Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଜବତ: ପାଞ୍ଚ ବେପାରୀ ଗିରଫ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଆରପିଏଫ ବେଆଇନ ନିଶା ଦ୍ରବ୍ୟ ଚାଲାଣ ଜନିତ ଚଢ଼ାଉ କରି ଷ୍ଟେସନ ପରିସରରୁ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ରେଳ ଷ୍ଟେସନ ଏକ ନମ୍ବର ପ୍ଲାଟଫର୍ମରେ ଚଢ଼ାଉ କରାଯାଇ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ତାମିଲନାଡୁ ସାଲେମ ଜିଲ୍ଲାର ନନ୍ଦକୁମାର ଆର (୨୬), ପ୍ରଶାନ୍ତ ଏମ (୧୮), ଲଗେସ୍ୱରନ ଚନ୍ଦ୍ରଶେଖରନ (୨୨), ବିଶ୍ୱ ମଣିକନ୍ଦନ (୨୧) ଏବଂ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଞ୍ଚଳର ରାଜେଶ ପ୍ରଧାନ (୨୧)।

ସେମାନଙ୍କ ନିକଟରୁ ୨୨ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୫ ହଜାର ଟଙ୍କା ହେବ। ଅଭିଯୁକ୍ତ ମାନେ ଉକ୍ତ ଗଞ୍ଜେଇର ଚୋରା ଚାଲାଣ ପାଇଁ ବାଲୁଗାଁ ଷ୍ଟେସନରେ ଏକ ନିର୍ଦ୍ଦିଷ୍ଟ ଟ୍ରେନ ଯୋଗେ ଚେନ୍ନାଇ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଆରପିଏଫ ହାତରେ ଧରା ପଡ଼ିଥିଲେ। ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

Categories
ଆଞ୍ଚଳିକ

ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ଗିରଫ କଲା କୁହୁଡି ଫାଣ୍ଡି ପୋଲିସ

ଟାଙ୍ଗୀ: ଗତକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହାଟ ବରଡିରେ ଅଟୋଚାଳକ ଦିଲ୍ଲୀପ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଉକ୍ତ ଗ୍ରାମର ନବଘନ ପରିଡ଼ା। ଭୁଜାଲିରେ ଦିଲ୍ଲୀପଙ୍କୁ ଚୋଟ ପକାଇ ଫେରାର ହୋଇଯାଇଥିଲେ ନବଘନ। ଗୁରୁତର ଆହତ ଦିଲ୍ଲୀପଙ୍କ ପିତାଙ୍କ ଅଭିଯୋଗ କ୍ରମେ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ନବଘନଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି।  ଅଭିଯୁକ୍ତ ନବଘନଙ୍କ ବିରୁଦ୍ଧରେ ଆଇପିସି ଦଫା ୨୯୪, ୩୦୭, ୫୦୬ ଆଦି ଲାଗିଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଳମ୍ବିତ ରାତ୍ରିରେ ଟ୍ରକ ଚାଳକଙ୍କ ଠାରୁ ଟଙ୍କା ଲୁଟ୍ ଅଭିଯୋଗରେ ସାମ୍ବାଦିକ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଜଣେ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଛିନତାଇ ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଜନୈକ ସାମ୍ବାଦିକ ଜଣକ ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନା ନିକଟରେ ଏକ ମାଲ ବୋଝେଇ ଟ୍ରକ ଚାଳକଙ୍କୁ ସାମ୍ବାଦିକ ପରିଚୟ ଦେଇ ଜୋର ଜବରଦସ୍ତ ଗାଡ଼ି କାଗଜପତ୍ର ମାଗିବା ସହ ବଟି ମାଗିଥିଲେ ଏବଂ ଟ୍ରକ ଚାଳକ ଏଥିରେ ଅମଙ୍ଗ ହେବାରୁ ତାଙ୍କ ନିକଟରୁ ଟଙ୍କା ଲୁଟିନେଇଥିଲେ।

ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସ୍ଥାନୀୟ ଜନସାଧାରଣ ଓ ପୋଲିସକୁ ମଧ୍ୟ ସାମ୍ବାଦିକଜଣଙ୍କ ଦୁର୍ବ୍ୟବହାର କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ ସାମ୍ବାଦିକଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଆଇପିସି ଦଫା ୩୯୨, କେସ ନମ୍ବର ୩୪୪/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

Categories
ଆଞ୍ଚଳିକ

ବାଣପୁର ଥାନାକୁ ଅଭିଯୋଗ କରିବାକୁ ଆସି ବନ୍ଧାହେଲେ ଅଭିଯୋଗକାରୀ : ତିନୋଟି ପୃଥକ ମାମଲାରେ ୫ ଜଣଙ୍କୁ କୋର୍ଟଚାଲାଣ

ସମୀକ୍ଷା ବ୍ୟୁରୋ
ବାଣପୁର,୧୩/୧୨ : ବୁଧବାର ବାଣପୁର ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ତିନୋଟି ପୃଥକ ଘଟଣାରେ ପୋଲିସ୍‌ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି। ବଚସା ଏବଂ ଆକ୍ରମଣକୁ ନେଇ ଚାରିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଟଙ୍କା ଦେଣନେଣକୁ କେନ୍ଦ୍ରକରି ଅନ୍ୟ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଦିବାକର ରାଉଳ ଓ ପ୍ରଶାନ୍ତ ବେହେରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ବଚସାରୁ ଉଭୟ ହାତାହାତି ହେବାରୁ ନିକଟରେ ଥିବା ରମେଶ ବେହେରାଙ୍କ ଗୁପ୍‌ଚୁପ୍‌ ଗାଡି ଉପରେ ପଡି ଯାଇଥିଲେ। ଗୁପ୍‌ଚୁପ ଗାଡିଟି ନଷ୍ଟ ହୋଇଯାଇଥିବା ବେଳେ କ୍ଷତିପୂରଣ ପ୍ରଦାନ ନକରି ଉଭୟ ସେଠାରୁ ପଳାଇଥିଲେ। ପ୍ରଶାନ୍ତ ଘଟଣା ସ୍ଥଳରୁ ଦୌଡୁଥିବା ବେଳେ ଦିବାକର ତାଙ୍କ ପଛରେ ଗୋଡାଇଥିଲେ। ନଇ ସାହି ଦେଇ ଯାଉଥିବା ବେଳେ ମୁସ୍‌ଲିମ୍‌ ସାହିର କରିମ୍‌ ଖାନ୍‌ ଏବଂ ସୋଏବ୍‌ ଅଖ୍‌ତାରଙ୍କ ସହିତ ଦିବାକରଙ୍କ ଝଗଡା ହୋଇଥିଲା। ଉଭୟଙ୍କ ଆକ୍ରମଣରେ ଦିବାକରଙ୍କ ମୁଣ୍ଡ ଫାଟିଯିବା କାରଣରୁ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍‌ କେସ୍‌ ନମ୍ବର ୩୪୮/୧୯ରେ ମାମଲା ରୁଜୁ କରିଥିଲା। ଏହା ସହିତ ସୋଏବ ଏବଂ କରିମ୍‌ଙ୍କ ବିରୋଧରେ ଧାରା ୩୪୧,୨୯୪, ୫୦୬, ୩୨୩ ଏବଂ ୩୨୪ ଲାଗୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା।

ଏହାପରେ ଗୁପ୍‌ଚୁପ୍‌ ବେପାରୀ ରମେଶ ବେହେରାଙ୍କ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା। ଗୁପ୍‌ଚୁପ୍‌ ଗାଡି ଭଙ୍ଗାକୁ ନେଇ ଦିବାକର ଏବଂ ପ୍ରଶାନ୍ତଙ୍କ ନାମରେ ସେ ଅଭିଯୋଗ କରିଥିଲେ। ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର ୩୪୯/୧୯ ଦାୟର କରାଯିବା ସହିତ ଧାରା ୨୯୪, ୩୨୩, ୫୦୬, ୪୨୭ ଓ ୩୪ ଅନୁସାରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ଦୁଇ ମାମଲାକୁ ବାଣପୁର ଥାନା ଏ.ସ.ଆଇ ବସନ୍ତ କୁମାର ସେଠି ପରିଚାଳନା କରୁଛନ୍ତି।

ସେହିପରି ଟଙ୍କା ଦେଣନେଣ ମାମଲାରେ ପୋଲିସ୍‌ ଅନ୍ୟଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କପିଳେଶ୍ବରପୁରର ତୁଳସୀ ବେହେରାଙ୍କ ନିକଟରୁ ପାଟପୁରର ରବି ପଲେଇ ୪୦ ହଜାର ଟଙ୍କା ଉଧାର ନେଇଥିଲେ। ବାରମ୍ବାର ମାଗିବା ସତ୍ତ୍ବେ ରବି ଅର୍ଥ ଫେରସ୍ତ କରୁନଥିବାରୁ ତୁଳସୀଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ରବିଙ୍କୁ କୋର୍ଟ ଚାଲାଣ କରିଥିଲା। ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର ୩୪୭/୧୯ରେ ଧାରା ୪୨୦, ୪୦୬, ୨୯୪ ଏବଂ ୫୦୬ ଅନୁସାରେ ରବିଙ୍କୁ କୋର୍ଟ ଚାଲାଣ କରାଯାଇଛି। ବାଣପୁର ଥାନା ଏ.ଏସ.ଆଇ ଶ୍ରୀନିବାସ ପ୍ରଧାନ ଏହି ମାମଲା ପରିଚାଳନା କରୁଛନ୍ତି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