Categories
ବିଶେଷ ଖବର

ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ କୋଭିଡ ହସ୍‌ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସରକାରୀ ତଥା ବେସରକାରୀ ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁର ଆବଶ୍ୟକତା ହୋଇଥିଲା, ଅତି କମ୍‌ରେ ସେତିକି ପରିମାଣର ଶଯ୍ୟା ଓ ଆଇସିୟୁ ପ୍ରସ୍ତୁତ କରି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଜନସାଧାରଣଙ୍କ ଟୀକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାମ୍ପେନ ମୋଡ୍‌ରେ କାମ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ୧୫ ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟୀକାକରଣ ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଭୂତାଣୁ ସଂକ୍ରମଣକୁ କମ୍‌ କରିବା ପାଇଁ ଆମକୁ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପଡିବ। ତେବେ ଏଥିରେ ଯେପରି ଜନସାଧାରଣଙ୍କର ଜୀବିକା ଉପରେ କୌଣସି ପ୍ରଭାବ ନ ପଡେ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ ଓମିକ୍ରନ୍‌ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଛି। ଅଳ୍ପ ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଉଛି। ଦେଶରେ ଖୁବ ଶୀଘ୍ର ଲକ୍ଷ ଲକ୍ଷ ସଂଖ୍ୟାରେ କୋଭିଡ ରୋଗୀ ସଂକ୍ରମଣ ଦେଖା ଦେଇପାରେ। ଓଡିଶାରେ ମଧ୍ୟ ଓମିକ୍ରନ ରୋଗୀଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଛି। ତେଣୁ ଜନସାଧାରଣଙ୍କୁ ବିଶେଷ ଅସୁବିଧାରେ ନ ପକାଇ କୋଭିଡର ଉତ୍ତମ ପରିଚାଳନା ପାଇଁ ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ।

ଗତ ସପ୍ତାହ ସମୀକ୍ଷା ବୈଠକରେ କେତେକ ପ୍ରସ୍ତୁତିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ପ୍ରକାଶ କରି ଏଗୁଡିକର କାର୍ଯ୍ୟାନ୍ବୟନ ପାଇଁ ମୁଖ୍ୟ ଶାସନ ସଚିବ ପ୍ରତିଦିନ ସମୀକ୍ଷା ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଗତ ଲହରୀ ସମୟରେ ଅକ୍‌ସିଜେନ ପରିଚାଳନା, ସୂଚନା ଅଭିଯାନ, ଟ୍ରେନିଂ ମଡ୍ୟୁଲ ଆଦି ବ୍ୟବସ୍ଥା କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ବର୍ତ୍ତମାନ ପୁଣି ଅଧିକାରୀ ମାନଙ୍କର ବିଭିନ୍ନ ମନିଟରିଂ ଗ୍ରୁପ ଓ ଜିଲ୍ଲାସ୍ତରୀୟ ଅବ୍‌ଜରଭର ବ୍ୟବସ୍ଥା କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେହେତୁ ଏହି ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାର ସମ୍ଭାବନା ରହିଛି, ତେଣୁ ସବୁ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମକୁ ପାଳନ କରିବା ଏବଂ ଦାୟିତ୍ବରେ ଥିବ ଅଧିକାରୀ ମାନଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣ ଙ୍କୁ ନିବେଦନ କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନେବା ପାଇଁ ସମସ୍ତ ସଂପୃକ୍ତ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ବରିଷ୍ଠ ଅଧିକାରୀମାନେ ଜିଲ୍ଲାକୁ ଗସ୍ତ କରି ଜିଲ୍ଲାସ୍ତରରେ ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବ୍ୟବସ୍ଥା କରିବେ ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌.କେ. ଶର୍ମା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ। ସେ କହିଥିଲେ ଯେ ଓଡିଶାରେ ଓମିକ୍ରନର ସଂକ୍ରମଣ ସଂପର୍କରେ ସତର୍କ ଦୃଷ୍ଟି ରଖାଯାଇଛି ଏବଂ ବିଦେଶାଗତ ଲୋକମାନଙ୍କର ନିୟମିତ ପରୀକ୍ଷା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଚିକିତ୍ସା ପ୍ରୋଟୋକଲ (Treatment Protocol) ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡିକରେ ଆବଶ୍ୟକ ପରିମାଣର ଔଷଧ, ଶଯ୍ୟା ଓ ଅକ୍‌ସିଜେନ ମହଜୁଦ ରହିଛି ବୋଲି ସେ କହିଥିଲେ।

ପୋଲିସ ଡିଜି ସୁନିଲ ବଂଶଲ ରାଜ୍ୟରେ ଲୋକଙ୍କ ସହଯୋଗରେ କଟକଣା ଗୁଡିକର ଅନୁପାଳନ କରାଯାଉଛି ଓ ଆଗାମୀ ଦିନରେ ଏହାକୁ ଆହୁରି ଜୋରଦାର କରାଯିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କୋଭିଡ କଟକଣା ପାଳନ ସମୟରେ ଘର ଭିତର ଓ ବାହାର (Indoor ଓ Outdoor)ରେ ଲୋକଙ୍କ ଭିଡ ଉପରେ ନଜର ରଖିବା ପାଇଁ ମତ ଦେଇଥିଲେ। ଯେଉଁ ପଦକ୍ଷପ ଦ୍ବାରା କୋଭିଡ ସଂକ୍ରମଣର ନିୟନ୍ତ୍ରଣ ହୋଇପାରିବ, ତା ଉପରେ ଧ୍ୟାନ ଦେବାକୁ ସେ କହିଥିଲେ।

ବୈଠକରେ ସୁନ୍ଦରଗଡ, ବଲାଙ୍ଗୀର, ଗଞ୍ଜାମ ଓ ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ ତଥା ବିଏମସି ଓ ସିଏମସିର କମିଶନର ମାନେ ସେମାନଙ୍କ ଅଞ୍ଚଳରେ ନିଆଯାଉଥିବା ବିଭିନ୍ନ ପଦକ୍ଷପ ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ।

ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁରୀରେ ଲୋକାର୍ପିତ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ଭୁବନେଶ୍ବର/ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ଏକ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କରିଛନ୍ତି। ଭିଡିଓ କଂଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି। ଏହା ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହୋଇଥିବା ବେଳେ ଏଥିରେ ୨୦ ଟି ଆଇସିୟୁ, ୪୦ ଟି ଏଚଡିୟୁ ଏବଂ ୯୦ ଟି ସାଧାରଣ ଶଯ୍ୟାର ବ୍ୟବସ୍ଥା ରହିଛି। ପୁରୀର ବାଲିଗୁଆଳିରେ ଉକ୍ତ ହସ୍ପିଟାଲକୁ ନିର୍ମାଣ କରାଯାଇଛି। ସମ ହସ୍ପିଟାଲର ତତ୍ବାବଧାନରେ ଚାଲିବ ଏହି ନୂଆ କୋଭିଡ ହସ୍ପିଟାଲ।

ପୁରୀରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ଦ୍ଵାରା ସ୍ଥାନୀୟ ଲୋକେ ଉପକୃତ ହେବେ ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

 ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ

ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ଆଜି ପରଲୋକ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେ ୩ ଦିନ ହେଲା ଭେଣ୍ଟିଲେଟରରେ ଥିଲେ।

ହେଲେ ମାତ୍ର ୬୩ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବହୁ ଓଡିଆ ଚଳଚ୍ଚିତ୍ରରେ ଅମରେନ୍ଦ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସବୁ କୋଭିଡ଼ ହସ୍ପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ: ଏଣିକି ରୋଗୀଙ୍କୁ ସିଧାସଳଖ ଦେଖିବା ବ୍ୟବସ୍ଥା

ଭୁବନେଶ୍ବର: କୋଭିଡ଼ ହସ୍ପିଟାଲ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରିଛି। ସବୁ ହସ୍ପିଟାଲରେ ହେଲ୍ପ ଡେସ୍କକୁ ବାଧ୍ୟତାମୂଳକ କରାଯାଇଛି। ଏହି ହେଲ୍ପଡେସ୍କ ୨୪ ଘଣ୍ଟା କାର୍ଯ୍ୟ କରିବ। ଏଥିରେ ଟୋଲ ଫ୍ରି ନମ୍ବର ରହିବ। ଏହି ଟୋଲ ଫ୍ରି ନମ୍ବର ମାଧ୍ୟମରେ ସମ୍ପର୍କୀୟମାନେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବୁଝିପାରିବେ।

ହେଲ୍ପ ଡେସ୍କରେ ମଧ୍ୟ ସୋସିଆଲ ମିଡିଆର ବ୍ୟବସ୍ଥା ରହିବ। ଏହା ମାଧ୍ୟମରେ ସମ୍ପର୍କୀୟମାନେ ରୋଗୀଙ୍କ ଫଟୋ ଚିତ୍ର ଦେଖିବା ସହ କଥା ବାର୍ତ୍ତା ମଧ୍ୟ ହୋଇପାରିବେ। ପ୍ରତ୍ୟେକ ଦିନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଅପଡେଟ କରାଯିବ।

