Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ: ଚୂଡାନ୍ତ ହେଲା ମେଗା ନିଲାମ ତାରିଖ!, ବାଙ୍ଗାଲୋରରେ ଦୁଇ ଦିନ ପାଇଁ ଚାଲିବ ଏହି ପ୍ରକ୍ରିୟା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ପରବର୍ତ୍ତୀ ସିଜନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଆଇପିଏଲ ପୂର୍ବରୁ ଏକ ମେଗା ନିଲାମ ହେବ। ସୂଚନା ଅନୁଯାୟୀ, କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ମେଗା ନିଲାମକୁ ଚୂଡ଼ାନ୍ତ ରୂପ ଦେଇଛି। ଯଦିଓ ବିସିସିଆଇ ଦ୍ୱାରା ନିଲାମ ତାରିଖ ଘୋଷଣା କରାଯାଇ ନାହିଁ, କିନ୍ତୁ କ୍ରିକେଟ୍ ୱେବସାଇଟ୍ କ୍ରିକବଜ୍ ରିପୋର୍ଟ ଅନୁଯାୟୀ ଏହି ନିଲାମ ତାରିଖ ଚୂଡାନ୍ତ ହୋଇଛି।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୧୨ ତାରିଖ ଏବଂ ୧୩ ତାରିଖରେ ବେଙ୍ଗାଲୁରୁରେ ଆଇପିଏଲ୍ ୨୦୨୨ର ମେଗା ନିଲାମ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଫେବୃଆରୀ ୭ ତାରିଖ ଏବଂ ୮ ତାରିଖରେ ନିଲାମ ହେବ ବୋଲି ଖବର ଆସିଥିଲା, କିନ୍ତୁ ବର୍ତ୍ତମାନ କ୍ରିକବଜ୍ ଏହି ଖବରକୁ ଅସ୍ୱୀକାର କରିଛି।

ଅଧିକାଂଶ ଦଳ ବିଶ୍ଵାସ କରନ୍ତି ଯେ, ପ୍ରତି ତିନି ବର୍ଷରେ ଏକ ମେଗା ନିଲାମ ହେଲେ ଦଳର ମିଶ୍ରଣ ନଷ୍ଟ ହୋଇଯାଏ। ଦିଲ୍ଲୀ କ୍ୟାପିଟାଲର ସହ-ମାଲିକ ପାର୍ଥ ଜିନ୍ଦଲ କହିଛନ୍ତି ଯେ, ଏକ ଦଳ ଗଠନ କରିବାରେ ଏତେ ପରିଶ୍ରମ କରିବା ପରେ ଖେଳାଳିଙ୍କୁ ଏକାଠି କରିବା ଅତ୍ୟନ୍ତ କଷ୍ଟକର। ଏଭଳି ପରିସ୍ଥିତିରେ ଆଗାମୀ ମେଗା ନିଲାମ ଏହି ଲିଗର ଶେଷ ଘଟଣା ହୋଇପାରେ ବୋଲି ବିଶ୍ୱାସ କରାଯାଏ। ଏହା ପରେ କେବଳ କମ ପରିମାଣରେ ନିଲାମର ଆୟୋଜନ କରାଯିବ।

ଏଥର ନିଲାମ ଏକ ବଡ଼ ଆକାରରେ ହେବ। ସେଥିପାଇଁ ଅନେକ ବଡ ଖେଳାଳି ମଧ୍ୟ ମେଗା ନିଲାମରେ ଅଂଶଗ୍ରହଣ କରୁଛନ୍ତି। ଡେଭିଡ ୱାର୍ଣ୍ଣର, କେ.ଏଲ୍ ରାହୁଲ, ଶିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ରସିଦ ଖାନ, ଦୀନେଶ କାର୍ତ୍ତିକଙ୍କ ଭଳି ଅନେକ ଖେଳାଳି ଆଇପିଏଲ ୨୦୨୨ ନିଲାମରେ ଅନ୍ତର୍ଭୁକ୍ତ। ବାସ୍ତବରେ, ଫ୍ରାଞ୍ଚାଇଜ୍ ମାନଙ୍କୁ କେବଳ ଚାରିଜଣ ଖେଳାଳିଙ୍କୁ ରଖିବାକୁ ଅନୁମତି ଦିଆଯାଇଛି, ଅନ୍ୟ ସମସ୍ତ ଖେଳାଳି ନିଲାମକୁ ଯିବେ।