Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆଜି ଭାରତରେ କେତେ ଜଣ ହେଲେ ସଂକ୍ରମିତ?, ଜାଣନ୍ତୁ ଦେଶର କୋଭିଡ ସ୍ଥିତି

ନୂଆଦିଲ୍ଲୀ: ଗୋଟିଏ ଦିନରେ ଭାରତରେ ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାପରେ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୬ ଲକ୍ଷ ୮୨ ହଜାର ୫୩୦ କୁ ବୃଦ୍ଧି ପାଇଛି। ଏଥି ସହିତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା 1୧ ହଜାର ୮୪୨ କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆଜି ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, କୋଭିଡ-୧୯ ରୁ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୩୯ରେ ସ୍ଥିର ରହିଛି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ସାମ୍ଭାବ୍ୟ ବାତ୍ୟା ଓ କୋଭିଡ ସ୍ଥିତିର ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସାମ୍ଭାବ୍ୟ ବାତ୍ୟା ଏବଂ କୋଭିଡ ସ୍ଥିତି ଅନୁଧ୍ୟାନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଥିଲେ। ଉକ୍ତ ଗସ୍ତରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅନୁଜ ଦାସ ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଅଶୋକ ବେହୁରିଆ ମଧ୍ୟ ସାମିଲ ଥିଲେ। ଜିଲ୍ଲାପାଳ ପ୍ରଥମେ ସାମ୍ଭାବ୍ୟ ବାତ୍ୟା ପାଇଁ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିରିବାଡ଼ି ପଂଚାୟତର ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ଗୁଡିକର ତଦାରଖ କରିଥିଲେ।

ଏହାପରେ ଜିଲ୍ଲାପାଳ ବାଲୁଗାଁ ଏନଏସିର ସଭାଗୃହ କକ୍ଷରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ଚିଲିକା ନିର୍ବାଚନମଣ୍ଡଳୀରେ ସମ୍ପ୍ରତି କୋଭିଡ ସ୍ଥିତି ଏବଂ ସାମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବାଣପୁର ବ୍ଲକ, ଏନଏସି, ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ସାମ୍ଭାବ୍ୟ ବାତ୍ୟା ପାଇଁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ କରାଯିବା ସହ ରେଡ ଜୋନରେ ବସବାସ କରୁଥିବା ଜନସାଧାରଣଙ୍କୁ ଉକ୍ତ ଆଶ୍ରୟସ୍ଥଳୀକୁ ନେବାପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନ ସବୁ ପ୍ରକାର ବନ୍ଦୋବସ୍ତ କରିଥିବାର ଜିଲ୍ଲାପାଳ ଜାଣିବାକୁ ପାଇଥିଲେ।

ତେବେ ଚିଲିକାରେ କୋଭିଡ କେସ ପୂର୍ବପେକ୍ଷା ଗତ ଦୁଇ ଦିନ ହେଲା ସ୍ୱଳ୍ପ କମୁଥିବାରୁ ଜିଲ୍ଲପାଳ ସାମାନ୍ୟ ଆଶ୍ବସ୍ତି ପ୍ରକାଶ କରିଥିଲେ। ସଂପୂର୍ଣ୍ଣ ଚିଲିକା ନିର୍ବାଚନମଣ୍ଡଳୀରେ ‘ଜିରୋ’ କୋଭିଡ଼ କେସ ଲକ୍ଷ୍ୟକୁ ନେଇ କାମ ଆରମ୍ଭ କରିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ୱାର୍ଡ, କିମ୍ବା ଗ୍ରାମରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି କୋଭିଡ଼ କେସ ବାହାରିନାହିଁ ସେ ଅଞ୍ଚଳକୁ କିପରି ଆଗକୁ ମଧ୍ୟ ସେହିପ୍ରକାର ଭାବେ କୋଭିଡ଼ ମୁକ୍ତ ରଖିବାକୁ ହେବ ସେ ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ତତସହିତ ଯେଉଁ ଅଞ୍ଚଳରେ ଗୋଟେ କିମ୍ବା ଦୁଇ ଗୋଟି କୋଭିଡ କେସ ଚି଼ହ୍ନଟ ହେଉଛି ସେଠାରୁ ଆକ୍ରାନ୍ତମାନଙ୍କୁ ନିକଟସ୍ଥ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଯାହାଫଳରେ ଉକ୍ତ ଅଞ୍ଚଳରେ କୋଭିଡ ଆଉ ବ୍ୟାପିପାରିବନି। ବୟସ୍କ, ଗର୍ଭବତୀ ଏବଂ ଶିଶୁ ମାନଙ୍କ ଯଦି ସାମାନ୍ୟ ଲକ୍ଷଣ ଦେଖାଯାଏ, ତେବେ ସେମାନେ ମଧ୍ୟ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେବେ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ଏବଂ ଅମ୍ଳଜାନର ଅଭାବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ।

ଅପରପକ୍ଷରେ କୋଭିଡ ରେଡ ଜୋନ ଗୁଡିକୁ ତୁରନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ଟେଷ୍ଟିଙ୍ଗ ବଢ଼ାଇବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ସହରାଞ୍ଚଳରେ ପୂର୍ବତନ କାଉଁସିଲର ଏବଂ ଗ୍ରାମାଞ୍ଚଳରେ ମିଶନ ଶକ୍ତି, ଜନ ପ୍ରତିନିଧି, ସ୍ଵେଚ୍ଛାସେବୀମାନଙ୍କୁ ପ୍ରବାସୀ ଫେରନ୍ତାଙ୍କ ତଥ୍ୟ ପ୍ରଶାସନକୁ ଦେବାସହ ସେମାନଙ୍କ ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ଆବାହାନ କରିଥିଲେ।

ସର୍ବଶେଷରେ ବୃଦ୍ଧ ତଥା ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ମୋବାଇଲ ଟେଷ୍ଟିଙ୍ଗ ବ୍ୟବସ୍ଥାର ଆରମ୍ଭ ହୋଇଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।

ଉକ୍ତ ବୈଠକରେ ଚିଲିକା ତହସିଲଦାର ପୁନମ ମହାପାତ୍ର, ଚିଲିକା ବିଡ଼ିଓ ଡ଼ା ସୁଷମା ବାରିକ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣି ଆକୃତି ଗୋଏଙ୍କା, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ା ସୁରଜ ମେହେର, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ବାଣପୁର ସିଡ଼ିପିଓ ବିଦ୍ୟୁତପ୍ରଭା ରଥ ଏବଂ ଚିଲିକା ସିଡ଼ିପିଓ ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।