Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ସମୀକ୍ଷା: ଆସନ୍ନ ଶୀତ ଋତୁରେ କରୋନା ପ୍ରତି ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ବର, କୋଭିଡ ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ସମସ୍ତ ସୂଚକାଙ୍କ ଜାତୀୟ ହାର ଠାରୁ ଭଲ ରହିଛି । ଅଧିକାଂଶ ଜିଲ୍ଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା ଓ ପୁରୀ ପରି ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ମଧ୍ୟ ପରିସ୍ଥିତିର ଉନ୍ନତି ଆସିଛି । ଆଗକୁ ପୂଜା ଋତୁ ଆସୁଥିବାରୁ ଏବଂ ତା ପରେ ପରେ ଶୀତ ଋତୁର ପ୍ରଭାବ ଆସୁଥିବାରୁ ପ୍ରଶାସନକୁ ସଂପୂର୍ଣ୍ଣ ଭାବେ ସତର୍କ ରହି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବଂ କୋଭିଡ ନିୟମାବଳୀକୁ ଦୃଢ ଭାବରେ କାର୍ଯ୍ୟକାରୀ କରିବାକୁ ହେବ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି ବରିଷ୍ଠ ଅଧିକାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେରଳ କୋଭିଡ ପରିଚାଳନାରେ ଅତି ଭଲ ପ୍ରଦର୍ଶନ କରିଆସୁଥିଲା। କିନ୍ତୁ ଓନାମ ଉତ୍ସବ ପରେ ସବୁକିଛି ବଦଳି ଯାଇଛି। ସଂକ୍ରମଣ ବହୁ ପରିମାଣରେ ବଢିଯାଇଛି। ଇଉରୋପ୍‌ର ଦେଶ ଗୁଡିକରେ ମଧ୍ୟ ସଂକ୍ରମଣର Second Wave ଦେଖାଦେଇଛି। ତେଣୁ ସାମାନ୍ୟ ଢିଲା ପଣ ଆସିଲେ, ପରିସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି । ସେଥିପାଇଁ ପ୍ରଶାସନ ଏ କ୍ଷେତ୍ରରେ ସଂପୂର୍ଣ୍ଣ ସତର୍କ ରହି ଲୋକଙ୍କୁ ସଚେତନ କରିବା ଏବଂ ସବୁ ନିୟମର ଦୃଢ ଅନୁପାଳନ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡିଶା ବର୍ତ୍ତମାନ ପୁଞ୍ଜି ବିନିଯୋଗର ଏକ ଆକର୍ଷଣୀୟ କ୍ଷେତ୍ର ହୋଇପାରିଛି । ତେଣୁ ବୃହତ ଶିଳ୍ପ ହେଉ, କିମ୍ବା ମଧ୍ୟମ ବା MSME କ୍ଷେତ୍ର ହେଉ – ସମସ୍ତ ଶିଳ୍ପ ପ୍ରକଳ୍ପ ଗୁଡିକୁ ସବୁସ୍ତରରେ ସହଯୋଗ ଯୋଗାଇ ଦେଇ ଠିକ୍‌ ସମୟରେ ପ୍ରକଳ୍ପ ଯେପରି କାର୍ଯ୍ୟକାରୀ ହେବ ଏବଂ ପୁଞ୍ଜି ବିନିଯୋଗର ଲାଭ ଯେପରି ଲୋକମାନେ ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ନରେଗା, ମିଶନ ଶକ୍ତି ଓ ଜୀବିକା ମିଶନ ଆଦି ଜୀବିକା କାର୍ଯ୍ୟକ୍ରମ ଗୁଡିକୁ ମଧ୍ୟ ଉପଯୁକ୍ତ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପ, ଖଣି, ନିର୍ମାଣ, ସେବା, ପରିବହନ ଆଦି ସବୁ କ୍ଷେତ୍ରରେ ଅର୍ଥନୈକିକ କାର୍ଯ୍ୟକ୍ରମକୁ ଆଗ୍ରାଧିକାର ଦେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ । ଯେକୌଣସି ଅର୍ଥନୈତିକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରାଗଲେ ଦୃଢ ପଦକ୍ଷେପ ନିଆଯିବ।