ତେବେ ହେଲ୍ପ ଡେସ୍କର ସୁପରିଚାଳନା ପାଇଁ ସ୍ଵେଚ୍ଛାସେବୀଙ୍କ ସହାୟତା ନିଆଯିବ। ଏହାସହ ରୋଗୀଙ୍କୁ ଦେଖିବା ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା ରହିବ। ସିସିଟିଭ ମାଧ୍ୟମରେ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ସିଧାସଳଖ ଦେଖିପାରିବେ। ସେଥିପାଇଁ ସ୍ଵତନ୍ତ୍ର କନଫରେନ୍ସ ହଲର ବ୍ୟବସ୍ଥା ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ହସ୍ପିଟାଲ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗ ଗଠନ କଲା ସ୍ଵତନ୍ତ୍ର ଟିମ୍

ଭୁବନେଶ୍ବର: ଦୈତ ନଗରୀର କୋଭିଡ ହସ୍ପିଟାଲ ଯାଞ୍ଚ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି। ମୋଟ ୪ ଟି ଟିମ୍ ଗଠନ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ୩ ଟି ଟିମ୍ କାର୍ଯ୍ୟ କରିବ। ପ୍ରତ୍ୟେକ ଟିମରେ ୨ ଜଣ ଲେଖାଏଁ ଡାକ୍ତର ନିଯୁକ୍ତ ହେବେ। କୋଭିଡ ହସ୍ପିଟାଲର ଆଇସିୟୁ ଯାଞ୍ଚ କରିବେ ଏହି ସ୍ଵତନ୍ତ୍ର ଟିମ୍। ଆଇସିୟୁରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ହେଉଛି କି ନାହିଁ, ତାହା ଯାଞ୍ଚ କରିବେ।

ଗୁରୁତର ନଥିବା ରୋଗୀ ଆଇସିୟୁରେ ଭର୍ତ୍ତି ହେଉଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଫଳରେ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଏଭଳି ପଦକ୍ଷେପ ନେଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଏହି ଟିମ କୋଭିଡ ହସ୍ପିଟାଲ ତଦାରଖ କରିବା ନେଇ ନିର୍ଦ୍ଦେଶ ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୮ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଗତକାଲି ରାତିରେ ଏକ କୋଭିଡ଼ ହସ୍ପିଟାଲରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଗୁଜୁରାତ ଭରୁଚର ଏକ କୋଭିଡ଼ ହସ୍ପିଟାଲରେ ୫୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ। ରାତ୍ରି ପାଖାପାଖି ୧ ଟା ସମୟରେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟିବାରୁ ୧୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଚାରି ମହଲା ବିଶିଷ୍ଟ ଏହି ହସ୍ପିଟାଲର ନିଆଁକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ସକାଳ ୬ ଟା ୩୦ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଥିଲା। ତେବେ ସେ ପର୍ଯ୍ୟନ୍ତ ୧୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁରତରୁ ଆସିଥିବା ଜଣେ ନାବାଳିକା ପର୍ଯ୍ୟଟକ ପଜିଟିଭ ଚିହ୍ନଟ: କୋଭିଡ଼ ହସ୍ପିଟାଲରେ ଭର୍ତ୍ତି

ପୁରୀ: ସୁରତରୁ ଆସିଥିବା ଜଣେ ନାବାଳିକା ପର୍ଯ୍ୟଟକ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ତାଙ୍କ ବାପାଙ୍କ ସହ ଆସିଥିଲେ। ଆଣ୍ଟିଜେନ ଟେଷ୍ଟ ପରେ ସେ କରୋନା ପଜିଟିଭ ଥିବା ଜଣାପଡିଛି। ପଜିଟିଭ ଚିହ୍ନଟ ପରେ ନାବାଳିକାଜଣଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ବାପା ମାଆଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ରହିଛି। ପୁଣିଥରେ ଆଜି ନାବାଳିକାଙ୍କର ଆରଟିପିସିଆର ଟେଷ୍ଟ କରାଯିବ।

ସେହିଭଳି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟର ୮ କର୍ମଚାରୀ ଓ ସେବାୟତ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶ୍ରୀମନ୍ଦିର ସମ୍ମୁଖ ଜୋତାଷ୍ଟାଣ୍ଡରୁ ୮ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି।