Categories
ଆଜିର ଖବର ରାଜ୍ୟ ଖବର

ଚାଷଜମିକୁ ଜଳସେଚନ ସୁବିଧା ପାଇଁ କ୍ଷେତ ପୋଖରୀ ଓ ଗଭୀର କୂଅ: ଉପକୃତ ହେଉଛନ୍ତି ଆଦିବାସୀ ଚାଷୀ

ସୁନ୍ଦରଗଡ଼: ଚାଷଜମିକୁ ଜଳ, ଚାଷୀଙ୍କୁ ବଳ। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଦିବାସୀ ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଲାଗି କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳିବା ଲାଗି ପ୍ରୋତ୍ସାହନ ଦିଆଯାଉଛି।

ସୁନ୍ଦରଗଡ଼ ହେଉଛି ବଣ ପାହାଡ଼ଘେରା ଜିଲ୍ଲା। ଏଠାକାର ଲୋକମାନେ ଧାନ ସହିତ ବିଭିନ୍ନ ପ୍ରକାରର ଋତୁକାଳୀନ ଫସଲ କରିଥାନ୍ତି। ତେଣୁ ଭଲ ଫସଲ ଅମଳ ପାଇଁ ଜଳସେଚନର ଆବଶ୍ୟକତା ରହିଥିବାରୁ ଚାଷୀଙ୍କ ଜମିରେ କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳାଯାଉଛି। ଏହା ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ଥିବା ୯ଟି ବ୍ଳକରେ କାର୍ଯ୍ୟକାରୀ କରାଯାଉଛି। ଏହା ଦ୍ୱାରା ଚାଷ ଜମିକୁ ନିରନ୍ତର ଭାବେ ଜଳସେଚନର ସୁବିଧା ମିଳିପାରୁଛି।

“ଆଦିବାସୀ ବର୍ଗର ଚାଷୀମାନଙ୍କ ସୁବିଧା ଲାଗି ଆଇଟିଡିଏ ପକ୍ଷରୁ ବିଭିନ୍ନ ପଦେକ୍ଷପ ନିଆଯାଉଛି। ସେଥିମଧ୍ୟରୁ ଜଳସେଚନ ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ। ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଜମିରେ କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳାଯାଉଛି। ଏଥିରେ ସ୍ଥାନୀୟ ଶ୍ରମଜୀବୀମାନଙ୍କୁ ଯୋଡ଼ାଯାଇ ସେମାନଙ୍କୁ ଜୀବିକା ଦିଆଯାଉଛି”, କହିଛନ୍ତି ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ।

farmer
farmer

୨୦୨୦-୨୧ ବର୍ଷରୁ ୨୦୨୨-୨୩ ଭିତରେ ମୋଟ ୪୭ଟି କ୍ଷେତ ପୋଖରୀ ଖୋଳା ଯାଇଛି । ସେହିପରି ୮୫ଟି ଗଭୀର କୂଅ ଖୋଳା ଯାଇଛି। ଏହି କ୍ଷେତ ପୋଖରୀ ଏବଂ ଗଭୀର କୂଅ ଖୋଳିବା ଲାଗି ଚାଷୀମାନେ ଗ୍ରାମସଭା ଜରିଆରେ ଆବେଦନ କରୁଛନ୍ତି। ଗ୍ରାମସଭାରେ ଏହା ପାରିତ ହେବା ପରେ ଆଇଟିଡିଏର ଅଧିକାରୀ କ୍ଷେତ୍ର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରୁଛନ୍ତି।

“ଆଗରୁ ଚାଷ କାମ ଲାଗି ବର୍ଷା ଜଳ ଏକମାତ୍ର ଭରସା ଥିଲା। ହେଲେ ଏବେ ମୋ’ ଜମିରେ କ୍ଷେତ ପୋଖରୀ ଖୋଳାଯାଇଛି। ଚାଷ କାମରେ ଆଉ ଆଗଭଳି ଅସୁବିଧା ହେଉନାହିଁ। ପୋଖରୀରୁ ପାଣି ଉଠାଇ ମୁଁ ବିଭିନ୍ନ ପ୍ରକାରର ପନିପରିବା ଚାଷ କରୁଛି। ଅମଳ ହେଉଥିବା ପନିପରିବାକୁ ପାଖ ବଜାରରେ ବିକ୍ରି କରି ଭଲ ଦି’ପଇସା ରୋଜଗାର କରୁଛି”, କହନ୍ତି ଲେଫ୍ରିପଡ଼ା ବ୍ଳକ ମଗରକୁଣ୍ଡା ଗ୍ରାମର ଜଣେ ଚାଷୀ ଡିଲେଶ୍ୱର ପ୍ରଧାନ।

“ଆଇଟିଡିଏର ପ୍ରୋତ୍ସାହନ ଫଳରେ ମୁଁ ମୋ’ ଜମିରେ ଗୋଟିଏ କୂଅ ଖୋଳିଛି। ଏଥିରୁ ମୁଁ ମୋ’ ଚାଷଜମିକୁ ସୁବିଧାରେ ପାଣି ମଡ଼ାଇ ପାରୁଛି। ଜଳସେଚନ ଲାଗି ଆଗରୁ ଯେଉଁ ଅସୁବିଧା ଥିଲା ତାହା ଦୂର ହୋଇପାରିଛି”, କହନ୍ତି ସବଡେଗା ବ୍ଲକ ଭଗପାଲି ଗ୍ରାମର ଜଣେ ମହିଳା ଚାଷୀ ଚୁମକି ନାଏକ।

ସୁନ୍ଦରଗଡ଼ରେ କ୍ଷେତ ପୋଖରୀ ଏବଂ କୂଅ ଖୋଳାଯିବା ଫଳରେ ଚାଷଜମି ଆଉ ଆଗଭଳି ପଡ଼ିଆ ପଡୁନାହିଁ। ବର୍ଷ ସାରା ଜମିରେ ବିଭିନ୍ନ ପ୍ରକାରର ଫସଲ ହେଉଛି। ଏହାକୁ ବିକ୍ରି କରି ଚାଷୀମାନେ ଭଲ ଦି’ ପଇସା ରୋଜଗାର କରିପାରୁଛନ୍ତି। ତା’ଛଡ଼ା ଭୂତଳ ଜଳସ୍ତର ହ୍ରାସକୁ ନିୟନ୍ତ୍ରଣ କରିବା ସହିତ ମୃତ୍ତିକା ସଂରକ୍ଷଣ ଆଦି ଦିଗରେ ମଧ୍ୟ ଏହି ଜଳସେଚନ ପ୍ରକଳ୍ପ ବିଶେଷ ସହାୟକ ହେଉଛି।