Categories
ବିଶେଷ ଖବର ରାଜ୍ୟ ଖବର

ତୃତୀୟ ଲହରକୁ ନିୟନ୍ତ୍ରଣ ପାଇଁ ପର୍ବପର୍ବାଣୀରେ ସାବଧାନ ରୁହନ୍ତୁ, ମୁଖ୍ୟମନ୍ତ୍ରୀ କରାଇଲେ ସତର୍କ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ ।

କୋଭିଡ ଆଚରଣବିଧି ହେଉଛି,କୋଭିଡ ବିରୁଦ୍ଧରେ ଲଢିବା ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାର ଉପଯୁକ୍ତ ପାଳନ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି । ତେଣୁ ସେମାନଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ । କୋଭିଡ ନିୟମ ପାଳନରେ ଅବହେଳା ଯଦି ଦୃଷ୍ଟିକୁ ଆସେ, ତେବେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ଚିମ୍ ଗଠନ କରି ଶିକ୍ଷାନୁଷ୍ଠାନ ଗୁଡିକ ନିୟମିତ ଭାବରେ ଅଚାନକ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ହାଟ ବଜାର, ଧର୍ମାନୁଷ୍ଠାନ, ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଆଦି ଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସେଠାରେ କୋଭିଡ ନିୟମ କଡାକଡି ପାଳନ ଉପରେ ପ୍ରଶାସନ ଦୃଷ୍ଟି ରଖିବା ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସ୍ବାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଏବଂ ପୋଲିସ – ଏହି high risk group ର ନିୟମିତ ଭାବରେ ଟେଷ୍ଟିଂ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ କେତେକ କ୍ଷେତ୍ରରେ ସ୍ବାସ୍ଥ୍ୟକର୍ମୀଙ୍କ ଭିତରେ ସଂକ୍ରମଣ ନଜରକୁ ଆସୁଛି । ତେଣୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ ଓ ନମୂନା ସଂଗ୍ରହ କରୁଥିବା ଟିମ୍ ମାନଙ୍କୁ କୋଭିଡ ନିୟମ ସଂପର୍କରେ ବାରମ୍ବାର ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ଡେଲ୍‌ଟା ଭାରିଏଣ୍ଟ ଅଧିକ ସଂକ୍ରମଣ କରୁଥିବାରୁ Micro Contentment Zone କରି ନିରନ୍ତର ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଯୋଗାଣରେ ବୃଦ୍ଧି ଘଟିଥିବାରୁ ଟିକାକରଣରେ ମଧ୍ୟ ଉନ୍ନତି ଆସିଛି । ତେଣୁ ଯେପରି ସବୁ ଲୋକ ତାଙ୍କର ଦୁଇଟି ଯାକ ଡୋଜ ନିଶ୍ଚିତ ନେବେ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗକୁ ପାର୍ବଣ ଋତୁ ଆସୁଛି । କେରଳରେ ଓନାମ୍ ପର୍ବ ପାଳନ ପରେ ପରେ ସଂକ୍ରମଣ ବୃଦ୍ଧିର ଉଦାହରଣ ଦେଇ ପାର୍ବଣ ସମୟରେ ସମସ୍ତଙ୍କୁ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପରିସ୍ଥିତିର ଗୁରୁତ୍ବକୁ ଉପଲବ୍‌ଧି କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହାଦ୍ବାରା ଆମେ ଭବିଷ୍ୟତରେ ଲକ୍‌ଡାଉନକୁ ଏଡାଇ ପାରିବା ଏବଂ ଲୋକଙ୍କ ଆର୍ଥିକ ଅବସ୍ଥାରେ କ୍ଷତି ହେବ ନାହିଁ ।

