Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ଭୁବନେଶ୍ୱର: କ୍ୟାନ୍ସରରେ ଆକ୍ରାନ୍ତ ଏବଂ କରୋନା ସଂକ୍ରମିତ ଜଣେ ୯୦ ବର୍ଷୀୟ ବୃଦ୍ଧ
କୋଭିଡକୁ ପରାସ୍ତ କରିଛନ୍ତି। ସମ୍ କୋଭିଡ ହସ୍ପିଟାଲ୍‌ରୁ କରୋନା ମୁକ୍ତ ହୋଇଛନ୍ତି ଶ୍ରୀ ମୁରଲୀଧର ଶତପଥୀ। ଗଳା କର୍କଟ ରୋଗରେ ଗତ ମାର୍ଚ୍ଚ ମାସରୁ ପୀଡିତ ଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର କ୍ୟାନ୍ସର ଚିକିତ୍ସା ଚାଲିଥିବା ବେଳେ ଗତ ଅକ୍ଟୋବର ୧୦ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ। ସଂକ୍ରମିତ ହେବା ପରେ କ୍ୟାନ୍ସର ହସ୍ପିଟାଲ୍‌ରୁ ତାଙ୍କୁ ସମ୍ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ସମ୍ କୋଭିଡ ଟିମ୍। ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ଉତ୍ତମ ଚିକିତ୍ସା, ଯତ୍ନ ଓ ସେବା ଶୁଶ୍ରୁଷା ଫଳରେ ସେ ସୁସ୍ଥ ହେବା ସହ କରୋନାକୁ ପରାସ୍ତ ମଧ୍ୟ କରିସାରିଛନ୍ତି।

ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ଠିକ୍‌ରେ ଖାଇପାରୁ ନଥିବା ଏବଂ କେବଳ ତରଳ ପଦାର୍ଥ ଗ୍ରହଣ କରୁଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତି ଜଣଙ୍କ ହସ୍ପିଟାଲ୍‌ରୁ ସୁସ୍ଥ ହୋଇପାରିଥିବା ନେଇ ଆନନ୍ଦ ପ୍ରକଟ କରିଛନ୍ତି ତାଙ୍କ ସମ୍ପର୍କୀୟ ସବ୍ୟସାଚୀ ମିଶ୍ର। ଏନେଇ ସେ ସମ୍ କୋଭିଡ ଟିମ୍‌କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ଜଣେ କ୍ୟାନ୍ସର ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣ ଅଧିକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ମୁରଲୀଧର କରୋନାକୁ ପରାସ୍ତ କରିବା ନିଶ୍ଚିତ ଭାବେ କରୋନା ରୋଗୀଙ୍କ କ୍ଷେତ୍ରରେ ଆଶାଜନକ ବାର୍ତ୍ତା ପ୍ରଦାନ କରୁଛି। କୋଭିଡକୁ ଯେ ପରିଣତ ବୟସରେ ଓ ଭୟଙ୍କର ରୋଗ ଆକ୍ରାନ୍ତ ହୋଇଥିବା ସତ୍ତ୍ୱେ ପରାସ୍ତ କରିହେବ ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ସମ୍ କୋଭିଡ ଟିମ୍‌ର ଉଦ୍ୟମ, ସେବା ଓ ଯତ୍ନ ଫଳରେ ଏଭଳି ଅନେକ ବୟୋଜ୍ୟେଷ୍ଠ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ କରୋନା ସଂକ୍ରମିତ ସୁସ୍ଥ ହେଉଥିବାର ଦେଖିବାକୁ ମିଳୁଛି।