିତିରେ ଜୀବନ ଧାରଣ ନିମନ୍ତେ ଏହି ସହାୟତା ପ୍ରଦାନ କରାଯାଇଛି। ଯୋଗାଣ ବିଭାଗ ତରଫରୁ 30ଟି ଜିଲ୍ଲା ପାଇଁ ଦିଆଯାଇଥିବା ଟଙ୍କା ମଧ୍ୟରୁ ଗଂଜାମ ଜିଲ୍ଲାକୁ ସର୍ବାଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଜିଲ୍ଲା ପାଇଁ ମୋଟ 28 କୋଟି 15 ଲକ୍ଷ 90 ହଜାର ଟଙ୍କା ପ୍ରଦାନ କରାଯାଇଛି।

ସେହିପରି ମୟୁରଭଂଜ ଜିଲ୍ଲାକୁ 22 କୋଟି 25 ଲକ୍ଷ, ବାଲେଶ୍ବର ଜିଲ୍ଲାକୁ 18 କୋଟି 96 ଲକ୍ଷ, କଟକକୁ 18 କୋଟି 45 ଲକ୍ଷ, ବରଗଡକୁ 13 କୋଟି 11 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଅନ୍ୟାନ୍ୟ ଜିଲ୍ଲାକୁ ମଧ୍ୟ ସହାୟତା ରାଶି ପଇଠ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଦୁଗ୍ଧ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ୧ ଲକ୍ଷ ଚାଷୀ ପାଇଲେ ୧୧ କୋଟି ଟଙ୍କାର ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍‌ଧ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ଏକ ଲକ୍ଷ ଦୁଗ୍‌ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି। ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଓମ୍‌ଫେଡ ଜରିଆରେ ରାଜ୍ୟର ୩୭୦୦ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଏବଂ ୨.୬୩ ଲକ୍ଷ ଦୁଗ୍ଧ ଚାଷୀ ଏହା ଜରିଆରେ ଦୁଗ୍‌ଧ ଉତ୍ପାଦନ କରୁଛନ୍ତି । ଏଥିରେ ୧୨୯୨ଟି ମହିଳା ସମବାୟ ସମିତି ରହିଛି ଏବଂ ୧ ଲକ୍ଷ ୫ ହଜାର ମହିଳା ଚାଷୀ ମଧ୍ୟ ଦୁଗ୍‌ଧ ଉତ୍ପାଦନରେ ଯୋଗଦାନ ରଖିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ଅଲମ୍ପିକ୍‌ରେ ଭାରତର ସଫଳତା ପାଇଁ ଭାରତୀୟ ଟିମ୍‌କୁ ଅଭିନନ୍ଦନ ଜଣାଇ କହିଲେ ଯେ ଭାରତୀୟ ହକୀ ଦଳର ଅନନ୍ୟ ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ।

ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାର ସବୁବେଳେ ଗରିବ ଲୋକଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରୁଛନ୍ତି। ଗରିବ ଲୋକଙ୍କ ଉପରେ କୋଭିଡ ମହାମାରୀର ପ୍ରଭାବ କମ୍ କରିବା ପାଇଁ ରାଜ୍ୟ ସରକାର ଛୋଟ ଦୋକାନୀ, ଛୋଟ ଚାଷୀ, ମିଶନ ଶକ୍ତିର ମା – ସମସ୍ତଙ୍କ ଆକାଉଣ୍ଟରେ ୨୦୦୦ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଛୋଟ ଚାଷୀଙ୍କ ରୋଜଗାରରେ ଗୋପାଳନର ଅବଦାନ ବିଷୟ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ସେମାନଙ୍କ ରୋଜଗାର ବଢାଇବା ସହିତ ଗ୍ରାମ ଅର୍ଥନୀତିକୁ ମଧ୍ୟ ଚଳଚଞ୍ଚଳ କରେ। ମା ମାନଙ୍କ ରୋଜଗାର ବଢାଇବା ସହିତ ସାଧାରଣ ଲୋକଙ୍କ ବିଶେଷକରି ପିଲାମାନଙ୍କ ପୁଷ୍ଟି ସାଧନରେ ଦୁଗ୍‌ଧର ବହୁତ ବଡ ଭୂମିକା ରହିଛି ବୋଲି ସେ କହିଥିଲେ। ତେଣୁ ଦୁଗ୍‌ଧ ଉତ୍ପାଦନରେ ଅଭିବୃଦ୍ଧି ଆଣି ରାଜ୍ୟର ପୁଷ୍ଟି ସ୍ତରକୁ (Nutrition Level) ଆହୁରି ଉନ୍ନତି ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଦୁଗ୍ଧ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରି ରିହାତି ଯୋଗାଇ ଦେଉଛନ୍ତି। ଚାଷୀମାନେ ଏହି ଯୋଜନାର ଉପଯୋଗ କରି ରାଜ୍ୟର ଦୁଗ୍‌ଧ ଉତ୍ପାଦନ ଲକ୍ଷ୍ୟ ପୂରଣରେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ରାଜ୍ୟରେ ଦୁଗ୍‌ଧ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ୫-ଟି ଓ ମୋ ସରକାର ରାଜ୍ୟ ପ୍ରଶାସନର ମୂଳମନ୍ତ୍ର ବୋଲି ପ୍ରକାଶ କରି ସେ କହିଲେ ଯେ ଏହାର ପ୍ରୟୋଗ ଦ୍ବାରା ରାଜ୍ୟ ପ୍ରାଣୀ ସଂପଦ କ୍ଷେତ୍ରରେ ପରିବର୍ତ୍ତନର ଧାରା ଆସିପାରିଛି । ହକିରେ ଭାରତର ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରି ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଯୋଗୁ ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ଗୌରବାନ୍ବିତ ହୋଇପାରିଛି ।

ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ନବରଂଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟରେ ଚାଷୀ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ବରଗଡ, ନବରଂଗପୁର ଓ କଟକର ୩ ଜଣ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସ୍ବତନ୍ତ୍ର ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ । ବରଗଡରୁ  ସତ୍ୟବତୀ ସାହୁ, ନବରଂଗପୁରରୁ ଖୋକନ ବିଶ୍ବାସ ଓ କଟକରୁ ବିଜୟଲକ୍ଷ୍ମୀ ସ୍ବାଇଁ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ରାଜ୍ୟ ସରକାର ସେମାନଙ୍କ ଦୁଗ୍‌ଧ ଚାଷ ପାଇଁ ଅନେକ ପ୍ରକାଶ ସହାୟତା ଦେଉଛନ୍ତି। ଗୋଖାଦ୍ୟ, ଔଷଧ, କ୍ୟାଲସିଅମ, ମିନେରେଲ ମିକ୍ସଚର ଆଦି ଅନେକ ସହାୟତା ମିଳୁଛି। ଦୁଗ୍‌ଧ ଚାଷ ଦ୍ବାରା ସେମାନଙ୍କ ଆର୍ଥିକ ଉନ୍ନତି ହେବା ସହିତ ସେମାନେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେଇପାରିଛନ୍ତି ଏବଂ ଘର ଖଣ୍ଡେ ଖଣ୍ଡେ କରିପାରିଛନ୍ତି ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ମତ୍ସ୍ୟ ଓ ପଶୁସଂପଦ ବିଭାଗର ସଚିବ କେ. ରଘୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଗରିବ ଲୋକଙ୍କ ପାଖରେ ପହଞ୍ଚିଲା ୨୦୦୪ କୋଟି ଟଙ୍କାର କୋଭିଡ ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ, ତାକୁ ଦୃଷ୍ଡିରେ ରଖି କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷଜ୍ଞମାନଙ୍କର ମତକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହରୀ ଆସେ, ସେଥିପାଇଁ ଆମକୁ ଏହାର ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ । ସ୍ବାସ୍ଥ୍ୟସେବା ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢୀକରଣ ସହିତ ମାନବସମ୍ବଳ ବିନିଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ବାସ୍ଥ୍ୟ ସେବା ପାଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନର ଗୁରୁ ଦାୟିତ୍ବ ରହିଛି । ପ୍ରତି ଜୀବନ ମୂଲ୍ୟବାନ। ଏହା ହେଉଛି ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ନୀତିର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ଜିଲ୍ଲା ହସ୍‌ପିଟାଲ ଠାରୁ ଆରମ୍ଭ କରି ସିଏଚସି ସ୍ତର ପର୍ଯ୍ୟନ୍ତ ଯେଭଳି ସ୍ବାସ୍ଥ୍ୟସେବାରେ କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଥାନା ଆଇଆଇସିଙ୍କ ଠାରୁ ଆରମ୍ଭ କରି ବିଡିଓ, ଏସ୍‌.ଡି.ପି.ଓ, ସବ୍‌କଲେକ୍ଟର, ଏସ୍‌.ପି ଓ ଜିଲ୍ଲାପାଳ ସମସ୍ତେ ଏହାକୁ ସେମାନଙ୍କର ମୂଳ ଦାୟିତ୍ବର ଅଂଶଭାବରେ ଜ୍ଞାନ କରି ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କୋଭିଡର ଦ୍ବିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ବିଶେଷତଃ ଛୋଟ ଚାଷୀ, ନିର୍ମାଣ ଶ୍ରମିକ, ମନେରେଗା ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୁଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମା ମାନଙ୍କ ଠାରୁ ଆରମ୍ଭ କରି ଷ୍ଟ୍ରୀଟ ଭେଣ୍ଡର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କର ୧୦ଟି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି। ଏପର୍ଯ୍ୟନ୍ତ ଉପରୋକ୍ତ ବର୍ଗର ଲୋକମାନଙ୍କୁ ୨୦୦୪ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇଛି ବୋଲି ବୈଠକରୁ ଜଣାଯାଇଛି।

ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶିକ୍ଷକ ତଥା ସ୍କୁଲର କର୍ମଚାରୀମାନଙ୍କ ଟିକାକରଣ ଉପରେ ଗୁରୁତ୍ବାରୋପ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ବୈଠକରେ ଅବଗତ କରିଥିଲେ। ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା କାର୍ଯ୍ୟକାରୀତା ସଂପର୍କରେ ଉପସ୍ଥାପନା ରଖିଥିଲେ। ବୈଠକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ।

ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଜିଲ୍ଲାପାଳ, ଏସ୍‌.ପି ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ: ୨୬ ଲକ୍ଷ ଶ୍ରମିକ ପାଇଲେ ୩୮୫ କୋଟି ଟଙ୍କା

ଭୁବନେଶ୍ବର: ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ପ୍ୟାକେଜରେ ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କା ଲେଖାଏ ପାଇଲେ। ଗତ ବର୍ଷ ମଧ୍ୟ କୋଭିଡର ପ୍ରଥମ ଲହର ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ସମୟରେ ଏହି ସହାୟତା ନିର୍ମାଣ ଶ୍ରମିକଙ୍କ ଅସୁବିଧାକୁ ହ୍ରାସ କରିବାରେ ସହାୟକ ହେବ। ଅର୍ଥନୀତିରେ ଶ୍ରମିକ ମାନଙ୍କ ଗୁରୁତ୍ବ ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରମିକ ମାନଙ୍କ କଲ୍ୟାଣ ବିନା ଅର୍ଥନୀତି କେବେ ବି ସମୃଦ୍ଧ ହୋଇପାରିବ ନାହିଁ।