ପାର୍ବଣ ଋତୁ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଣ୍ଣାୟକ ହେବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଭିଡକୁ ନ ଯିବା ପାଇଁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲକ୍ଡାଉନ କୋହଳ କରାଯାଇଛି। କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ନିୟମ ପାଳନରେ ଢିଲା କରିବା । ତେଣୁ ଯଦି ଆବଶ୍ୟକ ପଡେ, ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ପୁଣି ଥରେ ଲକ୍ଡାଉନ ପାଇଁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଅନୁପାଳନ ଉପରେ ଗୁରୁତ୍ବ ଦେଇଥିଲେ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ବିଭାଗୀୟ କାର‌୍ୟ୍ୟକ୍ରମ ଉପରେ ଉପସ୍ଥାପନା ରଖିଥିଲେ ।

ପୋଲିସ ମହାନିର୍ଦ୍ଦେଶକ ଅଭୟ ମଧ୍ୟ କୋଭିଡ ନିୟମ ଅନୁପାଳନ ଉପରେ ପୋଲିସର ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ବି.ଏମ୍‌.ସି ଏବଂ ସି.ଏମ୍‌.ସିର କମିଶନର, ଦେବଗଡ ଓ ପୁରୀର ଜିଲ୍ଲାପାଳମାନେ ସେମାନଙ୍କ ଅଞ୍ଚଳର ପରିସ୍ଥିତି ଉପରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି.କେ. ପାଣ୍ଡିଆନ କାର‌୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ । ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ ପରିସ୍ଥିତିର ରାଜ୍ୟ ଓ ଜିଲ୍ଲା ୱାରି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୋଭିଡ-୧୯ ପରିସ୍ଥିତିର ଆଜି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ଦେଶରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ୱାରୀ କୋଭିଡ ସଂକ୍ରମଣ ନେଇ ତାଙ୍କୁ ସବିଶେଷ ଅବଗତ କରାଯାଇଛି । ଯେଉଁ ୧୨ଟି ରାଜ୍ୟରେ ଏକଲକ୍ଷ ବା ତା’ଠାରୁ ଅଧିକ ମାମଲା ଅଛି ସେ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି । ଯେଉଁ ଜିଲ୍ଳାଗୁଡିକରେ ସଂକ୍ରମଣ ଅଧିକ ହୋଇଛି ସେ ସମ୍ପର୍କରେ ମଧ୍ୟ ତାଙ୍କୁ ଅବଗତ କରାଯାଇଥିଲା ।

ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟଗତ ଭିତ୍ତିଭୂମିକୁ କିପରି ସଜଡା ଯାଇଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ଯେଉଁ ରାଜ୍ୟରେ ଏହାର ଆବଶ୍ୟକତା ରହିଛି ସେ ରାଜ୍ୟଗୁଡିକୁ ସାହାଯ୍ୟ ଓ ମାର୍ଗଦର୍ଶନ ଦେବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଶୀଘ୍ର ଓ ସମ୍ପୂର୍ଣ୍ଣ ସଙ୍ଗରୋଧଜନିତ ପଦକ୍ଷେପର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଯେଉଁ ଜିଲ୍ଲାଗୁଡିକରେ ସଂକ୍ରମଣ ପଜିଟିଭ ହାର ଶତକଡା ଦଶଭାଗ ବା ଶତକଡା ୬୦ଭାଗ ଅମ୍ଳଜାନ ସଂଯୋଗ ହୋଇଥିବା ଶଯ୍ୟା ବା ଆଇସିୟୁ ଅଧିକୃତ ହୋଇଥିବ ସେମାନଙ୍କୁ ଚିହ୍ନଟ କରିବାକୁ ରାଜ୍ୟଗୁଡିକୁ ମାର୍ଗଦର୍ଶିକା ପଠାଯାଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଔଷଧପତ୍ରର ଉପଲବ୍ଧତାର ମଧ୍ୟ ସମୀକ୍ଷା କରିଥିଲେ । ରେମଡେସିଭିର ସମେତ ଅନ୍ୟ ଔଷଧର ଆଶୁ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା ।

