Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱରରେ କୋଲ ଇଣ୍ଡିଆର ପ୍ରଥମ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ କନ୍‌କ୍ଲେଭ

ଭୁବନେଶ୍ୱର: କୋଲ ଇଣ୍ଡିଆ ଲିମିଟେଡ୍‌ର ପ୍ରଥମ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ (ଆଇଆର) କନ୍‌କ୍ଲେଭ-୨୦୨୨ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। “ବ୍ୟବସାୟ ସକ୍ଷମ ଆଇଆର ପରିବେଶ ସୃଷ୍ଟି” ଥିମ୍‌କୁ ନେଇ ଆୟୋଜିତ ଏହି ଦୁଇ ଦିନିଆ କନ୍‌କ୍ଲେଭକୁ କୋଲ ଇଣ୍ଡିଆ ଲିମିଟେଡ୍‌ର ନିର୍ଦ୍ଦେଶକ (ପର୍ସନାଲ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ (ଆଇଆର) ବିନୟ ରଞ୍ଜନ ଉଦ୍‌ଘାଟନ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କେଶବ ରାଓ, ନିର୍ଦ୍ଦେଶକ (ପର୍ସନାଲ) ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମସିଏଲ୍‌)-ସମ୍ବଲପୁର, ଏଚ୍ ଏନ୍ ମିଶ୍ର, ନିର୍ଦ୍ଦେଶକ (ପର୍ସନାଲ), ସେଣ୍ଟ୍ରାଲ କୋଲଫିଲ୍ଡ ଲିମିଟେଡ୍ (ସିସିଏଲ୍‌)-ରାଞ୍ଚି, ମନୀଷ କୁମାର, ନିର୍ଦ୍ଦେଶକ (ପର୍ସନାଲ), ଉତ୍ତରାଞ୍ଚଳ କୋଲଫିଲ୍ଡ ଲିମିଟେଡ୍ (ଏନ୍‌ସିଏଲ୍‌), ଆହୁତି ଏ, ନିର୍ଦ୍ଦେଶକ (ପର୍ସନାଲ), ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡ୍ (ଇସିଏଲ୍‌), ଅଜୟ ଚୌଧୁରୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପର୍ସନାଲ), କୋଲ ଇଣ୍ଡିଆ ଉପସ୍ଥିତ ଥିଲେ।

ଏହି କନ୍‌କ୍ଲେଭକୁ ଉଦ୍‌ଘାଟନ କରି ବିନୟ ରଞ୍ଜନ, ନିର୍ଦ୍ଦେଶକ (ପର୍ସନାଲ ଆଣ୍ଡ ଆଇଆର) କହିଛନ୍ତି, ଏହି ଦୁଇଦିନିଆ କନ୍‌କ୍ଲେଭ୍ କୋଇଲା କମ୍ପାନୀର ଏଚ୍‌ଆର୍ ପ୍ରଫେସନାଲମାନଙ୍କୁ ସେମାନଙ୍କର କାର୍ଯ୍ୟର ଅଭିଜ୍ଞତା ବାଣ୍ଟିବା ସହିତ ବିଶେଷଜ୍ଞଙ୍କଠାରୁ ପରାମର୍ଶ ଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବ।

ସ୍ୱାଗତ ଭାଷଣ ମାଧ୍ୟମରେ ଆଇଆର କନ୍‌କ୍ଲେଭ ବିଷୟବସ୍ତୁର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଦେଇ ଏମସିଏଲ୍ ନିର୍ଦ୍ଦେଶକ (ପର୍ସନାଲ) କେଶବ ରାଓ କହିଛନ୍ତି, କନ୍‌କ୍ଲେଭରେ ଥିବା ବିଷୟଗୁଡିକ କେବଳ ସାମ୍ପ୍ରତିକ ପରିସ୍ଥିତିରେ ପ୍ରାସଙ୍ଗିକ ନୁହେଁ, ବରଂ ଏଚ୍‌ଆର୍ ପ୍ରଫେସନାଲମାନଙ୍କ ମଧ୍ୟରେ ଜବରଦସ୍ତ ବିଚାର ଓ ବିତର୍କ ସୃଷ୍ଟି କରିବାରେ ସକ୍ଷମ।
କୋଲ ଇଣ୍ଡିଆ ଦେଶର ପ୍ରମୁଖ କର୍ପୋରେଟ୍‌ମାନଙ୍କ ମଧ୍ୟରେ ରହିଛି ଏବଂ ବିକାଶଶୀଳ ଅର୍ଥନୀତି ପାଇଁ ବଢୁଥିବା ଶକ୍ତି ଆବଶ୍ୟକତାକୁ ସଫଳତାର ସହ ପୂରଣ କରିବ ବୋଲି ଶ୍ରୀ ରାଓ କହିଛନ୍ତି।

କୋଭିଡ୍ ଲକ୍‌ଡାଉନ ସମୟରେ ପରିସ୍ଥିତି ବିଷୟରେ ଉଲ୍ଲେଖ କରି ଶ୍ରୀ ରାଓ କହିଛନ୍ତି, ଦୀର୍ଘଦିନର ତାଲାବନ୍ଦ ଓ ଜୀବନ ପ୍ରତି ବିପଦ ସତ୍ତ୍ୱେ କୋଲ ଇଣ୍ଡିଆର କର୍ମଚାରୀମାନେ ଦୃଢ ଭାବେ ଠିଆ ହୋଇଥିଲେ। ଉତ୍ତାପ, ଧୂଳି, ଥଣ୍ଡା ଓ ବର୍ଷାରେ କଠିନ ପରିଶ୍ରମ କରି ଦେଶର ବିଦ୍ୟୁତ ସଙ୍କଟକୁ ଦୂର କରିବା ପାଇଁ ବହୁ ପରିମାଣର କୋଇଲା ଉତ୍ତୋଳନ କରିଥିଲେ। କୋଇଲା ଉତ୍ତୋଳନ ଓ ବିତରଣ ମାଧ୍ୟମରେ ବର୍ଦ୍ଧିତ ଚାହିଦା ମେଣ୍ଟାଇ ଦେଶର ଆଶା ପୂରଣ କରିପାରିଥିବାରୁ ଆମେ ଗର୍ବିତ ବୋଲି ସେ କହିଛନ୍ତି।

ଏହି ଦୁଇଦିନବ୍ୟାପୀ କନ୍‌କ୍ଲେଭରେ ବିଭିନ୍ନ ପ୍ରସଙ୍ଗରେ ୧୪ଜଣ ବିଶେଷଜ୍ଞ ସେମନଙ୍କ ମଦ ଉପସ୍ଥାପନ କରିବେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

୨୦୨୩-୨୪ ସୁଦ୍ଧା କୋଲ ଇଣ୍ଡିଆ ୫୦୦ଟି ପ୍ରକଳ୍ପରେ ବିନିଯୋଗ କରିବ ୧.୨୨ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ, ଆଗାମୀ ୨୦୨୩-୨୪ ସୁଦ୍ଧା ଏକ ବିଲିୟନ ଟନ କୋଇଲା ଉତ୍ପାଦନ କରି ଦେଶକୁ କୋଇଲା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ନିଷ୍ପତ୍ତି ହୋଇଛି । କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) କୋଇଲା ଉତ୍ତୋଳନ ଭିତ୍ତିଭୂମି ଓ ପ୍ରକଳ୍ପ ବିକାଶ କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ କରି ୫୦୦ଟି ପ୍ରକଳ୍ପ ପାଇଁ ୧.୨୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ।