ମୁଖ୍ୟଶାସନ ସଚିବ ଶ୍ରୀ ଅସିତ ତ୍ରିପଠୀ କହିଥିଲେ ଯେ ରାଜ୍ୟରେ ସଂକ୍ରମଣ ହ୍ରାସ ଘଟୁଛି । ତେଣୁ ବର୍ତ୍ତମାନ ଡାକ୍ତରଖାନା ଉପରେ ଚାପ ମଧ୍ୟ ହ୍ରାସ ପାଇଛି । Anti Viral Tablet Favipiravir ଭଲ କାମ ଦେଉଛି ଓ ଏହାର ବ୍ୟବହାର ରୋଗୀଙ୍କ ଦ୍ବାରା ଗ୍ରହଣୀୟ ହେଉଛି ବୋଲି ସେ କହିଥିଲେ। ସେହିପରି Test Report ଯେପରି ଶୀଘ୍ର ମିଳିପାରିବ, ସେ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର କହିଲେ ଯେ କଟକ, ଖୋର୍ଦ୍ଧା ଓ ପୁରୀରେ ସଂକ୍ରମଣ କମୁଛି । ରାଜ୍ୟରେ ଆରୋଗ୍ୟ ହାର ୯୧ ପ୍ରତିଶତରେ ପହଞ୍ଚିଛି ଏବଂ ଓଡିଶା ଏ କ୍ଷେତ୍ରରେ ଦେଶର ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ରହିଛି । ରାଜ୍ୟରେ ବର୍ତ୍ତମାନ ୨୫୪୨୮ ଆକ୍ଟିଭ କେସ୍‌ ଥିବାବେଳେ, ୧୯୧୩୧ ଜଣ ଗୃହ ସଂଗରୋଧରେ ରହିଛନ୍ତି।

କୋଭିଡ ଡାକ୍ତରଖାନା ଶଯ୍ୟା, ICU ଓ Ventilator ଆଦି ସବୁ କ୍ଷେତ୍ରରେ ରାଜ୍ୟ ବର୍ତ୍ତମାନ ସନ୍ତୋଷଜନକ ସ୍ଥିତିରେ ରହିଛି । ବାର୍ତ୍ତମାନ ୨୦ ରୁ ୪୦ ପ୍ରତିଶତ ICU ଖାଲି ରହୁଛି ବୋଲି ସେ ସୂଚନା ଦେଇଥିଲେ । ସେହିପରି ରାଜ୍ୟରେ ଅକ୍‌ସିଜେନ୍‌ର ଅଭାବ ନାହିଁ ବୋଲି ପ୍ରକାଶ କରି ଭୁବନେଶ୍ବରରେ ଆଜି ଠାରୁ Sero Survey ଆରମ୍ଭ କରାଗଲା ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ।

କୋଭିଡ ଗାଇଡଲାଇନ୍‌ସ ଅନୁପାଳନ ପାଇଁ ପୋଲିସ ନେଇଥିବା ପଦକ୍ଷେପ ସଂପର୍କରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଥିଲେ। ପୋଲିସ ଓ ଅଗ୍ନିଶମ ସେବା କର୍ମଚାରୀ ବର୍ତ୍ତମାନ ସୁଦ୍ଧା ୪୦୦ ୟୁନିଟ୍‌ ପ୍ଲାଜମା ଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ବୈଠକରେ ଆର୍ଥିକ ପୁନରୁଦ୍ଧାର ସଂପର୍କରେ ହୋଇଥିବା ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟରେ ଖରିଫ ଫସଲ ଅବସ୍ଥା ବହୁତ ଭଲ ଅଛି ଏବଂ ବର୍ତ୍ତମାନ ବର୍ଷା ଲାଗି ନ ରହିଲେ, ଚଳିତ ବର୍ଷ ରେକର୍ଡ ଖରିଫ ଉତ୍ପାଦନ ହେବ । ସେହିପରି ରୋଜଗାର ସୃଷ୍ଟିରେ ପଞ୍ଚାୟତିରାଜ ବିଭାଗ ଉଲ୍ଲେଖନୀୟ ଭାବେ ଚଳିତବର୍ଷ ୨୦ କୋଟି ମାନବ ଦିବସ ସୃଷ୍ଟି ଲକ୍ଷ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦ କୋଟିରୁ ଅଧିକ ମାନବ ଦିବସ ସୃଷ୍ଟି କରିସାରିଛି। ମିଶନ ଶକ୍ତିର ମା ମାନଙ୍କୁ କୋଭିଡ ପରିଚାଳନା କାର୍ଯ୍ୟ ସହିତ ମାସ୍କ ବଣ୍ଟନ ଏବଂ ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବାରୁ ସେମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରାଯାଇପାରିଛି ।

ସେହିପରି ରାଜ୍ୟର ସମସ୍ତ ବଡ ବଡ ଶିଳ୍ପ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିବା ବେଳେ, ୮୫ ପ୍ରତିଶତ MSME କାମ ଆରମ୍ଭ କଲେଣି । MSMEର ଉତ୍ପାଦନ ହାର ୮୦ ପ୍ରତିଶତ ରହିଛି । ଏହି ସମୟ ମଧ୍ୟରେ ରାଜ୍ୟରେ ୨୫ ହଜାର କୋଟି ଟଙ୍କାର ୩୬ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦିଆଯାଉଛି ।

ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ସମସ୍ତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ଏ ସଂପର୍କରେ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ଦୃଢ ଭାବରେ ମନିଟରିଂ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।

ସେହିପରି ମୋ ସରକାର କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ ମାନେ କୋଭିଡ ହସ୍‌ପିଟାଲ ଓ ଗୃହ ସଂଗରୋଧରେ ଥିବା ରୋଗୀ ମାନଙ୍କ ଠାରୁ ପାଇଥିବା ମତାମତ ଭିତ୍ତିରେ ଭବିଷ୍ୟତ ପଦକ୍ଷେପ ପାଇଁ ବୈଠକରେ ସ୍ଥିର କରାଯାଇଥିଲା।

ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ସଂସଦ ଏବଂ ବିଧାନସଭା ପାଇଁ କୋଭିଡ ଗାଇଡ ଲାଇନ ପ୍ରସ୍ତୁତ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ସଂକ୍ରାନ୍ତ ୨୦ତମ ଉଚ୍ଚସ୍ତରୀୟ ମନ୍ତ୍ରୀମଣ୍ଡଳ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରୁ ଡଃ ହର୍ଷ ବର୍ଦ୍ଧନ କୋଭିଡ-୧୯ର ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସହଯୋଗକୁ ପ୍ରଶଂସା କରିଥିଲେ। ଗତ ମାସ ୩୧ ତାରିଖରେ ହୋଇଥିବା ଶେଷ ଜିଓଏମ ବୈଠକଠାରୁ ଆଜି ମଧ୍ୟରେ ରୋଗର ନିରାକରଣ ଦିଗରେ ଯଥେଷ୍ଟ ସଫଳତା ମିଳିଥିବା ସେ କହିଥିଲେ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୨୬.୪୦ ଲକ୍ଷ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ମୃତ୍ୟୁହାର ହ୍ରାସ ପାଇ ୧.୮୧ ପ୍ରତିଶତରେ ପହଞ୍ଚିଥିବା ବେଳେ ସୁସ୍ଥତା ହାର ମଧ୍ୟ ୭୬.୪୭ ପ୍ରତିଶତକୁ ବୃଦ୍ଧି ପାଇଛି। ବ୍ୟାପକ ସ୍ୱାସ୍ଥ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିବା ଯୋଗୁଁ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ଖୁବ ମଜବୁତ ହୋଇଛି । ମାତ୍ର ୦.୨୯ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଥିବା ବେଳେ ୧.୯୩ ପ୍ରତିଶତ ଆଇସିୟୁ ଓ ୨.୮୮ ପ୍ରତିଶତ ରୋଗୀ ଅମ୍ଳଜାନ ସହାୟତାରେ ଅଛନ୍ତି।

