Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଯୋଜନାରେ ସୁଧାର: ଆଜି ଠାରୁ ଲାଗୁ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ  ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌ ୨୦୨୩-୨୪ ଉପସ୍ଥାପନ କରିବା ସମୟରେ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍‌ ଗ୍ୟାରେଣ୍ଟି ଯୋଜନାରେ ସୁଧାର ଲାଗି ଘୋଷଣା କରିଥିଲେ। ବର୍ତ୍ତମାନ ସଂଶୋଧିତ ଯୋଜନା ଆଜି ଠାରୁ ଲାଗୁ ହେବ। ଏଥିପାଇଁ ସରକାର ୯,୦୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବିନିଯୋଗ କରିବେ। ଯାହାଫଳରେ ୨ ଲକ୍ଷ କୋଟି ଟଙ୍କାର ବନ୍ଧକ-ମୁକ୍ତ ଗ୍ୟାରେଣ୍ଟିଯୁକ୍ତ ଋଣ ଯୋଗାଇଦେବା ସମ୍ଭବ ହୋଇପାରିବ ଏବଂ ଏହା ଋଣ ଖର୍ଚ୍ଚକୁ ପ୍ରାୟ ୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବ।

ସରକାରଙ୍କ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ନିମ୍ନ ପଦକ୍ଷେପ ନିଆଯାଇଛି:

ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ କର୍ପସ (ସିଜିଟିଏମଏସଇ) ୩୦ ମାର୍ଚ୍ଚ ୨୦୨୩ରେ ୮,୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି।

ସିଜିଟିଏମଏସଇ ପକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ବାର୍ଷିକ ଗ୍ୟାରେଣ୍ଟି ଶୁଳ୍କ ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରାଯାଇଛି। ବାର୍ଷିକ ଶୁଳ୍କ ପରିମାଣ ସର୍ବାଧିକ ୨%ରୁ ସର୍ବନିମ୍ନ ୦.୩୭%ରେ ଧାର୍ଯ୍ୟ ହୋଇଛି। ଏହା ଲଘୁ ଓ କ୍ଷୁଦ୍ର ଉଦ୍ୟୋଗକୁ ଦିଆଯାଉଥିବା ଋଣ ଉପରେ ସାମଗ୍ରିକ ଖର୍ଚ୍ଚକୁ ଅନେକ ପରିମାଣରେ ହ୍ରାସ କରିବ।

ଗ୍ୟାରେଣ୍ଟି ପାଇଁ ସିଲିଂ ଉପରେ ସୀମାକୁ ୨ କୋଟି ଟଙ୍କାରୁ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବକେୟା ପାଇଁ ଗ୍ୟାରେଣ୍ଟି କ୍ଷେତ୍ରରେ ଦାବିଗୁଡ଼ିକର ସମାଧାନ ପାଇଁ ଏଣିକ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡ଼ିବ ନାହିଁ।

୨୦୨୨-୨୩ ଆର୍ଥିକ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ଗ୍ୟାରେଣ୍ଟିକୁ ମଞ୍ଜୁର କରି ସିଜିଟିଏମଏସଇ ଏକ ଐତିହାସିକ ଉପଲବ୍ଧି ହାସଲ କରିଛି।