Categories
ଆଜିର ଖବର ଜାତୀୟ ଖବର

ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ସେମାନଙ୍କର ୭ ଦଫା ଦାବିକୁ ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ଯୋଜନା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା। ଏହା ରାଜ୍ୟର ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ବହୁଗୁଣିତ କରିଥିଲେ ମଧ୍ୟ ଏହି ପ୍ରକଳ୍ପ ବିସ୍ଥାପିତ ହୋଇଥିବା ହଜାର ହଜାର ସ୍ଥାନୀୟ ବାସିନ୍ଦାଙ୍କୁଚିରକାଳ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି। ପ୍ରାୟ ଚାରି ଦଶନ୍ଧିର ଏ ଦୁର୍ଦ୍ଦଶା ଆଜି ବି ଆମକୁ ମର୍ମାହତ କରୁଛି।

ରେଙ୍ଗାଳି ଯୋଜନାରେ ୧୯୭୩ ମସିହାରେ ଅନୁଗୋଳ ଜିଲ୍ଲାର ପାଲଲହଡା, ତାଳଚେର ଏବଂ ଦେବଗଡ଼ ଜିଲ୍ଲାର ମୋଟ ୨୬୩ ଗୋଟି ଗ୍ରାମ ଜଳମଗ୍ନ ହେବା ସହ ପ୍ରାୟ ୧୩ ହଜାର କୁଟୁମ୍ବ ବାସହରା ହୋଇଥିଲେ । ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଅଭାବରୁ ଅନେକଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା । କୌଣସି ସ୍ପଷ୍ଟ ବିସ୍ଥାପନ ନୀତି ନ ଥାଇ କିମ୍ବା କୌଣସି  ଗ୍ରାମସଭା, ପଲ୍ଲୀସଭା ଅବା ଜନଶୁଣାଣି କରା ନ ଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ଥାପନ ପାଇଁ ବାଧ୍ୟ କରାଗଲା । ଏ ଭିତରେ ବ୍ରାହ୍ମଣୀରେ ଅନେକ ପାଣି ବହିଗଲାଣି । ନ୍ୟାୟ ପାଇଁ ଅନେକ ଗଣଧାରଣା, ଅନଶନ, ପ୍ରତିବାଦ ଓ ବିକ୍ଷୋଭ ମଧ୍ୟ ହୋଇଗଲାଣି । ତଥାପି ବିସ୍ଥାପିତଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ଆସିନାହିଁ।

ବିସ୍ଥାପିତଙ୍କ ହକ୍ ପାଇଁ ଗଡ଼ଜାତ ଆନ୍ଦୋଳନର ପୁରୋଧା ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ ଏକଦା ଆନ୍ଦୋଳନର ଡାକରା ଦେଇଥିଲେ । ତାଙ୍କ ଅବର୍ତ୍ତମାନରେ ଅନୁରୂପ ବଳିଷ୍ଠ ନେତୃତ୍ୱର ଅଭାବରୁ କ୍ଷତିଗ୍ରସ୍ତଙ୍କୁ ଆଉ ନ୍ୟାୟ ମିଳିଲା ନାହିଁ, ଯାହା ଦୁଃଖର ବିଷୟ। ଗରିବ, ଖଟିଖିଆ, ଚାଷୀ, ପଛୁଆ ବର୍ଗ, ତଥା ଦଳିତ ଓ ଆଦିବାସୀ ଜନସାଧାରଣ ବର୍ଗର ପ୍ରାୟ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ବିସ୍ଥାପିତ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପାଇଁ ସମ୍ବଳ ନ ଥିବାରୁ ଆଜି ନିଜକୁ ଉପେକ୍ଷିତ ଓ ଅପମାନିତ ମଣୁଛନ୍ତି । ଏପରିକି ଗଡ଼ଜାତ ଅଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଏହା ଚରମ  ପ୍ରତିଫଳନ ବୋଲି ମଧ୍ୟ ବିଚାରୁଛନ୍ତି ।