ଟିକାକରଣର ସ୍ଥିତି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବା ସହ ଆଗାମୀ କିଛି ମାସ ମଧ୍ୟରେ କିପରି ଟିକା ମାତ୍ରା ଉତ୍ପାଦନ ବୃଦ୍ଧି କରାଯିବ ସେ ସମ୍ପର୍କରେ ମଧ୍ୟ ବୁଝିଥିଲେ । ଏପର‌୍ୟ୍ୟନ୍ତ ୧୭.୭କୋଟି ଟିକା ବିଭିନ୍ନ ରାଜ୍ୟକୁ ପଠାଯାଇଥିବା ତାଙ୍କୁ ସୂଚନା ଦିଆଯାଇଥିଲା । ରାଜ୍ୟୱାରୀ ଟିକା ନଷ୍ଟ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।

ଦେଶରେ ଶତକଡା ୩୧ଭାଗ ୪୫ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଅନୂନ୍ୟ ଗୋଟିଏ ମାତ୍ରା ଦିଆଯାଇଥିବା ତାଙ୍କୁ ଅବଗତ କରାଯାଇଥିଲା । ଯେପରି ରାଜ୍ୟଗୁଡିକରେ ଟିକାକାରଣ କାର‌୍ୟ୍ୟକ୍ରମରେ ଶିଥିଳତା ନ ଆସେ ସେ ସମ୍ପର୍କରେ ରାଜ୍ୟଗୁଡିକୁ ସମ୍ବେଦନଶୀଳ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାଆରୋପ କରିଥିଲେ । ଲକ୍ଡାଉନ ସତ୍ୱେ ଜନସାଧାରଣଙ୍କ ଟିକାଦାନ ପ୍ରକ୍ରିୟା ବନ୍ଦ ନ ହେବା ତଥା ଏଥିରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅନ୍ୟ କାର‌୍ୟ୍ୟରେ ନ ଲଗାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସର୍ବଶ୍ରୀ ରାଜନାଥ ସିଂ, ଅମିତ ଶାହା, ଡକ୍ଟର ହର୍ଷବର୍ଦ୍ଧନ, ପୀୟୂଷ ଗୋଏଲ, ମନସୁଖ ମାଣ୍ଡଭିୟା ଓ ଶ୍ରୀମତୀ ନିର୍ମଳା ସୀତାରମଣ ଓ ଅନ୍ୟାନ୍ୟ ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀଗଣ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ପଚାଶ ପ୍ରତିଶତ କରୋନା ଟିକା ରାଜ୍ୟ ସରକାର ସହ ଘରୋଇ ହସ୍ପିଟାଲଗୁଡିକ ସଂଗ୍ରହ କରିପାରିବେ

ନୂଆଦିଲ୍ଲୀ, ବୁଧବାର ଦିନ ପୂର୍ବ ଭାରତର ୫ଟି ରାଜ୍ୟର କରୋନା ସ୍ଥିତି ସଂପର୍କରେ କେନ୍ଦ୍ର ସ୍ବାସ୍ଯ୍ ସଚିବ ରାଜେଶ ଭୂଷଣ ଏକ ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ସୂଚୀତ କରାଯାଇଥିଲା ଯେ ସମସ୍ତ ରାଜ୍ୟ ସରଳୀକୃତ ମୂଲ୍ୟ ଓ ତ୍ୱରାନ୍ୱିତ ଜାତୀୟ କୋଭିଡ଼ ୧୯ ଟିକାକରଣ ରଣନୀତି ପର୍ଯ୍ୟାୟ -୩ର ଅଂଶବିଶେଷ ସ୍ୱରୂପ କେନ୍ଦ୍ରୀୟ ଡ୍ରଗ୍‍ ପରୀକ୍ଷାଗାର ସ୍ୱୀକୃତି ପ୍ରଦାନ କରିଥିବା ପ୍ରତ୍ୟେକ ଟିକା ଉତ୍ପାଦନକାରୀଙ୍କ ଠାରୁ ୫୦% ଟିକା ରାଜ୍ୟ ସରକାର ତଥା ଘରୋଇ ହସପିଟାଲମାନେ ସଂଗ୍ରହ କରିବେ।

ରାଜ୍ୟମାନଙ୍କୁ ଆହୁି ପରାମର୍ଶ ଦିଆଯାଇଛି ଯେ ସେମାନେ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦନକାରୀଙ୍କ ଠାରୁ ଟିକା ଗ୍ରହଣ କରିବା ସହିତ ସେମାନଙ୍କ ଏହାର ମୂଲ୍ୟ ପ୍ରଦାନ କରିବେ। ଦେଶବ୍ୟାପୀ କରାଯାଉଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ସମୟରେ ଏହି ନୀତି ଅବଲମ୍ବନ କରାଯିବ। ଭାରତ ସରକାର ପ୍ରତି ମାସରେ ସିଡ଼ିଏଲ ଦ୍ୱାରା ମଂଜୁର ଟିକାର ୫୦% ସଂଗ୍ରହ କରିବା ସହିତ ରାଜ୍ୟମାନଙ୍କୁ ସେସବୁ ଉପଲବ୍ଧ କରାଇବେ ଯାହାକି ପୂର୍ବଭଳି ସଂପୂର୍ଣ୍ଣ ରୂପେ ମାଗଣାରେ ଯୋଗାଇ ଦିଆଯିବ।

ବୈଠକରେ ଦର୍ଶାଯାଇଥିଲା ଯେ କେଉଁମାନେ ଦ୍ୱିତୀୟ ଡୋଜ୍‍ କୋଭିଡ଼ ଟିକା ପାଇବେ ତାହାକୁ ରାଜ୍ୟମାନେ କୌଣସି ମତେ ଅଣଦେଖା କରିବେନାହିଁ। ରାଜ୍ୟମାନଙ୍କୁ ଟିକା ଯୋଗାଣରେ, ୭୦% ପ୍ରତିଶତ ଟିକା ଦ୍ୱିତୀୟ ଡୋଜ୍‍ ଭାବେ ଯୋଗାଇ ଦିଆଯିବ , ଯଦ୍ୟପି ୩୦% ଟିକା ପ୍ରଥମ ଡୋଜ୍‍ ପାଇଁ ସଂରକ୍ଷିତ ରଖାଯିବ।

ବୈଠକରେ ଡକ୍ଟର ଭି କେ ପଲ୍‍ ଏହି ପ୍ରସଙ୍ଗ ଉପରେ ରାଜ୍ୟମାନଙ୍କୁ ଗୁରୁତ୍ୱର ସହ ପରାମର୍ଶ ଦେଇଥିଲେ ଯେ ସେମାନେ ହସପିଟାଲର ସାମର୍ଥ୍ୟ ଓ କ୍ଲିନିକାଲ ପରିଚାଳନା କ୍ଷମତାକୁ ବୃଦ୍ଧି କରିଚାଲିବା ଦରକାର। ଏଥି ମଧ୍ୟରେ ଆମ୍ବୁଲାନ୍ସ ସେବାର ସଫଳ ପରିଚାଳନା, ଜିଲ୍ଲାମାନଙ୍କରେ ଟେଷ୍ଟିଂ ସୁବିଧା ଯାହାକି ଜାତୀୟ ହାରଠାରୁ ଅଧିକ ହେବା ଆବଶ୍ୟକ। କେନ୍ଦ୍ର ସରକାରଙ୍କ ନୂତନ ପରିବର୍ଦ୍ଧିତ ବ୍ୟବସ୍ଥା ଅନୁସାରେ ଏଚଆରକୁ ବୃଦ୍ଧି କରାଯିବା ଉପରେ ନିର୍ଦ୍ଦିଷ୍ଟ ସମୟରେ ରାଜ୍ୟମାନେ ନିଷ୍ପତ୍ତି ଗ୍ରହଣ କରିବାକୁ ଏଥିରେ ପରାମର୍ଶ ଦିଆଯାଇଛି।

ସେହିଭଳି ଟେଲିମେଡ଼ିସିନ୍‍ ସେବାରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଯଦ୍ୱାର ସରକାରୀ ଚିକିତ୍ସା ବ୍ୟବସ୍ଥା ଉପରେ ପଡ଼ୁଥିବା ଚାପ ହ୍ରାସ ପାଇବ ଏବଂ ଏ ଦିଗରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କଣ୍ଟେନମେଣ୍ଟ ବ୍ୟବସ୍ଥା ନିମନ୍ତେ ଦିଆଯାଇଥିବା ନିର୍ଦ୍ଦେଶକୁ ବିଧିବଦ୍ଧ ଭାବେ ଅନୁପାଳନ ନିମନ୍ତେ କୁହାଯାଇଛି।

ସେହିଭଳି ଆଇସିଏମଆରର ମହା ନିର୍ଦ୍ଦେଶକ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ସଂଶୋଧିତ ଟେଷ୍ଟିଂ ନିୟମାବଳୀ ଅନୁସାରେ ଟେଷ୍ଟିଂ ସାମଗ୍ରୀ ଯଥା ଆରଟି- ପିସିଆର ପଜିଟିଭ୍‍ ଚିହ୍ନଟକୁ ନିର୍ଦ୍ଦିଷ୍ଟ ସମୟ ଅବଧି ପରେ ଓହରାଇ ଅଣାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ସବୁ ଜିଲ୍ଲାମାନଙ୍କରେ ସଂକ୍ରମଣ ମାତ୍ରା ୧୦% ଉପରେ ରହିଛି ସେଠାରେ ଲକ୍‍ଡାଉନ୍‍ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ଏବଂ ସେଠାରେ ଆରଟି ପିସିଆର ଟେଷ୍ଟିଂ, ଟିକାକରଣ ଏବଂ ମେଡ଼ିକାଲ କାର୍ଯ୍ୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଡକ୍ଟର ପଲ୍‍ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏନସିଡ଼ିସିର ନିର୍ଦ୍ଦେଶକ ଏହି ସମୀକ୍ଷା ବୈଠକରେ ଅବସ୍ଥା ବିଗିଡ଼ିବା ପୂର୍ବରୁ ଯଥାଶୀଘ୍ର କୋଭିଡ଼ କେଶ୍‍କୁ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏଥିପାଇଁ ୧୦% ରୁ ଅଧିକ ସଂକ୍ରମଣରେ ଥିବା ଜିଲ୍ଲାମାନଙ୍କୁ କଣ୍ଟେନମେଣ୍ଟ୍‍ ଜୋନ୍‍ ଅଧୀନରେ ଆଣିବା ନିମନ୍ତେ ସେ ମତ ପୋଷଣ କରିଥିଲେ। ଟେଷ୍ଟିଂ ସଂସାଧନ ବୃଦ୍ଧି ଦ୍ୱାରା ଲୋକମାନଙ୍କର କୋଭିଡ଼ ପରୀକ୍ଷା ସହଜରେ କରାଯାଇପାରିବ ବୋଲି ସେ କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶା ସହ ପୂର୍ବ ଭାରତର ୫ଟି ରାଜ୍ୟର କରୋନା ମୁକାବିଲା ନେଇ କେନ୍ଦ୍ର ସରକାର କଲେ ସମୀକ୍ଷା

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ବୁଧବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକରେ ପୂର୍ବ ଭାରତର ପାଞ୍ଚଟି ରାଜ୍ୟରେ କରୋନା ମହାମାରୀ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ପାଞ୍ଚଟି ରାଜ୍ୟ ହେଲେ ଓଡ଼ିଶା, ଆସାମ, ପଶ୍ଚିମ ବଙ୍ଗ, ବିହାର ଓ ଝାଡ଼ଖଣ୍ଡ ।

ଏହି ସମୀକ୍ଷା ବୈଠକରେ ଉପରୋକ୍ତ ରାଜ୍ୟମାନଙ୍କରେ କୋଭିଡ଼ ୧୯ ମହାମାରୀ ପରିଚାଳନା ତଥା କଣ୍ଟେନମେଣ୍ଟ ପାଇଁ କି କି ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏବେ ଲକ୍ଷ୍ୟ କରାଯାଇଛି ଯେ ମହାମାରୀ କରୋନା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ଦିଗରେ ଗତି କରୁଛି ଏବଂ ସେହିସବୁ ରାଜ୍ୟରେ ପ୍ରତିଦିନ ନୂତନ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଏହି ସମୀକ୍ଷା ବୈଠକରେ ଯେଉଁ ପାଞ୍ଚଟି ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋଚନା କରାଯାଇଥିଲା ସେଗୁଡ଼ିକ ହେଲା ସଂପୃକ୍ତ ରାଜ୍ୟମାନଙ୍କରେ କୋଭିଡ଼ ୧୯ ମହାମାରୀ ଯୋଗୁ ଉତ୍ପନ୍ନ ସ୍ଥିତିର ମୁକାବିଲା ନିମନ୍ତେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ତଥା ଚାଲେଞ୍ଜର ମୁକାବିଲା । ଏହିସବୁ ରାଜ୍ୟମାନଙ୍କରେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତଥା ମୃତ୍ୟୁ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି ।

କୋଭିଡ଼ ଜନିତ ପରିସ୍ଥିତିର ମୁକାବିଲା ସକାଶେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାନବ ସମ୍ବଳର ଆବଶ୍ୟକତା ତଥା କ୍ଲିନିକାଲ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଇଥିଲା । ହସପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ଼ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଣ ନିମନ୍ତେ ସଂପୃକ୍ତ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏଥି ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚଓ) ମାନଙ୍କୁ କାର୍ଯ୍ୟ ଆଧାରିତ ପେମେଣ୍ଟ ପ୍ରଦାନ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର (ଏଚଡ଼ବ୍ଲୁସି)ମାନଙ୍କରେ ପ୍ରଦାନ କରାଯିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ଏଏନଏମ ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉପଯୁକ୍ତ ସମୟରେ ସେମାନଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ କୁହାଯାଇଛି । ଏଥିପାଇଁ ରାଜ୍ୟମାନଙ୍କ ଏନଏଚଏମ ପାଣ୍ଠିକୁ ଉପଯୋଗ କରିବା ସକାଶେ ପରାମର୍ଶ ଦିଆଯାଇଛି ।

ଏହା ବ୍ୟତିତ କେନ୍ଦ୍ର ସରକାର ନିକଟରେ ଅନେକ ଗୁଡ଼ିଏ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯେଉଁଥିରେ ଏମବିବିଏସ ପାଠ୍ୟକ୍ରମର ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସେବାକୁ ଚିକିତ୍ସାସେବାରେ ଉପଯୋଗ କରାଯିବା, ଯେଉଁ ଛାତ୍ରଛାତ୍ରୀମାନେ ଏବେ ସୁଦ୍ଧା ନିଟ୍‍ ପରୀକ୍ଷା ଦେବାକୁ ଅଛି, ଯାହାକି ଘୁଞ୍ଚାଇ ଦିଆଯାଇଛି, ସେମାନଙ୍କ ସେବା; ଫାଇନାଲ୍‍ ବର୍ଷର ନର୍ସିଂ ଛାତ୍ରଛାତ୍ରୀଙ୍କ ସେବା; ଏବଂ ଇଣ୍ଟର୍ଣ୍ଣମାନଙ୍କ ସେବାକୁ କୋଭିଡ଼ ସଂପର୍କୀତ ଚିକିତ୍ସା ସେବା ପାଇଁ ଉପଯୋଗ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଦେଶର ସମସ୍ତ ଜିଲ୍ଲା ଯେଉଁଠାରେ କରୋନା ପଜିଟିଭିଟି ହାର ୨୦ ପ୍ରତିଶତ ଉପରେ ରହିଛି ତାହାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବ୍‍ ସାଇଟ୍‍ରେ ପ୍ରଦର୍ଶିତ କରାଯାଇଛି । ଏହି ତାଲିକା ପରିବର୍ତ୍ତନଶୀଳ ଏବଂ ନିୟମିତ ଆଧାରରେ ଏହାକୁ ଅପ୍‍ଡେଟ୍‍ କରାଯିିବ । ସଂପୃକ୍ତ ରାଜ୍ୟମାନେ ସେହିସବୁ ଜିଲ୍ଲାମାନଙ୍କରେ ଟେଷ୍ଟିଂ, ସଂକ୍ରମିତ ଲୋକଙ୍କୁ ଘରେ ସଙ୍ଗରୋଧ ବାସ, କୌଣସି ସ୍ଥାନରେ ଅଯଥାରେ ଭିଡ଼ ନଜମାଇବା ଓ ଲୋକମାନଙ୍କ ମଧ୍ୟରେ ଅବାଧ ମିଳାମିଶା ଯଦ୍ୱାରା ସଂକ୍ରମଣ ବୃଦ୍ଧି ପାଇବ ସେଭଳି କାର୍ଯ୍ୟକୁ ରୋକିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ।

ଏହା ବ୍ୟତୀତ ଅନ୍ୟାନ କଣ୍ଟେନମେଣ୍ଟ୍‍ କାର୍ଯ୍ୟ ଆଦି ମଧ୍ୟ କରିବା ନିମନ୍ତେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ରାଜ୍ୟ ଭିତରେ ଲୋକମାନଙ୍କ ଚଳାଚଳ ଉପରେ ମଧ୍ୟ କଡ଼ାକଡ଼ି ଭାବେ ନିଷେଧାଦେଶ ଜାରି କରିବା ନିମନ୍ତେ କୁହାଯାଇଛି । ଏହି ସମୟକୁ ହସପିଟାଲରେ ସଂସାଧନ ବୃଦ୍ଧି ଯେଉଁଥିରେ ଅସ୍ଥାୟୀ ହସପିଟାଲ ନିର୍ମାଣ ହୋଟେଲମାନଙ୍କୁ ହସପିଟାଲରେ ପରିଣତ କରିବା ନିମନ୍ତେ ଅଧିଗ୍ରହଣ ଓ କ୍ଷେତ୍ରୀୟ ହସପିଟାଲ ସ୍ଥାପନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ରାଜ୍ୟମାନଙ୍କୁ ଏହା ନିର୍ଦ୍ଦିଷ୍ଟ ଭାବେ ସୂଚୀତ କରାଯାଇଛି ଯେ ଗତ ବର୍ଷ ସେମାନଙ୍କୁ ଏକ ଆଡଭାଇଜରୀ ପ୍ରଦାନ କରାଯାଇଥିଲା ଯେଉଁଥିରେ ହସପିଟାଲରେ ଦାଖଲ ହୋଇଥିବା ରୋଗୀମାନଙ୍କ କ୍ଲିନିକାଲ ପରିଚାଳନା ନିମନ୍ତେ ଅକ୍ସିଜେନ୍‍ ବ୍ୟବହାରର ସାମଗ୍ରିକ ନିୟମାବଳୀ ସୂଚୀତ କରାଯାଇଥିଲା । ଏହା ପ୍ରତ୍ୟେକ ରାଜ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ଥିଲା । ବିଭିନ୍ନ ବର୍ଗର ରୋଗୀମାନଙ୍କ ସକାଶେ ହସପିଟାଲରେ କ୍ଲିନିକାଲ କେୟାର ସକାଶେ ଅକ୍ସିଜେନ୍‍ ଆବଶ୍ୟକର ମାତ୍ରା ଭିନ୍ନ ହୋଇଥାଏ ଯାହାକି ଏହି ଆଡ଼ଭାଇଜରୀରେ ସୂଚୀତ କରାଯାଇଥିଲା ।

କେତେକ ରାଜ୍ୟଙ୍କୁ ଛାଡ଼ି ଅନ୍ୟ ରାଜ୍ୟମାନେ ଏହି ନିର୍ଦ୍ଦେଶାବଳୀକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିଛନ୍ତି । ଏହି ନିର୍ଦ୍ଦେଶାବଳୀକୁ ବିଧିବଦ୍ଧ ଭାବେ ପାଳନ କରିିବା ସକାଶେ ରାଜ୍ୟମାନଙ୍କୁ ପୁଣି ଥରେ ସୂଚୀତ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏ ପିଏସଏ ପ୍ଲାଣ୍ଟ୍‍ ସ୍ଥାପନ ନିମନ୍ତେ, ୧୦୦୦ ପିଏସଏ ପ୍ଲାଣ୍ଟ୍‍ ନିମନ୍ତେ ସାରା ଦେଶରେ ଯୋଜନା ପ୍ରସ୍ତୁତ କରାଯାଇଛି । ରାଜ୍ୟମାନଙ୍କୁ ଏଭଳି ପିଏସଏ ପ୍ଲାଣ୍ଟ୍‍ ନିମନ୍ତେ ସ୍ଥାନ ନିରୂପଣ କରିବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଡିଆରଡ଼ିଓ ଏବଂ ସିଏସଆଇଆର ରାଜ୍ୟମାନଙ୍କୁ ଏହି ପ୍ରୟାସରେ ସହଯୋଗ କରିବେ ।

ବୈଠକରେ ରାଜେଶ ଭୂଷଣଙ୍କ ବ୍ୟତୀତ ନୀତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ଡକ୍ଟର ବିନୋଦ କୁମାର ପଲ୍‍,ସ୍ୱାସ୍ଥ୍ୟ ଗବେଷଣା ସଚିବ ତଥା ଆଇସିଏମଆର ମହା ନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ ଏବଂ ଡିଜିଏଚଏସ ଡକ୍ଟର  ସୁନୀଲ କୁମାର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଆରତୀ ଆହୁଜା, ଏନସିଡିସିର ନିର୍ଦ୍ଦେଶକ ଡକ୍ଟର ସୁଜିତ କେ ସିଂହ ତଥା ପ୍ରମୁଖ ସଚିବ ଏନଏଚଏମର ମିଶନ ନିର୍ଦ୍ଦେଶକ ଏବଂ ସଂପୃକ୍ତ ରାଜ୍ୟମାନଙ୍କ ସର୍ଭେଲାନ୍ସ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ କୋଭିଡ଼ ସମୀକ୍ଷା ବୈଠକ

ଭୁବନେଶ୍ଵର: କରୋନାର ଦ୍ଵିତୀୟ ଲହରୀ ଯୋଗୁଁ ରାଜ୍ୟରେ କ୍ରମାଗତ ଭାବେ ୫୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫ଟାରେ ଏକ ବୈଠକ ଡାକିଛନ୍ତି।

ଏହି ବୈଠକରେ କରୋନା ଉପରେ ସମୀକ୍ଷା କରାଯାଇ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅନୁମାନ କରାଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ। ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର ଏହି ବୈଠକରେ ଉପସ୍ଥିତ ରହିବେ। ଏହାସହିତ ଭର୍ଚୁଆଲ ମାଧ୍ୟମରେ ସାମିଲ ହେବା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି।