Categories
ଆଜିର ଖବର ରାଜ୍ୟ ଖବର

ଗୋଟିଏ ପ୍ଲାଟଫର୍ମରେ ଏକାଠି ହେଲେ ୧୦୦ରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ ସହଯୋଗୀ ସଂସ୍ଥା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ସହିତ ସେମାନଙ୍କ ବ୍ୟବସାୟକୁ ଆଉ ଏକ ସୋପାନକୁ ନେବା ଲକ୍ଷ୍ୟରେ ‘ସ୍ୱକଳ୍ପ ସହଯୋଗ’ ଆୟୋଜନ କରାଯାଉଛି। ବୁଧବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱକଳ୍ପ ଉଦ୍ୟୋଗୀଙ୍କ ସହିତ ମେଣ୍ଟର, ଶିଳ୍ପ ବିଶେଷଜ୍ଞ ଏବଂ ବିଭିନ୍ନ ସହଯୋଗୀ ସଂସ୍ଥାର ଅଧିକାରୀମାନେ ଯୋଗ ଦେଇଥିଲେ। ବର୍ତ୍ତମାନର ପ୍ରତିଯୋଗିତାମୂଳକ ବଜାରରେ ସ୍ୱକଳ୍ପ ଉଦ୍ୟୋଗୀମାନେ ବୈଷୟିକ ଜ୍ଞାନକୌଶଳକୁ ଆଧାରକରି ନିଜ ନିଜ ବ୍ୟବସାୟକୁ କିପରି ଆଗକୁ ନେଇପାରିବେ ତା’ ଉପରେ ଏହି କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଯୋଗଦେଇ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ‘ସ୍ୱକଳ୍ପ ସହଯୋଗ’ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦୦ରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଭାଗ ନେଇଥିଲେ। ଉଦ୍ୟୋଗୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ ସ୍ୱକଳ୍ପ ସହଯୋଗ କରାଯାଉଛି।

ଏହି କାର୍ଯ୍ୟକ୍ରମରେ କୋସା, ଡିଆଇଭିଏଭିଆଇ – ଗାଓଁ କା ବଜାର, ମିଲେଟ ମ୍ୟାଜିକ ଫାଉଣ୍ଡେସନ, ଓଏନଡିସି ଏବଂ ଭାରତ ପେ’ ସହଯୋଗୀ ସଂସ୍ଥା ଭାବେ ଯୋଡ଼ି ହୋଇଛନ୍ତି। ଏହା ମାଧ୍ୟମରେ ଆଗାମୀ ଦିନରେ ସ୍ୱକଳ୍ପ ଉଦ୍ୟୋଗୀମାନଙ୍କୁ ୠଣ ସହାୟତା, ଅନଲାଇନ ମାର୍କେଟିଙ୍ଗ୍, ଡିଜିଟାଲ କାରବାର ଏବଂ ବୈଷୟିକ ସହାୟତା ଆଦି ଯୋଗାଇଦେବାକୁ ଲକ୍ଷ୍ୟ ରହିଛି।
‘‘୧୦୦ରୁ ଅଧିକ ସ୍ୱକଳ୍ପ ଉଦ୍ୟୋଗୀଙ୍କ ସହିତ ମେଣ୍ଟର ଏବଂ ପାର୍ଟନରମାନଙ୍କୁ ଯୋଡ଼ିବା ପାଇଁ ସ୍ୱକଳ୍ପ ସହଯୋଗର ପରିକଳ୍ପନା କରାଯାଇଛି। ଏହା ସେମାନଙ୍କ ବ୍ୟବସାୟକୁ ଆଗକୁ ନେବାରେ ବିଶେଷ ସହାୟକ ହେବ। ମେଣ୍ଟର ଓ ପାର୍ଟନରମାନଙ୍କ ଭଳି ବିଶେଷଜ୍ଞମାନଙ୍କ ମାର୍ଗଦର୍ଶନ ଫଳରେ ଉଦ୍ୟୋଗୀମାନେ ସଶକ୍ତ ହୋଇପାରିବେ। ବିଭିନ୍ନ ସମସ୍ୟାର ମୁକାବିଲା କରିବା ସହ ବିଭିନ୍ନ ସୁଯୋଗର ଲାଭ ନେବା ଦିଗରେ ଏହା ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼ାଇବ। ସ୍ୱକଳ୍ପ ବନ୍ଧୁ ଓ ସ୍ୱକଳ୍ପ ସୁରକ୍ଷା ଭଳି କାର୍ଯ୍ୟକ୍ରମ ଜରିଆରେ ଉଦ୍ୟୋଗୀମାନଙ୍କ ସାମଗ୍ରିକ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏହି କାର୍ଯ୍ୟକ୍ରମଗୁଡ଼ିକ ସେମାନଙ୍କୁ ବୀମା ସହାୟତା ଦେବା ସହ ଉପଯୁକ୍ତ ମେଣ୍ଟରମାନଙ୍କ ସହ ଯୋଡ଼ି ହେବାରେ ସାହାଯ୍ୟ କରିବ। ଏସବୁ ଜରିଆରେ ସମସ୍ତଙ୍କ ପାଇଁ ଦୀର୍ଘସ୍ଥାୟୀ ବିକାଶ ଓ ସମୃଦ୍ଧିର ବାଟ ପ୍ରଶସ୍ତ କରୁଛି ସ୍ୱକଳ୍ପ’’, କହିଛନ୍ତି ପାଲାଡିୟମ ଇଣ୍ଡିଆର ନିର୍ଦ୍ଦେଶକ ସନ୍ଦୀପ ଲାଞ୍ଜେୱର।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, କାରେଟ୍ କାପିଟାଲର ସହପ୍ରତିଷ୍ଠାତା ପ୍ରଜକ୍ତ ରାଉତ, କୋସାର ସହପ୍ରତିଷ୍ଠାତା ବିଜୟ କ୍ରିଷ୍ଣାପା, ମେସୋର ଜୋନାଲ ମ୍ୟାନେଜର ଶୁଭଦୀପ ଶାହ, ୟୁନାଇଟେଡ୍ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନିର ବରିଷ୍ଠ ଶାଖା ପ୍ରବନ୍ଧକ ରିଚା ପ୍ରମୋଦ ଖୁସୱା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ସହକାରୀ ଉପସଭାପତି ଡକ୍ଟର ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଜେଏସଡବ୍ଲ୍ୟୁ ଗ୍ରୁପର ସିଏସଆର୍ ଏବଂ କର୍ପୋରେଟ୍ ରିଲେସନସ୍ର ମୁଖ୍ୟ ପ୍ରଶାନ୍ତ ବିଶ୍ୱାଳ, ପ୍ରିମିୟମ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଆଇଏମସି ପରିଚାଳନା ପରିଷଦର ଅଧ୍ୟକ୍ଷ ବିଭୁ ପ୍ରସାଦ ସାହୁ, ଭାରତ ପେ’ର ସେଲ୍ସ ମ୍ୟାନେଜର ବିଶ୍ୱ ପ୍ରକାଶ ରାଉତ, ମିଲେଟ୍ ମ୍ୟାଜିକ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ୟାମା ଝା, ଡିଆଇଭିଏଭିଆଇର ପ୍ରତିଷ୍ଠାତା ଦେବୀକା ମୁଖାର୍ଜୀ, ବିଶ୍ୱ ଦକ୍ଷତା କେନ୍ଦ୍ରର ଜେନେରାଲ ମ୍ୟାନେଜର (ଏମଏସଓପି) ଜିତେନ୍ଦ୍ର ମୋହନ ସାହୁ, ସ୍ୱକଳ୍ପ ଟିମ୍ ଲିଡର ତଥା ପାଲଡିୟମ ଇଣ୍ଡିଆର ସହଯୋଗୀ ନିର୍ଦ୍ଦେଶକ ସୌମେନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ଅଧୀନରେ ତଥା ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ‘ସ୍ୱକଳ୍ପ’ର ପରିଚାଳନା କରାଯାଉଛି। ସ୍ୱକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ସହଯୋଗୀ ସଂସ୍ଥା ଭାବେ ପାଲାଡିୟମ କନସଲ୍ଟିଂ ଇଣ୍ଡିଆ କାମ କରୁଛି।

‘ସ୍ୱକଳ୍ପ’ ଅଧୀନରେ ପର୍ଯ୍ୟାୟକ୍ରମେ ଓଡ଼ିଶାର ୧୦ ହଜାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ଦକ୍ଷତା ବିକାଶ ଲାଗି ତାଲିମ ଦିଆଯାଉଛି। ସେମାନଙ୍କ ମଧ୍ୟରୁ ୧ ହଜାର ବ୍ୟକ୍ତି କିପରି ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠା କରିପାରିବେ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ୨୫ ପ୍ରତିଶତ ମହିଳାଙ୍କ ଅନ୍ତର୍ଭୁକ୍ତିକୁ ପ୍ରାଥମିକତା ଦିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

“ସ୍ୱକଳ୍ପ ସହଯୋଗ” କାର୍ଯ୍ୟକ୍ରମ: ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ବିଶେଷ ସହାୟତା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ଦେଇ ସଶକ୍ତ କରିବା ପାଇଁ “ସ୍ୱକଳ୍ପ ସହଯୋଗ” ନାଁରେ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଇଥିଲା। ବୁଧବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୪୦ରୁ ଅଧିକ ସ୍ୱକଳ୍ପ ଉଦ୍ୟୋଗୀ ଯୋଗ ଦେଇଥିଲେ । ସେମାନଙ୍କୁ ନିଜ ନିଜ ବ୍ୟବସାୟ ଆଗକୁ ବଢ଼ାଇବା ଲାଗି ବ୍ୟାଙ୍କ ଋଣ ପ୍ରଦାନ ସହିତ ଡିଜିଟାଲ କାରବାର ପାଇଁ ଆବଶ୍ୟକ ସହାୟତା ଦିଆଯାଇଥିଲା।

ଦିନେ ବ୍ୟବସାୟ କରିବାକୁ ସ୍ୱପ୍ନ ଦେଖୁଥିଲେ ଗାଁ ଗହଳିର ଯୁବକ ଯୁବତୀ। ଆଜି ସେମାନଙ୍କୁ ତାଲିମ ଦେଇ ବ୍ୟବସାୟ ସ୍ଥାପନ ଲାଗି ସେମାନଙ୍କ ଭିତରେ ନୂଆ ସାହସ ଓ ଉତ୍ସାହ ଭରିଛି ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗ ଦକ୍ଷତା ବିକାଶ କାର୍ଯ୍ୟକ୍ରମ “ସ୍ୱକଳ୍ପ”।

“ସ୍ୱକଳ୍ପ ସହଯୋଗ” କାର୍ଯ୍ୟକ୍ରମରେ ବ୍ୟବସାୟ ସ୍ଥାପନ କରିଥିବା ସଫଳ ଉଦ୍ୟୋଗୀମାନେ ସେମାନଙ୍କ ଉଦ୍ୟୋଗ ଯାତ୍ରା ବିଷୟରେ କହିଥିଲେ। ବ୍ୟବସାୟକୁ ଆଗକୁ ନେବା ପାଇଁ “ସ୍ୱକଳ୍ପ” ପକ୍ଷରୁ ବିଭିନ୍ନ ସମୟରେ ଦିଆଯାଇଥିବା ସହାୟତା ବିଷୟରେ ସେମାନେ ବର୍ଣ୍ଣନା କରିଥିଲେ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୪୦ରୁ ଅଧିକ ସ୍ୱକଳ୍ପ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କେତେକ ସଫଳ ଉଦ୍ୟୋଗୀଙ୍କୁ ବ୍ୟାଙ୍କ ଋଣ ପାଇଁ ଅନୁମତିପତ୍ର ଦିଆଯାଇଥିଲା। ଡିଜିଟାଲ କାରବାର ପାଇଁ ଆଗରୁ ପଞ୍ଜୀକରଣ କରିଥିବା ଉଦ୍ୟୋଗୀଙ୍କୁ ଭାରତ ପେ’ ପକ୍ଷରୁ “କ୍ୟୁ ଆର୍‌” କୋଡ୍ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଯୋଗଦେଇ ଉଦ୍ୟୋଗୀମାନଙ୍କ ସହ କଥା ହୋଇଥିଲେ। ବ୍ୟବସାୟକୁ ଆଗକୁ ନେବା ପାଇଁ ସେମାନଙ୍କୁ ସେ ଉତ୍ସାହିତ କରିଥିଲେ। ସେ କହିଥିଲେ, “ଓଡ଼ିଶାର ଗ୍ରାମାଞ୍ଚଳର ଲୋକଙ୍କ ଭିତରେ ବିଭିନ୍ନ ବ୍ୟବସାୟ ସ୍ଥାପନ ପାଇଁ ଯଥେଷ୍ଟ ଆଗ୍ରହ ରହିଛି। ଏଥିପାଇଁ ସ୍ୱକଳ୍ପ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ତାହା ସେମାନଙ୍କୁ ଆଗକୁ ଯିବାରେ ଅଧିକ ଉତ୍ସାହିତ କରୁଛି। ଏହି ପରିପ୍ରେକ୍ଷୀରେ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।”