ନିର୍ମାଣ ଶ୍ରମିକ ମାନଙ୍କୁ ଜଣେ ଜଣେ ବିଶ୍ବକର୍ମା ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନ୍ୟର ସୁବିଧା ପାଇଁ ସେମାନେ ନିଜ ସୁଖକୁ ଭୁଲିଯାନ୍ତି। ଖରାକୁ ପିଠି ଦେଖାଇ ବଡ ବଡ କୋଠା ତିଆରି କରନ୍ତି। ନିଜେ ଜଳି ଅନ୍ୟକୁ ଆଲୋକ ଦେଖାନ୍ତି। ନିଜେ ଅସୁବିଧାରେ ରହି ଅନ୍ୟ ପାଇଁ ଭଲ ଘର ତିଆରି କରନ୍ତି । ରାସ୍ତା, ସେତୁ ଆଦି କରନ୍ତି। ବିକାଶର ପ୍ରତିଟି ପୃଷ୍ଠାରେ ରହିଛି ଆମର ନିର୍ମାଣ ଶ୍ରମିକ ମାନଙ୍କର ତ୍ୟାଗ ଓ ପରିଶ୍ରମର କାହାଣୀ। ଗରିବ ଲୋକର ତ୍ୟାଗକୁ ସମ୍ମାନ ଦ୍ବାରା ହିଁ ଆମେ ବିକାଶ ସହ ସମସ୍ତଙ୍କ ଯୋଡି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ସହାୟତା ପାଇଥିବାରୁ ନିର୍ମାଣ ଶ୍ରମିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଆନ୍ତରିକ କୃତଜ୍ଞତା ଜଣାଇଥିଲେ। ଗଞ୍ଜାମର ରବୀନ୍ଦ୍ର ପ୍ରଧାନ, କଟକର ନବଘନ ପରିଡା, ବରଗଡର କେଶବ ପ୍ରଧାନ, ସୁନ୍ଦରଗଡର ରେଣୁ ମିଞ୍ଜ — ସମସ୍ତଙ୍କ ମୁହଁରେ ଗୋଟିଏ ଭାଷା ଥିଲା – ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା। ଆପଣଙ୍କ ସହାୟତା ଆମକୁ ଏ ବିପଦ ସମୟରେ ବଞ୍ଚିବର ରାହା ଦେଇଛି। ଗତ ବର୍ଷ ୧୫୦୦ ଟଙ୍କା ପାଇଥିଲୁ, ଏ ବର୍ଷ ମଧ୍ୟ ପାଇଲୁ। ତାସହିତ ପିଲାଙ୍କ ପାଠପଢା, ସାଇକେଲ, ଝିଅ ବାହାଘର – ସବୁ ସମୟରେ ଆମେ ସହାୟତା ପାଉଛୁ ବୋଲି ଖୁସିରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ କେତେ ଟଙ୍କା ପାଇଛ ବୋଲି ପଚାରି ବୁଝିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରମ ଓ ଇ.ଏସ୍‌.ଆଇ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ, ଶ୍ରମ ଆଇନର କାର୍ଯ୍ୟକାରୀତା ଓ ନାଗରିକ କେନ୍ଦ୍ରୀକ ଯୋଜନା ଉପରେ ଆଲୋକପାତ କରିଥିଲେ।

ଓଡିଶା କୋଠାବାଡି ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଥିଲେ ଯେ ବୋର୍ଡ ଅଧୀନରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ୩୨ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି ଏବଂ ଏହିସବୁ ସେବାକୁ ୫-ଟି ଜରିଆରେ ଦକ୍ଷତାର ସହ ତୁରନ୍ତ ଯୋଗାଇ ଦିଆଯାଉଛି।

ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗରର ବିଧାୟକ କିଶୋର ମହାନ୍ତି ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ସେମାନଙ୍କର ମତାମତ ରଖି ଏହି ଗରିବ ଓ ଶ୍ରମିକ କଲ୍ୟାଣ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭାଗୀୟ ସଚିବ ଶ୍ରୀମତୀ ଚିତ୍ରା ଅର୍‌ମୁଗମ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶ୍ରମ କମିଶନର ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ.ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସାରା ରାଜ୍ୟର ୩୧୪ ବ୍ଲକର ନିର୍ମାଣ ଶ୍ରମିକ ମାନେ ଭିଡ଼ିଓ କନ୍ ଫରେନସ ଜରିଆରେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓମଫେଡ ଚାଷୀଙ୍କ ପାଇଁ କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କରୋନା କାଳରେ ରାଜ୍ୟରେ କ୍ଷତିଗ୍ରସ୍ତ ହୋଇଥିବା ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ପ୍ରତ୍ୟେକ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ସହାୟତା ଘୋଷଣା କରିଛନ୍ତି।

ସେଥିପାଇଁ ପ୍ରତି ଚାଷୀଙ୍କୁ ୬ ହଜାର ଲେଖାଏଁ ଆର୍ଥିକ ସହାୟତା ମିଳିବ। ଗୋ ଖାଦ୍ୟ ବାବଦକୁ ପ୍ରତ୍ୟେକ  ଦୁଗ୍ଧ ଚାଷୀଙ୍କୁ ଏହି ସହାୟତା ରାଶି ମିଳିବ। ଏଥିରେ ପ୍ରାୟ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ।

Categories
ବିଶେଷ ଖବର ରାଜ୍ୟ ଖବର

ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା: କାଳିଆ ହିତାଧିକାରୀଙ୍କୁ ମିଳିବ ୧୦୦୦ ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଏନ୍‌.ଆର.ଇ.ଜି.ଏ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଦ୍ବାରା ସମାଜର ସବୁ ବର୍ଗର ଲୋକଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି। କିନ୍ତୁ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। କୋଭିଡ ମହାମାରୀର ପ୍ରଥମ ଲହର ସମୟରେ ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବିଭିନ୍ନ ସହାୟତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ କୋଭିଡ ମହାମାରୀର ପ୍ରତିକୂଳ ପ୍ରଭାବରୁ ବହୁ ପରିମାଣରେ ଆଶ୍ବସ୍ତି ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି କୋଭିଡର ଦ୍ବିତୀୟ ଲହର ଯୋଗୁ ରାଜ୍ୟର ବିଭିନ୍ନ ଅଂଚଳରେ ପର୍ଯ୍ୟାୟକ୍ରମେ ଗତ ଦୁଇ ମାସ ହେଲା ଲକ୍‌ଡାଉନ ଜାରି ରହିଛି। ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଦୁର୍ବଳ କରିଛି। ଏହାକୁ ବିଚାର କରି ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ପ୍ୟାକେଜ ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏହି ପ୍ୟାକେଜ ଅନୁଯାୟୀ କାଳିଆ ଯୋଜନାର ହିତାଧିକାରୀ ରାଜ୍ୟର ୧୭ ଲକ୍ଷ ୮୩ ହଜାର ଭୂମିହୀନ ଚାଷୀ ପରିବାରଙ୍କୁ ପ୍ରତି ହିତାଧିକାରୀ ପିଚ୍ଛା ୧୦୦୦ ଟଙ୍କା ସ୍ବତନ୍ତ୍ର ସହାୟତା ଦିଆଯିବ। କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି କୋଭିଡ ଲକ୍‌ଡାଉନ ସମୟରେ ସହରାଂଚଳରେ ରହୁଥିବା ଗରିବ ଲୋକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ରାଜ୍ୟର ୧୧୪ଟି ପୌରସଂସ୍ଥା ମାନଙ୍କରେ ରହୁଥିବା ଗରିବ ଲୋକଙ୍କୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରୋଜଗାର ଯୋଗାଇବା ପାଇଁ ୨୬୦ କୋଟି ଟଙ୍କାର କାମ ଯୋଗାଇ ଦିଆଯିବ। NREGS ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ଦୈନିକ ମଜୁରୀ ବ୍ୟତୀତ ପ୍ରତିଦିନ ଅଧିକ ୫୦ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ଭାବରେ ଦିଆଯିବ । ଅପ୍ରେଲ ୨୧ରୁ ଜୁନ୍‌ ୨୧ ମଧ୍ୟରେ ଏହି ବର୍ଦ୍ଧିତ ମଜୁରୀ ବାବଦକୁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା ବହନ କରିବେ। ସୂଚନାଯୋଗ୍ୟ ଯେ ଏହି ସମୟ ମଧ୍ୟରେ NREGS ଯୋଜନାରେ ୬ କୋଟି ମାନବ ଦିବସ ସୃଷ୍ଟି କରାଯାଇଛି।

