Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ପୁଣି କଡ଼ାକଡ଼ି ହେବ କୋଭିଡ଼୍ ନିୟମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଅନ୍ୟ ରାଜ୍ୟରେ କରୋନାର ପୁଣି ସଂକ୍ରମଣ ଦେଖାଯିବାରୁ ଗଂଜାମ ପ୍ରଶାସନ ତତ୍ପରତା ପ୍ରକାଶ କରି ପୁଣିଥରେ କୋଭିଡ଼୍ ନିୟମ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛି। ଏନେଇ ଆଜି ଏକ ଭି.ସି. ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲାପାଳ କହିଥିଲେ ପୂର୍ବରୁ ଜିଲ୍ଲାରେ ପାଳନ କରାଯାଉଥିବା ପଦକ୍ଷେପ ପୁନର୍ବାର କଡ଼ାକଡ଼ି ପାଳନ ହେବ। ପୁଣିଥରେ ସଚେତନତାମୂଳକ ପ୍ରଚାର ଓ ପ୍ରସାର କାର୍ଯ୍ୟ ବ୍ୟାପକ କରାଯିବ। ବଜାର, ହାଟ, ଜନଗହଳିପୂର୍ଣ୍ଣ ସ୍ଥାନରେ ଡ଼ାକବାଜି ଯନ୍ତ୍ର ଦ୍ୱାରା କଡ଼ାକଡ଼ି ପ୍ରଚାର କରିବା ପାଇଁ ଜିଲ୍ଲାପାଳ କହିଥିଲେ। ଏହାସହ ପଞ୍ଚସୂତ୍ରୀ ନିୟମର ପାଳନ ଯେପରି ହେବ ସେ ଦିଗରେ ଚଢ଼ାଉ ହେବ।

ସରକାରୀ, ବେସରକାରୀ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ କୋଭିଡ଼୍ ୧୯ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ। ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ନିଜକୁ ଦୂରେଇ ରଖିବା ପାଇଁ ଜିଲ୍ଲାବାସୀଙ୍କୁ ଜଣାଇଛନ୍ତି। ସାମାଜିକ ଓ ଧାର୍ମିକ ଅନୁଷ୍ଠାନ, ଖେଳ, ମନୋରଂଜନ କାର୍ଯ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ କୋଭିଡ଼୍ ନିୟମ ସତର୍କତା ଅବଲମ୍ବନ କରିବେ ଏବଂ କେତେ ସଂଖ୍ୟକ ଲୋକ ହେଉଛନ୍ତି ସେଥିନିମନ୍ତେ ଦୃଷ୍ଟି ଦିଆଯିବ। ବିବାହ ଉତ୍ସବ ନିମନ୍ତେ ସଂପୃକ୍ତ ଅଧିକାରୀଙ୍କଠାରୁ ଅନୁମତି ଗ୍ରହଣ କରିବା ଜରୁରି କରାଯାଇଛି।

ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ଯଥେଷ୍ଟ ସାନିଟାଇଜେସନ କରିବାକୁ କୁହାଯାଇଛି। ଛାତ୍ରଛାତ୍ରୀ, ଶିକ୍ଷକ କମିଟି ସଦସ୍ୟ କୋଭିଡ଼୍ ନିୟମ ଅନୁପାଳନ କରିବା ଅପରିହାର୍ଯ୍ୟ। ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ, ହାତ ଧୋଇବା ଏବଂ ସାନିଟାଇଜେସନ ବାଧ୍ୟତାମୂଳକ କରାଯାଇଛି। ସ୍କୁଲରେ ପାଠ୍ୟକ୍ରମ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ହେବ ନାହିଁ। କୌଣସି ବ୍ୟକ୍ତିବିଶେଷଙ୍କ କୋଭିଡ଼୍ ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହୋଟେଲ୍‌, ରେଷ୍ଟୁରାଣ୍ଟ, ଢ଼ାବା, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅନ୍ୟାୟ ଜନସାଧାରଣଙ୍କ ଖାଦ୍ୟପେୟ ସ୍ଥାନରେ କୋଭିଡ଼୍ ନିୟମର ଅନୁପାଳନ କରାଯାଉଛି କି ନାହିଁ ତାହା ପୋଲିସ୍ ବିଭାଗ ଦ୍ୱାରା କଡ଼ାକଡ଼ି ଯାଞ୍ଚ କରାଯିବ। ଜିଲ୍ଲାସ୍ତରୀୟ ଅଧିକାରୀଗଣ ବିଭିନ୍ନ ସ୍ଥାନ ଓ ଅନୁଷ୍ଠାନ ପରିଦର୍ଶନ କରି କୋଭିଡ଼୍ ନିୟମ ଅନୁପାଳନ ଯାଞ୍ଚ କରିବେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡ଼ୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲ୍ଲାପାଳ ୱାଇ କୀର୍ତ୍ତିଭାସନ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମାଶଙ୍କର ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ସଂଯୋଜକ ଶ୍ୟାମସୁନ୍ଦର ତ୍ରିପାଠୀ ପ୍ରମୁଖ ଅଂଶ୍ରଗହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼୍ ନିୟମ ମଧ୍ୟରେ ଖୋଲିବ ସିନେମା ହଲ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୀର୍ଘ ୯ ମାସରୁ ଅଧିକ ସମୟ ଧରି କରୋନା ସଂକ୍ରମଣ ଯୋଗୁଁ ସିନେମା ହଲ୍ ସପିଂ ମଲ୍ ଇତ୍ୟାଦିକୁ ବନ୍ଦ କରିଦିଆଯାଇଥିଲା। ଦୀର୍ଘଦିନ ପରେ ସଂକ୍ରମଣର ମାତ୍ରା ଧିରେ ଧିରେ କମିବା ଆରମ୍ଭ ହୋଇଛି। ଫଳରେ ଏହିସବୁକୁ ପର୍ଯ୍ୟାୟକ୍ରମେ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ରେଶମ ସହର ବ୍ରହ୍ମପୁରରେ ମଧ୍ୟ ସିନେମା ହଲ୍ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସମସ୍ତେ ସିନେମା ହଲ୍ ମଧ୍ୟକୁ ପ୍ରବେଶ ପାଇଁ କୋଭିଡ଼୍ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଶୋ ପରେ ଗୃହକୁ ସାନିଟାଇଜିଂ କରାଯିବ। ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପ୍ରବେଶ ସ୍ଥାନରେ ଥର୍ମାଲ ସ୍କିନିଂ ସହିତ ସାନିଟାଇଜର ବ୍ୟବସ୍ଥା ରହିବ। ଯଦି କେହି ଏଭଳି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ଏହି ସବୁ ନିୟମ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦାର ଚିଠି ମାଧ୍ୟମରେ ଜଣାଇଛନ୍ତି।