ପାଲଲହଡ଼ା ରେଙ୍ଗାଳି ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘର ବାସଚ୍ୟୁତ ଜନସାଧାରଣଙ୍କ ଦୁରବସ୍ଥା ଆଜି ସୀମା ଟପିବାକୁ ବସିଲାଣି । ସଂଘର ସଭ୍ୟମାନେ ୭ ଦଫା ଦାବି ନେଇ ରେଙ୍ଗାଳି ଜଳଭଣ୍ଡାର ସଂଲଗ୍ନ ପାଳଲହଡା ଦ୍ଵିତୀୟ ଚିଲିକାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏବେ ଜଳ ସତ୍ୟାଗ୍ରହ କରୁଛନ୍ତି । ଆବଶ୍ୟକ ପଡ଼ିଲେ ଉକ୍ତ ଜଳଭଣ୍ଡାରରେ ସେମାନେ ଜଳସମାଧି ନେବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ବିସ୍ଥାପିତମାନଙ୍କ ସମସ୍ତ ଦାବିକୁ ସମ୍ମାନ ଜଣାଇ ଏଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଆନ୍ତରିକତା ଦେଖାଇବା ସହ ସମୟୋଚିତ ପଦକ୍ଷେପ ଗ୍ରହଣପୂର୍ବକ ବିସ୍ଥାପିତଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ତତ୍ପରତା ପ୍ରକାଶ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଉଲ୍ଲେଖନୀୟ ଯେ, ବିସ୍ଥାପିତଙ୍କ ୭ ଦଫା ଗୁଡିକ ହେଲା ଉଚ୍ଚକ୍ଷମତା ସମ୍ପୂର୍ଣ୍ଣ କମିଟିର ସୁପାରିଶ କ୍ରମେ ଏକର ପ୍ରତି ୫୦ ହଜାର ଅନୁକମ୍ପା ମୂଳକ ବନ୍ଧିତ କ୍ଷତିପୂରଣ ଟଙ୍କା ତୁରନ୍ତ ପ୍ରଦାନ କରିବା । ସ୍ଥାୟୀ ପଟ୍ଟା ପ୍ରଦାନ, ଖଣି ଖାଦାନ ଅଂଚଳରେ ବିସ୍ଥାପିତ ପରିବାରର ଜଣେ ସଦସ୍ୟଙ୍କ ସ୍ଥାୟୀ ନିଯୁକ୍ତି, ସମସ୍ତ ବିସ୍ଥାପିତଙ୍କୁ ଗରିବ ଶ୍ରେଣୀ ଭୂକ୍ତ କରାଯାଇ ସେମାନଙ୍କୁ ରାସନ କାର୍ଡ ଏବଂ ସ୍ଵାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବା, ରେଙ୍ଗାଳି ପାଓ୍ବାର ହାଉସର ଉତ୍ପାଦିତ ବିଦ୍ୟୁତରୁ ସମସ୍ତ ବିସ୍ଥାପିତଙ୍କୁ ଆଜୀବନ ମାଗଣା ବିଦ୍ୟୁତ ଲାଇନ ଯୋଗାଇବା ସହ ଚକଧର ସମାକୋଇ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି ରହିଛି । ଏହାବ୍ୟତିତ ବିସ୍ଥାପିତ ହିନ୍ଦୁ ଦେବାଦେବୀ ଓ ସେବକ ପୂଜାରୀଙ୍କ ଚିହ୍ନଟ ପଞ୍ଜିକରଣ, ମନ୍ଦିରର ପୁନରୁଦ୍ଧାର, ଉନ୍ନତି କରଣ ପାଇଁ ସେମାନେ ଦାବି ରଖିଛନ୍ତି ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିହାରରେ ବିଷାକ୍ତ ମଦ ମାମଲା: ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି, କ୍ଷତିପୂରଣ ରାଶି ୪ ଲକ୍ଷ ଘୋଷଣା

ପାଟନା: ବିହାରର ପୂର୍ବ ଚମ୍ପରନ୍ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି। ବିଷାକ୍ତ ମଦ କାରଣରୁ ବିହାର ସରକାର ଚାରି ଲକ୍ଷ କ୍ଷତିପୂରଣ ପ୍ରଦାନ କରିବେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି କ୍ଷତିପୂରଣ ଘୋଷଣା କରିଛନ୍ତି। ଯାହାର ଦାବି ସରକାର ଏବଂ ବିଜେପି ସହ ଜଡିତ ସହଯୋଗୀ ଦଳଙ୍କ ଦ୍ଵାରା କରାଯାଉଥିଲା। ନୀତୀଶ କୁମାର କହିଛନ୍ତି ଯେ, ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ଅତ୍ୟନ୍ତ ଦୁ sad ଖଦାୟକ ଏବଂ ରିପୋର୍ଟ ଆସିବା ପରେ ପ୍ରଭାବିତ ପରିବାର ସଦସ୍ୟଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥି ସହ ବିରୋଧୀ ଭାରତୀୟ ଜନତା ପାର୍ଟି ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ହୋଇଥିବା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନା ସମୟରେ ଶିକ୍ଷକଙ୍କ ସର୍ବୋଚ୍ଚ ବଳିଦାନ ପାଇଁ କ୍ଷତିପୂରଣ ରାଶି ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲା ମଧ୍ୟରୁ ଗଂଜାମ ଜିଲ୍ଲାରେ ବହୁ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ସରକାର ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଥିଲେ। ସେଠାରେ ସେମାନଙ୍କ ରହିବା, ଖାଇବା ଏବଂ ଚିକିତ୍ସା ପାଇଁ ସରକାର ବହୁ କୋଭିଡ଼୍ ଯୋଦ୍ଧାଙ୍କୁ ନିୟୋଜିତ କରିଥିଲେ।

ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାର ବହୁ ଶିକ୍ଷକ, ପ୍ରବାସୀ ଏବଂ ଅନ୍ୟାନ୍ୟ ଲୋକଙ୍କ ରହିବା, ଖାଇବା ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ସ୍କୁଲ, କଲେଜ, ଅନ୍ୟାନ୍ୟ କୋଭିଡ଼୍ କେୟର ସେଣ୍ଟରରେ ନିୟୋଜିତ ହୋଇଥିଲେ। ଏହି ସମୟରେ ସେମାନେ ସଂକ୍ରମିତ ହୋଇ ନିଜ ଜୀବନହାରି ସର୍ବୋଚ୍ଚ ବଳିଦାନ ଦେଇଥିଲେ। ରାଜ୍ୟ ସରକାରଙ୍କ ପୂର୍ବରୁ ଘୋଷିତ କୋଭିଡ଼୍ ଯୋଦ୍ଧାଙ୍କ ପାଇଁ କ୍ଷତିପୂରଣ ରାଶି ପ୍ରଦାନ ପରିପ୍ରେକ୍ଷୀରରେ ଆଜି ଗଂଜାମ ଜିଲ୍ଲାର ତିନିଜଣ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଆଜି ସେମାନଙ୍କ ପରିବାର ବର୍ଗଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି। କୋଭିଡ଼୍ ଯୋଦ୍ଧା ଶିକ୍ଷକ ସ୍ୱର୍ଗତ ଗୌରହରୀ ବେହେରାଙ୍କ ସ୍ତ୍ରୀ ବାସନ୍ତି ବେହେରାଙ୍କୁ, ଶିକ୍ଷକ ସ୍ୱର୍ଗତ ବଂଶୀଧର ବେହେରାଙ୍କ ସ୍ତ୍ରୀ ସୁଜାତା ବେହେରାଙ୍କୁ ଏବଂ ସ୍ୱର୍ଗତ ଡି. ରମେଶ୍ୱର ଆଚାରୀଙ୍କ ସ୍ତ୍ରୀ ଡ଼ି ସଂଜୁକ୍ତା ବେହେରାଙ୍କୁ ଆଜି ୫୦ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ଶିକ୍ଷାଧିକାରୀ ଶ୍ରୀ ପ୍ରଧାନ ପ୍ରଦାନ କରିଥିଲେ।

ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଶିକ୍ଷକମାନେ କରୋନା ସମୟରେ ଲୋକଙ୍କ ସୁବିଧା ପାଇଁ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟ ସଂପାଦନ କରିଥିଲେ। କରୋନାରେ ସଂକ୍ରମିତ ହୋଇ ସେମାନେ ଜୀବନ ଦେଇଛନ୍ତି। ତେଣୁ ସେମାନେ ସତରେ ଜଣେ ଜଣେ ଯୋଦ୍ଧା। ସୈନିକମାନେ ଯେପରି ଦେଶସେବା ପାଇଁ ନିଜ ଜୀବନ ଉତ୍ସର୍ଗ କରୁଛନ୍ତି ଏମାନେ ମଧ୍ୟ କୌଣସି ଗୁଣରେ କମ୍ ନୁହଁନ୍ତି। ଏଭଳି ଶିକ୍ଷକଙ୍କୁ କୋଟି କୋଟି ପ୍ରଣାମ ବୋଲି ଶ୍ରୀ ପ୍ରଧାନ କହିଥିଲେ।