ଖାଦ୍ୟ ନିରାପତ୍ତା ସବୁବେଳେ ରାଜ୍ୟ ସରକାରଙ୍କର ପ୍ରାଥମିକତା ରହିଆସିଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ୫ କେଜି ଲେଖାଏ ଚାଉଳ ପ୍ରତି ବ୍ୟକ୍ତିଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ୯୨.୮୬ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଓଡିଶାରେ ଆମର ୧୩ଟି ଆଦିମ ଜନଜାତିର ୬୬,୨୧୪ ଜଣ ବ୍ୟକ୍ତି ବାସ କରୁଛନ୍ତି। ସେମାନଙ୍କୁ ଜୀବନଜୀବିକା ସହାୟତା ବାବଦରେ ପ୍ରତି ପରିବାରକୁ ୫୦୦୦ ଟଙ୍କା ଲେଖାଏ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏ ବାବଦରେ ୩୩.୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଟଙ୍କା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ। ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ଛାତ୍ରଛାତ୍ରୀଙ୍କର ଅପ୍ରେଲରୁ ୨୧ରୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ସେମାନଙ୍କ pre-matric ଛାତ୍ର ବୃତ୍ତିକୁ ସେମାନଙ୍କ ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଦୁଇଟି ପର୍ଯ୍ୟାୟରେ ଜମା କରାଯିବ। ଏ ବାବଦରେ ୨୫୨.୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ।

ରାଜ୍ୟରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୫୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏ ବାବଦରେ ୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସ୍ବତନ୍ତ୍ର ବିଦ୍ୟାଳୟ ମାନଙ୍କରେ ପଢୁ ନ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଥିବା ବାଣୀଶ୍ରୀ ଛାତ୍ରବୃତ୍ତି ଜାରି ରହିବ ଏବଂ ଅପ୍ରେଲରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ସେମାନଙ୍କୁ ୨୦୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ (ଶ୍ରେଣୀ ଅନୁସାରେ) ଛାତ୍ରବୃତ୍ତି ଯୋଗାଇ ଦିଆଯିବ। ଏହାଦ୍ବାରା ୨୬, ୪୬୫ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏ ବାବଦରେ ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଘରେ ରହି ଅନ୍‌ଲାଇନ ଜରିଆରେ ପାଠ ପଢୁଥିବା ସ୍ବତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ଅପ୍ରେଲରୁ ଜୁନ୍ ୨୧ ପର୍ଯ୍ୟନ୍ତ ଖାଦ୍ୟ ଖର୍ଚ୍ଚ ବାବଦକୁ ପ୍ରତି ମାସରେ ୧୨୪୫ ଟଙ୍କା ଦିଆଯିବ। ଏହାଦ୍ବାରା ୬୪୭୧ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏ ବାବଦରେ ୨ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଅପ୍ରେଲରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ଅଣ-ଆବାସିକ ଛାତ୍ରଛାତ୍ରୀ ମାନଙ୍କୁ ମାସିକ ୩୭୦ ଟଙ୍କା ଲେଖାଏ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏ ବାବଦରେ ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ୩୪୪ ଜଣ ଅଣ-ଆବାସିକ ଛାତ୍ରଛାତ୍ରୀମାନଙ୍କୁ ଅପ୍ରେଲ ୨୧ରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ୩୭୦ ଟଙ୍କା ଲେଖାଏ ମାସିକ ଅନୁଦାନ ଯୋଗାଇ ଦିଆଯିବ। ଏଥିପାଇଁ ୩ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଉତ୍କୃଷ୍ଟ କୋଭିଡ୍‌ ପରିଚାଳନା ନିମନ୍ତେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ୱର, ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଉତ୍କୃଷ୍ଟ କୋଭିଡ୍‌ ପରିଚାଳନା ନିମନ୍ତେ ଆବଶ୍ୟକ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଓଡ଼ିଶା ଔଷଧ ନିଗମ ଯୋଗାଇବ । ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନୀତିଗତ ନିଷ୍ପତ୍ତି ନିଆଯାଇଛି ।

ଯେହେତୁ ରାଜ୍ୟ ସରକାରଙ୍କ ତରଫରୁ ଏହି ନିଗମ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଂଗ୍ରହ କରିବା ପାଇଁ ଆବଶ୍ୟକୀୟ ବୈଷୟକ ଯୋଗ୍ୟତା, ଅନୁଭୂତି ରହିଛି, ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶ କ୍ରମେ ସମସ୍ତ ଜିଲ୍ଲାପାଳଙ୍କୁ ଏସବୁ ସାମଗ୍ରୀ ନିଗମ ମାଧ୍ୟମରେ ଯୋଗାଇ ଦେବା ପାଇଁ ଜଣାଇ ଦିଆଯାଇଛି।

ଏହା ବ୍ୟତୀତ ଆବଶ୍ୟକୀୟ ସିଭିଲ୍‌ ଓ ବିଦ୍ୟୁତିକରଣ କାମ, ଆଇସିୟୁ ଶଯ୍ୟା, ଅମ୍ଳଜାନ ପାଇପଲାଇନ୍‌, ଡିଜି ସେଟ୍‌ ଇତ୍ୟାଦି ଡାକ୍ତରୀ ଓ ଅଣଡାକ୍ତରୀ ସରଞ୍ଜାମ ପାଇଁ ଜିଲ୍ଲାପାଳମାନେ ସିଧାସଳଖ ସ୍ଥାନୀୟ ବ୍ୟବସ୍ଥା ଅନୁସାରେ କ୍ରୟ ଓ ଯୋଗାଡ଼ କରିବେ ।

ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଉପଯୁକ୍ତ କୋଭିଡ୍‌ ପରିଚାଳନା ନିମନ୍ତେ ଆବଶ୍ୟକୀୟ ଜରୁରୀ ସରଞ୍ଜାମ ସଂଗ୍ରହ ଏବଂ ଭିତ୍ତିଭୂମି ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ କିଛିଦିନ ପୂର୍ବରୁ ୨୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିଲା ।

ଜିଲ୍ଲାଗୁଡ଼ିକ ତରଫରୁ ଏଥିପାଇଁ ଯଥାଶୀଘ୍ର ପ୍ରସ୍ତାବ ଦେବାକୁ କୁହାଯାଇଥିଲା । ଏଥି ପାଇଁ ଜିଲ୍ଲାପାଳମାନଙ୍କ ସହ ପରାମର୍ଶ କରାଯାଇଥିଲା । ପଶ୍ଚିିମ ଓଡ଼ିଶା ବିକାଶ ପରିଷଦ ତରଫରୁ ଏହି ପ୍ରସ୍ତାବଗୁଡ଼ିକ ହସ୍ତଗତ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ବ୍ୟାପକ ବିଚାରବିମର୍ଶ ପରେ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରିବା ସହ ଜରୁରୀ ସାମଗ୍ରୀ ସଂଗ୍ରହ ପାଇଁ ସବୁଜ ସଂକେତ ପ୍ରଦାନ କରାଯାଇଛି ।