ସିଆଇଏଲ ପକ୍ଷରୁ ଆୟୋଜିତ ଭିଡିଓ କନଫରେନ୍ସ ଜରିଆରେ ଏହାର ଅଂଶୀଦାରମାନଙ୍କୁ ସମ୍ବୋଧନ କରି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହା କହିଛନ୍ତି। ଅଂଶୀଦାରମାନଙ୍କର କମ୍ପାନୀ ବ୍ୟାପାରରେ ପ୍ରତ୍ୟକ୍ଷ ସହଯୋଗ ଯୋଗୁଁ ପ୍ରକଳ୍ପ ବିକାଶ ପାଇଁ ଥିବା ବାଧାବିଘ୍ନ ଦୂର ହୋଇପାରିବ । ଉଭୟଙ୍କ ସହଯୋଗ ଯୋଗୁଁ ନୂତନ ଚିନ୍ତାଧାରାର ଉପଯୋଗ ହୋଇପାରିବ ବୋଲି ଯୋଶୀ କହିଛନ୍ତି ।

ଅଂଶୀଦାରମାନଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ କହିଲେ ଯେ, କୋଲ ଇଣ୍ଡିଆ ସହିତ ବ୍ୟବସାୟ ପାଇଁ ବିଶେଷ ସୁଯୋଗ ରହିଛି । ୨୦୨୩-୨୪ ସୁଦ୍ଧା କମ୍ପାନୀ ଏହାର ୪୯ଟି ଫାଷ୍ଟ ମାଇଲ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଦୁଇଟି ପର‌୍ୟ୍ୟାୟରେ ୧୪,୨୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ । ପ୍ରଥମରେ କୋଇଲା ବୋଝେଇ ସ୍ଥାନରୁ ଖଲାସ ସ୍ଥାନ ପର‌୍ୟ୍ୟନ୍ତ ଫାଷ୍ଟ ମାଇଲ ସଂଯୋଗୀକରଣରେ ପରିବହନ କରାଯିବ । ଏହାର ମୂଳ ଉଦ୍ଦେଶ୍ୟ କୋଇଲା ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା । ବର୍ତ୍ତମାନ ଦୁଇଟି ସ୍ଥାନ ମଧ୍ୟରେ ହେଉଥିବା ସଡକ ପରିବହନ ପରିବର୍ତ୍ତେ ଏଥିପାଇଁ କମ୍ପ୍ୟୁଟରର ସହାୟତା ନିଆଯିବ ।

ପ୍ରସ୍ତାବିତ ୧.୨୨ ଲକ୍ଷ କୋଟି ବିନିଯୋଗ ମଧ୍ୟରୁ ସିଆଇଏଲ କୋଇଲା ପ୍ରକଳ୍ପ ପ୍ରସ୍ତୁତି ଭିତ୍ତିଭୂମି ବାବଦକୁ ୩୬,୬୯୬ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଖଣି ଭିତ୍ତିଭୂମି ବାବଦକୁ ୨୫, ୧୧୭ କୋଟି, ପ୍ରକଳ୍ପ ବିକାଶ ପାଇଁ ୨୯,୪୬୧ କୋଟି, ବୈଷୟିକ ଜ୍ଞାନ ଓ ବିଭିନ୍ନ ସ୍ଥାନକୁ ନେବା ପାଇଁ ୩୨,୧୯୯ କୋଟି, ସାମାଜିକ ଭିତ୍ତିଭୂମି ପାଇଁ ୧,୪୯୫ କୋଟି ଏବଂ ଉତ୍ତୋଳନ କାର‌୍ୟ୍ୟ ପାଇଁ ୧,୮୯୩ କୋଟି ଟଙ୍କା ୨୦୨୩-୨୪ ମଧ୍ୟରେ ଖର୍ଚ୍ଚ ହେବ ।