“ତୃଣମୂଳ ସ୍ତରର ଲୋକମାନଙ୍କୁ ସଶକ୍ତ କରି ସେମାନଙ୍କୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସହ ଯୋଡ଼ିବା ପାଇଁ “ସ୍ୱକଳ୍ପ” ଭଳି ପ୍ରଭାବଶାଳୀ କାର୍ଯ୍ୟକ୍ରମ ହାତକୁ ନେଇଛି ପାଲାଡିୟମ ଇଣ୍ଡିଆ। ଫଳରେ ଆଜି ଅନେକ ସ୍ୱକଳ୍ପ ଉଦ୍ୟୋଗୀ ତିଆରି ହୋଇପାରିଛନ୍ତି। ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିପାରିଛି। ସେମାନଙ୍କ ଭିତରୁ ୫୦ରୁ ଅଧିକ ଉଦ୍ୟୋଗୀଙ୍କୁ ବ୍ୟାଙ୍କ ଏବଂ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଜରିଆରେ ଋଣ ଯୋଗାଇ ଦିଆଯାଇଛି। ଏହା ସେମାନଙ୍କ ବ୍ୟବସାୟକୁ ଆଉ ଏକ ନୂଆ ଉଚ୍ଚତାକୁ ନେବାରେ ସାହଯ୍ୟ କରିବ”, କହିଛନ୍ତି ପାଲାଡିୟମ ଇଣ୍ଡିଆର  ନିର୍ଦ୍ଦେଶକ ସନ୍ଦୀପ ଲାଞ୍ଜେୱାର।

ବ୍ୟବସାୟ ସ୍ଥାପନା ପାଇଁ ଅନୁକୂଳ ପରିବେଶ ସହିତ ଅର୍ଥ, ବଜାର ସଂଯୋଗ ଏବଂ ଉତ୍ପାଦଗୁଡ଼ିକର ଉପୁକ୍ତ ବ୍ରାଣ୍ଡିଂର ଆବଶ୍ୟକତା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଉଦ୍ୟୋଗୀମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଉତ୍ପାଦର କିପରି ବ୍ରାଣ୍ଡିଂ ଓ ବଜାର ସଂଯୋଗ କରାଯିବ ତା’ଉପରେ ସ୍ୱକଳ୍ପ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସେହିପରି ଇ-କମର୍ସ ପ୍ଲାଟଫର୍ମରେ ସ୍ୱକଳ୍ପ ଉଦ୍ୟୋଗୀଙ୍କ ଉତ୍ପାଦକୁ ସ୍ଥାପନ ଦେବା ପାଇଁ ଅଗ୍ରଣୀ ଇ-କମର୍ସ ସଂସ୍ଥା “ମେସୋ”କୁ ଇକୋସିଷ୍ଟମ ପାର୍ଟନର ଭାବେ ନିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଜେନେରାଲ ମ୍ୟାନେଜର (ଏମଏସଓପି) ଜିତେନ୍ଦ୍ର ମୋହନ ସାହୁ, ଭାରତ ପେ’ର ଏରିଆ ଜେନେରାଲ ମ୍ୟାନେଜର ବିଶ୍ୱ ପ୍ରକାଶ ରାଉତ, ଏସଆଇଡିବିଆଇର ସହକାରୀ ପ୍ରବନ୍ଧକ ଅଶ୍ୱିନୀ ବେହେରା, ଭାରତୀୟ ଷ୍ଟେଟ ବ୍ୟାଙ୍କର ସହକାରୀ ପ୍ରବନ୍ଧକ କେ ମିଲନ ପାତ୍ର, ଡିଆଇଭିଏଭିଆଇ – ଗାଓଁ କା ବଜାରର ମିଶନ ଡାଇରେକ୍ଟର ରାଜୀବ ରଞ୍ଜନ ଗୁରୁ, ସ୍ୱକଳ୍ପ ଟିମ୍ ଲିଡର ତଥା ପାଲଡିୟମ ଇଣ୍ଡିଆର ସହଯୋଗୀ ନିର୍ଦ୍ଦେଶକ ସୌମେନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ଅଧୀନରେ ତଥା ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା “ସ୍ୱକଳ୍ପ”ର ପରିଚାଳନା କରାଯାଉଛି। ସ୍ୱକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ସହଯୋଗୀ ସଂସ୍ଥା ଭାବେ ପାଲାଡିୟମ କନସଲ୍ଟିଂ ଇଣ୍ଡିଆ କାମ କରୁଛି।

“ସ୍ୱକଳ୍ପ” ଅଧୀନରେ ପର୍ଯ୍ୟାୟକ୍ରମେ ଓଡ଼ିଶାର ୧୦ ହଜାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ଦକ୍ଷତା ବିକାଶ ଲାଗି ତାଲିମ ଦିଆଯାଉଛି। ସେମାନଙ୍କ ମଧ୍ୟରୁ ୧ ହଜାର ବ୍ୟକ୍ତି କିପରି ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠା କରିପାରିବେ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ୨୫ ପ୍ରତିଶତ ମହିଳାଙ୍କ ଅନ୍ତର୍ଭୁକ୍ତିକୁ ପ୍ରାଥମିକତା ଦିଆଯାଉଛି।