Categories
ଆଜିର ଖବର ଖେଳ ଜାତୀୟ ଖବର

ନୀତା ଅମ୍ବାନୀଙ୍କୁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର ପୁରସ୍କାର

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀଙ୍କୁ ଭାରତରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର (ମହିଳା) ପୁରସ୍କାରରେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସିଆଇଆଇ ସ୍କୋରକାର୍ଡ଼ ୨୦୨୩ କାର୍ଯ୍ୟକ୍ରମରେ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। ଏଥିସହିତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷର ମାନକ ସ୍ଥାପିତ କରିଥିବାରୁ ରିଲାଏନ୍ସ ଫାଉଣ୍ଡେସନକୁ ମଧ୍ୟ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ. ଅମ୍ବାନୀ କହିଛନ୍ତି ” ସିଆଇଆଇ ସ୍ପୋର୍ଟ୍ସ ବିଜିନେସ ଆୱାର୍ଡରେ ସ୍ପୋର୍ଟ୍ସ ଲିଡର-ଅଫ-ଦି-ଇୟର ପୁରସ୍କାର ଏବଂ କ୍ରୀଡାକୁ ପ୍ରୋତ୍ସାହନ ଦେଉଥିବା ଶ୍ରେଷ୍ଠ କର୍ପୋରେଟ ପୁରସ୍କାର ଗ୍ରହଣ କରି ମୁଁ ବେଶ ଗୌରବାନ୍ୱିତ ଅନୁଭବ କରୁଛି। କ୍ରୀଡା ଏକ ଅନନ୍ୟ ଏକତା ଓ ସମାନତା ସୃଷ୍ଟିକାରୀ ଏବଂ ଶକ୍ତି ପ୍ରଦାନକାରୀ ବୋଲି ମୋର ଦୃଢ ବିଶ୍ୱାସ ରହିଛି। ୨୦୨୩ ବର୍ଷ ବାସ୍ତବରେ ଭାରତର କ୍ରୀଡା ଉତ୍କର୍ଷର ବର୍ଷ ହୋଇଛି। ବିବିଧ କ୍ରୀଡ଼ାରେ ମେଡାଲ ଜିତି ଓ ବିଜୟୀ ହୋଇ ଆମ ଆଥଲେଟମାନେ ବିଶ୍ୱ ସ୍ତରରେ ଦେଶର ଗୌରବ ବଢ଼ାଇଛନ୍ତି। ୧୪୧ତମ ଆନ୍ତର୍ଜାତିକ ଅଲମ୍ପିକ କମିଟି ଅଧିବେଶନ ମୁମ୍ବାଇରେ ଆୟୋଜିତ କରି ଆମେ ଅଲମ୍ପିକ ଅଭିଯାନକୁ ୪୦ ବର୍ଷ ପରେ ଭାରତକୁ ନେଇଆସିଛୁ। ରିଲାଏନ୍ସ ଫାଉଣ୍ଡେସନରେ ଆମେ ଭାରତର ଯୁବ ପିଢ଼ିକୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଓ ସହାୟତା ପ୍ରଦାନ କରି ଭାରତକୁ ବିଶ୍ୱର କ୍ରୀଡା ଶକ୍ତିକେନ୍ଦ୍ରରେ ପରିଣତ କରିବାକୁ ପ୍ରତିବଦ୍ଧ ରହିଛୁ।”

Categories
ଆଜିର ଖବର ଖେଳ ରାଜ୍ୟ ଖବର

କ୍ରୀଡା କ୍ଷେତ୍ର ଉପରେ କଡା କାର୍ଯ୍ୟାନୁଷ୍ଠାନ: ୪ ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: କ୍ରୀଡା କ୍ଷେତ୍ର ଉପରେ ମଧ୍ୟ ରାଜ୍ୟ ସରକାରଙ୍କ କଡା ନଜର ରହିଛି। କ୍ରିଡା କ୍ଷେତ୍ର ପାଇଁ ନିଯୁକ୍ତ ଅଧିକାରୀମାନେ ଯଦି ତାଙ୍କ କାର୍ଯ୍ୟରେ ଅବହେଳା କରନ୍ତି, ତେବେ ରାଜ୍ୟ ସରକାରଙ୍କ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। କ୍ରୀଡା କ୍ଷେତ୍ରରେ ୪ ଜଣ ବରିଷ୍ଠ ପ୍ରଶିକ୍ଷକଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।

ଭଲି ବଲ୍ କୋଚ୍ ପ୍ରଭାକର ତ୍ରିପାଠୀ ଓ ଜ୍ଞାନେନ୍ଦ୍ର ବଢେଇଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହିଭଳି ବକ୍ସିଂ କୋଚ୍ ଶଙ୍କର ପ୍ରସାଦ ଅଧିକାରୀ ଏବଂ ହ୍ୟାଣ୍ଡବଲ୍ ପ୍ରଶିକ୍ଷକ ମନୋଜ କୁମାର ଦାସଙ୍କୁ ମଧ୍ୟ ରାଜ୍ୟ ସରକାର ଅବସର ଘୋଷଣା କରିଛନ୍ତି।

ସଠିକ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରୁନଥିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ଆସୁଥିଲା। ଏତଦବ୍ୟତିତ ଜାତୀୟ କିମ୍ବା ଆନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ରାଜ୍ୟରୁ କୌଣସି ଯୁବ ଖେଳାଳିଙ୍କୁ ବାହାର କରିନଥିବା ଅଭିଯୋଗ ହେଉଥିଲା। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ସତର୍କ ଦିଆଯାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନଥିଲା। ଯାହାଫଳରେ ଏହି ସମସ୍ତ ବରିଷ୍ଠ ପ୍ରଶିକ୍ଷକଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି।