Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ଦାବୀ ନେଇ ଯୁବ ନେତା ଆଲେକ୍ସଙ୍କ ନେତୃତ୍ବରେ କୋରେଇ ଏଡିଏମ୍ ଅଫିସ୍ ଘେରାଉ କଲା ବିଜେପି

ଯାଜପୁର: କୋରେଇର ବିଭିନ୍ନ ସମସ୍ୟା ନେଇ ଆଜି ଏଡିଏମ୍ ଅଫିସ୍ ଘେରାଉ କରିଛି ବିଜେପି। ଗତ ଡ଼ିସେମ୍ବର ମାସରେ ବିଜେପି ଯୁବନେତା ଇଂ ଆଲେକଜାଣ୍ଡାର ଦାସ ଙ୍କ ଦ୍ଵାରା ଆରମ୍ଭ ହୋଇଥିଲା ଜନ ଜାଗରଣ ଯାତ୍ରା। ଏହି ଯାତ୍ରାରେ ଆଲେକ୍ସ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଗାଁ ଗାଁ କୁ ଯାଇ ଲୋକ ମାନଙ୍କ ସହ ରହି, ଖାଇ, ଗାଁ ଗୁଡିକରେ ରାତ୍ରିଯାପନ ମଧ୍ୟ କରିଥିଲେ।

ଏହି ଦିନ ମାନଙ୍କରେ ସେ ହୃଦୟଙ୍ଗମ କରିଥିବା ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ସେ ଆଜି ୫୦୦୦ ରୁ ଉର୍ଦ୍ଧ୍ବ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ସହ ମିଶି କଳିଙ୍ଗନଗର ADM ଅଫିସ୍ ଘେରାଉ କରିଥିଲେ ଏବଂ ନିଜର ୧୦ ଦଫା ଦାବିପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ମନୋଜ କୁମାର ଦାସ, ନିତ୍ୟାନନ୍ଦ ମହାଳିକ, ପ୍ରମୋଦ ସାହୁ, ଶତ୍ରୁଘ୍ନ ସାହୁ, ବଳରାମ ମହାନ୍ତି, ନୀଳମଣି ବେହେରା, ମଦନ ମୋହନ ପଲେଇ, ସୁଶାନ୍ତ ସାହୁ, ଧନଞ୍ଜୟ ସାହୁ, ମନୋଜ ମଲ୍ଲିକ, ସୁବଳ ସ୍ୱାଇଁ, ଆଲୋକ କର, ରଞ୍ଜନ ମଲ୍ଲିକ, ପ୍ରମୋଦ ପଡ଼ିଦା, ସୌଭାଗ୍ୟ ରାଉତ, ଅନନ୍ତ ଚରଣ ରଣା, ମହେଶ୍ୱର ବେହେରା, ଦିବ୍ୟଦର୍ଶନ ସାହୁ, ରାଜେନ୍ଦ୍ର କୁମାର ଦାସ, କାଶୀନାଥ ପୃଷ୍ଟି, ସନ୍ତୋଷ ଖୁଣ୍ଟିଆ, ତପନ କୁମାର ମଲ୍ଲିକ, ଦୁର୍ଯ୍ୟୋଧନ ରଣା, ପ୍ରମିଳା ସାହୁ, ସଞ୍ଜୟ ସାହୁ, ପ୍ରମୋଦ କୁମାର ସାହୁ, ସୌମ୍ୟରଞ୍ଜନ ପଲେଇ, ଅନିଲ କୁମାର ସାହୁ, ମମତା ମଲ୍ଲିକ, ବାସନ୍ତୀ ମଲ୍ଲିକ ଆଦି ୫୦୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କୋରାଇରେ ଅଶୋକ ଦାସ ୬ ଥର, ବିଜେଡି ୩ ଏବଂ ଥରେ ଲେଖାଏଁ ବିଜେପି ଓ କଂଗ୍ରେସ ଜିତିଛି, ଏଥର କିଏ ?