ମୋଟ ୧୫୭୬ଟି ପରୀକ୍ଷାଗାର ଜରିଆରେ ଦେଶରେ ୧୦ ଲକ୍ଷ ନମୁନା ପରୀକ୍ଷଣ ଲକ୍ଷ ପୂରଣ ହୋଇପାରିଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୯ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ମୋଟ ପରୀକ୍ଷଣ ସଂଖ୍ୟା ୪ କୋଟି ଅତିକ୍ରମ କରିଛି ବୋଲି ସେ କହିଛନ୍ତି । ଡଃ ହର୍ଷ ବର୍ଦ୍ଧନ ଜିଓଏମକୁ ଆହୁରି ଜଣାଇଥିଲେ ଯେ, ୩୩୮ ଲକ୍ଷ ଏନ-୯୫ ମାସ୍କ, ପାଖାପାଖି ୧୩୫ ଲକ୍ଷ ପିପିଇ ଓ ପ୍ରାୟ ୨୭ ହଜାର ଭେଣ୍ଟିଲେଟର କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କ ମନ୍ତ୍ରଣାଳୟକୁ ସଂସଦ ଓ ବିଧାନସଭା ପାଇଁ କୋଭିଡ ସଂକ୍ରାନ୍ତ ଏସଓପି ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଓଏମ ପକ୍ଷରୁ ଆଗକୁ ଆସୁଥିବା ପର୍ବ ପର୍ବାଣୀ ନେଇ ଉଦବେଗ ପ୍ରକାଶ କରାଯିବା ସହ ସମସ୍ତେ ଆବଶ୍ୟକ ସୁରକ୍ଷା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

ଜିଓଏମକୁ ଦେଶର ସର୍ବଶେଷ କୋଭିଡ ସ୍ଥିତି ଉପରେ ମଧ୍ୟ ଅବଗତ କରାଯାଇଥିଲା । ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଦେଶରେ ନିୟୁତ ପିଛା ସର୍ବନିମ୍ନ ସଂକ୍ରମଣ (୨୪୨୪) ଥିବା ବେଳେ ମୃତ୍ୟୁ ସଂଖ୍ୟା ନିୟୁତ ପିଛା ୪୪ ରହିଛି। ତେବେ ବିଶ୍ଵରେ ନିୟୁତ ପିଛା ହାରାହାରି ୩୧୬୧ ସଂକ୍ରମିତ ବ୍ୟକ୍ତି ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୭.୨ ରହିଛି । ଏଥିରେ ଉଲ୍ଲେଖଯୋଗ୍ୟ ଯେ, ଦେଶରେ କମ ସମ୍ବଳ ଓ ଘନ ଜନସଂଖ୍ୟା ସତ୍ଵେ ସମୟୋଚିତ ଲକଡାଉନ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ବିକାଶ ଯୋଗୁଁ ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ନିୟୁତ ପିଛା ସଂକ୍ରମଣ ଓ ମୃତ୍ୟୁହାରକୁ କମ କରାଯାଇପାରିଛି।

ଦେଶରେ ୮ଟି ରାଜ୍ୟ ଯଥା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା ଏବଂ ତେଲଙ୍ଗାନାରେ ମୋଟ ସଂକ୍ରମିତଙ୍କ ଶତକଡା ୭୩ ଭାଗ ଅଛନ୍ତି । ଏହାଛଡା ୭ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ମୋଟ ମୃତ୍ୟୁ ସଂଖ୍ୟାର ଶତକଡା ୮୧ ଭାଗ ଅଛନ୍ତି।

ଏହାଛଡା ଜିଓଏମକୁ ଟିବି ଏବଂ କୋଭିଡ ଚିହ୍ନଟ, ମଧୁମେହ ପରିଚାଳନା ଇତ୍ୟାଦି ସମ୍ପର୍କରେ ସୂଚନା ଦିଆଯାଇଥିଲା । ଯେଉଁ ରାଜ୍ୟରେ ମୃତ୍ୟୁହାର ଅଧିକ ଅଛି, ସେଠାରେ ନମୁନା ପରୀକ୍ଷାକୁ ବ୍ୟାପକ କରାଯାଇ ମୃତ୍ୟୁହାର ଶତକଡା ୧ ଭାଗରୁ କମ କରିବା ପାଇଁ ପରାମର୍ଶ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦିଆଯାଇଛି ବୋଲି ଜିଓଏମକୁ ଅବଗତ କରାଯାଇଥିଲା।

ଏନସିଡିସିର ନିର୍ଦ୍ଦେଶକ ଡଃ ସୁଜିତ ସିଂ କରୋନା ବୈଶ୍ଵିକ ମହାମାରୀ କାଳରେ ଦିଆଯାଇଥିବା ସମନ୍ଵିତ ରୋଗ ନିରୀକ୍ଷଣ କାର‌୍ୟ୍ୟକ୍ରମ ସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରିଥିଲେ। ସେ ବିଭିନ୍ନ ଆହ୍ଵାନର ପ୍ରତିକାର ଓ ରାଜ୍ୟଗୁଡିକର ରଣନୀତି ସମ୍ପର୍କରେ ସୂଚନା ଦେଇଥିଲେ। ଦେଶରେ ମାସ୍କ ପରିଧାନ, ସାମାଜିକ ଦୂରତ୍ଵ ଓ ଶ୍ଵାସକ୍ରିୟା ଜନିତ ନୀତିନିୟମ ପାଳନ ଇତ୍ୟାଦି ନେଇ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା ।

ଦେଶ ଓ ବିଶ୍ଵରେ କୋଭିଡ ଟିକାର ଅଗ୍ରଗତି ନେଇ ଡଃ ଭି କେ ପଲ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଦୁଇ ଜଣ ଭାରତୀୟଙ୍କ ସମେତ ୨୯ ଜଣ ତୃତୀୟ ପର‌୍ୟ୍ୟାୟ ପରୀକ୍ଷଣରେ ସାମିଲ ଅଛନ୍ତି । ଭାରତ ବାୟୋଟେକ ଦ୍ଵାରା ପ୍ରସ୍ତୁତ ଟୀକା ଦ୍ଵିତୀୟ ପର‌୍ୟ୍ୟାୟ ପରୀକ୍ଷଣରେ ରହିଛି । ଅକ୍ସଫୋର୍ଡ ପକ୍ଷରୁ ପ୍ରସ୍ତୁତ ଓ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ଵାରା ବିକଶିତ ଟୀକା ମହାରାଷ୍ଟ୍ର ଓ ଅନ୍ୟାନ୍ୟ ରାଜ୍ୟରେ ପରୀକ୍ଷାର ତୃତୀୟ ସ୍ତରରେ ରହିଛି ।

ଜାତୀୟ ଭେକ୍ସିନ ପ୍ରଶାସନ ପାଇଁ ଗଠିତ ଜାତୀୟ ବିଶେଷଜ୍ଞ ଦଳ ମଧ୍ୟ ଭଲ କାମ କରୁଛି ବୋଲି ଡଃ ପଲ ଜିଓଏମକୁ ସୂଚନା ଦେଇଥିଲେ । ଏହି ଗ୍ରୁପ ଟୀକାର ବିଭିନ୍ନ ପର‌୍ୟ୍ୟାୟ ପରୀକ୍ଷଣ, ଏଥିପାଇଁ ଏହାର ପରିବଣ୍ଟନ ଓ ହିତାଧିକାରୀ ଚୟନ ତଥା ଟୀକା ବାଛିବା ନେଇ ବୈଜ୍ଞାନିକ ଭିତ୍ତିଭୂମି ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବିଶେଷଜ୍ଞ ଦଳର ଏପର‌୍ୟ୍ୟନ୍ତ ୩ଟି ବୈଠକ ହୋଇଛି ବୋଲି ସେ କହିଥିଲେ।

ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ବୈଶ୍ଵିକ ମହାମାରୀ କାଳରେ ମାନସିକ ସ୍ଥିତି ନେଇ ମନ୍ତ୍ରଣାଳୟ ନେଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଯେଉଁ ରାଜ୍ୟଗୁଡିକରେ କରୋନା ମାମଲା ବୃଦ୍ଧି ପାଉଛି ଓ ମୃତ୍ୟୁହାର ଅଧିକ ହେଉଛି, କେନ୍ଦ୍ର ସରକାର ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି।

ଏହି ବୈଠକରେ ବୟାନ ସଚିବ ଶ୍ରୀ ରବି କାପୁର, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତାଭ କାନ୍ତ, ଆଇସିଏମଆର ମହାନିର୍ଦ୍ଦେଶକ ଡଃ ବଳରାମ ଭାର୍ଗଭ, ଡିଜିଏଫଟି ମହାନିର୍ଦ୍ଦେଶକ ଅମିତ ଯାଦବ, ସ୍ଵରାଷ୍ଟ୍ର ବ୍ୟାପାର ଅତିରିକ୍ତ ସଚିବ ଅନିଲ ମଲିକ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଡି ରବି ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ସମ୍ମିଳନୀରେ ଭର୍ଚୁଆଲି ଯୋଗଦେଇଥିଲେ।