ଭବିଷ୍ୟତରେ ରପ୍ତାନି କମ କରି ଅଧିକ କୋଇଲା ଉତ୍ପାଦନ ସୁନିଶ୍ଚିତ କରିବା ପାଇଁ କୋଲ ଇଣ୍ଡିଆ ୧୫ଟି ଗ୍ରୀନଫିଲ୍ଡ ପ୍ରକଳ୍ପ ଚିହ୍ନଟ କରିଛି । ଏହି ପ୍ରକଳ୍ପଗୁଡ଼ିକୁ ମାଇନ ଡ଼େଭ୍ଲପର ଏଣ୍ଡ ଅପରେଟର (ଏମଡିଓ) ଜରିଆରେ କରାଯିବ । ଏଥିପାଇଁ ମୋଟ ୩୪,୬୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ୨୦୨୪ ଆର୍ଥିକ ବର୍ଷ ସୁଦ୍ଧା ୧୭ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ପ୍ରକଳ୍ପ ପ୍ରସ୍ତୁତି ଭିତ୍ତିଭୂମି ବାବଦରେ କୋଲ ଇଣ୍ଡିଆକୁ ବହୁଳ ବ୍ୟୟ କରିବାକୁ ପଡିଥାଏ । ରେଳ ବ୍ୟବସ୍ଥା ପାଇଁ ୧୩ ହଜାର କୋଟି, ରେଳ ସ୍ଲାଇଡିଂ ପାଇଁ ୩,୧୦୦ କୋଟି, ନିଜର ୱାଗନ କ୍ରୟ ବାବଦକୁ ୬୭୫ କୋଟି ଏହିପରି ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ୧୬,୫୦୦ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି।

ମନ୍ତ୍ରୀ କହିଛନ୍ତି ଯେ, କୋଲ ଇଣ୍ଡିଆ ଏବଂ ଏହାର ଅନ୍ୟାନ୍ୟ ଶାଖା କମ୍ପାନୀଗୁଡ଼ିକ ବିଭିନ୍ନ ପ୍ରକାର ସାମଗ୍ରୀ କାର‌୍ୟ୍ୟ ଓ ସେବା ବାବଦକୁ ବାର୍ଷିକ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହିସବୁ କାର‌୍ୟ୍ୟ ହାତକୁ ନେବା ପାଇଁ ଅଂଶୀଦାରମାନେ ଆଗେଇ ଆସିବାକୁ ପଡିବ। କୋଲ ଇଣ୍ଡିଆ ଯେପରି କାର‌୍ୟ୍ୟ ଓ ସେବାକୁ ସ୍ଵଚ୍ଛ ରଖିବ ସେଥିପାଇଁ ଏହାର ନିୟମାବଳୀଗୁଡିକରେ ଅନେକ ପରିବର୍ତ୍ତନ କରାଯାଇଛି। ଏହା ଭେଣ୍ଡର ଓ ଅଂଶୀଦାରମାନଙ୍କୁ ସୁହାଇବା ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

କୋଇଲା ସଚିବ ଶ୍ରୀ ଅନିଲ କୁମାର ଜୈନ, କୋଲ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ ଅଗ୍ରୱାଲ, ସିଆଇଏଲର ବରିଷ୍ଠ ଅଧିକାରୀମାନେ ଏହି ସମ୍ମିଳନୀରେ ଯୋଗଦେଇ ଅଂଶୀଦାରମାନଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ। ଅଂଶୀଦାରମାନଙ୍କୁ ଅଧିକ ସୁଯୋଗ ଦେବା ପାଇଁ କୋଲ ଇଣ୍ଡିଆ ଏହାର ଟେଣ୍ଡର ପ୍ରକ୍ରିୟାକୁ ଅନେକ ସରଳ କରିଛି, ଖଣି ଟେଣ୍ଡର ପାଇଁ ଅଭିଜ୍ଞତା ଶ୍ରେଣୀକୁ ଶତକଡା ୬୦ ରୁ ୫୦ ଭାଗକୁ ହ୍ରାସ କରାଯାଇଥିବା ବେଳେ କାର‌୍ୟ୍ୟ ଅଭିଜ୍ଞତାକୁ କେତେକ କ୍ଷେତ୍ରରେ ଶତକଡା ୫୦ ଭାଗ ଯାଏଁ ହ୍ରାସ କରାଯାଇଛି।