ଭୁବନେଶ୍ୱର: ଯାଜପୁର ଜିଲ୍ଲାର କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଣ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରାଇଥାଏ। ସେଠାରୁ ୧୯୮୫ ରେ କଂଗ୍ରେସ ପ୍ରାର୍ଥୀ ଓ ୨୦୦୪ ରେ ବିଜେପି ପ୍ରାର୍ଥୀ ଥରେ ଲେଖାଏଁ ବିଜୟୀ ହୋଇଛନ୍ତି।

ସେହିପରି ୨୦୦୯ ପରଠାରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିର ପ୍ରାର୍ଥୀମାନେ ବିଜୟୀ ହୋଇ ଆସୁଛନ୍ତି। ୧୯୭୪ ମସିହାରେ କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ ହେବା ପରଠାରୁ ୨୦୦୦ ପର୍ଯ୍ୟନ୍ତ ୬ ଥର ଅଶୋକ ଦାସ ଅଣ କଂଗ୍ରେସ ପ୍ରାର୍ଥୀ ଭାବରେ ବିଜୟୀ ହୋଇଛନ୍ତି।

କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି କୌଣସି ପ୍ରାର୍ଥୀଙ୍କୁ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢ଼ିବାର ସୁଯୋଗ ଦେଇନାହିଁ। ୨୦୦୯ରେ ପ୍ରୀତିରଞ୍ଜନ ଘଡ଼ାଇ ଏଠାରୁ ବିଜେଡି ପ୍ରାର୍ଥୀଭାବେ ବିଜୟୀ ହୋଇଥିବାବେଳେ ୨୦୧୪ରେ ଆକାଶ ଦାସ ନାୟକ ଓ ୨୦୧୯ରେ ଅଶୋକ ବଳ ବିଜୟୀ ହୋଇଛନ୍ତି। ଆଗାମୀ ନିର୍ବାଚନରେ ବିଧାୟକ ଅଶୋକ ବଳଙ୍କ ଉପରୁ ବିଜେଡିର ବିଶ୍ୱାସ ତୁଟି ଗଲା ପରି ଲାଗୁଛି।

କାରଣ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ପ୍ରାୟତଃ ଦେଖିବାକୁ ମିଳୁନାହିଁ। କୋରାଇ ସମସ୍ୟା ସମ୍ପର୍କରେ ବିଧାୟକ ଶ୍ରୀ ବଳ କରିବା ପରିବର୍ତ୍ତେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସମାଧାନର ବାଟ ଖୋଜୁଛନ୍ତି। ଏପରିକି କୋରାଇର ବିକାଶ କିପରି ହୋଇପାରିବ ତା’ର ରୂପରେଖ ମଧ୍ୟ ସେ ପ୍ରସ୍ତୁତ କରୁଛନ୍ତି।

ଏହି ନିର୍ବାଚନ ମଣ୍ଡଳୀଟି ତାଙ୍କ ବାପାଙ୍କ କର୍ମଭୂମି ହୋଇଥିବାରୁ ଆଗାମୀ ନିର୍ବାଚନରେ ସେ ଏଠାରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। କେବଳ ପ୍ରଣବ ପ୍ରକାଶ ଦାସ ନୁହନ୍ତି ୨୦୧୪ର ବିଧାୟକ ଆକାଶ ଦାସ ନାୟକ ମଧ୍ୟ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ରଖି ନିଜର ଲବି ଚଳାଇଥିବା ଆଲୋଚନା ହେଉଛି।

୨୦୦୪ ରେ ରାଜ୍ୟରେ ମେଣ୍ଟ ସରକାର ଥିବା ସମୟରେ ବିଜେପିର ପ୍ରାର୍ଥୀ ସଞ୍ଚିତା ମହାନ୍ତି କୋରାଇରୁ ଅଶୋକ ଦାସଙ୍କୁ ହରାଇ ହଇଚଇ ସୃଷ୍ଟି କରିଥିଲେ। କିନ୍ତୁ ଏହି ଖୁସି ବେଶୀ ଦିନ ରହି ନ ଥିଲା। ଏହାପରଠାରୁ ହୋଇଥିବା ୨୦୦୯ ଓ ୨୦୧୪ ନିର୍ବାଚନରେ ଶ୍ରୀମତୀ ମହାନ୍ତି ୩ୟ ସ୍ଥାନରେ ରହିଥିଲେ।

ଏହି ସମୟ ମଧ୍ୟରେ ବିଜେପି ନିଜର କୌଣସି ନେତାଙ୍କୁ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ କରିପାରି ନ ଥିଲା। ତେଣୁ ୨୦୧୯ ରେ ବିଜେପି ପକ୍ଷରୁ ୨୦୧୪ ରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କୁ ଦଳକୁ ଆଣି ପ୍ରାର୍ଥୀ କରିଥିଲା। ସେ ମଧ୍ୟ ବିଜେଡି ପ୍ରାର୍ଥୀ ଅଶୋକ ବଳଙ୍କଠାରୁ ୩୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ ହୋଇଥିଲେ।

ଆଗାମୀ ନିର୍ବାଚନ ପାଇଁ ଗତଥରର ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କର କୌଣସ ପ୍ରସ୍ତୁତି ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ବିଜେପିର କ୍ୟାଡ଼ର ପୂର୍ବତନ ଯୁବମୋର୍ଚ୍ଚାର ଜିଲ୍ଲା ଉପସଭାପତି ଥିବା ଆଲେକଜାଣ୍ଡାର ଦାସ ପ୍ରସ୍ତୁତି ଚଳାଇବା ସହିତ ଦଳୀୟ କାର୍ଯ୍ୟକ୍ରମ ଦୀର୍ଘ ଦିନ ହେଲା ଚଳାଇ ଆସୁଛନ୍ତି। ସେ ଦଳର ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କର ବାର୍ତ୍ତାକୁ ସମଗ୍ର ଅଞ୍ଚଳରେ ପହଞ୍ଚାଇବାକୁ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳୁଛି।

ଯାଜପୁର ଜିଲ୍ଲାରେ ଯାଦବମାନଙ୍କର ୩୦ ପ୍ରତିଶତ ମତଦାତା ଅଛନ୍ତି। ଗତ ନିର୍ବାଚନରେ ବିଜେଡି ବରୀ ନିର୍ବାଚନ ମଣ୍ଡଳୀରେ ଯାଦବ ନେତ୍ରୀ ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରିବାରୁ ଦଳ ଲୋକସଭା ଓ ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯାଦବମାନଙ୍କର ସମର୍ଥନ ପାଇବାରେ ସଫଳ ହୋଇଥିଲା।

ଆଲେକଜାଣ୍ଡାର ଯାଦବ ମହାସଂଘର ରାଜ୍ୟ ସାଧାରଣ ସମ୍ପାଦକ ହୋଇଥିବାରୁ ଜିଲ୍ଲାର ଯାଦବମାନଙ୍କ ଉପରେ ତାଙ୍କର ପ୍ରଭାବ ରହିଛି। ସେ ବିଜେପିରୁ ପ୍ରାର୍ଥୀ ହେଲେ ଯାଦବମାନେ ଜିଲ୍ଲାରେ ବିଜେପିକୁ ସମର୍ଥନ କରିବେ ବୋଲି ଚର୍ଚ୍ଚା ହେଉଛି।

ଏହି ନିର୍ବାଚନ ମଣ୍ଡଳୀରୁ କେବଳ ଥରେ ମାତ୍ର ୧୯୮୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରବର୍ତ୍ତୀ ଲହରରେ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ଖୁଣ୍ଟିଆ ବିଜୟୀ ହୋଇଥିଲେ। ୨୦୦୦ ନିର୍ବାଚନ ପର୍ଯ୍ୟନ୍ତ ଏଠାରେ ବିଜେପିର ଚିହ୍ନବର୍ଣ୍ଣ ନ ଥିଲା। ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବା ପରଠାରୁ ମଧ୍ୟ କଂଗ୍ରେସ ଦ୍ୱତୀୟ ସ୍ଥାନରେ ରହୁଥିଲା।

କିନ୍ତୁ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୩ୟ ସ୍ଥାନକୁ ଖସି ଯାଇଛନ୍ତି। ବ୍ୟାସନଗରର ନେତ୍ରୀ ବନ୍ଦିତା ପରିଡ଼ା ଗତ ଥର ପ୍ରାର୍ଥୀ ହୋଇଥିଲା ବେଳେ ସେ ଏଥର ଦଳ ପରିବର୍ତ୍ତନ କରୁଥିବା ଚର୍ଚ୍ଚା ଜୋର୍‍ ଧରିଛି। ଏପରି ସ୍ଥଳେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଦଳୀୟ ନେତୃତ୍ୱଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମାତ୍ର ୧୬ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ରେଲୱେ ଟ୍ରାକକୁ ପୁନଃ କାର୍ଯ୍ୟକ୍ଷମ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: କୋରାଇ ଠାରେ ସୋମବାର ସକାଳେ ପଣ୍ୟବାହୀ ଟ୍ରେନ୍ ଜନୀତ କ୍ଷତିଗ୍ରସ୍ତ ହୋଇଥିବା ରେଳ ଧାରଣା ଏବଂ ପ୍ରଭାବିତ ହୋଇଥିବା ଅନ୍ୟାନ ରେଳ ସାମଗ୍ରୀ ଗୁଡିକର ପୁନରୁଦ୍ଧାର କାର୍ଯ୍ୟକୁ କେବଳ ଘଟଣା ଠାରୁ ମାତ୍ର ୧୬ ଘଣ୍ଟା ମଧ୍ୟରେ ମରାମତି ସମ୍ପାଦନା କରାଯାଇ ପାରିଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୁପ ନାରାୟଣ ସୁନକର ନିଜେ ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ରହି ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ସହିତ ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ। ମହାପ୍ରବନ୍ଧକଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ମୁଖ୍ୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ପୁନରୁଦ୍ଧାର କାର୍ଯ୍ୟ ସମୟରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ।

ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳମାର୍ଗର ଭଦ୍ରକ-କପିଳାସ ରୋଡ଼ ରେଳ ସେକ୍ସନ ମଧ୍ୟରେ କୋରେଇ ଷ୍ଟେସନ ଠାରେ ପଣ୍ୟବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ଚଳାଚଳ ଉଭୟ ଲାଇନ କ୍ଷତିଗ୍ରସ୍ତ ହେବା ସହିତ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା। ପୁନରୁଦ୍ଧାର କାର୍ଯ୍ୟ ପାଇଁ ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଏବଂ ଆକ୍ସିଡେଣ୍ଟ୍ ରିଲିଫ୍ ମେଡିକାଲ୍ ଟିମ୍ ପୂର୍ବତଟ ରେଳପଥ ପକ୍ଷରୁ ତୁରନ୍ତ ନିୟୋଜିତ କରାଯାଇଥିଲା।

ରେଳବାଇର କ୍ରମାଗତ ଉଦ୍ୟମ ହେତୁ ପ୍ରଭାବିତ ୱାଗନ ଗୁଡିକୁ ସନ୍ଧ୍ୟା ୫ଘ.୩୫ମି. ମଧ୍ୟରେ ଟ୍ରେନ ଲାଇନ ଉପରୁ ଅପସାରିତ କରାଯାଇ ପାରିଥିଲା ଯାହାଦ୍ୱାରା ଖୁବ କମ ସମୟ ମଧ୍ୟରେ ଡାଉନ ଲାଇନ କୁ କାର୍ଯ୍ୟକାରୀ କରାଇବାପାଇଁ ଅନୁମତି ଦିଆଯାଇଥିଲା।  ସେହପରି ମଧ୍ୟ ରାତ୍ରି ପୂର୍ବରୁ ଉଭୟ ଟ୍ରାକ୍ କୁ ଟ୍ରେନ୍ ଟ୍ରାଫିକ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା। ଉଭୟ ରେଳ ଧାରଣାରେ ଟ୍ରେନ ଚଳାଚଳ ପୂର୍ବରୁ ଓଭର ହେଡ୍ ଇକ୍ୟୁପମେଣ୍ଟସ୍ (OHE) କାର୍ଯ୍ୟଗୁଡ଼ିକର ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା।

ପୁନରୁଦ୍ଧାର କାର୍ଯ୍ୟରେ ଭାରୀ କ୍ଷମତା ସମ୍ପନ୍ନ ଯନ୍ତ୍ରପାତି ଯଥା ଏସ୍କାଭେଟର, ଖନନକାରୀ, କଟର ବ୍ୟବହାର କରାଯିବ ସହିତ ରେଳପଥର ମାନବ ସମ୍ବଳ ମଧ୍ୟ ବ୍ୟବହାର କରାଯାଇଥିଲା।

ତତ୍କାଳ କ୍ଷତିପୂରଣ ପ୍ରଦାନ:

ଏହା ବ୍ୟତୀତ ରେଳପଥର ମହାପ୍ରବନ୍ଧକ ମଧ୍ୟ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ହସ୍ତାନ୍ତର କରିଥିଲେ। ଏହା ସହିତ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଦୁର୍ଘଟଣା ପରେ ଦୁଃଖ ପ୍ରକାଶ କରିବା ସହିତ କ୍ଷତିପୂରଣ ଘୋଷଣା କରିଥିଲେ।

ରେଳ ମନ୍ତ୍ରୀ ଗତକାଲି ମୃତକ ମାନଙ୍କ ପରିବାର ଲୋକଙ୍କୁ ପାଞ୍ଚ ଲକ୍ଷ କ୍ଷତିପୂରଣ ଦେବାକୁ ଘୋଷଣା କରିଥିବାବେଳେ ଗୁରୁତର ଆହତଙ୍କୁ ଏକ ଲକ୍ଷ ଏବଂ ସାମାନ୍ୟ ଆହତ ମାନଙ୍କ ପାଇଁ ୨୫ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ।